ପଚୁଛି ୫୦% ଫଳ, ପରିବା, ଦୁଗ୍ଧ

News Story - Posted on 2017-10-24

ଭାରତ ହେଉଛି ଭୋକର ଏକ ଭୂଗୋଳ । ଦେଶର ଅନେକ ରାଜ୍ୟର ଅନେକ ଅଂଚଳର ଲୋକମାନେ ଦିନକୁ ଦୁଇ ଓଳି ପେଟପୂରା ଖାଇବାକୁ ପାଆନ୍ତି ନାହିଁ । ଅନେକ ଅଂଚଳରେ ଅପପୁଷ୍ଟିର ଆତଙ୍କରାଜ । କାଶୀପୁରରେ ଭୋକ ବିକଳରେ ଆମ୍ବ ଟାକୁଆ ଖାଉଛି ଆଦିବାସୀ । କଳାହାଣ୍ଡିରେ ବଣୁଆ କନ୍ଦା ଖାଇ ଭୋକ ମେଣ୍ଟାଉଛି ଆଉ କେହି । ଯେକେହି ଭାବିବେ ଏହାର କାରଣ ହେଉଛି ଖାଦ୍ୟାଭାବ! କିନ୍ତୁ, ନା । ଏହା ସତ ନୁହେଁ । ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ ଯେମିତି ଭାରତର ଚିର ସହଚର ସେହିପରି ଏ ଅବସ୍ଥା । ଭାରତବର୍ଷରେ ପ୍ରତିବର୍ଷ ପ୍ରଚୁର ଖାଦ୍ୟ ନଷ୍ଟ ହେଉଥିବାବେଳେ ଏହାର ଅନେକ ଲୋକ ଭୋକିଲା ରହୁଛନ୍ତି । ଆଉ ଦୁଃଖ ଓ ପରିତାପର ବିଷୟ ହେଉଛି ଏହା ଯେ ସରକାର କି ସମାଜ ଏ ବିଷୟରେ ଏବେ ବି ସଚେତନ ହୋଇନାହିଁ ।

 

ଏବେ ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଭାରତବର୍ଷରେ ପ୍ରତିବର୍ଷ ଯେତେ ଦୁଗ୍ଧ, ଫଳ ଓ ପନିପରିବା ଉତ୍ପାଦିତ ହୋଇଥାଏ ତାହାର ପ୍ରାୟ ଅର୍ଦ୍ଧେକ ସଂରକ୍ଷଣ ଅଭାବରୁ ନଷ୍ଟ ହୋଇଯାଏ । ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଫଳ ଓ ପରିବା ଉତ୍ପାଦନକାରୀ ଦେଶ । ଅଥଚ ଏହାର ୪୦-୫୦ ପ୍ରତିଶତ ଫଳ ଓ ପରିବା ସଂରକ୍ଷଣ ଅଭାବରୁ ନଷ୍ଟ ହୋଇଯାଏ । ଏହାର ମୂଲ୍ୟ ହେବ ପ୍ରାୟ ୪୪,୦୦୦ କୋଟି ଡଲାର ।

 

ଆସୋଚାମ ପକ୍ଷରୁ ଏହି ଅନୁଧ୍ୟାନ ରିପୋର୍ଟ ପ୍ରକାଶ ପାଇଛି । ସଂସ୍ଥାର ମହାନିର୍ଦ୍ଦେଶକ ଡିଏସ ରାୱତ କହିଛନ୍ତି ଯେ ଏହାର କାରଣ ହେଉଛି ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାରର ଅଭାବ । ସେ କହିଛନ୍ତି ଯେ ଦେଶରେ ଏବେ ୬୩୦୦ ଶୀତଳ ଭଣ୍ଡାର ରହିଛି । ଏଥିରେ ୩୦.୧୧ ନିୟୁତ ଟନର ଫଳ ଓ ପରିବା ଆଦି ପଚନୀୟ ଖାଦ୍ୟ ସାମଗ୍ରୀ ସଂରକ୍ଷିତ ରଖାଯାଇ ପାରିବ । ଏହି କ୍ଷମତା ହେଉଛି ଦେଶରେ ଯେତେ ଫଳ ଓ ପରିବା ଆଦି ପଚନୀୟ ଖାଦ୍ୟଦ୍ରବ୍ୟ ଉତ୍ପାଦିତ ହେଉଛି ତାହାର ମାତ୍ର ୧୧ ପ୍ରତିଶତ । ବାକି ୮୯ ପ୍ରତିଶତ ଉତ୍ପାଦନ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ନାହିଁ ।

 

ଦେଶରେ ଯେତେ ଶୀତଳ ଭଣ୍ଡାର ଅଛି ତାହାର ୬୦ ପ୍ରତିଶତ କେବଳ ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ, ଗୁଜରାଟ ଓ ପଞ୍ଜାବ ଆଦି ରାଜ୍ୟରେ ରହିଛି । ଦକ୍ଷିଣ ଭାରତ, ଉତ୍ତର ପୂର୍ବାଂଚଳ ଓ ଓଡ଼ିଶା ପରି ଉପକୂଳ ରାଜ୍ୟରେ ସଚଳ ଶୀତଳ ଭଣ୍ଡାର ସଂଖ୍ୟା ଅତ୍ୟନ୍ତ ନଗଣ୍ୟ । ଉତ୍ତର ଭାରତ ତୁଳନାରେ ଦକ୍ଷିଣ ଭାରତର ପାଗ ଅପେକ୍ଷାକୃତ ଅଧିକ ଉଷ୍ମ ଓ ଆର୍ଦ୍ର । ତେଣୁ ଏହି ଅଂଚଳରେ ଶୀତଳ ଭଣ୍ଡାର ନଥିବାରୁ ଅନେକ ଫଳ, ପରିବା ଓ ମାଛ ଇତ୍ୟାଦି ନଷ୍ଟ ହୋଇଯାଉଛି ।

 

ଏଭଳି ପରିସ୍ଥିତିରେ ଭାରତରେ ଶୀତଳ ଭଣ୍ଡାର ବଜାର ବୃଦ୍ଧି ପାଇବା ଆରମ୍ଭ କରିଛି । ଏବେ ଏହି ବଜାରର ମୂଲ୍ୟ ୧୬,୭୨୪ କୋଟି ଡଲାର । ୨୦୨୦ ବେଳକୁ ଏହି ବଜାରର ମୂଲ୍ୟ ୨୩,୪୪୯ କୋଟି ଡଲାର ହୋଇଥିବ ବୋଲି ଆକଳନ କରାଯାଉଛି । ଗତ କିଛି ବର୍ଷ ଧରି ଦେଶରେ ଶୀତଳ ଭଣ୍ଡାର ସଂଖ୍ୟା ବଢ଼ି ଚାଲିଛି । ତଥାପି ଆହୁରି ଅଧିକ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି । ତେବେ ଉପଯୁକ୍ତ ଭିତ୍ତିଭୂମିର ଅଭାବ, ତାଲିମପ୍ରାପ୍ତ କର୍ମଚାରୀଙ୍କର ଅଭାବ, ପୁରୁଣା ପ୍ରଯୁକ୍ତି ଓ ନିୟମିତ ବିଜୁଳି ଯୋଗାଣରେ ଅଭାବ ଆଦି ଦେଶରେ ଶୀତଳ ଭଣ୍ଡାର ଶିଳ୍ପର ଅଭିବୃଦ୍ଧିରେ ବାଧକ ସାଜିଛି ।

 

ଏହି ରିପୋର୍ଟ ଅନୁସାରେ ୨୦୧୨ ସୁଦ୍ଧା ଦେଶର ତେଜରାତି କାରବାର ଥିଲା ୫୦,୦୦୦ କୋଟି ଡଲାର । ୨୦୨୦ ବେଳକୁ ଏହି ପରିମାଣ ୮୪,୭୦୦ କୋଟି ଡଲାର ହୋଇଥିବ ବୋଲି ଆକଳନ କରାଯାଉଛି । ଏହି ପରିସ୍ଥିତିରେ ଖାଦ୍ୟ ପଦାର୍ଥର ସଂଗ୍ରହ, ସଂରକ୍ଷଣ ଓ ପରିବହନ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ବୋଲି ରିପୋର୍ଟରେ କୁହାଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top