ନବୀନ ଶାସନ, ବଢ଼ିଚାଲିଛି ମଦ୍ୟପାନ!

News Story - Posted on 2017-10-26

ପ୍ରହଲାଦ କୁମାର ସିଂହ

 

ଓଡ଼ିଶାରେ ପାଖାପାଖି ୪୦ ପ୍ରତିଶତ ପୁରୁଷ ମଦୁଆ। ଯେଉଁ ସରକାରୀ ରିପୋର୍ଟ ଓଡ଼ିଶାରେ ଶିଶୁ ମୃତ୍ୟୁହାର ଜାତୀୟ ହାରଠାରୁ କମି ୪୦ ପ୍ରତିଶତରେ ପହଞ୍ଚିଛି ବୋଲି ଓଡ଼ିଶା ସରକାରଙ୍କୁ ସାବାସୀ ଦେଉଛି ସେହି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୪ ରିପୋର୍ଟରେ ଏହି ଉଦବେଗଜନକ ତଥ୍ୟ ପ୍ରକାଶ ପାଇଛି। ୨୦୧୫-୧୬ ବର୍ଷରେ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ପପୁଲେସନ ସାଇନ୍ସେସ ମାଧ୍ୟମରେ ଭାରତ ସରକାର କରିଥିବା ଏହି ସର୍ଭେର ରିପୋର୍ଟ ୨୦୧୭ ଅକ୍ଟୋବରରେ ଉନ୍ମୋଚିତ ହୋଇଛି। ଏହା ପୂର୍ବରୁ ଜନଗଣନା ମହାନିର୍ଦ୍ଦେଶାଳୟ ମାଧ୍ୟମରେ କରାଯାଇଥିବା ବେସ ଲାଇନ ସର୍ଭେ-୨୦୧୪ ରିପୋର୍ଟ ଦର୍ଶାଯାଇଥିଲା ଯେ ଓଡ଼ିଶାରେ ୧୫ ବର୍ଷରୁ ଅଧିକ ବୟସ୍କ ପୁରୁଷଙ୍କ ମଧ୍ୟରୁ ୧୪ ପ୍ରତିଶତ, ୩୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ୧୭.୫ ପ୍ରତିଶତ ଓ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରୁ ୧୨.୨ ପ୍ରତିଶତ ମଦ୍ୟପାନ କରିଥାନ୍ତି।

 

ଏହି ଦୁଇଟି ସରକାରୀ ରିପୋର୍ଟକୁ ତୁଳନା କଲେ ଓଡ଼ିଶାରେ ମଦୁଆଙ୍କ ସଂଖ୍ୟା ବଢ଼ିଚାଲିବା ସ୍ପଷ୍ଟ ଜଣାପଡ଼ୁଛି। ଦେଶର ଅନ୍ୟତମ ଦରିଦ୍ର ଓ ଅନଗ୍ରସର ରାଜ୍ୟ ଭାବେ ଗଣାଯାଉଥିବା ଓଡ଼ିଶାର ସାମଗ୍ରିକ ବିକାଶ ବହୁ ପଛରେ ଥିବା ବେଳେ ମଦ ସମେତ ଅନ୍ୟାନ୍ୟ ନିଶା ପ୍ରସାରଣ କ୍ଷେତ୍ରରେ ଯେ ଢେର ଆଗୁଆ ତାହା ଏଥିରୁ ବାରି ହୋଇଯାଉଛି। ରାଜ୍ୟର ସଂଖ୍ୟାଧିକ ପରିବାର ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ସବୁ ଜମି ଲାଗି ଜଳସେଚନ ବ୍ୟବସ୍ଥା କରାଯାଇପାରୁ ନଥିବା ବେଳେ ବେକାରୀ, ବେରୋଜଗାରୀ ବଢ଼ି ଚାଲିଛି। ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମ ରାଜ୍ୟ ଢେର ପଛରେ ପଡ଼ିଥିବା ସ୍ଥଳେ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଦ୍ରୁତ ଅବନତିରେ ସାଧାରଣ ଲୋକ ଅସ୍ତବ୍ୟସ୍ତ। ଅଥଚ ରାଜଧାନୀରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଚାରିଆଡ଼େ ପ୍ଲାବିତ ହେଉଛି ମଦର ବନ୍ୟା। ଏଥିଯୋଗୁ ସାମାଜିକ, ଆର୍ଥିକ, ସାଂସ୍କୃତିକ, ନୈତିକ ଓ ରାଜନୈତିକ ବ୍ୟବସ୍ଥା ରସାତଳଗାମୀ ହୋଇ ଚାଲିଛି। କିନ୍ତୁ ମଦ ଗଣତାନ୍ତ୍ରିକ ଅଧିକାରର ଖୋଲା ନିଲାମ କରି ଭୋଟ କିଣିବା କ୍ଷେତ୍ରରେ ବିଶେଷ ସହାୟକ ହେଉଥିବାରୁ କ୍ଷମତାଲିପ୍ସୁ ରାଜନେତାମାନେ ରାଜ୍ୟ ପଛେ ଉଜୁଡ଼ୁ କିନ୍ତୁ ଏହି ଦୁର୍ଯୋଗର ହାତଛଡ଼ା କରୁନାହାନ୍ତି।

 

ମଦର ପ୍ରସାର ସହ ତାଳଦେଇ ବଢ଼ି ଚାଲିଛି ବ୍ୟଭିଚାର, ଭ୍ରଷ୍ଟାଚାର, ଦୁର୍ଘଟଣା, ଦୁର୍ନୀତି, ହିଂସା, ରୋଗବ୍ୟାଧି, ଦାରିଦ୍ର୍ୟ, ନାରୀ ଓ ଶିଶୁ ନିର୍ଯାତନା, ଅପରାଧ ଏବଂ ଆଳସ୍ୟ। ଚାରିଆଡ଼େ ନିଶା ରାକ୍ଷସର ପ୍ରାଦୁର୍ଭାବରେ ବ୍ୟକ୍ତି, ପରିବାରଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ତ୍ରସ୍ତ। ମଦୁଆଙ୍କ ଉତ୍ପାତରେ ସ୍ତ୍ରୀ, ପିଲାପିଲି, ବାପମା’ ଓ ପରିବାର ପରିଜନ ଆତଙ୍କିତ। ମଦୁଆଙ୍କ ଦୌରାତ୍ମ୍ୟରେ ଘରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ନାରୀମାନଙ୍କ ନିରାପତ୍ତା ବିପନ୍ନ। ନିଶାଡ଼ିଙ୍କ ଦୌରାତ୍ମ୍ୟରେ ଚୋରି, ଡକାୟତି, ନାରୀ ଧର୍ଷଣ, ସକ ଦୁର୍ଘଟଣା, ଆତ୍ମହତ୍ୟା, ହତ୍ୟାକାଣ୍ଡ ସମେତ ବିଭିନ୍ନ ଅପରାଧ ବଢ଼ୁଛି। ନିଶା ଯୋଗୁ ଯକ୍ଷ୍ମା, କର୍କଟ, ଏଡ୍ସଠାରୁ ଆରମ୍ଭ କରି ଅନେକ ପ୍ରକାର ରୋଗବ୍ୟାଧି ବ୍ୟାପୁଛି। ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ, ଶ୍ରମିକମାନଙ୍କ ବିକାଶ ସମେତ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଓ ଉନ୍ନୟନ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରତିବନ୍ଧକ ବି ନିଶା। ଏଥିଯୋଗୁ ଆଳସ୍ୟ ଓ ବେରୋଜଗାରୀ ବଢ଼ିବା ସହିତ ବ୍ୟାପକ ଶ୍ରମ ଦିବସ ନଷ୍ଟ ହୋଇ ଉତ୍ପାଦନ ଉପରେ ବି ପ୍ରତକୂଳ ପ୍ରଭାବ ପଡ଼ୁଛି। ମଦ ଯୋଗୁ କେତେ ସ୍ତ୍ରୀଙ୍କ ମଥାରୁ ସିନ୍ଦୁର ଲିଭୁଛି, କେତେ ପିଲା ବାପ ଛେଉଣ୍ଡ ହେଉଛନ୍ତି, କେତେ ବାପାମା’ ପୁତ୍ର ଶୋକରେ ଜର୍ଜରିତ, ଆଇନ ଶୃଙ୍ଖଳା ବ୍ୟବସ୍ଥା କେତେ ଭୁଶୁଡ଼ୁଛି, ରୋଗବ୍ୟାଧିରେ କେତେ ଅର୍ଥ ବରବାଦ ହେଉଛି ଏବଂ ସାମାଜିକ, ନୈତିକ, ଆର୍ଥିକ, ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥାର ଅବକ୍ଷୟ ଯୋଗୁ କ୍ଷତିର ପରିମାଣ କେତେ ତାହା ହିସାବ କରିବାକୁ ସରକାର ପ୍ରସ୍ତୁତ ନୁହଁନ୍ତି। ଅଥଚ ଅବକାରୀ ରାଜସ୍ବ ବୃଦ୍ଧି ନାଁରେ ନିଶା ରାକ୍ଷସକୁ ସାରା ରାଜ୍ୟରେ ବୀଭତ୍ସକାଣ୍ଡ ଘଟାଇବା ପାଇଁ ଲାଇସେନ୍ସ ଦିଆଯାଉଛି।

 

ମଦ କେତେ କ୍ଷତି କରେ ତାହା ହୃଦୟଙ୍ଗମ କରି ଅନୁଭବୀ ନେତା ବିଜୁ ପଟ୍ଟନାୟକ ନବେ ଦଶକରେ ତାଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ସାରା ରାଜ୍ୟରେ ଉଭୟ ଦେଶୀ ଓ ମହୁଲି ମଦ ପ୍ରଚଳନକୁ ନିଷିଦ୍ଧ କରିବା ସହିତ ବିଦେଶୀ ମଦର ପ୍ରସାରଣକୁ ନିୟନ୍ତ୍ରିତ କରାଇଥିଲେ। ୧୯୯୨ କଟକ ମଦମୃତ୍ୟୁ ଦୁର୍ଘଟଣାରେ ମଦ ବେପାରୀଙ୍କ ସହିତ ରାଜନେତା ଏବଂ ପୋଲିସ ଓ ପ୍ରଶାସନ କଳର ମଧୁଚନ୍ଦ୍ରିକା ତାଙ୍କୁ ବ୍ୟଥିତ କରିଥିଲା। ତାଙ୍କ ସରକାର ବସାଇଥିବା ଜଷ୍ଟିସ ବାଳକୃଷ୍ଣ ବେହେରା କମିଶନ ତାଙ୍କ ବିସ୍ତୃତ ରିପୋର୍ଟରେ ବିଜୁବାବୁଙ୍କ ସରକାରର ଦୁଇ ଜଣ ମନ୍ତ୍ରୀ ଓ ଅନ୍ୟ ଦୁଇ ଜଣ ନେତା ଚୋରା ମଦ ବେପାରୀକୁ ପୃଷ୍ଠପୋଷକତା ସହ ସହାୟତା ଯୋଗାଇ ତା’ର ନିଶା ସାମ୍ରାଜ୍ୟ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଉଲ୍ଲେଖ କରିଥିଲେ। ଏହା ରାଜନୀତିରେ ଅପରାଧିକରଣ ସହିତ ଅପରାଧର ରାଜନୀତିକରଣ ବୋଲି କମିଶନ ଟିପ୍ପଣୀ ଦେଇଥିଲେ। ସେତେବେଳେ ମଦ ବିରୁଦ୍ଧରେ ମାତିଥିବା ମହିଳାମାନେ ତାଙ୍କ ଆଖି ଖୋଲି ଦେଇଥିଲେ। ଏବେ ନିଜ ନିଜର ଉଜୁଡ଼ା ସଂସାରକୁ ସଜାଡ଼ିବା ପାଇଁ ସ୍ବତଃପ୍ରବୃତ୍ତ ଭାବେ ଅନେକ ଅଞ୍ଚଳରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ମଦଭାଟି ଭାଙ୍ଗୁଛନ୍ତି। ଅବଶ୍ୟ ସେମାନଙ୍କ ଏହି ଦୁଃସାହସିକ ଅଭିଯାନ ପ୍ରତି ସମାଜର ବିଭିନ୍ନ ବର୍ଗର ସମର୍ଥନ ମିଳୁଛି। ଅବସ୍ଥା ଏଭଳି ହେଲାଣି କେଉଁଠି ମଦୁଆ ପୁଅ ମା’କୁ ଧର୍ଷଣ ପରେ ହତ୍ୟା କଲାଣି ତ ଆଉ କେଉଁଠି ନିଶାରେ ଚୁର୍ ଥିବା ବାପ ନିଜ ଝିଅର ଇଜ୍ଜତ ଲୁଟିଲାଣି। କେଉଁଠି ନିଶାଖୋର୍ ବାପାମା’ ନିଜ ପିଲାଙ୍କୁ ହତ୍ୟା କଲେଣି ତ ଆଉ କେଉଁଠି ମାତାଲ ସ୍ବାମୀ ନିଜ ସ୍ତ୍ରୀକୁ ମାରିଲାଣି। ବାରମ୍ବାର ମଦମୁକ୍ତ ଶାନ୍ତିପୂର୍ଣ୍ଣ ସମାଜ ପାଇଁ ସରକାରଙ୍କ ନିକଟରେ ଗୁହାରି କରି ନିରାଶ ହେଉଥିବା ମହିଳାମାନେ ସହିବାର ସବୁ ସୀମା ଟପିଯିବା ପରେ ମଦ ବିରୋଧରେ ଆନ୍ଦୋଳନ କରି ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି।

 

ସରକାରୀ ହିସାବ ଅନୁଯାୟୀ ୧୯୯୫-୯୬ ବର୍ଷରେ ଆମ ରାଜ୍ୟରେ ଦେଶୀ ଓ ମହୁଲି ମଦ ଉପରେ ସରକାର ନିଷିଦ୍ଧାଦେଶ ଜାରି କରିଥିବା ବେଳେ ଉକ୍ତ ବର୍ଷରେ ମାତ୍ର ୫୩ ଲକ୍ଷ ୭୪ ହଜାର ଲିଟର ବିଦେଶୀ ମଦ ଓ ୮୯ ଲକ୍ଷ ୧୧ ହଜାର ଲିଟର ବିଅର୍ ଯୋଗା ଯାଇଥିଲା। ୧୯୯୯-୨୦୦୦୦ ବର୍ଷରେ ଆଦୌ ଦେଶୀ ମଦ ଉଠାଣ ହୋଇନଥିବା ବେଳେ ୭୧ ଲକ୍ଷ ଲିଟର ମହୁଲି, ୪୬ ଲକ୍ଷ ଲିଟର ବିଦେଶୀ ମଦ ଓ ୫୪ ଲକ୍ଷ ୪୩ ହଜାର ଲିଟର ବିଅର୍ ଯୋଗା ଯାଇଥିଲା। ମଦ ପ୍ରସାରଣ ପାଇଁ ସରକାରଙ୍କ ଉଦାର ନୀତି, ସହଯୋଗ ତଥା ପୃଷ୍ଠପୋଷକତା ଭିତ୍ତିଭୂମିରେ ୨୦୧୫-୧୬ ବର୍ଷରେ ଆମ ରାଜ୍ୟ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡ଼ିକୁ ଯୋଗାଇଥିଲା ୬୦୨ ଲକ୍ଷ ୭୨ ହଜାର ଲିଟର ମହୁଲି, ୧୦୨ ଲକ୍ଷ ୬୨ ହଜାର ଲିଟର ଦେଶୀ, ୪୮୫ ଲକ୍ଷ ୪୩ ହଜାର ଲିଟର ବିଅର୍ ଓ ୪୫୫ ଲକ୍ଷ ୭୦ ହଜାର ଲିଟର ଭାରତ ତିଆରି ବିଦେଶୀ ମଦ। ଆଉ ଏହି ମଦ ବିକ୍ରିରୁ ସରକାର ଟିକସ ଆକାରରେ ଗତବର୍ଷ ରୋଜଗାର କରିଥିଲେ ୨୫୬୮ କୋଟି ୬୭ ଲକ୍ଷ ଟଙ୍କା। ପରବର୍ତ୍ତୀ ବର୍ଷରେ ରାଜ୍ୟରେ ପ୍ରାୟ ୨୦ କୋଟି ଲିଟର ମଦ ସରକାରୀ ଦୋକାନ ହିସାବରେ ବିକା ଯାଇଥିବା ବେଳେ ଚୋରା ମଦ ପରିମାଣ ଏହାର ୪/୫ ଗୁଣରୁ ଅଧିକ ହେବ। ଅର୍ଥାତ ବାର୍ଷିକ ପ୍ରାୟ ୧୦୦ କୋଟି ଲିଟର ମଦରେ ସରକାର ରାଜ୍ୟକୁ ଉବୁଟୁବୁ କରି ୨୦୧୬-୧୭ ବର୍ଷରେ ରାଜସ୍ବ ରୋଜଗାର କରିଛନ୍ତି ପାଖାପାଖି ୩ ହଜାର କୋଟି ଟଙ୍କା।

 

ବିଜୁ ପଟ୍ଟନାୟକଙ୍କ ସରକାର ଅମଳରେ ରାଜ୍ୟ ଅବକାରୀ ରାଜସ୍ବ ପରିମାଣ ୭୦ କୋଟି ଟଙ୍କାରୁ କମ ଥିବା ବେଳେ ଏ ବର୍ଷ ତାହାକୁ ୩୬୦୦ କୋଟି ଟଙ୍କାକୁ ଟପାଇ ସରକାର ନୂଆ ରେକର୍ଡ ସୃଷ୍ଟିର ଲକ୍ଷ୍ୟ ରଖିଛନ୍ତି। ଅର୍ଥାତ ବିଜୁବାବୁଙ୍କ ସରକାର ତୁଳନାରେ ନବୀନ ବାବୁଙ୍କ ସରକାର ସମୟରେ ଏ ବର୍ଷ ରାଜ୍ୟର ଅବକାରୀ ରାଜସ୍ବ ପରିମାଣ ବଢ଼ିଯିବ 50 ଗୁଣରୁ ଅଧିକ। ଏହାଠାରୁ ବଳି ରାଜ୍ୟ ସରକାରଙ୍କ ବ ସଫଳତା ଆଉ କ’ଣ ଥାଇପାରେ? ଏକଥା ସମସ୍ତଙ୍କୁ ଜଣା ଯେ ସଂଖ୍ୟାଧିକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ହେଉଛି ଚୋରା ମଦର ଏନ୍ତୁିଶାଳ। ରାଜ୍ୟରେ ସରକାରୀ ଦୋକାନଗୁିକରେ ଯେତେ ମଦ ବିକ୍ରି କରାଯାଏ ତାହାର ଅନ୍ୟୁନ ୪/୫ ଗୁଣ ମଦ ଯେ ଚୋରାରେ ଚାଲେ ତାହା ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଉବୁଟୁବୁ ହେଉଥିବା ମଦ୍ୟବନ୍ୟାରୁ ସ୍ପଷ୍ଟ ଅନୁମେୟ। ଏହି ଚୋରା ମଦକୁ ଦୃଢ଼ ହସ୍ତରେ ଦମନ କରିବା ପରିବର୍ତ୍ତେ ସରକାର ମଦ ବେପାରକୁ ବଢ଼ାଉଛନ୍ତି। ଏହା ଚୋରା ମଦ ବେପାରୀଙ୍କ ନିକଟରେ ରାଜ୍ୟ ପ୍ରଶାସନର ଖୋଲା ଆତ୍ମସମର୍ପଣ ସଦୃଶ। କୌଣସି ଅଞ୍ଚଳରେ ଅପରାଧ ବଢ଼ିଲେ ସରକାର ଅପରାଧ ଘଟାଇବା ପାଇଁ ଅପରାଧୀଙ୍କୁ ଲାଇସେନ୍ସ ଦେଇ ଟିକସ ଆଦାୟ କରିନଥାନ୍ତେ। ତେବେ ସମସ୍ତ ଦୁଷ୍କୃତିର ଜନନୀ ବୋଲି କୁହାଯାଉଥିବା ଉଭୟ ସରକାରୀ ଓ ଚୋରା ମଦକୁ ନିୟନ୍ତ୍ରଣ କରାଯାଉ ନାହିଁ କାହିଁକି? ବିଭିନ୍ନ କମିଶନ, କମିଟି ଓ ଗବେଷଣା ରିପୋର୍ଟରେ ଏକଥା ବାରମ୍ାର କୁହାଯାଇଛି ଯେ ଗୋଟିଏ ଟଙ୍କାର ଅବକାରୀ ଟିକସ ପାଇଁ ଯେତେ ନିଶା କାରବାର ହୁଏ ସେଥିରେ କ୍ଷତିର ପରିମାଣ ଅନ୍ୟୁନ ୧୦୦ ଟଙ୍କା। ଅର୍ଥାତ ଓଡ଼ିଶାର ନିଶାଜନିତ କ୍ଷତି ବର୍ଷକୁ ନିଶ୍ଚିତ ଭାବେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ। କେବଳ ନିଶା କିଣିବାରେ ରାଜ୍ୟର ଲୋକେ ବରବାଦ କରୁଛନ୍ତି ବର୍ଷକୁ ୫୦ ହଜାରରୁ ୬୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ। ଓଡ଼ିଶାର ବାର୍ଷିକ ବଜେଟ ପ୍ରାୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ହୋଇଥିବା ବେଳେ ତାହାର ଅଧା ପରିମାଣର ଅର୍ଥ ଲୋକେ ଉଜାଡ଼ୁଛନ୍ତି ନିଶାପାଣିରେ। ଏ ପରିପ୍ରେକ୍ଷୀରେ ରାଜ୍ୟର ଅନଗ୍ରସରତା ଓ ଦାରିଦ୍ର୍ୟ ହଟିବ କିପରି?

 

ଓଡ଼ିଶାରେ ମଦର କିପରି ଭୟଙ୍କର ଅଭିବୃଦ୍ଧି ଘଟୁଛି ସେ ସଂକ୍ରାନ୍ତରେ ଭାରତ ସରକାରଙ୍କ ସିଏଜି ରିପୋର୍ଟରେ ପ୍ରକାଶ ପାଇଛି ଉଦବେଗଜନକ ତଥ୍ୟ। ବିଧାନସଭାରେ ଉପସ୍ଥାପିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୦୬ରୁ ୨୦୧୧ ବର୍ଷ ମଧ୍ୟରେ ଓଡ଼ିଶାର ଜନସଂଖ୍ୟା ଅଭିବୃଦ୍ଧି ହାର ବାର୍ଷିକ ମାତ୍ର ୧.୪ ପ୍ରତିଶତ ଥିବା ବେଳେ ଏହି ସମୟ ଭିତରେ ଓଡ଼ିରେ ମଦର ବାର୍ଷିକ ଅଭିବୃଦ୍ଧି ହାର ବିଅର କ୍ଷେତ୍ରରେ ୬୨.୭୬ ପ୍ରତିଶତ, ବିଦେଶୀ ମଦ କ୍ଷେତ୍ରରେ ୪୮.୧୫ ପ୍ରତିଶତ ଓ ଦେଶୀ ମଦ କ୍ଷେତ୍ରରେ ୩୧.୭୦ ପ୍ରତିଶତ। କେବଳ ସେତିକି ନୁହେଁ ସିଏଜି ତାଙ୍କ ରିପୋର୍ଟରେ ପୁଣି ଏକଥା ଚେତାଇ ଦେଇଛନ୍ତି ଯେ ଓଡ଼ିଶାରେ ଅବକାରୀ ମାମଲାରେ ଦୋଷସିଦ୍ଧି ହାର ବାର୍ଷିକ ମାତ୍ର ୫ରୁ ୮ ପ୍ରତିଶତ ରହୁଥିବା ବେଳେ ୯୨ରୁ ୯୫ ପ୍ରତିଶତ ମାମଲାରେ ଅପରାଧୀମାନେ ଖସି ଯାଉଛନ୍ତି। ଏଥିରୁ ଅବକାରୀ ଓ ପୋଲିସ ସମେତ ସରକାର ଚଳାଉଥିବା ବ୍ୟକ୍ତି ବିଶେଷଙ୍କର ନିଶା ସାମ୍ରାଜ୍ୟ ଅଭିବୃଦ୍ଧି କ୍ଷେତ୍ରକୁ ଅବଦାନ ବେଶ୍ ଜଳଜଳ ଦିଶୁଛି।

 

ସଡ଼କ ସୁରକ୍ଷା ନିରାପତ୍ତା ସପ୍ତାହ ପାଳନ ଅବସରରେ କୁହାଯାଏ ଯେ ଯେତେ ସଡ଼କ ଦୁର୍ଘଟଣା ଘଟୁଛି ତାହାର ଅନ୍ୟୁନ ୬୦ ପ୍ରତିଶତ ନିଶାଜନିତ କାରଣରୁ ହେଉଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ ୧ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୪୦ ହଜାର ପାଖାପାଖି ଲୋକ ମରିଛନ୍ତି ଏବଂ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥଳେ ପ୍ରାୟ ୫୫ ହଜାର ପଙ୍ଗୁ ହୋଇଛନ୍ତି। ଏହି ସରକାରୀ ପରିସଂଖ୍ୟାନର ଅନୁଶୀଳନ କଲେ ଏକଥା ସ୍ପଷ୍ଟ ଯେ ଗତ ୧୦ ବର୍ଷ ମଧ୍ୟରେ କେବଳ ନିଶା ଯୋଗୁ ସକ ଦୁର୍ଘଟଣାରେ ପ୍ରାୟ ୨୪ ହଜାର ଲୋକ ମରିଥିବା ବେଳେ ୩୦ ହଜାରରୁ ଅଧିକ ଆମ ରାଜ୍ୟରେ ପଙ୍ଗୁ ହୋଇଛନ୍ତି। ଏ ବାବଦରେ କେତେ କ୍ଷତି ହୋଇଛି ତାହାର କଳନା ଏଯାବତ ଅବକାରୀ ବିଭାଗ କରିନାହିଁ। ଏହି ପାପ କ’ଣ ସରକାରଙ୍କ ନୁହେଁ?

 

ବେସରକାରୀ ଅନୁଧ୍ୟାନରୁ ଜଣାଯାଇଛି ଯେ ଆମ ରାଜ୍ୟର ଜେଲଗୁଡ଼ିକରେ ଥିବା ଦଣ୍ଡିତ ଓ ଅଭିଯୁକ୍ତ ଆସାମୀଙ୍କ ମଧ୍ୟରୁ ପ୍ରାୟ ୮୨ ପ୍ରତିଶତ ହେଉଛନ୍ତି ନିଶାଡ଼ି। ଭୁବନେଶ୍ବର, ଚୌଦ୍ବାର ସମେତ ରାଜ୍ୟର ଯେକୌଣସି ଜେଲ ଉପରେ ଚଢ଼ାଉ ବେଳେ ବିପୁଳ ପରିମାଣର ନିଶା ସାମଗ୍ରୀ ମିଳିବା ଏହାର ପ୍ରମାଣ ମାତ୍ର। ମୋଟାମୋଟି ଭାବେ ନିଶା ବନ୍ଦ ହୋଇଗଲେ ଅତିକମରେ ୭୦ ପ୍ରତିଶତ ଅପରାଧ କମିଯିବ ଏବଂ ଅଦାଲତ, ଜେଲ, ଥାନା ଆଦି ଉପରେ ବି ଚାଲୁଥିବା ଚାପ ବି କମିଯିବ। ଅନ୍ୟ ଏକ ଅନୁଧ୍ୟାନରୁ ଜଣାପିଛି ଯେ ଭୁବନେଶ୍ବର, କଟକ ଭଳି ମହାନଗରରେ ମଦ କିଣୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୫ ପ୍ରତିଶତଙ୍କ ବୟସ ୧୬ରୁ ୨୫ ହୋଇଥିବା ବେଳେ ୨ ପ୍ରତିଶତଙ୍କ ବୟସ ୧୬ ବର୍ଷରୁ କମୟ ଅନ୍ୟୁନ ୪୦ ପ୍ରତିଶତ ମଦୁଆଙ୍କ ବୟସ ୨୬ରୁ ୫୦ ଭିତରେ। ଏହାଛାଡ଼ା ମଦ କିଣୁଥିବା ଯୁବବର୍ଗଙ୍କ ଭିତରେ ଏହି ଦୁଇ ମହାନଗରୀରେ ୪୨ ପ୍ରତିଶତ ଛାତ୍ର ବୋଲି ଜଣାପଡ଼ିଛି। ଏଥିରୁ ଆମର ଗତି କୁଆଡ଼େ ତାହା ସହଜରେ ଅନୁମେୟ।

 

ବେସ୍ ଲାଇନ୍ ସର୍ଭେ ଓ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୪ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମଦୁଆଙ୍କ ହାର ଜାତୀୟ ସ୍ତରଠାରୁ ଢେର ଅଧିକ ଏବଂ ଏଥିରେ ଯୁବବର୍ଗଙ୍କ ସମ୍ପୃକ୍ତି ଉଦବେଗଜନକ ବୋଲି ଦର୍ଶାଯାଇଛି। ଖୋଦ ଓଡ଼ିଶା ସରକାରଙ୍କ ମହିଳା ଓ ବାଳିକା ନୀତିରେ ଏକଥା ଉଲ୍ଲେଖ କରାଯାଇଛି ଯେ ରାଜ୍ୟର ୧୫5ରୁ ୪୯ ବର୍ଷ ବୟସ୍କା ମହିଳାଙ୍କ ଭିତରୁ 42 ପ୍ରତିଶତ ଶାରୀରିକ ଓ ଯୌନ ହିଂସାର ଶିକାର ହେଉଥିବା ବେଳେ ୬୦ ପ୍ରତିଶତ ମହିଳା ରକ୍ତହୀନତା ଏବଂ ଶିଶୁ କନ୍ୟାଙ୍କ ଭିତରୁ ୬୭ ପ୍ରତିଶତ ପୁଷ୍ଟିହୀନତା ଓ ରକ୍ତହୀନତାରେ ଆକ୍ରାନ୍ତ। ଏହି ଭୟଙ୍କର ଅବସ୍ଥା ପଛରେ ବି ଅନ୍ୟତମ କାରଣ ନିଶା। କେରଳ ଭଳି ରାଜ୍ୟଠାରୁ ଓଡ଼ିଆ ଲୋକଙ୍କ ହାରାହାରି ପରମାୟୁ ୧୦ ବର୍ଷ କମ ରହିବା ପଛରେ ବି ନିଶା ପ୍ରସାରଣର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଏହାଛଡ଼ା ଦାରିଦ୍ର୍ୟ, ନିରକ୍ଷରତା, ଅଧାରୁ ପାଠ ଛାଡ଼ିବା, ଅନ୍ଧବିଶ୍ବାସ, ରୋଗବ୍ୟାଧି ବ୍ୟାପିବା ଆଦି ପଛରେ ଥିବା ଅନ୍ୟତମ କାରଣ ମଧ୍ୟ ନିଶା।

 

ଓଡ଼ିଶାର ଯୁବବର୍ଗ ନିଶାରେ କବଳିତ ହେଉଥିବା ଘେନି ରାଜ୍ୟ ସରକାର ବି ତାଙ୍କ ଯୁବନୀତିରେ ଗଭୀର ଉଦବେଗ ପ୍ରକଟ କରିବା ସଙ୍ଗେ ସଙ୍ଗେ ରାଜ୍ୟର ବିକାଶରେ ସେମାନଙ୍କର ଯୋଗଦାନ ସୁନିଶ୍ଚିତ କରିବା ଲାଗି ଯୁବ ସମାଜକୁ ନିଶା କବଳରୁ ରକ୍ଷା କରିବା ପାଇଁ ଅଧିକରୁ ଅଧିକ ନିଶାମୁକ୍ତ ଗ୍ରାମ ଗଠନ ଓ ନିଶାମୁକ୍ତି କେନ୍ଦ୍ର ପ୍ରତିଷ୍ଠା କଥା ଘୋଷଣା କରିଛନ୍ତି। ତେବେ ୨୦୧୩ ଅପ୍ରେଲ ମାସରେ ମୁଖ୍ୟମନ୍ତ୍ରୀ ଏହି ଯୁବନୀତି ଘୋଷଣା କରିଥିବା ବେଳେ ଏବେ ଅବକାରୀ ବିଭାଗ କହୁଛି ଗୋଟିଏ ହେଲେ ଗାଁକୁ ନିଶାମୁକ୍ତ କରାଯାଇନାହିଁ। ଖୋଦ ଅବକାରୀ ଓ ଅର୍ଥ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ରାଜ୍ୟ ଯୁବନୀତି ଏବଂ ମହିଳା ଓ ବାଳିକା ନୀତିକୁ କାର୍ଯ୍ୟକାରୀ କରୁନାହାନ୍ତି। ମଦ ପ୍ରସାରଣ ଦ୍ବାରା ଅତିଷ୍ଠ ହୋଇ ରାଜ୍ୟର ବହୁ ଅଞ୍ଚଳରେ ମହିଳାମାନେ ସ୍ବତଃପ୍ରବୃତ୍ତ ଭାବେ ରାସ୍ତାକୁ ଓହ୍ଲାଇ କର ବା ମର ଆହ୍ବାନ ଗ୍ରହଣ କରି ଉଭୟ ସରକାରୀ ଓ ଚୋରା ମଦ ଦୋକାନମାନ ଭାଙ୍ଗୁଛନ୍ତି। ବାସ୍ତବରେ ଏହି ମହିଳାମାନେ ନିଶାମୁକ୍ତ ଗ୍ରାମ ଗଠନ ପାଇଁ ନିଃସ୍ବାର୍ଥପର ଭାବେ ଲାଗୁଥିବା ବେଳେ ମଦ ଲବିର ପୋଷାକୁକୁର ସାଜିଥିବା ବ୍ୟବସ୍ଥା କିନ୍ତୁ ସରକାରଙ୍କ ନିଶାମୁକ୍ତ ଗ୍ରାମ ଗଠନ ଘୋଷଣାକୁ ପଣ୍ଡ କରିବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ ଗତ ୧୦ ବର୍ଷ ମଧ୍ୟରେ ଅନେକ ବିଭାଗର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ଅବକାରୀ ବିଭାଗର ନାମ ବଦଳାଇ ନିଶା ନିବାରଣ ବିଭାଗ କରିବା ପ୍ରସ୍ତାବ କ୍ୟାବିନେଟ ମଞ୍ଜୁରୀ ନ ପାଇବା ପଛରେ ମଦ ଲବିର ଲମ୍ବା ହାତ କାମ କରୁଛି ବୋଲି ଆଶଙ୍କା ଉପୁଜିବା ସ୍ବାଭାବିକ।

 

ବିଧାନସଭାରେ ଦଳମତ ନିର୍ବିଶେଷରେ ବିଧାୟକମାନେ ମଦ ପ୍ରସାରଣର ଭୟାବହତା ଘେନି ଉଦବେଗ ପ୍ରକାଶ କରୁଛନ୍ତି। ନିଶା ନିବାରଣ ପାଇଁ ସରକାରୀ ଦଳର ବିଧାୟକ ବି ବେସରକାରୀ ବିଧେୟକ ଆଣୁଛନ୍ତି। କିନ୍ତୁ ଆମ ଲୋକ ପ୍ରତିନିଧିମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀ ସମେତ ରାଜ୍ୟରେ ନିଶା ନିବାରଣ କାମରେ ସାମିଲ ହେବାକୁ ଅମଙ୍ଗ। ମଦୁଆଙ୍କ ଚାହିଦା ମେଣ୍ଟାଇବା ଲାଗି ସରକାର ମଦ ଯୋଗାଇ ଚାଲିବେ ବୋଲି କୁହାଯାଉଛି। ଏକ ଜନମଙ୍ଗଳକାରୀ ରାଜ୍ୟ ସରକାରର କ’ଣ କାମ ହେଉଛି ଲୋକଙ୍କ ଦୁଷ୍କୃତି ଓ ରାଜ୍ୟର ବିନାଶ ପାଇଁ ସୁଯୋଗ ସୃଷ୍ଟି କରିବା? ନିଶାର ଭୟାବହତା ବୁଝି ଯେତେବେଳେ ଆଦିବାସୀ ମହିଳାମାନେ ମେଳି କରି ଭାଟି ଭାଙ୍ଗୁଛନ୍ତି ସେତେବେଳେ ମଦ, ମଦୁଆ ଓ ମଦ ବେପାରୀଙ୍କ ପୃଷ୍ଠପୋଷକତା କରି ସରକାର ଚଳାଉଥିବା ବ୍ୟକ୍ତି ବିଶେଷ ଏବଂ ରାଜ୍ୟର ହକ ପାଇଁ ଲେଇ ଚଳାଇଛନ୍ତି ବୋଲି ଆସ୍ଫାଳନ କରୁଥିବା ବିରୋଧୀ ଦଳମାନେ ଏ ପ୍ରସଙ୍ଗରେ ନୀରବ ରହି ନିଜ ନିଜ କାପୁରୁଷତାର ପ୍ରମାଣ ଦେଉନାହାନ୍ତି କି?

 

ହିନ୍ଦୁ, ଇସଲାମ, ଶିଖ, ଖ୍ରୀଷ୍ଟ, ବୌଦ୍ଧ, ଜୈନ ଆଦି ପ୍ରାୟ ସବୁ ଧର୍ମ ନିଶାକୁ ନାପସନ୍ଦ କରନ୍ତି। ସ୍ବାଧୀନତା ଆନ୍ଦୋଳନ ବେଳେ ନିଶା ନିବାରଣ ଥିଲା ଏକ ଜାତୀୟ କାର୍ଯ୍ୟକ୍ରମ ଏବଂ ସ୍ବାଧୀନ ଭାରତ ନିଶାମୁକ୍ତ ରାଷ୍ଟ୍ର ହେବ ବୋଲି ଘୋଷଣା କରାଯାଇଥିଲା। ସମ୍ବିଧାନର ୪୭ ଧାରାରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ନିଶା ନିବାରଣ କଥା ଉଲ୍ଲେଖ ରହିଛି। ଆମ ରାଜ୍ୟରେ ଏବେ ବଳବତ୍ତର ଥିବା ବିହାର-ଓଡ଼ିଶା ଅବକାରୀ ଆଇନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ନିଶା ନିବାରଣ। ୨୦୦୮ରେ ପ୍ରଣୀତ ଅବକାରୀ ଆଇନର ୯୩ ଧାରାରେ ବି ନିଶା ନିବାରଣ କଥା କୁହାଯାଇଛି। ୧୯୫୬ ମସିହାରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ବ ସମୟରେ ଓଡ଼ିଶା ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ କ୍ରମେ ପାରିତ ଓଡ଼ିଶା ନିଶା ନିବାରଣ ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ବି ୬୧ ବର୍ଷ ଧରି କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏ ପ୍ରସଙ୍ଗରେ ପ୍ରାଣକୃଷ୍ଣ ପରିଜାଙ୍କ ଅଧ୍ୟକ୍ଷତାରେ ଗଠିତ ସରକାରୀ କମିଟିର ସୁପାରିଶକୁ ବି ଚପାଇ ଦିଆଯାଇଛି। ‘ପେସା’ ଓ ଅବକାରୀ ଆଇନରେ ନିଶା ନିବାରଣ ଲାଗି ଗ୍ରାମସଭା ମାଧ୍ୟମରେ ପଞ୍ଚାୟତିରାଜ ସଂସ୍ଥାକୁ ଗୁରୁଦାୟିତ୍ବ ଦିଆଯାଇଛି। କିନ୍ତୁ ସରକାର ନିଜ ଆଇନକୁ ନିଜେ ଉଲ୍ଲଙ୍ଘନ କରିବା ଫଳରେ ବ୍ୟବସ୍ଥା ବିଗୁଡ଼ୁଛି।

 

୧୯୨୧ ମସିହାରେ ମହାତ୍ମା ଗାନ୍ଧୀ କହିଥିଲେ- ଓଡ଼ିଶା ହେଉଛି ଭାରତର ଦାରିଦ୍ର୍ୟର ପ୍ରତିଛବି। ୧୯୩୮ ମସିହାରେ ଡେଲାଙ୍ଗ ନିକଟବର୍ତ୍ତୀ ବେରବୋଇଠାରେ ଅନୁଷ୍ଠିତ ଏକ ସାତ ଦିନିଆ କାର୍ଯ୍ୟକ୍ରମ ଅବସରରେ ଗାନ୍ଧିଜୀ କହିଥିଲେ- ଓଡ଼ିଶାର ଦାରିଦ୍ର୍ୟ ପାଇଁ ନିଶା, ଆଳସ୍ୟ ଓ ଜଡ଼ତା ଦାୟୀ। ୨୦୧୩ ମସିହାରେ କେନ୍ଦ୍ର ସରକାର ବସାଇଥିବା ରଘୁରାମ ରାଜନ କମିଟି ଦର୍ଶାଇଛନ୍ତି ଯେ ଓଡ଼ିଶା ଭାରତର ଅନ୍ୟତମ ପଛୁଆ ରାଜ୍ୟ। ତେବେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପରେ ଆମେ ଦରିଦ୍ର ଓ ପଛୁଆ କାହିଁକି? କଣା ମାଠିଆର ପାଣି ଭଳି ନିଶା ଯୋଗୁ ଏହା ବରବାଦ ହୋଇଯାଇ ନାହିଁ ତ? ନିଶାର ଭୟାବହତାକୁ ହୃଦୟଙ୍ଗମ କରି ବିଳମ୍ବରେ ହେଲେ ମଧ୍ୟ କେରଳ, ବିହାର ଆଦି ଯଦି ନିଶା ନିବାରଣ ଲାଗୁ କରିପାରୁଛନ୍ତି ତା’ ହେଲେ ନିଶା ଯୋଗୁ ରସାତଳଗାମୀ ହେଉଥିବା ଆମ ରାଜ୍ୟକୁ ରକ୍ଷା କରିବା ପାଇଁ ସରକାର କୁଣ୍ଠିତ କାହିଁକି? ନିଶା ପ୍ରସାରଣ ରାଜ୍ୟ ଓ ରାଜ୍ୟବାସୀଙ୍କ କେଉଁ ସ୍ବାର୍ଥରେ ହେଉଛି? ଗୋଟିଏ ପରେ ଗୋଟିଏ ପିିକୁ ପଙ୍ଗୁ କରି କ’ଣ ସମୃଦ୍ଧ ଓଡ଼ିଶା ଗଢ଼ାଯାଇପାରେ? ଯେଉଁ ରାଜ୍ୟ ପ୍ରତି ସୁରାଦେବୀ ବରଦାୟିନୀ ହୁଅନ୍ତି ସେହି ରାଜ୍ୟ କାଳବେଦି ଉପରେ ଧ୍ବଂସ ହୋଇଯାଏ। ମଦ ରାକ୍ଷସର ମୁକାବିଲା ପାଇଁ ଆମ ମା’, ଭଉଣୀ, ଝିଅମାନେ ‘କାନ୍ ଖୋଲ୍ କର୍ ଶୁନ୍ ସରକାର, ମଦ ଆମ୍ କେ ନାଇଁ ଦରକାର୍’ ଧ୍ବନିରେ ମାତୁଥିବା ବେଳେ ଅନ୍ୟମାନେ ଏଥିରେ ସାମିଲ ହୁଅନ୍ତୁ। ପଞ୍ଚାୟତରୁ ପାର୍ଲାମେଣ୍ଟ ଓ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଲୋକେ ଏ ପ୍ରସଙ୍ଗରେ ଜବାବ ମାଗନ୍ତୁ। ରାଜ୍ୟର ବୃହତ୍ତର ସ୍ବାର୍ଥ ରକ୍ଷା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ମଦମୁକ୍ତି ଅଭିଯାନରେ ସାମିଲ ହୋଇ ନିଶାମୁକ୍ତ ସମୃଦ୍ଧ ଓଡ଼ିଶା ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ। ଏହା ହେଉଛି ସମୟର ସବୁଠାରୁ ବ ଆହ୍ବାନ। ଗାନ୍ଧିଜୀଙ୍କ ପ୍ରଦର୍ଶୀତ ସତ୍ୟାଗ୍ରହ ମାର୍ଗକୁ ଆପଣେଇ ସଂଗଠିତ ନାରୀ ଶକ୍ତି, ଲୋକ ଶକ୍ତି, ଯୁବ ଓ ଛାତ୍ର ଶକ୍ତି ଏହି ଆହ୍ବାନକୁ ଗ୍ରହଣ କରି ସଂକଳ୍ପବଦ୍ଧ ସଂଗ୍ରାମ ଚଳାଇଲେ ନିଶା ରାକ୍ଷସ ନିଶ୍ଚୟ ହଟିବ। ଏଥିପାଇଁ ଧନ ଅପେକ୍ଷା ଅଧିକ ଲୋଡ଼ା ସମର୍ପିତ ସଂକଳ୍ପବଦ୍ଧ ମନର।

 

ସଭାପତି, ମହାତ୍ମା ଗାନ୍ଧୀ ବିଚାର ମଞ୍ଚ

ମୋ- ୯୪୩୭୦୧୭୩୯୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top