୧୧୦ କୋଟି ଲୋକଙ୍କର ହିସାବ ନାହିଁ!

News Story - Posted on 2017-10-22

ବିଶ୍ୱର ୧୧୦ କୋଟି ଲୋକଙ୍କର ସରକାରୀ ସ୍ତରରେ କୌଣସି ଅସ୍ତିତ୍ୱ ନାହିଁ । ସେମାନେ ଦୈନନ୍ଦିନ ଜୀବନ ବଂଚୁଥିଲେ ବି ସେମାନଙ୍କର କୌଣସି ପରିଚୟ ନାହିଁ । ଏହି କାରଣରୁ ସେମାନେ ଶିକ୍ଷା ଓ ସ୍ୱାସ୍ଥ୍ୟ ପରି କେତେକ ମୌଳିକ ସେବାରୁ ବଂଚିତ ରହିଛନ୍ତି ।

 

ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୁଖ୍ୟତଃ ଏସିଆ ଓ ଆଫ୍ରିକା ମହାଦେଶରେ ଏହିପରି ଲୋକମାନେ ଅଧିକ ସଂଖ୍ୟାରେ ବସବାସ କରୁଛନ୍ତି । ଏମାନଙ୍କର ଏକତୃତୀୟାଂଶ ହେଉଛନ୍ତି ଶିଶୁ । ଏହି ଶିଶୁମାନଙ୍କର ଜନ୍ମ ପଂଜୀକରଣ ହୋଇନାହିଁ । ତେଣୁ ସେମାନେ ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇପାରୁ ନାହାନ୍ତି । ମିଳିତ ଜାତିସଂଘର ବିକାଶ ପାଇଁ ପରିଚୟ ବା ଆଇଡି୪ଡି କାର୍ଯ୍ୟକ୍ରମ ରିପୋର୍ଟ ଅନୁସାରେ ଦାରିଦ୍ର୍ୟ, ଭେଦାଭେଦ, ରୋଗ ସଂକ୍ରମଣ ଓ ସଶସ୍ତ୍ର ସଂଘର୍ଷ ଲାଗି ରହିଥିବା ଅଂଚଳରେ ବସବାସ କରୁଥିବା ଏହିପରି ପରିଚୟହୀନ ଲୋକଙ୍କର ଅବସ୍ଥା ଅଧିକ ସଙ୍ଗୀନ । ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବୈଜୟନ୍ତୀ ଦେସାଇଙ୍କ ମତରେ ସରକାରୀ ସେବା ଓ ଜନତାଙ୍କ ମଧ୍ୟରେ ଏହି କାରଣରୁ ବ୍ୟବଧାନ ରହିଯାଇଛି । ଏହା ହିଁ ସମସ୍ୟା ।

 

ଏଭଳି ଲୋକମାନେ ସାଧାରଣତଃ ଅପହଂଚ ଇଲାକାରେ ବସବାସ କରୁଛନ୍ତି । ସେମାନେ ସରକାରଙ୍କ ନିକଟରେ ପହଂଚିପାରୁ ନାହାନ୍ତି କି ସରକାର ମଧ୍ୟ ସେମାନଙ୍କର ନିକଟତର ହେଉ ନାହାନ୍ତି । ଉଦହାରଣ ସ୍ୱରୂପ ପେରୁର ଆମାଜନ ଅଂଚଳରେ ବସବାସ କରୁଥିବା ଏପରି ପରିଚୟହୀନ ଲୋକମାନେ ସରକାରୀ ସେବା ପାଇବା ପାଇଁ ଡଙ୍ଗାରେ ୫ ଦିନ ଯାତ୍ରା କରିବାକୁ ପଡ଼ୁଛି । ଏହା କହିଛନ୍ତି ପେରୁର ପୂର୍ବତନ ବିକାଶ ମନ୍ତ୍ରୀ କ୍ୟରୋଲିନା ଟ୍ରିଭେଲି ।

 

ଜନ୍ମ ପ୍ରମାଣପତ୍ର ବା ପଂଜୀକରଣ ପତ୍ର ନଥିବାରୁ ଅନେକ ଶିଶୁ ସରକାରଙ୍କ ମୌଳିକ ସେବା ଲାଭ କରିପାରୁ ନାହାନ୍ତି । ସେମାନେ ସ୍କୁଲ ଯିବା ବୟସର ହେଲେ ଯାଇଁ ସରକାର ସେମାନଙ୍କ ସଂପର୍କରେ ଜାଣୁଛନ୍ତି । ହେଲେ ବି ସ୍କୁଲରେ ନାମ ଲେଖାଇବା ପାଇଁ ଜନ୍ମ ପଂଜୀକରଣ ପତ୍ର ଦରକାର ପଡ଼ୁଛି । ତାହା ସେମାନେ ଯୋଗାଡ଼ କରିପାରୁ ନାହାନ୍ତି । ବିଶ୍ୱର କେତେକ ଅଂଚଳରେ ଜନ୍ମ ପଂଜୀକରଣ ପାଇଁ ମଧ୍ୟ ଫି ଦାଖଲ କରିବାକୁ ପଡ଼ୁଛି । ତାହା ଗରୀବ ଲୋକମାନେ ଦାଖଲ କରିପାରୁ ନାହାନ୍ତି । ଏହା ଏକ ବଡ଼ ସମସ୍ୟା ।

 

କେତେକ ଦେଶରେ ସଂପ୍ରଦାୟ ସପ୍ରଦାୟ ମଧ୍ୟରେ ବିଭେଦ ଲାଗି ରହିଛି । ସେସବୁ ଦେଶର ସରକାର ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ କାମ କରୁଛନ୍ତି ବା ସେମାନଙ୍କୁ ଆଡ଼ ଆଖିରେ ଦେଖୁଛନ୍ତି । ଏଭଳି ଦେଶରେ ଏଭଳି ସଂପ୍ରଦାୟର ଲୋକମାନେ ପିଲାମାନଙ୍କର ପଂଜୀକରଣ କରୁ ନାହାନ୍ତି । କାରଣ ପଂଜୀକରଣ କଲେ ସେମାନଙ୍କର ଜାତି, ଗୋତ୍ର, ସଂପ୍ରଦାୟ ଇତ୍ୟାଦି ଜଣାପଡ଼ିଯିବ ଓ ସେମାନେ କୌଣସି ଗୋଷ୍ଠୀର ଆକ୍ରୋଶର ଶିକାର ହୋଇପାରନ୍ତି ।

 

କେତେକ ଦେଶରେ ଜନ୍ମ ନିୟନ୍ତ୍ରଣ ବାଧ୍ୟବାଧକତା ଥିବାରୁ ବୈବାହିକ ସଂପର୍କ ଭିତରେ ଜନ୍ମ ହେଉଥିବା ଅଧିକ ଶିଶୁଙ୍କ ଜନ୍ମ ପଂଜୀକରଣ କରାଯାଉ ନାହିଁ । ଚୀନରେ ଏକ-ଶିଶୁ ନୀତି ବଳବତ୍ତର ଥିବାରୁ ସେଠାରେ ଅନେକ ବୈଧ ଶିଶୁଙ୍କର ତାଲିକା ସରକାରୀ ଖାତାରେ ନାହିଁ । ସେହିପରି କେତେକ ଦେଶରେ ସାମାଜିକ ବାସନ୍ଦ ଓ ବିଦ୍ୱେଷ ଦୃଷ୍ଟିରୁ ଧର୍ଷଣ ଯୋଗୁଁ ଜନ୍ମ ହେଉଥିବା କିମ୍ବା ଗୁପ୍ତ ସଂପର୍କରୁ ଜନ୍ମ ହେଉଥିବା ଶିଶୁଙ୍କର ପଂଜୀକରଣ ହେଉନାହିଁ ।

 

ଏଭଳି ଶିଶୁମାନେ କେବଳ ସ୍କୁଲ ଶିକ୍ଷାରୁ ବଂଚିତ ହେଉ ନାହାନ୍ତି । ସେମାନଙ୍କୁ ଦାଦନ ବା କ୍ରୀତଦାସ ଭାବେ ଖଟାଯାଉଛି । ଝିଅ ପିଲା ହୋଇଥିଲେ ସେମାନଙ୍କୁ ଅଳ୍ପ ବୟସରେ ବିବାହ କରାଇ ଦିଆଯାଉଛି । ଏହିଭଳି ପିଲାମାନଙ୍କୁ ସ୍ୱାର୍ଥଖୋର ଲୋକମାନେ ଅସାଧୁ ଉଦ୍ଦେଶ୍ୟରେ ଲଗାଉଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top