ଏକା ଧରମା ବାଇଶି ପଳ! 

News Story - Posted on 2017-10-21

ଓଡ଼ିଶାରେ ନବକଳେବର ହେବ ବୋଲି କହିଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କର ଏଇ ପଦକ କଥା ବିଜୁ ଜନତା ଦଳକୁ ଏତେ ବାଧିଲା ଯେ ଦଳର ତିନି ତିନି ଜଣ ନେତା ତାଙ୍କର ଜବାବ ଦେବାକୁ ବାହାରି ପଡ଼ିଲେ । ଦାମ କହିଲେ, ସେ ପାଳଗଦା ଉପରେ ବସିଛନ୍ତି । ମହେଶ୍ୱର କହିଲେ, ସେ ପୁରୀରେ ଆସି ଲଢ଼ନ୍ତୁ । ଅରୁଣ ସାହୁ କହିଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ ।

 

ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ମନ ବଳେଇଲେଣି ଚଳିତ ଅପାରଗ, ସ୍ଥାଣୁ ଓ ଭ୍ରଷ୍ଟ ସରକାରକୁ ବଙ୍ଗୋପସାଗରେ ବୁଡ଼ାଇ ଦେବେ । ଓଡ଼ିଶାର ସଂପୂର୍ଣ୍ଣ ନବକଳେବର ହେବ । ପୁରୀରୁ ଏହା ଆରମ୍ଭ ହେବ । ଓଡ଼ିଶା ସରକାର ଓ ରାଜନୀତି ସଂପର୍କରେ ଆଜି ଏମିତି ଏକ ବୟାନ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଭଳି ବୟାନ ଜରିଆରେ ସେ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ୨୦୧୯ ନିର୍ବାଚନରେ ଓଡ଼ିଶାରେ ଶାସନ ପରିବର୍ତ୍ତନ ହେବ, ବିଜୁ ଜନତା ଦଳ ସଂପୂର୍ଣ୍ଣ ପରାସ୍ତ ହେବ । ପୁରୀରେ ମଧ୍ୟ ପରିବର୍ତ୍ତନ ହେବ ।

 

ତାଙ୍କର ଏପରି ବୟାନ ଅହଂକାର ପର୍ଯ୍ୟାୟଭୁକ୍ତ ହୋଇପାରେ । ନିର୍ବାଚନ ଆହୁରି ଦେଢ଼ ବର୍ଷ ଥିବାବେଳେ ଏହା ବହୁ ପୂର୍ବର ଆସ୍ଫାଳନ ହୋଇପାରେ । କିନ୍ତୁ ତାଙ୍କର ଏହି ଆସ୍ଫାଳନରେ ବୋଧହୁଏ ଚମକି ଯାଇଛି ଶାସକ ବିଜୁ ଜନତା ଦଳ । ଏହି ଦଳର ତିନି ତିନି ଜଣ ନେତା ଆଜି ଧର୍ମେନ୍ଦ୍ରଙ୍କର ଏହି ବୟାନର ଜବାବ ରଖିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ହେଲେ କ୍ୟାବିନେଟ ମନ୍ତ୍ରୀ ।

 

କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଏ ସଂପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ପାଳଗଦା ଉପରେ ଠିଆ ହୋଇଛନ୍ତି । କିଏ ଯଦି ତଳୁ ନିଆଁ ଲଗେଇଦେଲା ତେବେ ପୋଡ଼ିଯିବେ । ତାଙ୍କୁ ନିଜ ମାଟିର ଲୋକମାନେ ପ୍ରତ୍ୟାଖ୍ୟାନ କରିଦେଲେ । ଏବେ ସେ ବିହାରର ପୋଷାପୁଅ । ଓଡ଼ିଆରେ ଗୋଟେ କଥା ଅଛି- ପୋଷା ପୁଅ ଗେଂଜା ରୁଅ, ତିନି ଡାକରେ ଜବାବ ଦିଅ ।

 

ସେହିପରି ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଧର୍ମେନ୍ଦ୍ରଙ୍କୁ ଚାଲେଞ୍ଜ ଦେଇ କହିଛନ୍ତି ସେ ଯଦି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ବିଧାୟକ ହେବାକୁ ମନ ରଖିଛନ୍ତି ତେବେ ଆସନ୍ତୁ ପୁରୀରେ ଲଢ଼ନ୍ତୁ । କିଏ କାହାକୁ ବଙ୍ଗୋପସାଗରରେ ବୁଡ଼ାଇବେ ଦେଖିବା । ତୀର୍ଯ୍ୟକରେ ସେ କହିଛନ୍ତି ଧର୍ମେନ୍ଦ୍ର ପୁରୀରେ ଲଢ଼ିଲେ ଆମେ ତାଙ୍କୁ ବଡ଼ ଡଙ୍ଗାରେ ବସାଇ ସମୁଦ୍ରକୁ ଭସାଇ ଦେବୁ, ସେ ସମୁଦ୍ର ଭିତରେ ବଡ଼ବଡ଼ ମାଛ ଧରିବେ ।

 

ଗତ ନବକଳେବର ଦାୟିତ୍ୱରେ ଥିବା ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ସାହୁ ଏ ସଂପର୍କରେ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, କେବଳ ଜଗନ୍ନାଥଙ୍କର ନବକଳେବର ହୁଏ । ଯଦି କେହି ବ୍ୟକ୍ତି ନିଜର ନବ କଳେବର କରିବାକୁ ଚାହୁଁଥାନ୍ତି ତେବେ ଜଗନ୍ନାଥ ତାଙ୍କ କଥା ବୁଝିବେ ।

 

ବିଜେପିର ଜଣେ ନେତାଙ୍କ ବୟାନବାଜିକୁ ବିଜେଡିର ତିନି ତିନି ଜଣ ନେତା ଏଭଳି ସମାଲୋଚନା କରିବା ଘଟଣା ରାଜନୀତିକ ମହଲରେ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛି । ଏଥିରୁ କିଏ କାହାକୁ କେତେ ଗୁରୁତ୍ୱ ଦେଉଛି ତାହା ସ୍ପଷ୍ଟ ହୋଇଯାଇଛି ବୋଲି ବିଶେଷଜ୍ଞ ମହଲର ମତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top