କଳିଙ୍ଗ ଯୁଦ୍ଧ ମିଛ- ବିଶ୍ୱଭୂଷଣ

News Story - Posted on 2017-10-30

କଳିଙ୍ଗ ଯୁଦ୍ଧର କୌଣସି ଐତିହାସିକ ସତ୍ୟତା ନାହିଁ ଓ ଏହା ଏକ କାଳ୍ପନିକ ମନଗଢା କାହାଣି ବୋଲି ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ କଳିଙ୍ଗ ପୁସ୍ତକ ମେଳାର ସାଂସ୍କୃତିକ ମଂଚରେ ବ୍ୟଙ୍ଗକବି ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀହରିଚନ୍ଦନ ଏ ଭଳି ବୟାନ ଦେଇ କହିଥିଲେ ଯେ, ଏହା ଦ୍ୱାରା ସମ୍ରାଟ ଅଶୋକଙ୍କର ବୀରତ୍ୱ ଓ ମହାନତା ପ୍ରଦର୍ଶନ କରାଯିବା ସହିତ କଳିଙ୍ଗ ଅଧିବାସୀମାନଙ୍କର ବୀରତ୍ୱ ଓ ସ୍ୱାଭିମାନ ଉପରେ କୁଠାରାଘାତ କରାଯାଇଛି । ଆମର କବି ଓ ଲେଖକମାନେ ଏହାକୁ ସତ୍ୟ ମନେ କରି ତା’ ଉପରେ କାବ୍ୟ, କବିତା, ଗଳ୍ପ ଓ ନିବନ୍ଧମାନ ଲେଖିଚାଲିଛନ୍ତି । ଅନେକ ରାଜନୈତିକ ନେତା ଓ ବୁଦ୍ଧିଜୀବୀ ଆମ କଳିଙ୍ଗ ମାଟି ଚଣ୍ଡାଶୋକକୁ ଧର୍ମାଶୋକ କରିଦେଲା କହି ଗର୍ବ କରି ସଭାମାନଙ୍କରେ ଭାଷଣ ଦେଉଛନ୍ତି । କିନ୍ତୁ ଏହା ଯେ କଳିଙ୍ଗ ବା ଉକ୍ରଳ ପାଇଁ ଅତ୍ୟନ୍ତ ଅପମାନଜନକ ଓ ଲଜ୍ଜାଜନକ, ତା’ ପ୍ରତି କେହି ଧ୍ୟାନ ଦେଇ ନ ଥିବା ବଡ ଦୁଃଖଦାୟକ ବୋଲି ଶ୍ରୀହରିଚନ୍ଦନ କହିଛନ୍ତି ।

 

କଳିଙ୍ଗ ଯୁଦ୍ଧରେ ଏକ ଲକ୍ଷ ବୀର ସୈନିକ ମୃତ୍ୟୁବରଣ କଲେ, ଦେଢ ଲକ୍ଷ ବନ୍ଦୀ ହେଲେ ଓ ଲକ୍ଷାଧିକ କ୍ଷତବିକ୍ଷତ ଓ ପଙ୍ଗୁ ହୋଇଗଲେ ବୋଲି ବର୍ତ୍ତମାନର ଇତିହାସରୁ ଜଣାପଡୁଛି । ଏହା ଯଦି ସତ୍ୟ ହୋଇଥାଏ, ତା’ ହେଲେ କଳିଙ୍ଗର ସେନା ବାହିନୀ ୮ କିମ୍ବା ୧୦ ଲକ୍ଷରୁ କେବେ କମ୍ ହୋଇ ନଥିବ ଓ ଏତେ ବଡ଼ ସେନା ଯେ ରଖିଥିବେ ସେ ଜଣେ ଅତି ଐଶ୍ୱର୍ଯ୍ୟଶାଳୀ ଓ ଦୁର୍ଦ୍ଦାନ୍ତ ରାଜା ବା ସମ୍ରାଟ ହୋଇଥିବା ସ୍ୱାଭାବିକ । ଆଶ୍ଚର୍ଯ୍ୟର କଥା ଯେ ଅଶୋକଙ୍କ ଶିଳାଲିପିରେ ଏକ ଲକ୍ଷ ସୈନ୍ୟଙ୍କ ମୃତ୍ୟୁ ଓ ଦେଢ଼ ଲକ୍ଷ ସୈନ୍ୟଙ୍କୁ ବନ୍ଦୀ କରିବା ସହିତ ତାଙ୍କର ସମସ୍ତ ବୀରତ୍ୱର କାହାଣି ଲିପିବଦ୍ଧ ହୋଇଛି, କିନ୍ତୁ ସେତେବେଳେ କଳିଙ୍ଗର ସେ ଶକ୍ତିଶାଳୀ ରାଜା ବା ସମ୍ରାଟ କିଏ ଥିଲେ ଲେଖା ଯାଇନାହିଁ । କୌଣସି ଐତିହାସିକ କଳିଙ୍ଗର ସେ ଶକ୍ତିଶାଳୀ ରାଜା ବା ସମ୍ରାଟ କିଏ ଥିଲେ ବୋଲି ଏ ପର୍ଯ୍ୟନ୍ତ ସଠିକ୍ ଭାବରେ କହିପାରୁନାହାନ୍ତି । ତେବେ ଅଶୋକ କାହା ସହିତ ଯୁଦ୍ଧ କରିଥିଲେ? ବିନା ପ୍ରତିପକ୍ଷ ବା ପ୍ରତିନ୍ଦ୍ୱଦୀରେ କ’ଣ କୋଉ ଯୁଦ୍ଧ ହୋଇପାରେ? ରାଜା ବା ସମ୍ରାଟ ନ ଥାଇ ଏତେ ବଡ ବିରାଟ ସେନାବାହିନୀ ଯୁଦ୍ଧକ୍ଷେତ୍ରକୁ ଆସିବା ସଂପୂର୍ଣ୍ଣ ଅବାସ୍ତବ ଓ ଅସମ୍ଭବ ବୋଲି ଶ୍ରୀହରିଚନ୍ଦନ କହିଛନ୍ତି ।

 

ବର୍ତ୍ତମାନର ଇତିହାସ ଅନୁସାରେ କଳିଙ୍ଗ ଯୁଦ୍ଧ ଖ୍ରୀ.ପୂ. ୨୬୧ରେ ହୋଇଥିଲା । ସେହି ସମୟରୁ ଲୋକସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି ଓ ବର୍ତ୍ତମାନ ଓଡିଶାର ଲୋକସଂଖ୍ୟା ୪ କୋଟି ୨୦ ଲକ୍ଷ । ଏ ସବୁକୁ ଧ୍ୟାନରେ ରଖି ଆକଳନ କଲେ ସେତେବେଳେ କଳିଙ୍ଗର ଲୋକସଂଖ୍ୟା ଅତିବେଶିରେ ୩୦ ରୁ ୪୦ ଲକ୍ଷ ହୋଇଥିବ । ତା’ ହେଲେ ଗୋଟିଏ ରାଜ୍ୟର ଲୋକସଂଖ୍ୟାର ଏକ ତୃତୀୟାଂଶ କିମ୍ବା ଏକ ଚତୁର୍ଥାଂଶ କ’ଣ ତା’ର ସୈନ୍ୟବାହିନୀ ହୋଇପାରିବ? ବର୍ତ୍ତମାନ ବିଶ୍ୱର ବଡ଼ ସେନାବାହିନୀ ଥିବା ଦେଶମାନଙ୍କ ଭିତରୁ ଭାରତ ଅନ୍ୟତମ । ଏହାର ପଦାତିକ ସେନାର ସଂଖ୍ୟା ପ୍ରାୟ ୧୪ ରୁ ୧୫ ଲକ୍ଷ ବୋଲି ଜଣାଯାଏ । ଆୟତନରେ ଭାରତବର୍ଷର ଗୋଟିଏ ପ୍ରଦେଶ ଭଳି ହୋଇଥିବ କଳିଙ୍ଗ । ସେ ରାଜ୍ୟରେ ପୁଣି ସେ ଯୁଗରେ ଅର୍ଥାତ ପ୍ରାୟ ୨୩୦୦ ବର୍ଷ ତଳେ ଏତେ ବଡ଼ ସେନା ଥିବା କ’ଣ ସମ୍ଭବ?

 

କଳିଙ୍ଗ ଯୁଦ୍ଧ ଯଦି ସତ୍ୟ ହୋଇଥାନ୍ତା, ସେ ଯୁଗର ଏକ ଲକ୍ଷ ସୈନ୍ୟଙ୍କୁ ଗୋଟିଏ ଯୁଦ୍ଧ କ୍ଷେତ୍ରରେ ହତ୍ୟା କରିବା ସେ ସମୟର ଏକ ଲୋମହର୍ଷଣକାରୀ ବୀଭତ୍ସ ନରସଂହାର ଭାବେ ପରିଗଣିତ ହୋଇଥାନ୍ତା ଓ ସମଗ୍ର ବିଶ୍ୱ କଂପିଉଠିଥାନ୍ତା । କିନ୍ତୁ ବିଶ୍ୱ ଇତିହାସରେ କଳିଙ୍ଗ ଯୁଦ୍ଧ ବା ତା’ର ଏ ଭୟଙ୍କର ଗଣହତ୍ୟାର ସୂଚନା ନାହିଁ । ସମ୍ରାଟ ଅଶୋକ ଏ ଯୁଦ୍ଧରେ ଏତେ ସଂଖ୍ୟକ ସୈନିକଙ୍କ ହତ୍ୟା ଦେଖି ଦୟା ବିଗଳିତ ହୋଇ ଚଣ୍ଡାଶୋକରୁ କୋଉଠି ଧର୍ମାଶୋକ ହୋଇଗଲେ! ଧର୍ମାଶୋକ ବା ମହାତ୍ମା ହୋଇଯିବା ପରେ ଅଶୋକ ଦେଢ଼ ଲକ୍ଷ ବନ୍ଦୀ ସୈନିକଙ୍କୁ ମଗଧ ରାଜଧାନୀ ପାଟଳିପୁତ୍ରକୁ ଘୋଷାଡି ନେଇଥିଲେ କିପରି? ସେମାନଙ୍କୁ ତ’ ଧଉଳିଠାରେ ତୁରନ୍ତ ମୁକ୍ତ କରିଦେଇଥାନ୍ତେ! ଏହା କ’ଣ ବିଶ୍ୱାସଯୋଗ୍ୟ! ଅଶୋକଙ୍କର କେତକ ଶିଳାଲିପିରୁ ମିଳୁଛି ଯେ କଳିଙ୍ଗ ଯୁଦ୍ଧର ଦୁଇବର୍ଷ ପୂର୍ବରୁ ସେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ । ତାହା ଯଦି ସତ୍ୟ ହୁଏ, ତେବେ ଏ ଭଳି ଯୁଦ୍ଧ ଓ ରକ୍ତାକ୍ତ ନରସଂହାର ଜଣେ ଧାର୍ମିକ ଓ ଅହିଂସା ଉପରେ ବିଶ୍ୱାସ କରୁଥିବା ସମ୍ରାଟ କରିପାରିଲେ କିପରି? ତେଣୁ ଅଶୋକଙ୍କ କଳିଙ୍ଗ ବିଜୟ ବା କଳିଙ୍ଗ ଯୁଦ୍ଧ ସଂପୂର୍ଣ୍ଣ ଅସତ୍ୟ ଓ କାଳ୍ପନିକ ବୋଲି ଶ୍ରୀହରିଚନ୍ଦନ କହିଛନ୍ତି ।

 

ଏ ପ୍ରତ୍ୟେକ ଘଟଣାକୁ ଗଭୀର ଭାବରେ ଅନୁଧ୍ୟାନ ଓ ବିଶ୍ଳେଷଣ କଲେ ସ୍ପଷ୍ଟ ଭାବରେ ଜଣାଯିବ ଯେ କଳିଙ୍ଗ ଯୁଦ୍ଧ କେବେ ହୋଇନାହିଁ ଓ ଅଶୋକଙ୍କୁ ମହାନ କରି କଳିଙ୍ଗବାସୀଙ୍କୁ ନ୍ୟୁନ କରିବା ପାଇଁ ଯୋଜନାବଦ୍ଧ ଭାବରେ ଏ ଭଳି ଇତିହାସ ଲେଖାଯାଇଛି । ଓଡିଶାର ଐତିହାସିକମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରକୃତ ସତ୍ୟକୁ ଲୋକଲୋଚନକୁ ଆଣିବାକୁ ଓ କବିଲେଖକମାନେ ଏ ଜାତିର ସ୍ୱାଭିମାନ, ସମ୍ମାନ ଓ ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ଏ ପ୍ରସଙ୍ଗ ଉପରେ ଲେଖନୀ ଚାଳନା କରିବାକୁ ଶ୍ରୀହରିଚନ୍ଦନ ନିବେଦନ କରିଥିଲେ । ଉକ୍ତ କବି ସମ୍ମିଳନୀରେ ଡକ୍ଟର କୁଳାଙ୍ଗାର ଅଧ୍ୟକ୍ଷତା କରିଥିବାବେଳେ ବିଶିଷ୍ଟ ବ୍ୟଙ୍ଗକବି ସତ୍ୟାନାଶ, ସର୍ବଗିଳା ଓ ବ୍ରଜ ସୁବୁଦ୍ଧିଙ୍କ ସମେତ ଆହୁରି ଅନେକ କବି ଓ କୈବୟତ୍ରୀ ଯୋଗ ଦେଇଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top