ଆମେ ତ ଭାଗ୍ୟବାନ ପିଲାରେ?

News Story - Posted on 2017-10-30

ସୂର୍ଯ୍ୟମଣି ମିଶ୍ର

 

ଏଇତ ଆମ ସରକାରଙ୍କ ବହୁଳ ପ୍ରଚାରିତ ଶବ୍ଦ ସମ୍ଭାର ‘ଶିଶୁ ହସିଲେ ଦେଶ ହସିବ’, ‘ଶିଶୁ ହିଁ ଆମ ଭବିଷ୍ୟତ’ ।

 

ମନ୍ତ୍ରୀ, ଯନ୍ତ୍ରୀ ଏବଂ ସରକାରୀ ବାବୁମାନଙ୍କ ପିଲାମାନେ ତ ଗାଉଛନ୍ତି ‘ଆମେ ତ ଭାଗ୍ୟବାନ ପିଲାରେ’ । ସତରେ ଆମ ଦେଶ ଏବଂ ଆମ ରାଜ୍ୟର କେତେ ସଂଖ୍ୟକ ପିଲା ନିଜ ଖାଦ୍ୟ, ପାନୀୟ, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା-ଗମନକୁ ନେଇ ନିଜକୁ ଭାଗ୍ୟବାନ ବୋଲି ଦାବି କରିପାରନ୍ତି? ଆଉ କେତେ ସଂଖ୍ୟକ ପିଲା ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ନପାଇ ଆମେ ତ ହତଭାଗ୍ୟ ବୋଲି କହିପାରନ୍ତି?

 

ସରକାର ଦେଶଭକ୍ତିର ଜାଗରଣ ଉପରେ ତୁହାକୁ ତୁହା ପ୍ରଚାର କରୁଛନ୍ତି । ଭୟରେ-ଭୋକରେ ଏବଂ ଶୋକରେ ଥିବା ପିଲାମାନଙ୍କ ମନରେ ଦେଶ ଏବଂ ଦେଶ ଭକ୍ତି ପ୍ରତି ଅନୁରାଗ ସୃଷ୍ଟି ହେବ ବା କିପରି? ଯେଉଁ ପିଲାର ରାତି ପାହିଲେ ଭୋକର ଚିନ୍ତା, ରୋଗାକ୍ରାନ୍ତ ହୋଇ ଶୋକରେ ସିଏ କିପରି ବା କାହିଁକି ନିଜକୁ ଭାଗ୍ୟବାନ ପିଲା ବୋଲି କହିବ?

 

ଆମ ଓଡ଼ିଶାରେ ହଜାରେ ନଗଡ଼ା ଭଳି ଗାଁରେ କଙ୍କାଳସାର ଶିଶୁ ତ ଅଛନ୍ତି, ରାଷ୍ଟ୍ର ଶିଶୁର ବିକାଶ ଏବଂ ସୁରକ୍ଷା ସଂପର୍କରେ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଯୋଜନାଗୁଡ଼ିକ ଏହି କୋଟିଏ ଭୋକିଲା ଶିଶୁଙ୍କ ପାଖରେ ଅପହଞ୍ଚ ।

 

ରାଷ୍ଟ୍ର କିପରି ଶିଶୁ ବିକାଶ ଏବଂ ସୁରକ୍ଷା ଦିଗରେ ନିଜର ସାମ୍ବିଧାନିକ ଉତ୍ତରଦାୟିତ୍ୱ ନିର୍ବାହ କରୁଛି ଓଡ଼ିଶାର ନଗଡ଼ା ଗାଁ ତା’ର ଉଦାହରଣ ।
ରିପୋର୍ଟ ଅନୁଯାୟୀ, ଭାରତରେ ୭,୩୦,୦୦୦ ଶିଶୁ ଜନ୍ମର ଏକ ମାସ ମଧ୍ୟରେ ମୃତ୍ୟୁବରଣ କରୁଛନ୍ତି । ୧୦,୫୦,୦୦୦ ଶିଶୁ ଏକ ବର୍ଷଯାଏ ବଞ୍ôଚ ପାରନ୍ତିନି । ଉପଯୁକ୍ତ ଚିକିତ୍ସା ସୁବିଧା ନପାଇ ଅକାଳରେ ଆଖିବୁଜନ୍ତି ଏହି ଦେଶର ଭବିଷ୍ୟତମାନେ । ନିକଟରେ ଏକ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ୨,୯୧,୨୮୮ ଜଣ ଶିଶୁ ପ୍ରଦୂଷଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ୧୪ ବର୍ଷ ମଧ୍ୟରେ ୪,୪୧,୫୬୦ ଜଣ ଶିଶୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁବରଣ କରିଥିବା ଏହି ରିପୋର୍ଟରେ କୁହାଯାଇଛି ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‍ଓ)ର ରିପୋର୍ଟ ଅନୁସାରେ ୨୦୧୬ରେ ନିମୋନିଆ, ଡାଇରିଆରେ ୨,୯୬,୨୯୭ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ, ୩୯ ପ୍ରତିଶତ ଶିଶୁ କୁପୋଷଣର ଶିକାର, ବିକାଶ ଏଇଠି ଅଟକିଯାଉଛି । ଦେଶର ୪୦ ପ୍ରତିଶତ ଶିଶୁ ୫ ବର୍ଷ ଯାଏ ବଞ୍ôଚ ପାରୁନାହାନ୍ତି ।

 

ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଏପରି ଯେ, ୫୦ ପ୍ରତିଶତ ଶିଶୁ ନିୟମିତ ବିଦ୍ୟାଳୟ ଯାଆନ୍ତିନାହିଁ । ଶିଶୁଙ୍କ ପ୍ରତି ଯୌନ ଶୋଷଣ ଏବଂ ହିଂସା ମଧ୍ୟ ବଢ଼ିଚାଲିଛି । ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ଝିଟିପିଟି, ଅସରପା ଭଳି ମଲା ପୋକ ଖାଇ ରୋଗରେ ପଡ଼ନ୍ତି ଶିଶୁ । ବିଦ୍ୟାଳୟ ଖାଦ୍ୟ ଖାଇ ଶିଶୁ ଅସୁସ୍ଥତାର ଚିତ୍ର ମଧ୍ୟ ସମୟ-ସମୟରେ ଦେଖିବାକୁ ମିଳିଥାଏ । ଶିଶୁଙ୍କ ପାଇଁ କିଭଳି ସୁରକ୍ଷିତ ଦୁନିଆ ସରକାର ତିଆରି କରୁଛନ୍ତି - ଏହି ଚିତ୍ର ଉପରେ ଆଖି ପକାଇଲେ ତାହା ସ୍ପଷ୍ଟ ହୁଏ? ପ୍ରଶ୍ନ ଉଠେ ବସ୍ତିରେ, ଗାଁ’ରେ, ରାସ୍ତାକଡ଼ରେ, ପୋଲତଳେ, ରେଳଲାଇନ୍‍ କଡ଼ରେ ରହୁଥିବା ଶିଶୁମାନେ କାହିଁକି ବା ନିଜକୁ ଭାଗ୍ୟବାନ ପିଲା ବୋଲି ପାଟି ଖୋଳି ଦୃଢ଼ କଣ୍ଠରେ କହିବେ? କ’ଣ ମନ୍ତ୍ରୀ, ସାଂସଦ, ବିଧାୟକ ତଥା ସରକାରୀ ବାବୁଙ୍କ ପିଲାମାନେ ପଢ଼ୁଥିବା ବିଦ୍ୟାଳୟକୁ ଦେଖି? କ’ଣ ସେମାନେ ଯାଉଥିବା କୋଚିଂ ସେଣ୍ଟର୍‍ ଏବଂ ସେମାନଙ୍କ ଗାଡ଼ି-ବାଡ଼ି, ଫାଷ୍ଟଫୁଡ୍‍ ଖାଦ୍ୟକୁ ଦେଖି?

 

ଦେଶରେ ୧୪ ବର୍ଷ ଯାଏ ମୋଟ ଶିଶୁଙ୍କ ସଂଖ୍ୟା ହେଉଛି ୩୪.୫୭ କୋଟି । ୮୬ ପ୍ରତିଶତ ଶିଶୁ ଏବଂ କିଶୋର ଗ୍ରାମୀଣ କ୍ଷେତ୍ରରେ ରହିଥାନ୍ତି । ଏହି ମୋଟ ଶିଶୁ ଏବଂ କିଶୋର-କିଶୋରୀଙ୍କ ପାଖରେ ସ୍ୱାସ୍ଥ୍ୟ ସୁବିଧା ଓ ସ୍ୱାସ୍ଥ୍ୟ ବୀମା ନାହିଁ । ୧୭୦୦ ରୋଗୀଙ୍କ ପାଇଁ ଜଣେ ଡାକ୍ତର, ୬୧,୦୧୧ ଲୋକଙ୍କ ପାଇଁ ଗୋଟିଏ ହସ୍‍ପିଟାଲ, ୧୮୩୩ ରୋଗୀଙ୍କ ପାଇଁ ଗୋଟିଏ ବେଡ୍‍ ବା ଶଯ୍ୟା । ଦେଶରେ ହସ୍‍ପିଟାଲ, ଶଯ୍ୟା, ଅକ୍ସିଜେନ୍‍ର ଅଭାବ । ସରକାର ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକୀୟ ବ୍ୟୟବରାଦ କରୁନାହାନ୍ତି କାହିଁକି? ଭାରତ ମୋଟ ଜିଡିପିର ମାତ୍ର ୧.୪ ପ୍ରତିଶତ ସ୍ୱାସ୍ଥ୍ୟ ପାଇଁ ବ୍ୟୟ କରୁଥିବା ବେଳେ ଆମେରିକାରେ ଏହି ହାର ଜିଡିପିର ୮.୩ ପ୍ରତିଶତ ।

 

ବିଶ୍ୱର ୧୮୮ ଦେଶ ମଧ୍ୟରେ ଭାରତର ସ୍ଥାନ ଶିଶୁ ସ୍ୱାସ୍ଥ୍ୟ ସେବାରେ ୧୪୩, ଦେଶର ୩୦ କୋଟିରୁ ଅଧିକ ଲୋକ ଔଷଧ କିଣିପାରନ୍ତି ନାହିଁ । ଏମାନଙ୍କ ପିଲାମାନଙ୍କ ସ୍ୱାସ୍ଥ୍ୟ ନିରାପତ୍ତା କିପରି ସୁନିଶ୍ଚିତ ହୋଇପାରିବ? ଆହୁରି ଏକ ସତ୍ୟ ତଥା ଉଦ୍‍ବେଗଜନକ ତଥ୍ୟ ହେଲା ଦେଶରେ ଦୂଷିତ ପାଣି ପିଇ ଡାଇରିଆରେ ଆକ୍ରାନ୍ତ ହୋଇ ପ୍ରତିବର୍ଷ ହାରାହାରି ୧୫ ଲକ୍ଷ ଶିଶୁଙ୍କର ମୃତ୍ୟୁ ଘଟିଥାଏ ।

 

ଦେଶର ୬ ବର୍ଷ ବୟସ ମଧ୍ୟରେ ୨ କୋଟି ୩୦ ଲକ୍ଷରୁ ଅଧିକ ଶିଶୁ କୁପୋଷଣ ଏବଂ କମ ଓଜନର । ୧୦ ଲକ୍ଷରୁ ଅଧିକ ଶିଶୁ କୁପୋଷଣ କାରଣରୁ ପ୍ରତିଦିନ ମୃତ୍ୟୁବରଣ କରିଥାନ୍ତି ।

 

ଭାରତର ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁବରଣ କରିଥାନ୍ତି, ଏହି ମୃତ୍ୟୁ ମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ଶିଶୁ । ପ୍ରତି ହଜାରେ ଶିଶୁ ଜନ୍ମ ଗ୍ରହଣ ହେଉ ହେଉ ୫୮ଜଣ ଶିଶୁ ମୃତ୍ୟୁବରଣ କରିଥାନ୍ତି । ବିକଶିତ ଦେଶରେ ଏହି ହାର ୫ରୁ କମ୍‍ । ୧୨ ଲକ୍ଷରୁ ଅଧିକ ଶିଶୁ ପ୍ରତିବର୍ଷ ଏପରି ରୋଗରେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଯେଉଁମାନଙ୍କର ଚିକିତ୍ସା ସମ୍ଭବ, କିନ୍ତୁ ସରକାର ଏହି ଶିଶୁମାନଙ୍କୁ ଚିକିତ୍ସା ଯୋଗାଇ ଦେଉନଥିବାରୁ ଏହି ସଂଖ୍ୟକ ଶିଶୁ ମୃତ୍ୟୁବରଣ କରୁଛନ୍ତି । ୫ ରୁ ୧୮ ବର୍ଷର ଏପରି ୩ କୋଟି ୩୦ ଲକ୍ଷ ଶିଶୁଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନଙ୍କୁ ମିଳିପାରୁନି ସ୍ୱାସ୍ଥ୍ୟସେବା ।

 

୧୦ କୋଟିରୁ ଅଧିକ ଶିଶୁଙ୍କ ଭାଗ୍ୟରେ ବିଦ୍ୟାଳୟ ଯିବା ପାଇଁ ଅଧିକାର ମିଳୁନାହିଁ । ଦାରିଦ୍ର୍ୟ ଯୋଗୁଁ ଶିଶୁ ହେଉଛନ୍ତି ଶ୍ରମିକ, ଦାଦନ ଶ୍ରମିକ । ରିପୋର୍ଟ ଅନୁସାରେ ପ୍ରତି ଆଠ ମିନିଟ୍‍ରେ ଜଣେ ଶିଶୁ ଅପହରଣର ଶିକାର । ସେଭ୍‍ ଦି ଚିଲ୍‍ଡ୍ରେନ୍‍ର ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ, ଶିକ୍ଷା, ଶ୍ରମ, ବିବାହ, ଜନ୍ମ ଏବଂ ହିଂସା ୬ଟି ସୂଚାଙ୍କରେ ଭାରତ ମିଆଁମାର, ଭୁଟାନ, ଶ୍ରୀଲଙ୍କା, ମାଳଦ୍ୱୀପ ଠାରୁ ପଛରେ । ଶିଶୁ ବିକାଶ ଏବଂ ସୁରକ୍ଷାରେ ଭାରତର ସ୍ଥାନ ବିଶ୍ୱରେ ୧୧୬ ।

 

୧୮ କୋଟି ବିଦ୍ୟାଳୟ ଯାଉଥିବା ଶିଶୁଙ୍କ ମଧ୍ୟରୁ ୭ କୋଟି ଶିଶୁଙ୍କ ଭବିଷ୍ୟତ ଘରୋଇ ବିଦ୍ୟାଳୟ ହାତରେ ।

 

ସରକାରଙ୍କ ଶିକ୍ଷା ବଜେଟ୍‍ ୪୬,୩୫୬ କୋଟିରେ ସୀମିତ ଥିବା ବେଳେ କର୍ପୋରେଟ ନିୟନ୍ତ୍ରିତ ଘରୋଇ ବିଦ୍ୟାଳୟର ବଜେଟ୍‍ ଆଠ ଲକ୍ଷ କୋଟି ଟଙ୍କାରୁ ଅଧିକ ହେଲାଣି । ଦେଶର ନାଗରିକଙ୍କ ସର୍ବନିମ୍ନ ଆବଶ୍ୟକତା ସରକାର ନୁହଁ ବଜାର ହାତରେ ବା ନିୟନ୍ତ୍ରଣରେ । ଯାହାଙ୍କ ପାଖରେ ଯେତେ ଅଧିକ ଟଙ୍କା ସେମାନେ ସେହିପରି ସୁବିଧା ପାଇପାରୁଛନ୍ତି । ଘରୋଇ ବିଦ୍ୟାଳୟର ଆୟ ସରକାରୀ ବିଦ୍ୟାଳୟ ବଜେଟ୍‍ ଠାରୁ ହାରାହାରି ୧୦୦ ଗୁଣାରୁ ଅଧିକ । ଦେଶର ୧୦୦ କୋଟି ଲୋକ ନିର୍ଭର କରନ୍ତି ସରକାରୀ ଚିକିତ୍ସା ସେବା ଉପରେ । ଏଥିପାଇଁ ସରକାରଙ୍କ ବଜେଟ୍‍ ୪୧,୮୭୮ କୋଟି ଟଙ୍କା । ଅନ୍ୟ ପକ୍ଷରେ ୨୫ କୋଟି ନାଗରିକଙ୍କ ପାଇଁ ଘରୋଇ ହେଲ୍‍ଥ ଇଣ୍ଡଷ୍ଟ୍ରିର ପୁଞ୍ଜି ପରିମାଣ ୬,୫୦,୦୦୦ କୋଟି ଟଙ୍କାରୁ ଅଧିକ । ଭାରତ ବିଶ୍ୱରେ ଏକମାତ୍ର ଦେଶ ଯେଉଁଠି ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାର ଘରୋଇକରଣ, ସବୁଠୁ ମୁନାଫା ଅର୍ଜନକାରୀ ଇଣ୍ଡଷ୍ଟ୍ରି । ଦେଶର ଶିକ୍ଷା ବଜେଟ୍‍ ୪୬,୩୫୬ କୋଟି, ଦେଶର ଟ୍ୟୁସନ୍‍ ଇଣ୍ଡଷ୍ଟ୍ରିର ପୁଞ୍ଜି ପରିମାଣ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ।

 

ଆସୋଚେମ୍‍ର ସର୍ଭେ ଅନୁଯାୟୀ- ସହର-ମହାନଗରରେ ୯୫ ପ୍ରତିଶତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବାହାର ଟ୍ୟୁସନ ନେଇଥାନ୍ତି ।

 

ମହାନଗରୀରେ ପ୍ରାଇଭେଟ୍‍ ଟ୍ୟୁଟର ଗୋଟିଏ ଶ୍ରେଣୀ ପାଇଁ ଜଣେ ଜଣେ ଛାତ୍ର-ଛାତ୍ରୀଙ୍କଠାରୁ ୧ ହଜାରରୁ ୪ ହଜାର ଟଙ୍କା ନେଇଥାନ୍ତି । ଗ୍ରୁପ୍‍ ଟ୍ୟୁସନ୍‍ର ହାର ହାରାହାରି ୧୦୦୦ ଟଙ୍କାରୁ ୬ ହଜାର ଟଙ୍କା । ସର୍ଭେରୁ ଜଣାଯାଇଛି ମୋଟ ଘରୋଇ ବିଦ୍ୟାଳୟ ମଧ୍ୟରୁ ୪୦ ପ୍ରତିଶତ ବିଦ୍ୟାଳୟର ମାଲିକ ରାଜନୈତିକ ଦଳ ସହ ସଂପୃକ୍ତ । ଡିୱାଇ ପାଟିଲ, ଶରଦ ପାୱାର୍‍, ସଲମାନ ଖୁର୍ସିଦ୍‍, ଛଗନ ଭୁଜବଳ, ଜଗଦମ୍ବିକା ପାଲ, ଜି. ବିଶ୍ୱନାଥନ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବ ପାଲ ଯାଦବ, ମନୋହର ଯୋଶୀ, ଅଖିଲେଶ ଦାସଗୁପ୍ତା, ସତୀଶ ମିଶ୍ରଙ୍କ ଭଳି ରାଜନେତା ଘରୋଇ ବିଦ୍ୟାଳୟ ପରିଚାଳନାରେ । ଓଡ଼ିଶା, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଭଳି ଦେଶର ସମସ୍ତ ରାଜ୍ୟରେ ଶିକ୍ଷା ଏବେ ବେପାର, ଯେଉଁ ବେପାରରେ ମଳି ବା ମାନ୍ଦାବସ୍ଥା ନାହିଁ ।

 

ସ୍ୱାସ୍ଥ୍ୟ ସେବା ଭଳି ଶିକ୍ଷାର ଘରୋଇକରଣ ଏବଂ ବଜାରିକରଣ କରିବା ଦିଗରେ ୧୯୯୧ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଓ ଅର୍ଥମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ଅବଦାନ ଆଜି ଦିନରେ ନିଶ୍ଚୟ ସ୍ମରଣୀୟ । ଏହି ସ୍ମରଣୀୟ ବ୍ୟକ୍ତିଙ୍କ ଅବଦାନ ପାଇଁ ଦେଶର ୮୦ ପ୍ରତିଶତ ଶିଶୁ ନିଜକୁ ହତଭାଗ୍ୟ ବୋଲି କହୁଥିବା ବେଳେ ମାତ୍ର ୨୦ ପ୍ରତିଶତ ଶିଶୁ ନିଜକୁ ଭାଗ୍ୟବାନ ବୋଲି ଆନନ୍ଦରେ ଗୀତ ଗାଉଛନ୍ତି- ଆମେ ତ ଭାଗ୍ୟବାନ ପିଲାରେ... ।

 

ଏହି ଘରୋଇକରଣ ନୀତି ଶିଶୁଙ୍କ ମଧ୍ୟରେ ଅସମତା ବୃଦ୍ଧି କରିଛି । ଜଣେ ଶିଶୁ ନିଜକୁ ଇଣ୍ଡିଆର ଭାଗ୍ୟବାନ ଶିଶୁ ବୋଲି ଆନନ୍ଦରେ ଗୀତ ଗାଉଛି । ଅନ୍ୟପଟରେ ଆଉ ଜଣେ ଶିଶୁ ଭାରତର ହତଭାଗ୍ୟ ଶିଶୁ କହି ବିଷାଦରେ ଲୁହ ଗଡ଼ାଉଛି । ଶିଶୁଙ୍କ ମଧ୍ୟ ବୈଷମ୍ୟତା ସୃଷ୍ଟି କରୁଛନ୍ତି ସରକାର ଓ ୧୯୯୧ରେ ପ୍ରବର୍ତ୍ତିତ ମୁକ୍ତ ଆର୍ଥିକ ନୀତି । ଦେଶର ସଂଖ୍ୟାଧିକ ଅର୍ଥାତ୍‍ ୮୦ ପ୍ରତିଶତରୁ ଅଧିକ ଶିଶୁଙ୍କର ବଞ୍ôଚବାର ଅଧିକାର, ପଢ଼ିବାର ଅଧିକାର, ନିରୋଗୀ ହେବାର ଅଧିକାର ସୁନିଶ୍ଚିତ ହୋଇପାରିନି । କିପରି ଓ କାହିଁକି ଏହି ଶିଶୁଙ୍କ ମୁହଁର ଆନନ୍ଦରେ ଶୁଭିବ ‘ଆମେ ତ ଭାଗ୍ୟବାନ ପିଲାରେ...’ ।

ସାମ୍ବାଦିକ, ଭୁବନେଶ୍ୱର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top