ଆବଶ୍ୟକ ଅସନ୍ତୋଷ

News Story - Posted on 2017-11-02

ମାୟାଧର ନାୟକ

 

ଆଦିମ ଅରଣ୍ୟର ଅଭେଦ୍ୟ ଅଭ୍ୟନ୍ତରରୁ ସେଦିନ ଉଚ୍ଚାରିତ ହେଉଥିଲା ସେଇସବୁ ଉଦାତ୍ତ ଶବ୍ଦଲହରି । ଲିପି ନଥିଲା, ନଥିଲା ବର୍ଣ୍ଣମାଳାର ବନ୍ଧନ । ମୁକ୍ତ ସ୍ରୋତ ପରି, ଉଚ୍ଛଳ ଝରଣା ପରି ସାହିତ୍ୟର ଅଭିବ୍ୟକ୍ତି ଥିଲା ଅକପଟ ଏବଂ ଅନ୍ତରଙ୍ଗ । ହୃଦୟର ଭାଷା ସଂଚରି ଯାଉଥିଲା ହୃଦୟକୁ । ଶ୍ରୁତି ଏବଂ ସ୍ମୃତି ମାଧ୍ୟମରେ ଦୀର୍ଘକାଳ ବ୍ୟାପୀ ଅବ୍ୟାହତ ରହିଥିଲା ଏହି ଧାରା । ଭାରତୀୟ ପରମ୍ପରାର ଏହି ଆଦି ପର୍ଯ୍ୟାୟର ସାହିତ୍ୟ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା ଏକ ନୈତିକ ମୂଲ୍ୟବୋଧର ଜାଗରଣ ନିମନ୍ତେ । ପରେ ଏହି ‘ନୈତିକତା’ ଧୀରେ ଧୀରେ ‘ଧର୍ମ’ର ବନ୍ଧନୀରେ ଛନ୍ଦି ହେଲା- ବନ୍ଦୀ ହେବାକୁ ଆରମ୍ଭ କଲା ସାହିତ୍ୟ ସଂକୀର୍ଣ୍ଣତାର ଗଣ୍ଡ ଭିତରେ । ତଥାପି ସେଦିନର ସାହିତ୍ୟ ଥିଲା ଦୁଃଖ ଶୋକସନ୍ତପ୍ତ ଯାତନା ଜର୍ଜରିତ ପୃଥିବୀ ପାଇଁ ଟୋପାଏ ଶୀତଳ ସାନ୍ତ୍ୱନା! ମୁନି, ମନୀଷୀ, ମହର୍ଷି, ମହାତ୍ମାମାନଙ୍କ ଉଦବୋଧନରେ ଅନୁପ୍ରେରିତ ହୋଇଥିଲା ପ୍ରାଚୀନ ଯୁଗର ସାହିତ୍ୟ । ଜନଜୀବନରେ ସତ ଓ ଶୁଦ୍ଧ ଚିନ୍ତନର ପରିପ୍ରସାର ଦିଗରେ ସାହିତ୍ୟ ଥିଲା ସଂକଳ୍ପବଦ୍ଧ । ସେଦିନ ‘ବ୍ୟକ୍ତି’ ଅନୁପ୍ରବେଶ କରି ନଥିଲା ସାହିତ୍ୟର ସରହଦରେ, ସମୁଦାୟ ସମାଜ ବା ‘ବ୍ୟକ୍ତି’ ଥିଲା ସାହିତ୍ୟର କେନ୍ଦ୍ରବିନ୍ଦୁ ।

 

ଯୁଗ ବଦଳିଲା- ବଦଳିଲା ସାହିତ୍ୟର ସ୍ୱଧର୍ମ । ପ୍ରାଚୀନ ଓ ମଧ୍ୟଯୁଗର ସମାଧି ଉପରେ ଜନ୍ମ ନେଲା ନୂତନ ସାହିତ୍ୟ । ପ୍ରାଚୀନ ସାହିତ୍ୟର ସରଳ ସ୍ୱଚ୍ଛନ୍ଦ ଭାବଧାରା, ମଧ୍ୟଯୁଗର ଶରୀର ସର୍ବସ୍ୱ ବର୍ଣ୍ଣନା-ବିଳାସ ପରିବର୍ତ୍ତେ ସାହିତ୍ୟରେ ମୁହଁ ଦେଖାଇବାକୁ ଆରମ୍ଭ କଲା ବିଭକ୍ତ ବ୍ୟକ୍ତିତ୍ୱ, ସ୍ୱବିରୋଧ, ଆତ୍ମଦ୍ୱନ୍ଦ୍ୱ ଓ ଜର୍ଜରିତ ଜୀବନଯନ୍ତ୍ରଣା ।

 

ଶିଳ୍ପ ବିପ୍ଳବ ପରେ ନୂତନ ପୃଥିବୀର ମଣିଷକୁ ନେଇ ଯେଉଁ ସାହିତ୍ୟ ସୃଷ୍ଟି ହେଲା, ତା’ର ଚିତ୍ର ଓ ଚରିତ୍ର ଏକବାରେ ଅଲଗା । ନୂଆ ଯେତିକି, ନିଆରା ବି ସେତିକି । ଅରଣ୍ୟ, ନଗର, ରାଜସଭାର ପୃଷ୍ଠଭୂମି ପରିତ୍ୟାଗ କରି ଯନ୍ତ୍ରସଭ୍ୟତାର ଜଟିଳ ଜୀବନବୋଧକୁ ନେଇ ରଚିତ ହେଲା ନୂତନ ସାହିତ୍ୟ । କ୍ରମେ ସାମୂହିକ ସ୍ୱାର୍ଥ ବା ସାମାଜିକ ମାଙ୍ଗଳିକତାର ମନ୍ତ୍ର ଭାବରେ ନୁହେଁ, ବରଂ ବ୍ୟକ୍ତିବାଦର ବିଜ୍ଞପ୍ତି ଭାବରେ ମୁଣ୍ଡ ଟେକିଲା ସାହିତ୍ୟ ।

 

ଶିଳ୍ପ ବିପ୍ଳବ ପୂର୍ବରୁ କୃଷିଭିତ୍ତିକ ସଂସ୍କୃତିରେ ପରିପୁଷ୍ଟ ହୋଇଥିବା ସାହିତ୍ୟକୁ ନିୟନ୍ତ୍ରଣ କରୁଥିଲେ ସାମନ୍ତବାଦୀ ଶ୍ରେଣୀ । ରାଜା ଜମିଦାରମାନଙ୍କ ପୃଷ୍ଠପୋଷକତା କିନ୍ତୁ ସାହିତ୍ୟର ସ୍ୱାଧୀନତାକୁ ଅପହରଣ କରି ନେଇଥିଲା ସେଦିନ । ଦରିଦ୍ର ଲେଖକ ବଂଚିବାର ଦାୟରେ ଜୟଗାନ କରୁଥିଲା । ରାଜାରାଜୁଡ଼ାଙ୍କର, ଅତ୍ୟାଚାରୀ ଜମିଦାର ଶ୍ରେଣୀର । ଏପରିକି ରାଜାମାନଙ୍କ ନାମରେ ବହୁ କବି, ଲେଖକ ‘ଭଣିତା’ କରି ଯାଉଥିଲେ ନିଜସ୍ୱ ସାରସ୍ୱତ ସୃଷ୍ଟି ସମ୍ଭାର । ମାତ୍ର ଶିଳ୍ପ ବିପ୍ଳବ ପରେ ସାହିତ୍ୟ କ୍ରମେ ପାଲଟିଲା ବଣିକର ପଣ୍ୟ....ପୁଞ୍ଜିବାଦୀ ଶିଳ୍ପପତିର ବିଳାସ ସାମଗ୍ରୀ । ଶସ୍ତା ଆମୋଦ ହୋଇପଡିଲା ସାହିତ୍ୟର ଆଭିମୁଖ୍ୟ ।

 

ଆଧୁନିକ ସାହିତ୍ୟ ଉପରୋକ୍ତ ନୂତନ ସାହିତ୍ୟର ଉତ୍ତର-ପର୍ବ । ରାଜା, ଜମିଦାର, ସାମନ୍ତ, ଶିଳ୍ପପତିଙ୍କ ପରେ ଏବେ ଶାସକବର୍ଗର ନିର୍ଲଜ ଚାଟୁକାର ସାଜୁଛନ୍ତି ଅଧିକାଂଶ କବି ଲେଖକ । ନିଜକୁ ନିଲାମ କରୁଛନ୍ତି ନାମମାତ୍ର ମୂଲ୍ୟରେ । ସାହିତ୍ୟର ନାଡ଼ିନକ୍ଷତ୍ର ଠିକଠାକ ଅଛି ବୋଲି ବିଶ୍ୱାସ ହେଉ ନାହିଁ ମୋଟେ । ଅରଣ୍ୟର ନିର୍ଜନତା ମଧ୍ୟରେ ଯେଉଁ ସାହିତ୍ୟ ମହାଜୀବନର ପଥ ସନ୍ଧାନ କରୁଥିଲା ଦିନେ, ସେ ସାହିତ୍ୟ ଆଜି ପଂଚତାରକା ହୋଟେଲର ପ୍ରମୋଦ ଆସର ମଧ୍ୟରେ ନିଜକୁ ଉନ୍ମୋଚିତ କରାଇ, ହରାଇ ବସିଛି ନିଜସ୍ୱ ଅସ୍ତିତ୍ୱ । କୃତ୍ରିମ ପ୍ରସାଧନରେ ସଜ୍ଜିତ କରିଛି ନିଜକୁ ।

 

ଏଇଠି ହିଁ ପ୍ରଶ୍ନ ଉଠୁଛି ସାହିତ୍ୟର ଦାୟିତ୍ୱ ସମ୍ପର୍କରେ ।

 

ସାହିତ୍ୟ ତା’ର ଦାୟିତ୍ୱ ତୁଲାଇ ପାରୁଛି କି ସଠିକ ଭାବରେ?

 

ବର୍ତ୍ତମାନ ଆଖି ଆଗରେ ଯାହା ଦିଶି ଯାଉଛି, ସେଥିରେ ଜଳକା ହେବା ଛଡା ଅନ୍ୟଗତି ନାହିଁ ଆମର । ପତ୍ରପତ୍ରିକାଠାରୁ ପୁସ୍ତକ ପର୍ଯ୍ୟନ୍ତ ଯାହା ସବୁ ପଠନୀୟ ସାମଗ୍ରୀ ମିଳୁଛି, ସେଥିରୁ ଅଧିକାଂଶ ନିମ୍ନରୁଚିର ନିନ୍ଦନୀୟ ନିଦର୍ଶନ । ବ୍ଲୁ ଫିଲ୍ମର କୁତ୍ସିତ କାମୋଦ୍ଦୀପକ ଆଭିମୁଖ୍ୟ ଓ ୟେଲୋ ଜର୍ଣ୍ଣାଲିଜମ୍ର ହୋ-ହଲ୍ଲାଧର୍ମୀ ହଟଚମଟ ସହିତ ତାଳ ଦେବାକୁ ବସୁଛି ଆଜିର ଲେଖକ ।

 

ଏଇଠି ସେଇ ପ୍ରଶ୍ନ- ଏସବୁ ଲେଖା କ’ଣ ସାହିତ୍ୟ?

 

ଅତି କଠୋର ଉତ୍ତର ହେଉଛି - ନା, ନା, ନା!

 

ସବୁ ଯୁଗରେ, ସାହିତ୍ୟର ଭିଡ଼ ଭିତରେ, ଏଇ ନା-ନା-ନା’ର ବିରଳ ସ୍ୱର ଯେତେ କ୍ଷୀଣ ଭାବରେ ହେଉ ସୁଦ୍ଧା - ଉଚ୍ଚାରିତ ହୋଇ ଆସିଛି, ନିର୍ଭୀକ ଭାବରେ । ଏ ସ୍ୱର ଦାୟିତ୍ୱର ସ୍ୱର, ଦାୟବଦ୍ଧତାର ସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଧର୍ଷ ଇସ୍ତାହାର! ମେଣ୍ଢାମାନଙ୍କ ମେଳରେ ଭେଣ୍ଡା ପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ ନିରାପତ୍ତାପ୍ରେମୀ ଚାରଣ ଚାଟୁକାର ଲେଖକମାନଙ୍କ ଭିଡ଼ ଭିତରେ ବି ଆମେ ଲକ୍ଷ୍ୟ କରିଛେ ଜଣେ ଜଣେ ସଂକଳ୍ପବଦ୍ଧ ଶଙ୍କାହୀନ ସାହିତ୍ୟକାରକୁ - ଯେଉଁମାନଙ୍କ ଲେଖା ସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁ ଭୟ କରି ନାହାନ୍ତି, ଯନ୍ତ୍ରଣାର ଯୂପକାଠକୁ ଡ଼ରି ନାହାନ୍ତି, ରାଜଦଣ୍ଡ ଓ ଫାଶି ମଂଚକୁ ଖାତିର କରି ନାହାନ୍ତି ମୋଟେ ।

 

ପ୍ରାଚୀନ ଗ୍ରୀକ ସମାଜର ତରୁଣମାନଙ୍କୁ ସଚେତନ କରିବାର ‘ଅପରାଧ’ରେ ସେଦିନର ଶାସନତନ୍ତ୍ର ବିଷ ପିଇବାର ‘ଶାସ୍ତି’ ଦେଇଥିଲା ସକ୍ରେଟିସଙ୍କୁ । ସକ୍ରେଟିସ ନିଜ ଆଦର୍ଶରୁ ବିଚ୍ୟୁତ ହୋଇ ବଂଚି ରହିବା ଅପେକ୍ଷା ବିଷ ପିଇ ମରିଯିବାକୁ ଅଧିକ ଶ୍ରେୟସ୍କର ମଣିଥିଲେ ସେଦିନ ।
ଆଜି ପ୍ରତ୍ୟେକ ସଚେତନ ସାହିତ୍ୟିକଙ୍କୁ ଏ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ନିଶ୍ଚୟ । ସନ୍ତୁଷ୍ଟ ଶୂକରର ପୂତିଗନ୍ଧମୟ ଜୀବନ ନା ଅସନ୍ତୁଷ୍ଟ ସକ୍ରେଟିସର ଆଦର୍ଶ ଆତ୍ମବଳିଦାନ - କେଉଁଟା ସେମାନଙ୍କ ପାଇଁ ସ୍ପୃହଣୀୟ?

 

ସାହିତ୍ୟର ଆତ୍ମାକୁ ଉଦ୍ଧାର କରାଯିବାର ଅଭିଯାନ ଆରମ୍ଭ ହେଉ ଏବଠୁ । ସାହିତ୍ୟକୁ ବାରବଧୂ ନ କରି ସୁଗୃହିଣୀର ସମ୍ମାନ ଓ ସାଂଭ୍ରାନ୍ତ୍ୟରେ ଭୂଷିତ କରିବାର ଦାୟିତ୍ୱ ସାହିତ୍ୟିକମାନଙ୍କର । ବିରାଟ ବୁଭୁକ୍ଷୁ ସମାଜର ଦୀର୍ଘଶ୍ୱାସକୁ ଉପେକ୍ଷା କରି ମୁଷ୍ଟିମେୟ ମାନସଭୋଜ୍ୟ ନହେଉ ସାହିତ୍ୟିକର ସୃଷ୍ଟି ।

 

ବର୍ତ୍ତମାନ ସମୟରେ ଯେଉଁଠି ସାହିତ୍ୟ ସଭାଗୁଡିକ ଆୟୋଜିତ ହେଉଛି, ସେଠାକୁ ମନ୍ତ୍ରୀ ଏମଏଲଏ, ଏମପି, ଆଇଏଏସ, ଆଇପିଏସମାନଙ୍କୁ ଫୁଲମାଳ ପିନ୍ଧାଇ ପାଛୋଟି ଅଣାନଗଲା ଯାଏ ଆମ ସାହିତ୍ୟସଭା ଅଚଳ ହୋଇ ରହୁଛି! ଯେମିତି ଏମାନଙ୍କ ବିନା ସାହିତ୍ୟସଭା ସବୁ ଶୋକସଭା ।

 

ଦୁର୍ନୀତି ସାହିତ୍ୟକୁ ବି ଗ୍ରାସିଛି । ସରକାରୀ ସ୍ୱୀକୃତି, ମାନପତ୍ର, ପୁରସ୍କାରର ପାଲାରେ ନିଜେ ଲେଖକ ଗୋଷ୍ଠୀର ବହୁଳାଂଶ ଲବି କରିବାରେ ବ୍ୟସ୍ତ । ଏପରିକି ରାଜ୍ୟ ସରକାର କିଣୁଥିବା ଲେଖକମାନଙ୍କର ବହି ସିଲେକସନରେ ଲାଂଚ କାରବାର ଚାଲିଛି । ଯାହା ଫଳରେ ଭଲ ଭଲ ପୁସ୍ତକ ବାଦ ପଡିଯାଉଛି । ଦୁର୍ନୀତିର ଦାଶକାଠିଆ ଖାଲି ରାଜନୀତିର ରଣଭୂଇଁରେ ନୁହେଁ, ସାହିତ୍ୟର ସରହଦରେ ମଧ୍ୟ ବଜାୟ ରହିଛି ।
ସାହିତ୍ୟରେ ଅଙ୍ଗୀକାର ନାହିଁ - ଅନୁରାଗ ନାହିଁ - ସାମ୍ନା କରିବାର ସାହସିକ ସ୍ୱର ନାହିଁ - ଏଭଳି ସାହିତ୍ୟ କେବଳ ସଂଭୋଗଧର୍ମୀ ସହଜସାଧନା ଛଡା ଆଉ କ’ଣ ହୋଇପାରେ? ସେଇ କାମଜ୍ୱାଳାର କାରୁକାର୍ଯ୍ୟ କେବଳ!

 

କାମୁକମାନଙ୍କୁ ପ୍ରେମିକ କହି ବସିଲେ କଥାଟା ଯେମିତି ହାସ୍ୟକର, ଏଭଳି ଲେଖକମାନଙ୍କୁ ଆମ ସାହିତ୍ୟର ପ୍ରକୃତ ପ୍ରତିନିଧି ମଣିଲେ ସେମିତି ହାନିକାରକ । ଏ ହାନି ସାହିତ୍ୟର, ସଭ୍ୟତାର ଆଉ ସଂସ୍କୃତିର । ମୁଁ କହୁନାହିଁ ଯେ ଲେଖକଟିଏ କୌପୀନ ପିନ୍ଧୁ, ରୁଦ୍ରାକ୍ଷମାଳ ଧାରଣ କରୁ କି କମଣ୍ଡଳୁ । ମାତ୍ର ଜନଗଣଙ୍କର ରୁଚି ଓ ଶୁଚିର ସମୁନ୍ନତିକୁ ଛାଡ଼ି ସାହିତ୍ୟ ଯଦି କେବଳ କେତେକ ସିରସ୍ତାଦାର ବ୍ୟକ୍ତିବିଶେଷଙ୍କ ବିକଳ ବାସନାର ଅଭିବ୍ୟକ୍ତି ହୋଇପଡ଼େ, ତା’ହେଲେ ଦୁର୍ନୀତି ନିବାରଣରେ ଲେଖକର ଭୂମିକା କଥାଟି ଏକ ଅବାନ୍ତର ଉଲ୍ଲେଖ ଛଡ଼ା ଆଉ କ’ଣ ହୋଇପାରେ?

 

ସାହିତ୍ୟ ଧର୍ମଶାସ୍ତ୍ର ନୁହେଁ, ଲୋକସମାଜକୁ ପ୍ରବଚନ ଦେଇ ନୈତିକ ମୂଲ୍ୟବୋଧରେ ପ୍ରଣୋଦିତ କରିଚାଲିବା ଲେଖକର ଧର୍ମ ନହୋଇପାରେ । ମାତ୍ର ଯେଉଁ ଅନୁପ୍ରେରଣା ଓ ଆତ୍ମପ୍ରେରଣା ମଣିଷର ଅଂତଃସତ୍ତାରେ ତାକୁ ବଦଳାଇବାର ଆହ୍ୱାନରେ ଉଦବୁଦ୍ଧ କରିଥାଏ, ତାହା ନିଶ୍ଚିତ ଭାବରେ ସାହିତ୍ୟର ଦାୟିତ୍ୱ । ଧର୍ମ ହୁଏତ ଈଶ୍ୱରଙ୍କ ଆଡକୁ ମଣିଷକୁ ମୁହାଁଇନେଇ ପାରେ, ମାତ୍ର ସାହିତ୍ୟ ମାମୁଲିମଣିଷକୁ ଈଶ୍ୱରରେ ପରିଣତ କରିବାର ସତ୍ୟ ସହିତ ଶପଥବଦ୍ଧ । ନହେଲେ ଦସ୍ୟୁ ରତ୍ନାକର କ’ଣ ରାମାୟଣ ରଚନାକାର ବାଲ୍ମୀକି ହେବାକୁ ଚାହିଥାନ୍ତା? ଏହି ‘ଚାହିବା’ର ଚାରା ହିଁ ସାହିତ୍ୟ- ଯାହା ଦିନେ ପୁଷ୍ପଫଳଶୋଭିତ ମହାଦ୍ରୁମ ହୋଇ ଅସଂତୁଳିତ ସମାଜ ପାଇଁ ଛାୟାପ୍ରଦାନର ପ୍ରତିଶ୍ରୁତି ବହନ କରିଥାଏ ।

 

ସବୁ ଯୁଗରେ, ସାହିତ୍ୟର ଭିଡ ଭିତରେ ‘ପ୍ରତିବାଦ’ର ବିରଳସ୍ୱର ଯେତେ କ୍ଷୀଣ ଭାବରେ ହେଉ ସୁଦ୍ଧା - ଉଚ୍ଚାରିତ ହୋଇ ଆସିଛି, ନିର୍ଭୀକ ଭାବରେ । ଏ ସ୍ୱର ଦାୟିତ୍ୱର ସ୍ୱର, ଦାୟବଦ୍ଧତାର ସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଦଶ ଇସ୍ତାହାର । ମେଣ୍ଢାମାନଙ୍କ ମେଳରେ ଭେଣ୍ଡାପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ, ନିରାପତ୍ତାପ୍ରେମୀ ଚାରଣ, ଚାଟୁକାର ଲେଖକମାନଙ୍କର ଭିଡ ଭିତରେ ବି ଆମେ ଲକ୍ଷ୍ୟ କରିଛୁ ଜଣେ ଜଣେ ସଂକଳ୍ପବଦ୍ଧ, ଶଙ୍କାହୀନ ସାହିତ୍ୟକାରକୁ - ଯେଉଁମାନଙ୍କ ଲେଖାସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁ ଭୟ କରିନାହାନ୍ତି, ଯନ୍ତ୍ରଣାର ଯୂପକାଠକୁ ଡରିନାହାନ୍ତି, ରାଜଦଣ୍ଡ ଓ ଫାଶୀମଂଚକୁ ଖାତିର କରି ନାହାନ୍ତି ମୋଟେ ।

 

ଅଥଚ ଆମ ଲେଖକମାନଙ୍କର ଆଦର୍ଶ ହେବା ଉଚିତ - ସନ୍ତୁଷ୍ଟ ଶୂକର ନୁହେଁ, ଅସନ୍ତୁଷ୍ଟ ସକ୍ରେଟିସ! ଏ କଥା ଭୁଲିଗଲେ ଚଳିବ ନାହିଁ ।

 

ଯାଜପୁର ରୋଡ୍, ଯାଜପୁର
ମୋ-୯୮୬୧୦୩୪୧୬୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top