ରେକର୍ଡ଼ ଟପିଲା ଅଙ୍ଗାରକାମ୍ଳ!

News Story - Posted on 2017-10-30

ପୃଥିବୀ ବାୟୁମଣ୍ଡଳରେ ସର୍ବାଧିକ ଅଙ୍ଗାରକାମ୍ଳ ଜମା ହୋଇଛି ୨୦୧୬ ମସିହାରେ । ଏହି ବର୍ଷ ଏତେ ପରିମାଣରେ ଅଙ୍ଗାରକାମ୍ଳ ଗ୍ୟାସ ଜମା ହୋଇଛି ଯାହା ନିୟୁତ ନିୟୁତ ବର୍ଷ ଧରି ହୋଇ ନଥିଲା । ଏହାର ପ୍ରଭାବରେ ପୃଥିବୀର ତାପମାତ୍ରା ୩ ଡିଗ୍ରୀ ସେଲସିୟସ ଏବଂ ସମୁଦ୍ର ଜଳପତନ୨୦ ମିଟର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ମିଳିତ ଜାତିସଂଘର ଏକ ରିପୋର୍ଟରେ ପ୍ରକାଶ ପାଇଛି ।

 

ମିଳିତ ଜାତିସଂଘର ବିଶ୍ୱ ପାଣିପାଗ ସଂସ୍ଥା ତରଫରୁ ପ୍ରକାଶ ପାଇଥିବା ବାର୍ଷିକ ସବୁଜଗୃହ ଗ୍ୟାସ ବୁଲେଟିନ ଅନୁସାରେ ୨୦୧୫ ମସିହାରେ ପୃଥିବୀ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ଥିଲା ୪୦୦.୦ ପିପିଏମ । କିନ୍ତୁ ୨୦୧୬ ମସିହା ବେଳକୁ ଏହି ପରିମାଣ ୪୦୩.୩ ପିପିଏମକୁ ବୃଦ୍ଧି ପାଇଛି । ଅଙ୍ଗାରକାମ୍ଳ ଗ୍ୟାସ ବା ସିଓ୨ ହେଉଛି ମଣିଷ ଉତ୍ପାଦିତ ଏକ ପ୍ରମୁଖ ସବୁଜଗୃହ ଗ୍ୟାସ୍ ।

 

ଗତ ଦଶ ବର୍ଷ ଭିତରେ ବାର୍ଷିକ ଯେଉଁ ହାରାହାରି ହିସାବରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ପାଇଛି ୨୦୧୫ରୁ ୨୦୧୬ ମଧ୍ୟରେ ହୋଇଥିବା ବୃଦ୍ଧି ତା’ଠାରୁ ୫୦ ପ୍ରତିଶତ ଅଧିକ । ଶିଳ୍ପ ସଭ୍ୟତା ଆରମ୍ଭ ହେବା ପୂର୍ବରୁ ବାୟୁମଣ୍ଡଳରେ ଯେତେ ଅଙ୍ଗାରକାମ୍ଳ ଥିଲା ଏହା ତା’ଠାରୁ ୪୫ ପ୍ରତିଶତ ଅଧିକ । ଏହା ମଧ୍ୟ ନିକଟ ଅତୀତର ତୁଷାର ଓ ଉତ୍ତାପ ଯୁଗରେ ବାୟୁମଣ୍ଡଳରେ ରହିଥିବା ୧୮୦-୨୮୦ ଅଙ୍ଗାରକାମ୍ଳ ସୀମା ବାହାରେ । ଏହି ବୁଲେଟିନ ଅନୁସାରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଏହି ଅଭିବୃଦ୍ଧି ସହସ୍ର ବର୍ଷର ପ୍ରାକୃତିକ ଅଙ୍ଗାରକାମ୍ଳଠାରୁ ଯଥେଷ୍ଟ ଅଧିକ ।

 

ଆସନ୍ତା ମାସରେ ଜର୍ମାନୀର ବନ୍ନଠାରେ ବିଶ୍ୱର ପରିବେଶ ମନ୍ତ୍ରୀମାନଙ୍କର ଏକ ଶୀର୍ଷ ବୈଠକ ଅନୁଷ୍ଠିତ ହେବାର ଅଛି । ଏହି ବୈଠକରେ ୨୦୧୫ରେ ସଂପାଦିତ ହୋଇଥିବା ପ୍ୟାରିସ ପାଗ ପରିବର୍ତ୍ତନ ଚୁକ୍ତି ସଂପର୍କରେ ଆଲୋଚନା ହେବ । ଏହି ଚୁକ୍ତିରେ ଏଯାଏଁ ୧୯୫ ଦେଶ ସ୍ୱାକ୍ଷର କରିଥିଲେ ହେଁ ଅନେକ ଦେଶ ଏହାକୁ କାର୍ଯ୍ୟକାରୀ କରି ନାହାନ୍ତି । ବନ୍ନ ସମ୍ମିଳନୀରେ ଏ ବିଷୟରେ ଆଲୋଚନା ହେବ । ସେହି ସମ୍ମିଳନୀରେ ବାୟୁମଣ୍ଡଳୀୟ ଅଙ୍ଗାରକାମ୍ଳର ଏହି ଅଭିବୃଦ୍ଧି ସଂପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି ।

 

ପ୍ୟାରିସ ଚୁକ୍ତିରେ ବିଶ୍ୱ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ପ୍ରାକ-ଶିଳ୍ପ ସଭ୍ୟତା ପରିମାଣଠାରୁ ୨ ଡିଗ୍ରୀ ସେଲସିୟସ ତଳେ ରଖିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଚୁକ୍ତିରୁ ଓହରିଯିବା ପାଇଁ ଧମକ୍ ଦେଇଥିବାରୁ ଏ ଚୁକ୍ତି କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଜାତିସଂଘ ରିପୋର୍ଟ ଅନୁସାରେ କୋଇଲା, ପେଟ୍ରୋଲିୟମ ଓ ସିମେଣ୍ଟ ବ୍ୟବହାର ଏବଂ ଜଙ୍ଗଲ କ୍ଷୟ ବୃଦ୍ଧି ଆଦି ମାନବିକ କାରଣରୁ ୨୦୧୬ ମସିହାରେ ରେକର୍ଡ଼ ପରିମାଣର ଅଙ୍ଗାରକାମ୍ଳ ନିର୍ଗତ ହୋଇଛି । ସେହିପରି ଏଲ୍ ନିନୋ ପ୍ରଭାବରୁ ମଧ୍ୟ ବାୟୁ ମଣ୍ଡଳରେ ଏହି ସବୁଜ ଗ୍ୟାସ ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।

 

ବୈଜ୍ଞାନିକମାନଙ୍କ ହିସାବ ଅନୁସାରେ ତୁଷାର ଯୁଗରୁ ପୃଥିବୀ ବାହାରି ଆସୁଥିବା ସମୟ ତୁଳନାରେ ଗତ କେଇ ବର୍ଷରେ ୧୦୦ ଗୁଣରୁ ଅଧିକ ମାତ୍ରାରେ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ପାଇଛି । ବୈଜ୍ଞାନିକମାନେ ଜାଣନ୍ତି ଯେ ତୁଷାର ଯୁଗରେ ପ୍ରାଚୀନ ଆଣ୍ଟାର୍କଟିକ ବରଫ ତଳୁ ଏକ କ୍ଷୁଦ୍ର ଜଳଫୁଟୁକା ଭିତରୁ ବାହାରିଥିଲା ଅଙ୍ଗାରକାମ୍ଳ । ମଧ୍ୟ ପିଲୋସେନ୍ ଯୁଗରେ ୩-୫ ନିୟୁତ ବର୍ଷ ତଳେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ଥିଲା ୪୦୦ ପିପିଏମ । ସେହି ସମୟରେ ବିଶ୍ୱର ହାରାହାରି ତାପମାତ୍ରା ଆଜିର ତାପମାତ୍ରାଠାରୁ ୨-୩ ଡ୍ରିଗୀ ଅଧିକ ଥିଲା । ଗ୍ରୀନଲାଣ୍ଡ ଓ ପଶ୍ଚିମ ଆଣ୍ଟର୍କଟିକାର ବରଫ ଏହି ତାପମାତ୍ରା କାରଣରୁ ତରଳିଥିଲା । ଏପରିକି ପୂର୍ବ ଆଣ୍ଟାର୍କଟିକାର ବରଫ ସ୍ତର ବିଚ୍ଛିନ୍ନ ହୋଇଯାଇଥିଲା । ଏସବୁ ଫଳରେ ସମୁଦ୍ର ଜଳପତନ ଆଜିର ଜଳପତନଠାରୁ ୧୦-୨୦ ମିଟର ଉପରକୁ ଉଠିଥିଲା ।

 

୧୯୯୦ ମସିହା ପରଠାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ ଅନ୍ୟ ସବୁଜଗୃହ ଗ୍ୟାସ ପରିମାଣ ୪୦ ପ୍ରତିଶତ ବୃଦ୍ଧି ପାଇଛି । ମିଥେନ ଓ ନାଇଟ୍ରସ ଅକ୍ସାଇଡ଼ ବୃଦ୍ଧି ଅଙ୍ଗାରକାମ୍ଳ ବୃଦ୍ଧିଠାରୁ କମ୍ ହୋଇଥିଲେ ମଧ୍ୟ ସମସ୍ତ ସବୁଜଗୃହ ଗ୍ୟାସର ଅଭିବୃଦ୍ଧି ପୃଥିବୀକୁ ଅତ୍ୟନ୍ତ ବିପଜ୍ଜନକ ସ୍ତରକୁ ଟାଣି ନେଇଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top