ଏମଆରପି ଉପରେ ଜିଏସଟି ନାହିଁ

News Story - Posted on 2017-10-30

ସର୍ବାଧିକ ଖୁଚୁରା ଦର ବା ମ୍ୟାକ୍ସିମମ ରିଟେଲ ପ୍ରାଇସ (ଏମଆରପି) ଉପରେ ଲାଗିବ ନାହିଁ ଦ୍ରବ୍ୟ ଓ ସେବା କର ବା ଜିଏସଟି । ଖୁଚୁରା ଦୋକାନୀ ଓ ବ୍ୟବସାୟୀମାନେ ଏମଆରପି ଉପରେ ଜିଏସଟି ହିସାବ କରୁଥିବା ଅଭିଯୋଗ ହେଲା ପରେ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କର ଏକ କମିଟି ଏହି ସୁପାରିଶ କରିଛନ୍ତି । ଏମଆରପି ଉପରେ ଜିଏସଟି ଆଦାୟ କରିବା ଆଇନର ଉଲ୍ଲଙ୍ଘନ ବୋଲି କମିଟି ସ୍ପଷ୍ଟ କରିଦେଇଛନ୍ତି ।

 

ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଜିଏସଟି କମିଟି କହିଛି ଯେ ଏମଆରପି ବା ସର୍ବାଧିକ ଖୁଚୁରା ଦର ଉପରେ ଜିଏସଟି ଆଦାୟ କରିବା ଏକ ଅପରାଧ । ସରକାର ପ୍ରଚଳିତ ଆଇନରେ ଏହା ନିଷିଦ୍ଧ କରିବା ପାଇଁ ଉପଯୁକ୍ତ ତଥା ଦୃଢ଼ ବ୍ୟବସ୍ଥା କରିବାକୁ କମିଟି ସୁପାରିଶ କରିଛି । ହୋଟେଲ, ରେସ୍ତୋରାଁ ଓ ମଲ୍ ପ୍ରତି ମଧ୍ୟ ଏହି ଆଇନ ପ୍ରଯୁଜ୍ୟ । ପ୍ୟାକେଟ ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ଜିନିଷ ବିକ୍ରି ସମୟରେ ଅନେକ ବ୍ୟବସାୟୀ ଏମଆରପି ଉପରେ ଜିଏସଟି ହିସାବ କରୁଥିବା ନଜରକୁ ଆସିବା ପରେ ଏହି କମିଟି ଏହା ଉପରେ ଅନୁଧ୍ୟାନ କରି ଏହି ସୁପାରିଶ କରିଛି ।

 

ଏହି ମନ୍ତ୍ରୀଗୋଷ୍ଠୀ କମିଟି ସରକାରଙ୍କୁ କରିଥିବା ସୁପାରିଶ ଅନୁସାରେ ବ୍ୟବସାୟୀମାନେ ଏମଆରପି ଭିତରେ ଜିଏସଟି ହିସାବ କରିବେ । କାରଣ ସର୍ବାଧିକ ଖୁଚୁରା ଦର ଭିତରେ ହିଁ ସରକାରଙ୍କ ଟିକସ ଅନ୍ତର୍ଭୁକ୍ତ ରହିଛି । ସେମାନେ ଗ୍ରାହକମାନଙ୍କୁ ଦେଉଥିବା ରସିଦରେ ଏହା ସ୍ପଷ୍ଟ ଭାବେ ଉଲ୍ଲିଖିତ ହେବା ଆବଶ୍ୟକ । ସେମାନେ ସରକାରଙ୍କୁ ଟିକସ ପଇଠ କରିବା ସମୟରେ ଦର ଓ ଟିକସ ଅଲଗା ଅଲଗା ହିସାବ କରିବାକୁ ମଧ୍ୟ କମିଟି ସୁପାରିଶ କରିଛି ।

 

ଆସନ୍ତା ନଭେମ୍ବର ୧୦ ତାରିଖରେ ଆସାମର ଗୁଆହାଟିରେ ଜିଏସଟି ପରିଷଦର ବୈଠକ ବସିବ । ଏଥିରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ସେହି ବୈଠକରେ ଏହି ଉଚ୍ଚସ୍ତରୀୟ କମିଟିର ସୁପାରିଶ ଉପରେ ଆଲୋଚନା କରାଯାଇ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରାଯିବ ।

 

ଏହି ମନ୍ତ୍ରୀ ଗୋଷ୍ଠୀ କମିଟି କରିଥିବା ଅନ୍ୟ ସୁପାରିଶ ମଧ୍ୟରେ ରହିଛି ମାନୁଫାକ୍ଚର ଓ ରେସ୍ତୋରାଁ ପାଇଁ ଜିଏସଟି ହାର ୧ ପ୍ରତିଶତ ହ୍ରାସ, ବିଳମ୍ବିତ ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ଜରିମାନା ପରିମାଣ ଦିନକୁ ୧୦୦ ଟଙ୍କାରୁ ୫୦ ଟଙ୍କାକୁ ହ୍ରାସ, ସମସ୍ତଙ୍କ ପାଇଁ ତିନି ମାସିଆ ରିଟର୍ଣ୍ଣ ଦାଖଲ ସୁବିଧା ଓ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାର ସରଳୀକରଣ । ଏବେ ବ୍ୟବସାୟୀମାନେ ୧ କୋଟି ଟଙ୍କା ଉପରେ କାରବାର କରୁଥିଲେ କମ୍ପୋଜିଟ୍ କାର୍ଯ୍ୟକ୍ରମରେ ୧ ପ୍ରତିଶତ ଜିଏସଟି ଦେଉଛନ୍ତି । କିନ୍ତୁ ମାନୁଫାକଚର ଓ ରେସ୍ତେରାଁ କ୍ଷେତ୍ରରେ ଏହି ହାର ଯଥାକ୍ରମେ ୨ ଓ ୫ ପ୍ରତିଶତ ଧାର୍ଯ୍ୟ ହୋଇଛି ।

 

ସେହିପରି କମ୍ପୋଜିଟ୍ ସ୍କିମ ଭିତରେ ଆସୁନଥିବା ଏସି ଓ ନନ୍-ଏସି ରେସ୍ତୋରାଁ ମଧ୍ୟରେ ପାର୍ଥକ୍ୟ ଦୂର କରିବାକୁ ମଧ୍ୟ ଏହି ମନ୍ତ୍ରୀଗୋଷ୍ଠୀ କମିଟି ସୁପାରିଶ କରିଛି । ପଂଚ ତାରକା ଓ ଅନ୍ୟ ତାରକା ହୋଟେଲ କ୍ଷେତ୍ରରେ ରହିଥିବା ପାର୍ଥକ୍ୟ ଦୂର କରି ୭୫୦୦ ଟଙ୍କାରୁ ଅଧିକ ରୁମ ଭଡ଼ା ନେଉଥିବା ହୋଟେଲର ଖାଦ୍ୟ ଉପରେ ସମାନ ୧୮ ପ୍ରତିଶତ ଜିଏସଟି ଲଗାଇବାକୁ କମିଟି ଅନ୍ୟ ଏକ ସୁପାରିଶ କରିଛି । କମିଟିର ଏହିସବୁ ସୁପାରିଶକୁ ଜିଏସଟି ପରିଷଦ ଗ୍ରହଣ କଲେ ତାହା ସମଗ୍ର ଦେଶରେ ଲାଗୁ ହେବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top