ବୃନ୍ଦା ଆତ୍ମହତ୍ୟାରୁ ଶିଖିବା କ’ଣ?

News Story - Posted on 2017-11-03

ଜଗଦୀଶ ପ୍ରଧାନ

 

ବରଗଡ଼ ଜିଲ୍ଲା କଳାପାଣି ଗାଁର ବୃନ୍ଦାବନ ସାହୁଙ୍କ କ୍ଷେତରେ ଫସଲ ପୋଡ଼ିବାଠାରୁ ଆତ୍ମହତ୍ୟା ଯାଏଁ ଯାହା ସବୁ ଘଟିଯାଇଛି ତାହା ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଭଗବାନ କରନ୍ତୁ ଯେମିତି ଆମ ଦେଶର ଅନ୍ୟ କେଉଁଠି ବି ଏଭଳି ଦୁଃଖଦାୟକ ଘଟଣା ନଘଟୁ।

 

ଆମ ଦେଶରେ ସ୍ବାଧୀନତା ପ୍ରାପ୍ତିର ଆରମ୍ଭ ଦିନଠାରୁ ଆଜି ଯାଏଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନୀତି କୃଷି ଅପେକ୍ଷା ଅଣକୃଷି କ୍ଷେତ୍ରର ବିକାଶକୁ ଅଧିକ ଗୁରୁତ୍ବ ଦେଇ ଆସିଛି। ପରିଣାମରେ କୃଷି ଉତ୍ପାଦନରେ ଅନେକ ସଫଳତା ମିଳିଥିଲେ ମଧ୍ୟ କୃଷକ ଏବଂ କୃଷିଜୀବୀଙ୍କ ସାମାଜିକ-ଆର୍ଥିକ ସ୍ଥିତି ଦିନକୁ ଦିନ ଅଧିକରୁ ଅଧିକ ଶୋଚନୀୟ ହେବାରେ ଲାଗିଛି।

 

କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଅବାଂଛିତ ଭାବରେ ରାସାୟନିକ ସାର ଓ କୀଟନାଶକର ପ୍ରୟୋଗକୁ ଉତ୍ସାହିତ କରାଯିବା ଫଳରେ ସର୍ବପ୍ରଥମେ ଏହାର ଭୟଙ୍କର କୁପ୍ରଭାବ ଚାଷୀମାନଙ୍କୁ ଭୋଗିବାକୁ ପଡୁଛି। ପରିଣାମରେ ଏବେ ଦେଶର ଅନେକ ଅଞ୍ଚଳରେ (ବରଗଡ଼ ସମେତ) ଭୟଙ୍କର ଭାବେ କ୍ୟାନସର୍‌ ବା କର୍କଟ, କିଡନୀ ବେମାରୀ ଓ ସ୍ନାୟବିକ ବେମାରୀର ପ୍ରାବଲ୍ୟ ଦେଖାଦେଇଛି।

 

ରାସାୟନିକ ସାର ଓ କୀଟନାଶକର ବ୍ୟବହାର ଯେଉଁଠି ଯେତେ ବେଶୀ ସେ ସବୁ ଅଞ୍ଚଳରେ ଚାଷୀମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ମଧ୍ୟ ସେତେ ଅଧିକ।

 

ପାରିବାରିକ ଓ ସାମାଜିକ ନିରାପତ୍ତାର ଅଭାବ- ଆଗେ ଯେକୌଣସି ପ୍ରାକୃତିକ ବା ମଣିଷକୃତ ଦୁର୍ବିପାକ ସମୟରେ ପ୍ରଭାବିତ ବ୍ୟକ୍ତିଙ୍କୁ ବନ୍ଧୁବାନ୍ଧବ ତଥା ଆଖପାଖ ସାହି ପଡ଼ିଶା ଲୋକ ସାହାଯ୍ୟ ସହଯୋଗ କରିବାକୁ ଆଗେଇ ଆସୁଥିଲେ, ଆଶ୍ବାସନା ଦେଉଥିଲେ, ଆର୍ଥିକ ପୁନରୁଦ୍ଧାର ନିମନ୍ତେ ସାହସ ଦେଉଥିଲେ। ଦୁର୍ଭାଗ୍ୟବଶତଃ ବିଭିନ୍ନ କାରଣରୁ ଏବେ ଲୋକଙ୍କ ଭିତରେ ଏ ପ୍ରକାର ସାହାଯ୍ୟ ସହଯୋଗ ପାଇବାର ଭରସା ତୁଟି ଯାଉଛି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଲୋକଙ୍କୁ କେବଳ ସରକାରଙ୍କ ଉପରେ ଭରସା କରିବାକୁ ପଡୁଛି ଏବଂ ଏଥିରେ ଅଧିକାଂଶ କ୍ଷେତ୍ରରେ ନିରାଶ ହେବା ସ୍ବାଭାବିକ।

 

ଆଗକୁ ଅବସ୍ଥା ଅଧିକ ଭୟଙ୍କର ହେବ- ଯଦି ଚାଷୀମାନେ ରାସାୟନିକ ଚାଷ ପଦ୍ଧତିକୁ ନଛାଡ଼ିବେ ତେବେ ଆଗକୁ କଳାପାଣି ଭଳି ସମସ୍ୟା ଅଧିକରୁ ଅଧିକ ଅଂଚଳରେ ଦେଖାଦେବ। ଏବେ ସରକାର ରାସାୟନିକ ଚାଷ ଉପରେ ନିୟନ୍ତ୍ରଣ ଜାରି କରିବା ସହିତ ଜୈବିକ ଚାଷକୁ ଯଥେଷ୍ଟ ପ୍ରୋତ୍ସାହନ ଦେବା ଜରୁରୀ।

 

ଏବେ କୃଷକ ନେତୃବର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗ କେବଳ ପରସ୍ପରକୁ କାଦୁଅ ଫିଙ୍ଗାଫିଙ୍ଗି ରାଜନୀତି କରି ନିଜ ନିଜର ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରିବେ। କିନ୍ତୁ ସେଥିରେ କୌଣସି ଚାଷୀର କିଛି ଲାଭ ହେବ ନାହିଁ।

 

ଆମର ଆର୍ଥିକ ବ୍ୟବସ୍ଥା ବିଶ୍ବ ବାଣିଜ୍ୟ ବ୍ୟବସ୍ଥା ସହିତ ଯୋଡ଼ି ହୋଇଯିବାପରେ ଏବେ କୃଷକ ଏବଂ କୃଷିଜୀବୀଙ୍କ ସମସ୍ୟା ସବୁ ଅଧିକରୁ ଅଧିକ ଜଟିଳ ହୋଇସାରିଛି। କୌଣସି ସରକାର ଚାହିଁଲେ ମଧ୍ୟ ଏସବୁ ସମସ୍ୟାକୁ ଏତେ ସହଜରେ ସମାଧାନ କରିପାରିବେ ନାହିଁ। (ଅନ୍ୟଥା ଏତେବେଳକୁ କେନ୍ଦ୍ର ସରକାର ଧାନର ଦର ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା କରି ସାରିଥାନ୍ତେ କିମ୍ବା ରାଜ୍ୟ ସରକାର ଚାଷୀମାନଙ୍କୁ ସବୁ ଅଞ୍ଚଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରିପାରୁ ଥାଆନ୍ତେ।)

 

ଅନେକ ବର୍ଷ ହେଲାଣି ଚାଷବାସ ଆଉ ଆକର୍ଷଣୀୟ ହୋଇ ରହିନାହିଁ। ତେଣୁ ଚାଷୀମାନେ ବାଧ୍ୟବାଧକତାରେ ଚାଷ କରିବା ଛାଡ଼ି ବିକଳ୍ପ ରୋଜଗାର ଯୋଗାଇ ଦେବା ନିମନ୍ତେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ହେବ। ମନରେଗାର ମଧ୍ୟ ବିକଳ୍ପ ଦରକାର।

 

ପ୍ରତ୍ୟେକ ଚାଷୀ ପରିବାରରୁ ଅନ୍ତତଃ ଜଣେ ବ୍ୟକ୍ତିଙ୍କୁ ସରକାରୀ ବା ବେସରକାରୀ ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା କରାଯିବା ଆବଶ୍ୟକ।

 

ଷାଠିଏ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ଚାଷୀଙ୍କ ନିମନ୍ତେ ଏକ ସମ୍ମାନଜନକ ପେନସନ୍ ବ୍ୟବସ୍ଥା କରାଯିବା ଆବଶ୍ୟକ।

 

କୃଷକ ସଂଗଠନ ତଥା ଆମର ରାଜନୈତିକ ନେତୃବର୍ଗ ଚାଷୀ ଓ ଚାଷବାସ ସହିତ ଜଡ଼ିତ ବିଭିନ୍ନ ସମସ୍ୟାକୁ ଗଭୀର ଭାବେ ଅନୁଧ୍ୟାନ କରିବା ଆବଶ୍ୟକ। ଅନ୍ୟଥା ସମାଧାନର ଠିକ୍ ରାସ୍ତା ବାହାରିବ ନାହିଁ ଏବଂ ଆଗକୁ ପରିସ୍ଥିତି ଅଧିକ ଭୟଙ୍କର ହେବ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top