ଭାରତ ଏସିଆ ହକି ଚାଂପିଅନ

News Story - Posted on 2017-10-22

ମର୍ଯ୍ୟାଦାଜନକ ଦଶମ ଏସିଆ କପ୍ ହକି ଚାମ୍ପିଅନସିପ୍ ଆଜି ଉଦ୍ୟାପିତ ହୋଇଛି । ଆଜି ଫାଇନାଲ୍ ମ୍ୟାଚ୍ରେ ପ୍ରତିଭା ସଂପନ୍ନ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ୨-୧ ଗୋଲ୍ ବ୍ୟବଧାନରେ ମାଲେସିଆକୁ ହରାଇ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି । ଏହା ଭାରତର ତୃତୀୟ ଏସିଆ କପ୍ ହକି ଟାଇଟଲ । ପୂର୍ବରୁ ଭାରତ ୨୦୦୩ ଓ ୨୦୦୭ରେ ଏସିଆ କପ୍ ଜିତିଥିଲା । ୨୦୧୧ରେ ଭାରତ ଫାଇନାଲକୁ ଉନ୍ନୀତ ହୋଇଥିଲେ ହେଁ ଦକ୍ଷିଣ କୋରିଆ ନିକଟରୁ ହାରି ରନର୍ସ ଅପ୍ ଟ୍ରଫିରେ ସନ୍ତୁଷ୍ଟ ରହିଥିଲା । ୧୦ ବର୍ଷ ପରେ ଭାରତକୁ ଏଭଳି ବୃହତ୍ ସଫଳତା ମିଳିଛି ।

 

ବାଂଲାଦେଶ ରାଜଧାନୀ ଢାକାରେ ଭାରତ ଓ ମାଲେସିଆ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ ଚିତ୍ତାକର୍ଷକ ହୋଇଥିଲା । ତୃତୀୟ ମିନିଟରେ ଭାରତର ରମଣଦୀପ ସିଂହ ମାଲେସିଆ ବିପକ୍ଷରେ ପ୍ରଥମ ଗୋଲ ଦେଇଥିବାବେଳେ ଲଲିତ ଉପାଧ୍ୟାୟ ୨୯ତମ ମିନିଟରେ ଦ୍ୱିତୀୟ ଗୋଲ ଦେଇ ଦଳକୁ ଦୃଢ଼ ସ୍ଥିତି ପ୍ରଦାନ କରିଥିଲେ । ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ମାଲେସିଆ ଚତୁର୍ଥ କ୍ୱାର୍ଟରରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା । ତେବେ ମାଲେସିଆର ସାହରିଲ ସାବା ୫୦ତମ ମିନିଟ୍ରେ ଗୋଟିଏ ଗୋଲ୍ ପରିଶୋଧ କରିବାରେ ସମର୍ଥ ହୋଇଥିଲେ । ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତର ଆକାଶଦୀପ ସିଂହଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

 

ଶନିବାର ସୁପର-୪ ମ୍ୟାଚ୍ରେ ଭାରତ ତା’ର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ଥାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ମୌଲାନା ଭସାନି ଷ୍ଟାଡିୟମରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍ରେ ତିନିଥର ଚାମ୍ପିଅନ ହୋଇଥିବା ପାକିସ୍ଥାନ ବିପକ୍ଷରେ ଭାରତର ସତବୀର ସିଂହ ୩୯ତମ ମିନିଟରେ ପ୍ରଥମ ଗୋଲ ଦେଇଥିଲେ । ସେହିଭଳି ଭାରତ ତୃତୀୟ କ୍ୱାର୍ଟରରେ ୧-୦ରେ ଅଗ୍ରଣୀ ଥିବାବେଳେ ହରମନପ୍ରୀତ ସିଂହ ୫୧ତମ ମିନିଟ ଓ ଲଲିତ ଉପାଧ୍ୟାୟ ୫୨ତମ ମିନିଟ ଗୋଟିଏ କରି ଗୋଲ୍ ଦେଇଥିଲେ । ଚତୁର୍ଥ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୦ ଗୋଲରେ ଅଗ୍ରଣୀ ରହିଥିବାବେଳେ ଗୁରୱନ୍ତ ସିଂହ ୫୭ତମ ମିନିଟରେ ଚତୁର୍ଥ ଗୋଲ ଦେଇ ଭାରତର ଅଭିଯାନକୁ ୪-୦ରେ ଆଗକୁ ନେଇ ଯାଇଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top