ଲିଙ୍ଗଭେଦ ସୂଚାଙ୍କରେ ଖସିଲା ଭାରତ

News Story - Posted on 2017-11-02

ବିଶ୍ୱ ଆର୍ଥନୀତିକ ଫୋରମର ଲିଙ୍ଗ ଭେଦ ସୂଚକାଙ୍କରେ ଏକା ଥରକେ ୨୧ ସ୍ଥାନ ଖସି ଯାଇଛି ଭାରତ । ଇଜ୍ ଅଫ୍ ଡୁଇଂ ବିଜନେସ ତାଲିକାରେ ୩୦ ସ୍ଥାନ ଉପରକୁ ଉଠିଥିବାରୁ ସରକାର ଖୁସି ହେଉଥିବାବେଳେ ଲିଙ୍ଗଭେଦ ସୂଚକାଙ୍କରେ ଦେଶର ନିମ୍ନଗତି ସରକାରଙ୍କ ସଫଳତାକୁ ପାଣିଚିଆ କରିଦେଇଛି । ଆଗରୁ ଏହି ତାଲିକାରେ ଭାରତ ୮୭ ସ୍ଥାନରେ ଥିଲାବେଳେ ଏବେ ୧୦୮କୁ ଖସି ଯାଇଛି ।

 

ବିଶ୍ୱ ଆର୍ଥନୀତିକ ଫୋରମ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱ ଲିଙ୍ଗ ଭେଦ ସୂଚକାଙ୍କର ସର୍ବୋଚ୍ଚ ସ୍ଥାନରେ ରହିଛି ଆଇସଲାଣ୍ଡ । ଗତ ୯ ବର୍ଷ ଧରି ଏହି ଦେଶ ଲିଙ୍ଗ ଭେଦ ଦୂର କରିବା ତାଲିକାରେ ସର୍ବୋଚ୍ଚ ସ୍ଥାନରେ ରହି ଆସିଛି । ସଦ୍ୟତମ ରିପୋର୍ଟ ଅନୁସାରେ ଆଇସଲାଣ୍ଡ ତଳକୁ ଦ୍ୱିତୀୟରେ ଅଛି ନରୱେ । ଏହା ତଳକୁ ତୃତୀୟରେ ଅଛି ଫିନଲାଣ୍ଡ । ତାଲିକାର ଚତୁର୍ଥରେ ରୁଆଣ୍ଡା, ପଂଚମରେ ସ୍ୱିଡେନ, ଷଷ୍ଠରେ ନିକାରାଗୁଆ, ସପ୍ତମରେ ସ୍ଲୋଭେନିଆ, ଅଷ୍ଟମରେ ଆୟର୍ଲାଣ୍ଡ, ନବମରେ ନ୍ୟୁଜିଲାଣ୍ଡ ଓ ଦଶମରେ ରହିଛି ଫିଲିପ୍ପାଇନ୍ସ ।

 

ଲିଙ୍ଗଭେଦ ସୂଚକାଙ୍କର ଗୋଟିଏ ମାପକ ହେଉଛି ମହିଳାମାନଙ୍କର ଆର୍ଥନୀତିକ ସଂପୃକ୍ତି ଓ ସୁଯୋଗ । ଏଥିରେ ଭାରତର ସ୍ଥାନ ହେଉଛି ୧୩୯ । ସ୍ୱାସ୍ଥ୍ୟ ଓ ଜୀବନ କ୍ଷେତ୍ରରେ ଭାରତର ସ୍ଥାନ ହେଉଛି ୧୪୧ । ବିଶ୍ୱ ଆର୍ଥନୀତିକ ଫୋରମର ଆକଳନ ଅନୁସାରେ ରାଜନୀତିକ ସଶକ୍ତିକରଣ, ସୁସ୍ଥ ଜୀବନ ଓ ଲମ୍ବା ଆୟୁସ ଏବଂ ସାଧାରଣ ସାକ୍ଷରତା କ୍ଷେତ୍ରରେ ଭାରତର ଲିଙ୍ଗଗତ ବୈଷମ୍ୟ ଯଥେଷ୍ଟ ଅଧିକ ।

 

ରିପୋର୍ଟରେ କୁହାଯାଇଛି ଯେ ଜଣେ ମହିଳା ଭାରତର ପ୍ରଧାନମନ୍ତ୍ରୀ ପଦ ଅଳଂକୃତ କରିବା ଇତିମଧ୍ୟରେ ୫୦ ବର୍ଷରୁ ଅଧିକ ହୋଇଗଲାଣି । ୧୯୬୬ ମସିହାରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ । ଅଥଚ ଏଯାଏଁ ଭାରତର ମହିଳାମାନେ ରାଜନୀତିକ ସ୍ତରରେ ପୁରୁଷଙ୍କଠାରୁ ଯଥେଷ୍ଟ ପଛରେ ପଡ଼ି ରହିଛନ୍ତି । କେବଳ ପ୍ରଧାନମନ୍ତ୍ରୀ ବା ସରକାରଙ୍କ ମୁଖ୍ୟ କ୍ଷେତ୍ରରେ ନୁହେଁ, ବ୍ୟବସ୍ଥାପକ ସଭା, ବରିଷ୍ଠ ଅଧିକାରୀ, ଶିଳ୍ପ ଓ ବ୍ୟବସାୟ ପରିଚାଳକ ଆଦି ପଦବୀ କ୍ଷେତ୍ରରେ ମଧ୍ୟ ମହିଳାମାନେ ପୁରୁଷଙ୍କ ପଛରେ ପଡ଼ି ରହିଛନ୍ତି ।

 

ଆର୍ଥନୀତିକ କ୍ଷେତ୍ରରେ ମହିଳାଙ୍କ ସଂପୃକ୍ତି ଦୃଷ୍ଟିରୁ ଭାରତର ସ୍ଥାନ ୧୩୬ ହୋଇଥିଲାବେଳେ କାମ କରୁଥିବା ମହିଳାଙ୍କ ରୋଜଗାର କ୍ଷେତ୍ରରେ ଏହାର ସ୍ଥାନ ମଧ୍ୟ ୧୩୬ । ଏହି ରିପୋର୍ଟ ଅନୁସାରେ ଭାରତର ୬୬ ପ୍ରତିଶତ ମହିଳାଙ୍କ କାମ ପାଇଁ କୌଣସି ମଜୁରୀ ମିଳେ ନାହିଁ । ପୁରୁଷଙ୍କ କ୍ଷେତ୍ରରେ ଏହି ଅନୁପାତ ହେଉଛି ମାତ୍ର ୧୨ ପ୍ରତିଶତ । ରିପୋର୍ଟ ଅନୁସାରେ ଭାରତରେ ମହିଳା ସାକ୍ଷରତା ହାର ବୃଦ୍ଧି ପାଉଥିଲେ ମଧ୍ୟ ପ୍ରାଥମିକ ଓ ମାଧ୍ୟମିକ ସ୍ତର ପରେ ଉଚ୍ଚତର ।ିକ୍ଷା କ୍ଷେତ୍ରରେ ସେମାନେ ପଛୁଆ ରହିଯାନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top