‘ଜିଏସଟିରେ ସଂଶୋଧନ ଦରକାର’

News Story - Posted on 2017-10-22

ଦ୍ରବ୍ୟ ଓ ସେବା କର ଲାଗୁ ହେବା ଚାରି ମାସ ପୂରିନାହିଁ । କିନ୍ତୁ ସରକାର ଏଥିରେ ସଂପୂର୍ଣ୍ଣ ଅଦଳବଦଳ କରିବାକୁ ବାହାରିଲେଣି । କାରଣ ବୋଧହୁଏ ମୋଦି ସରକାର ବୁଝିଗଲେଣି ଯେ ବିଚାରହୀନ ଭାବେ ତରବରିଆ ଏହି ବ୍ୟବସ୍ଥା ଲାଗୁ ହୋଇଥିବାରୁ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀଙ୍କର ଅନେକ କ୍ଷତି ହୋଇଛି । ତେଣୁ ଦ୍ରବ୍ୟ ଓ ସେବା କର ବା ଜିଏସଟିର ଟିକସ ହାରରେ ଆମୂଳଚୁଳ ପରିବର୍ତ୍ତନ ସପକ୍ଷରେ ଯୁକ୍ତି କରିଛନ୍ତି କେନ୍ଦ୍ର ରାଜସ୍ୱ ସଚିବ ହସମୁଖ ଆଧିଆ । ଜିଏସଟି ଲାଗୁ କରିବାରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ଆଧିଆ ମହାଶୟ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

 

ମୋଦି ସରକାର ରାତି ଅଧିଆ ଜିଏସଟି ଲାଗୁ କରିବା ସମୟରେ ଅନେକ ଅର୍ଥନୀତିଜ୍ଞ, ବ୍ୟବସାୟୀ ଓ ନେତା ଏହାକୁ ତରବରିଆ ଭାବେ ଲାଗୁ ନକରି ଟିକସ ଦର ଉପରେ ଅଧିକ ଆଲୋଚନା କରିବା ଦରକାର ଥିଲା ବୋଲି ମତ ଦେଇଥିଲେ । ଏକ ରାଷ୍ଟ୍ର, ଏକ ବଜାର ଓ ଏକ ଟିକସ ନାମରେ ମୋଦି ସରକାର ଜିଏସଟିରେ ବହୁ ପ୍ରକାର ଟିକସ ଦର ପ୍ରଚଳନ କରିଥିଲେ । ସେତେବେଳେ ସରକାର ତାହା ଗ୍ରହଣ କରିନଥିଲେ । ଓଲଟି ପ୍ରଧାନମନ୍ତ୍ରୀ ମୋଦି ଓ ବିତ୍ତମନ୍ତ୍ରୀ ଅରୁଣ ଜେଟଲି କଣ୍ଠ ଫଟେଇ କହିଥିଲେ ଯେ ଏହା ହେଉଛି ଏକ ଗେମ୍ ଚେଞ୍ଜର । ରାତି ଅଧରେ ସଂସଦରେ ସ୍ୱତନ୍ତ୍ର ଉତ୍ସବ ପାଳନ କରି ଜିଏସଟି ଲାଗୁ କରାଗଲା ଓ ଏହାକୁ ଦେଶର ଆର୍ଥନୀତିକ ସ୍ୱାଧୀନତା ସହିତ ତୁଳନା କରାଗଲା ।

 

ଏବେ ସରକାରଙ୍କ ଦାନ୍ତ ବିନ୍ଧିବା ଆରମ୍ଭ କରିଛି । ଚାରି ମାସ ଭିତରେ ଟିକସ ହାରରେ ଅନେକ ଫେରବଦଳ ସତ୍ତେ୍ୱ ସମସ୍ୟା ହଟି ନାହିଁ । ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ ଜିଏସଟି ବ୍ୟବସ୍ଥାରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସରକାର ହୃଦବୋଧ କରିଛନ୍ତି । ସାଧାରଣ ଲୋକଙ୍କୁ ମଧ୍ୟ ଏହି ବ୍ୟବସ୍ଥାରେ ଅଧିକ ପରୋକ୍ଷ କର ଦେବାକୁ ପଡ଼ୁଛି । ତେଣୁ ଜିଏସଟି ପରିଷଦ ଇତିମଧ୍ୟରେ ଶିଳ୍ପ ଓ ବ୍ୟବସାୟୀଙ୍କୁ ଫାଇଦା ଦେଲା ଭଳି ଅନେକ ପରିବର୍ତ୍ତନ କରିଛନ୍ତି ।

 

ଏବେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ରାଜସ୍ୱ ସଚିବ ହସମୁଖ ଆଧିଆ କହିଛନ୍ତି ଯେ ଜିଏସଟି ହାର ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଦରକାର । ଗୋଟିଏ ଜିଏସଟି ଦର ଭିତରେ ରହିଥିôବା କେତେକ ଦ୍ରବ୍ୟ ଓ ସେବାକୁ ଆଉ ଥରେ ବର୍ଗୀକୃତ କରାଯିବା ଦରକାର ଅଛି । ବିବିଧ ହାର ମଧ୍ୟରେ ସାମଞ୍ଜସ୍ୟ ରହିବା ଦରକାର । ଯେଉଁସବୁ ଜିନିଷ ଓ ସେବା କ୍ଷେତ୍ରରେ ଅଧିକ ଜିଏସଟି ଲାଗିଛି ତାହାକୁ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀ ତଥା ଜନ ସାଧାରଣଙ୍କ ସ୍ୱାର୍ଥ ପାଇଁ କମାଇବା ଦରକାର । ଏନେଇ ଫିଟମେଣ୍ଟ କମିଟି ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ଜିଏସଟି ପରିଷଦ ଏହା ଭିତରେ ଏନେଇ ଏକ ପ୍ରସ୍ତାବ ଆଗତ କରିଛି । ତେବେ ତାହା ଗୃହୀତ ହୋଇନାହିଁ ।

 

ଆସନ୍ତା ନଭେମ୍ବର ୧୦ ତାରିଖରେ ଗୁଆହାଟିଠାରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ । ସେତେବେଳକୁ ରାଜସ୍ୱ କ୍ଷତି ଓ ଲାଭ ଇତ୍ୟାଦି ବିଷୟରେ ଫିଟମେଣ୍ଟ କମିଟିର ଅନୁଧ୍ୟାନ ଶେଷ ହୋଇଥିଲେ ଟିକସ ହାର ପରିବର୍ତ୍ତନ ନେଇ ବିଚାର କରାଯାଇପାରେ । ତେବେ ଟିକସ ହାରର ଆମୂଳଚୁଳ ପରିବର୍ତ୍ତନ ଦରକାର ବୋଲି ଆଧିଆ ଜୋର୍ ଦେଇ କହିଛନ୍ତି ।
ସାଧାରଣ ହାରରେ ଟିକସ ଦେବା ପାଇଁ ଯେଉଁ ବ୍ୟାବସାୟିକ ପ୍ରତିଷ୍ଠାନର ବାର୍ଷିକ କାରବାର ୭୫ ଲକ୍ଷ ଧାର୍ଯ୍ୟ କରାଯାଇଥିଲା ତାହାକୁ ଏବେ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ବାର୍ଷିକ ୧.୫ କୋଟି ଟଙ୍କାର କାରବାର କରୁଥିବା ସଂସ୍ଥା ପ୍ରତି ମାସରେ କାରବାର ହିସାବ ଦେବାର ଯେଉଁ ବ୍ୟବସ୍ଥା ଥିଲା ତାହାକୁ ୪ ମାସକୁ ବୃଦ୍ଧି କରାଯାଇଛି । ଆଗକୁ ଏହିପରି ଅନେକ ପରିବର୍ତ୍ତନ କରାଯିବା ଦରକାର ବୋଲି ସେ କହିଛନ୍ତି ।

 

ଆଧିଆଙ୍କର ଏହି ମନ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି ଯେ ସରକାର ଅତ୍ୟନ୍ତ ତରବରିଆ ଭାବେ ଏକ ତ୍ରୁଟିପୂର୍ଣ୍ଣ ଜିଏସଟି ବ୍ୟବସ୍ଥା ଲାଗୁ କରିଛନ୍ତି, ଯାହାକୁ ଏବେ ଆମୂଳଚୁଳ ବଦଳାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହିପରି ଅଦଳବଦଳ ପ୍ରକ୍ରିୟା ବର୍ଷକ ଯାଏଁ ଚାଲିବ ଓ ତା’ପରେ ଜିଏସଟି ବ୍ୟବସ୍ଥାରେ ସ୍ଥିରତା ଆସିବ ବୋଲି ଆଧିଆ କହିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top