ବିଶ୍ୱର ୫୦% ପୁଷ୍ଟିହୀନ ଶିଶୁ ଭାରତରେ!

News Story - Posted on 2017-11-02

ଆର୍ଥନୀତିକ ଅଭିବୃଦ୍ଧି ସତ୍ତେ୍ୱ ଭାରତର ଏହାର ପିଲାମାନଙ୍କୁ ଉପଯୁକ୍ତ ମାନ ଓ ପରିମାଣର ପୁଷ୍ଟି ଯୋଗାଇପାରି ନାହିଁ । ସେଥିପାଇଁ ଭାରତର ଅଧିକାଂଶ ଶିଶୁ ପୁଷ୍ଟିହୀନତା ଓ ମନ୍ଦପୁଷ୍ଟି ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଭାରତର ଶିଶୁମାନଙ୍କ ମନ୍ଦପୁଷ୍ଟି ସମସ୍ୟା କ୍ଷେତ୍ରରେ ସାମାଜିକ ଓ ଆର୍ଥନୀତିକ କାରଣ ରହିଛି ବୋଲି ଆସୋଚାମ ତରଫରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

 

ରିପୋର୍ଟ ଅନୁସାରେ ଭାରତର ଅନେକ ଅଂଚଳରେ ଏବେ ବି ଅନାହାର ପରିସ୍ଥିତି ଲାଗି ରହିଛି । ଅନକେ ଅଂଚଳରେ ପିଲାମାନେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଉ ନାହାନ୍ତି । ସାମାଜିକ ଓ ଆର୍ଥନୀତିକ ବ୍ୟବଧାନ ହେଉଛି ଏହାର ପ୍ରମୁଖ କାରଣ । ଭାରତର ବସ୍ତୁଗତ ବିକାଶ ଓ ଆର୍ଥନୀତିକ ଅଭିବୃଦ୍ଧିର ସୁଫଳ ତୃଣମୂଳ ସ୍ତରର ଏହିବର୍ଗର ଲୋକଙ୍କ ନିକଟରେ ପହଂଚିନାହିଁ । ଆସୋଚାମ ଓ ଇୱାଇ ସଂସ୍ଥାର ମିଳିତ ଉଦ୍ୟମରେ ପ୍ରକାଶ ପାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୦୫ରୁ ୨୦୧୫ ମଧ୍ୟରେ ଥିବା ଦଶ ବର୍ଷ ଭିତରେ ଭାରତରେ ଶିଶୁ ମୃତ୍ୟୁହାର ଓ ୫ ବର୍ଷରୁ କମ ବୟସର ଶିଶୁ ମୃତ୍ୟୁହାର ଅନେକ ପରିମାଣରେ ହ୍ରାସ ପାଇଛି । ତଥାପି ଏବେ ବି ଭାରତରେ ବିଶ୍ୱର ୫୦ ପ୍ରତିଶତ ପୁଷ୍ଟିହୀନ ପିଲା ରହିଛନ୍ତି । ୨୦୧୫ ଶେଷକୁ ମଧ୍ୟ ଭାରତର ୪୦ ପ୍ରତିଶତ ଶିଶୁ ପୁଷ୍ଟିହୀନ ସମସ୍ୟାରେ ପୀଡ଼ିତ ଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

 

ବିଶ୍ୱ ମୋଟାପଣ ତାଲିକାରେ ଆମେରିକା ଓ ଚୀନ ପରେ ଭାରତର ସ୍ଥାନ ହେଉଛି ତୃତୀୟ । ଅର୍ଥାତ ଭାରତରେ ବିଶ୍ୱର ତୃତୀୟ ବୃହତ୍ତମ ମୋଟା ଜନସଂଖ୍ୟା ରହିଛି । ସେହିପରି ମଧୁମେହ ରୋଗର ରାଜଧାନୀ ଭାବେ ଭାରତକୁ ଗଣନା କରାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ୨୦୧୫ ରିପୋର୍ଟ ଅନୁସାରେ ଦେଶରେ ୬୯.୨ ନିୟୁତ ଲୋକ ହେଉଛନ୍ତି ମଧୁମେହ ରୋଗୀ । ଏଭଳି ସ୍ଥିତିରେ କିନ୍ତୁ ଭାରତର ୪୦ ପ୍ରତିଶତ ଶିଶୁ ପୁଷ୍ଟିହୀନ ରହିବା ଅତ୍ୟନ୍ତ ଲଜ୍ଜାକର ବିଷୟ ।

 

ଏହି ରିପୋର୍ଟ ଅନୁସାରେ ଭାରତର ୫ ବର୍ଷରୁ କମ ବୟସର ୩୭ ପ୍ରତିଶତ ଶିଶୁଙ୍କ ଓଜନ ଆବଶ୍ୟକତାଠାରୁ କମ୍, ୩୮ ପ୍ରତିଶତ ଏହି ବୟସର ଶିଶୁଙ୍କ ଉଚ୍ଚତା ଆବଶ୍ୟକତାଠାରୁ କମ୍, ୨୧ ପ୍ରତିଶତ ଶିଶୁଙ୍କର ଉଚ୍ଚତା ଅନୁସାରେ ଓଜନ କମ୍ ଏବଂ ୮ ପ୍ରତିଶତ ଉକ୍ରଟ ପୁଷ୍ଟିହୀନତାରେ ପୀଡ଼ିତ । ୨୦୦୫-୦୬ ବର୍ଷରେ ବୟସ ତୁଳନାରେ କମ୍ ଉଚ୍ଚତାର ଶିଶୁଙ୍କ ହାର ୪୮ ପ୍ରତିଶତ ଥିଲା । ୨୦୧୫-୧୬ ବର୍ଷବେଳକୁ ଏହି ଅନୁପାତ ୩୯ ପ୍ରତିଶତକୁ ଖସିଥିଲା । ତେବେ ଏହି ସମୟ ମଧ୍ୟରେ ଉଚ୍ଚତା ଅନୁସାରେ ଓଜନ କମ୍ ଥିବା ଶିଶୁଙ୍କ ହାର ୧୯.୮ ପ୍ରତିଶତରୁ ୨୧ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ ଉଲ୍ଲେଖ ଅଛି ।

 

ଭାରତର ଗ୍ରାମାଞ୍ଚଳରେ ବସବାସ କରୁଥିବା ଶିଶୁଙ୍କ ମଧ୍ୟରେ ୩୮ ପ୍ରତିଶତ କମ୍ ଓଜନର ହୋଇଥିବାବେଳେ ସହରାଂଚଳ ଶିଶୁଙ୍ଖ ମଧ୍ୟରେ ଏହି ହାର ହେଉଛି ୨୯ ପ୍ରତିଶତ । ଦେଶରେ ୬-୨୩ ମାସ ବସୟର ଯେତେ ଶିଶୁ ଅଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ଶିଶୁ ଉପଯୁକ୍ତ ଖାଦ୍ୟ ଖାଇବାକୁ ପାଇଥାନ୍ତି ବୋଲି ରିପୋର୍ଟରେ କୁହାଯାଇଛି । ରାଜ୍ୟ-ରାଜ୍ୟ ଭିତରେ ଏହି ବ୍ୟବଧାନ ଆହୁରି ଉକ୍ରଟ । ଝାଡ଼ଖଣ୍ଡର ୫ ବର୍ଷରୁ କମ ବୟସର ପିଲାଙ୍କ ମଧ୍ୟରେ ୪୨ ପ୍ରତିଶତ କମ୍ ଓଜନର ହୋଇଥିବାବେଳେ ବିହାର, ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ଏହି ହାର ହେଉଛି ଯଥାକ୍ରମେ ୩୭, ୩୬ ଓ ୩୪.୧ ପ୍ରତିଶତ । କିନ୍ତୁ ଉତ୍ତରପୂର୍ବାଂଚଳ ରାଜ୍ୟ ମଣିପୁରରେ ଏହି ହାର ହେଉଛି ମାତ୍ର ୧୪.୧ ପ୍ରତିଶତ ।

 

ରିପୋର୍ଟରେ କୁହାଯାଇଛି ଯେ ଦେଶର ଶିଶୁମାନଙ୍କୁ ସୁସ୍ଥ ଓ ଶିକ୍ଷିତ କରିବାକୁ ହେଲେ ସାମାଜିକ ଓ ଆର୍ଥନୀତିକ ବ୍ୟବଧାନ ଦୂର କରିବା ସହିତ ଶିକ୍ଷା ଓ ଚାକିରି ସୁବିଧା ନିଶ୍ଚିତ କରିବାକୁ ହେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top