କଂଗ୍ରେସ ସହ ମେଣ୍ଟ କରିବ ବିଜେଡି! 

News Story - Posted on 2017-10-23

ଭାରତୀୟ ଜନତା ପାର୍ଟିର ଘନଘନ ଆକ୍ରମଣରେ ବୋଧହୁଏ ଆକ୍ରାନ୍ତ ଓ ଭୟଭୀତ ହୋଇଗଲାଣି ଶାସକ ବିଜୁ ଜନତା ଦଳ । କଂଗ୍ରେସ ଓ ଅନ୍ୟ ସମଭାବାପନ୍ନ ଦଳ ସହିତ ବୁଝାମଣା କରି ବିଜେପିର ମିଶନ ୧୨୦କୁ ବିଫଳ କରିବା ପାଇଁ ବିଜେଡିର ବରିଷ୍ଠ ଉପସଭାପତି ତଥା କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଦେଇଥିବା ମନ୍ତବ୍ୟରୁ ଏହି ସଂକେତ ମିଳୁଛି । ପୂର୍ବରୁ ଦଳୀୟ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଏପରି ପ୍ରସ୍ତାବ ଦେଇଥିଲେ ।

 

ଶାସକ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆଜି କଂଗ୍ରେସ ସହିତ ମେଣ୍ଟ ପ୍ରସ୍ତାବ ଦେଇ ରାଜ୍ୟ ରାଜନୀତିରେ ଏକ ନୂଆ ରାଜନୀତିକ ସମୀକରଣର ସଂକେତ ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେ ଆଜି କହିଛନ୍ତି ଯେ ବିଜେପି ଏକ ସାଂପ୍ରଦାୟିକ ଦଳ । ଏହାକୁ ସବୁ ଦଳ ବିରୋଧ କରିବା ଉଚିତ । ଓଡ଼ିଶାରେ ବିଜେପି ଯେଉଁ ମିଶନ ୧୨୦ ସ୍ୱପ୍ନ ଦେଖୁଛି ତାହାକୁ ବିଫଳ କରିବାକୁ ହେବ । ଏଥିରେ ଅନ୍ୟ ଧର୍ମନିରପେକ୍ଷ ଦଳଗୁଡ଼ିକ ବିଜେଡିକୁ ସହଯୋଗ କରିବା ଉଚିତ । କଂଗ୍ରେସ ଏକ ଧର୍ମନିରପେକ୍ଷ ଦଳ । ଓଡ଼ିଶାର ୧୪୭ ଆସନରୁ କଂଗ୍ରେସ କେଉଁ କେଉଁ ଆସନରେ ଜିତିପାରିବ ତାହା ପ୍ରକାଶ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସେସବୁ ଆସନରେ ବିଜେଡି ବୁଝାମଣା କରିବ ବୋଲି ସେ ପରୋକ୍ଷରେ ସୂଚନା ଦେଇଛନ୍ତି । ସେହିପରି ଅନ୍ୟ ସମଭାବାପନ୍ନ ଦଳଗୁଡ଼ିକ ସହିତ ମଧ୍ୟ ବୁଝାମଣା କରିବାକୁ ସେ ସଂକେତ ଦେଇଛନ୍ତି ।

 

ତାଙ୍କର ଏଭଳି ବୟାନକୁ ଦଳର ସାଂସଦ କଳିକେଶ ସିଂହଦେଓ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ବିଜେପି ସହିତ ଲଢ଼ିବା ପାଇଁ ବିଜେଡିର ଶକ୍ତି ଅଛି । ଅନ୍ୟ ଯେଉଁ ରାଜ୍ୟରେ ବିଜେପି ଶକ୍ତିଶାଳୀ ସେଠାରେ ଧର୍ମନିରପେକ୍ଷ ଦଳ ଏକଜୁଟ ହୁଅନ୍ତୁ । ତେବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିକଟତମ ବିଧାୟକ ଦେବାଶିଷ ସାମନ୍ତରାୟ କଂଗ୍ରେସ ସହିତ ମେଣ୍ଟ ସମ୍ଭାବନାକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିନାହାନ୍ତି । ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବ ଏପରି ପ୍ରସ୍ତାବ ଦେବାବେଳେ ଦେବାଶିଷ ତାହାକୁ ତାଙ୍କ ବ୍ୟକ୍ତିଗତ ମନ୍ତବ୍ୟ ବୋଲି କହି କଂଗ୍ରେସ ସହିତ ମେଣ୍ଟ ସମ୍ଭାବନାକୁ ସଂପୂର୍ଣ୍ଣ ଖଣ୍ଡନ କରିଥିଲେ । ପରେ ନିଜେ ମୁଖ୍ୟମନ୍ତ୍ରୀ ଭର୍ତ୍ତୃହରିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କ ଦଳ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ବଜାୟ ରଖିଛି ଓ ରଖିବ ବୋଲି କହିଥିଲେ । କିନ୍ତୁ ଆଜି ଦାମଙ୍କ ବୟାନ ପରେ ଦେବାଶିଷ କହିଛନ୍ତି ଯେ ଏବେଠାରୁ ମେଣ୍ଟ କଥା ଉଠାଇବା ଠିକ ନୁହେଁ । ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ଘୋଷଣା କରିବେ ତାହା ହିଁ ଦଳର ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି । ନବୀନ ଆଜି ଏ ନେଇ କିଛି କହି ନାହାନ୍ତି ।

 

ତେବେ, ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ସାଂପ୍ରଦାୟିକ ଶକ୍ତି ବିରୋଧରେ ଲଢ଼ିବା ପାଇଁ ଧର୍ମନିରପେକ୍ଷ ଦଳଗୁଡ଼ିକ ଏକାଠି ହେବା ଦରକାର । କିନ୍ତୁ ଏ ସଂପର୍କରେ ପ୍ରଦେଶ କଂଗ୍ରେସ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବ ନାହିଁ । ଏ ନେଇ ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ।

 

ଅନ୍ୟପକ୍ଷରେ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ପ୍ରକାଶ ଜାଭଦେକର କହିଛନ୍ତି ଯେ କଂଗ୍ରେସ ପୂର୍ବରୁ ଜିରୋ ହୋଇସାରିଛି । ବିଜେଡି ଏବେ ଜିରୋ ହେଉଛି । ଦୁଇ ଜିରୋ ମିଶିଲେ କିଛି ହେବ ନାହିଁ । ଆସନ୍ତା ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବା ନିଶ୍ଚିତ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏନଡିଏ ମେଣ୍ଟରେ ବିଜେପି ସହିତ ଥିଲାବେଳେ ବିଜୁ ଜନତା ଦଳ ୨୦୦୪-୨୦୦୯ ଯାଏଁ କେନ୍ଦ୍ରର ଉପା ସରକାର ବିରୋଧରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଉଥିଲା । ୨୦୦୯ରେ ବିଜେପି ମେଣ୍ଟରୁ ଓହରି ଆସିବା ପରେ ମଧ୍ୟ ୨୦୦୧୪ ଯାଏଁ କେନ୍ଦ୍ରର କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଓଡ଼ିଶା ପ୍ରତି ଅବହେଳା ଓ ଅବିଚାର ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ କରୁଥିଲା ବିଜେଡି । ୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାସୀନ ହେବା ପରେ ବି ଦଳର କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଅବ୍ୟାହତ ରହିଛି ।

 

ଉଭୟ କଂଗ୍ରେସ ଓ ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ଘନିଷ୍ଠତା ଥିବାରୁ ମଝିରେ ମଝିରେ କଂଗ୍ରେସ ବା ବିଜେପି ସହିତ ଦଳର ବୁଝାମଣା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଲେ ଦଳ ଉଭୟ ଜାତୀୟ ଦଳଠାରୁ ସମଦୂରତ୍ୱ ରକ୍ଷା କରୁଛି, ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଜାତୀୟ ପ୍ରସଙ୍ଗକୁ ସମର୍ଥନ କରାଯାଉଛି ବୋଲି ବିଜେଡି ନେତାମାନେ ସଫେଇ ଦେଉଛନ୍ତି । ମୋଦି ସରକାରଙ୍କ ବିମୁଦ୍ରାକରଣ ଓ ଜିଏସଟି ନିଷ୍ପତ୍ତିକୁ ନିଜେ ନବୀନ ସମର୍ଥନ କରିଥିଲେ । ଏବେ କିଛି ଦିନ ଧରି ଦଳର ପ୍ରବକ୍ତାମାନେ ବିଭିନ୍ନ ଗଣମାଧ୍ୟମରେ ଏହା ବିରୋଧରେ ମନ୍ତବ୍ୟ ଦେଉଛନ୍ତି । ଓଡ଼ିଶାରେ ବିଜେପି ମିଶନ ୧୨୦ ଘୋଷଣା କରିବା ପରେ ବିଜେଡି ନେତାମାନେ ବିଜେପିକୁ ତୀବ୍ର ସମାଲୋଚନା କରୁଥିଲେ ମଧ୍ୟ ଏଯାଏଁ ନବୀନ ଏହି ଦଳ ଏହାର ନେତାମାନଙ୍କ ବିରୋଧରେ କିଛି କହି ନାହାନ୍ତି । ସେ କେବଳ ଥରଟିଏ କହିଛନ୍ତି ଯେ ବିଜେପି ସଭାପତି ଅମିତ ଶାହାଙ୍କ ମିଶନ ୧୨୦ ଅସମ୍ଭବ ଲାଗୁଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top