ସରକାରଙ୍କୁ ସାଂସଦଙ୍କ ଚାଷ-ବାଣ!

News Story - Posted on 2017-10-21

ଓଡ଼ିଶାର କୃଷି ଓ କୃଷକର ବିକାଶ ନେଇ ଟୁଇଟରରେ ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ସାଂସଦ ତଥାଗତ ସତପଥୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକମାନଙ୍କ ସ୍ୱାର୍ଥକୁ ଆଡ଼େଇ ଯାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ହେଁ ରାଜ୍ୟ ସରକାର ଶିଳ୍ପ ସଂସ୍କୃତିକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ତୀର୍ଯ୍ୟକରେ କହିଛନ୍ତି ।

 

ରାଜ୍ୟର କୃଷି ପ୍ରତି ହୋଇଚାଲିଥିବା ଅବହେଳା ସଂପର୍କରେ ବିଜୁ ଜନତା ଦଳର ଢେଙ୍କାନାଳ ସାଂସଦ ଆଜି ପାଂଚୋଟି ଟୁଇଟ୍ କରିଛନ୍ତି । ପ୍ରଥମ ଟୁଇଟ୍ରେ ସେ କହିଛନ୍ତି ଯେ ପ୍ରାଚୁର୍ଯ୍ୟ ଭିତରେ ଓଡ଼ିଶା କାହିଁକି ଦରିଦ୍ର ବୋଲି ଅନେକେ ପ୍ରଶ୍ନ କରନ୍ତି । ଓଡ଼ିଶାର ଅଧିକାଂଶ ଲୋକ ହେଲେ କୃଷିଜୀବୀ । ଉଦ୍ୟୋଗପତି ନୁହନ୍ତି । ପରକୁ ପର କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ଅଣଦେଖା କରିଛନ୍ତି ।

 

ଦ୍ୱିତୀୟ ଟୁଇଟ୍ରେ ସେ କହିଛନ୍ତି, ଲୋକମାନଙ୍କୁ ବିକାଶ କରିବା ପାଇଁ ବ୍ୟବସ୍ଥା ସୁଯୋଗ ଦେବା ଉଚିତ ନୁହେଁ କି? ଆମର ସଂସ୍କୃତି ଶିଳ୍ପ ନୁହେଁ । କେବଳ ଅର୍ଥ ହିଁ କୃଷକମାନଙ୍କୁ ସମ୍ମାନ ଆଣିଦେଇ ପାରିବ । ତାଙ୍କର ତୃତୀୟ ଟୁଇଟ୍ରେ ସେ କହିଛନ୍ତି, ଟଙ୍କା ଥିଲେ କୃଷକମାନେ ନିଜ ଘର ପାଖରେ ଉନ୍ନତ ମାନର ଚିକିତ୍ସା, ଶିକ୍ଷା ଓ ମନୋରଂଜନ ସୁବିଧା ଉପଲବ୍ଧ କରିପାରିବେ । ଏଥିରେ କେହି କିନ୍ତୁ ରାଜି ହେବେ ନାହିଁ । ଏହା ଅପମାନଜନକ!

 

ଚତୁର୍ଥ ଟୁଇଟ୍ରେ ସେ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଅଭିଯାନରେ ଇଲେକ୍ଟ୍ରିସିଆନ, ୱେଲ୍ଡର, ଫିଟର ଆଦି ସୃଷ୍ଟି କରୁଛନ୍ତି । କୃଷି ଦକ୍ଷତାର ବିକାଶ କାହିଁ? ଆଧୁନିକ କୃଷି ପ୍ରଯୁକ୍ତି କୃଷକମାନଙ୍କର ସଂଚୟ ବୃଦ୍ଧି କରିବାରେ ସହାୟକ ହୁଅନ୍ତା । ଏ ସଂପର୍କୀତ ଶେଷ ତଥା ପଂଚମ ଟୁଇଟ୍ରେ ସେ କହିଛନ୍ତି ଯେ କୃଷକ ତା’ ନିଜ ବାଟରେ ଜଣେ ଉଦ୍ୟୋଗପତି । ବ୍ୟବସ୍ଥା କାହିଁକି କେବଳ ଚାକିରୀ-ଆଶାୟୀ ସୃଷ୍ଟି କରୁଛି? ବୋଧହୁଏ ସେବକମାନଙ୍କ ଦେଶକୁ ସହଜରେ ଶାସନ କରିହୁଏ!

 

ତଥାଗତଙ୍କର ଏଇ ସିରିଜ୍ ଟୁଇଟ୍ରେ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତି ଅନେକ ବ୍ୟଙ୍ଗ ଓ ସମାଲୋଚନା ଭରି ରହିଛି । ଓଡ଼ିଶା ସରକାର କ୍ରମାଗତ ଭାବରେ ଦ୍ରୁତ ଶିଳ୍ପାୟନ ଉପରେ ଗୁରୁତ୍ୱ ଦେଇଚାଲିଛନ୍ତି । ବିଜୁବାବୁ ତାଙ୍କ ପ୍ରଥମ ଦଫା କାର୍ଯ୍ୟକାଳରେ ପଂଚାୟତ ଶିଳ୍ପ, ଟାଇଟ ଛପର ଘର, ନିଆଁକୁ ନଥିବ ଡର ଓ ଦ୍ୱିତୀୟ ଇସ୍ପାତ କାରଖାନା ପରି ସ୍ଲୋଗାନ ଦେଇ ଶିଳ୍ପ ବିକାଶ ପାଇଁ ଡାକରା ଦେଇଥିଲେ । ଜାନକୀବାବୁଙ୍କ ସମୟରେ ହଜାରେ ଦିନରେ, ହଜାରେ କୋଟି ଟଙ୍କାରେ ହଜାରେ ଶିଳ୍ପର ସ୍ଲୋଗାନ ଦେଇ ଶିଳ୍ପାୟନ ପଛରେ ଗୋଡ଼େଇଲେ । ନବୀନବାବୁ ମୁଖ୍ୟମନ୍ତ୍ରୀ ହେବା ଦିନରୁ ଦ୍ରୁତ ଶିଳ୍ପାୟନ ଜରିଆରେ ଦ୍ରୁତ ବିକାଶ ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଏହା ଭିତରେ ଓଡ଼ିଶାର କୃଷି ଓ କୃଷକର ପ୍ରଗତି ଅନେକ ପଛକୁ ହଟି ଯାଇଛି । ବରଂ ଶିଳ୍ପ ପାଇଁ ଅନେକ ଚାଷୀ ତାଙ୍କ ବିଲବାଡ଼ି ହରେଇ ସର୍ବହରା ହୋଇଯାଇଛନ୍ତି । ରାଜ୍ୟ ସରକାର ଇସ୍ପାତ, ଆଲୁମିନିୟମ, ବକ୍ସାଇଟ୍ ଆଦି ଧାତବ ଶିଳ୍ପ ପଛରେ ଗୋଡ଼ାଇବା ଭିତରେ କୃଷିଭିତ୍ତିକ ଶିଳ୍ପଗୁଡ଼ିକ ଏକରକମ ବନ୍ଦ ହୋଇଯାଇଛି । ଶୀତଳ ଭଣ୍ଡାର, ତେଲ କଳ, ଛୋଟଛୋଟ ଧାନକଳ, ଚୂଡ଼ାକଳ ଏବଂ ଅନ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡ଼ିକ ଏବେ ପ୍ରାୟ ବନ୍ଦ, ନହେଲେ ଅଚଳ ।

 

ଓଡ଼ିଶା ମୁଖ୍ୟତଃ ଏକ କୃଷିପ୍ରଧାନ ରାଜ୍ୟ ହୋଇଥିଲେ ହେଁ ରାଜ୍ୟ ସରକାର ଯେଉଁ ଗତି ଓ ଶକ୍ତିରେ ଶିଳ୍ପାୟନ ପାଇଁ ଲାଗିଛନ୍ତି ସେହି ଗତି ଓ ଶକ୍ତି କୃଷି ବିକାଶ ପାଇଁ ଉତ୍ସର୍ଗୀକୃତ ହୋଇନାହିଁ । ଏହା ତଥାଗତଙ୍କ ମନର କଥା । ସେହିପରି ଦକ୍ଷତା ବିକାଶ ନାଁରେ କେନ୍ଦ୍ର ସରକାର କେବଳ ଇଲେକ୍ଟ୍ରିସିଆନ, ୱେଲଡର ଓ ଫିଟର ସୃଷ୍ଟି କରୁଛନ୍ତି, ଦକ୍ଷକ କୃଷକ ନୁହେଁ ବୋଲି ସେ ଯେଉଁ ବାଣ ମାରିଛନ୍ତି ତାହା ଅନ୍ୟାର୍ଥରେ ରାଜ୍ୟ ସରକାରଙ୍କ ବିରୋଧରେ ମଧ୍ୟ ଉଦ୍ଦିଷ୍ଟ । ପ୍ରଧାନମନ୍ତ୍ରୀ ମୋଦି ଦକ୍ଷତା ବିକାଶ ଅଭିଯାନ ଆରମ୍ଭ କରିବା ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷତା ବିକାଶ ନାମରେ ଶିଳ୍ପସଂସ୍ଥାଙ୍କ ଜରିଆରେ ବ୍ଲକ ସ୍ତରରେ ଆଇଟିଆଇ ଖୋଲାଇଛନ୍ତି । ଏସବୁ ଆଇଟିଆଇରୁ ଦକ୍ଷ କୃଷିକ ବାହାରନ୍ତି ନାହିଁ, ବାହାରନ୍ତି ଇଲେକ୍ଟ୍ରିସିଆନ, ଫିଟର ଓ ୱେଲ୍ଡର ।

 

ସାଂସଦ ତଥାଗତଙ୍କର ଏହି ଟୁଇଟ୍ ପ୍ରତିପକ୍ଷ ବିଜେପି ନଜରରେ ପଡ଼ିବା ପରେ ସେହି ଦଳର ଲେଖାଶ୍ରୀ ସାମନ୍ତସିଂହାର ଏହାକୁ ନେଇ ତଥାଗତ ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ତଥାଗତ ଇଂରାଜୀରେ ଟୁଇଟ୍ କରିଥିôବାବେଳେ ଲେଖାଶ୍ରୀ ଓଡ଼ିଆରେ ତିନିଟି ଟୁଇଟ୍ କରିଛନ୍ତି । ପ୍ରଥମ ଟୁଇଟ୍ରେ ସେ କହିଛନ୍ତି, ତଥାଗତଙ୍କ କୃଷକମାନଙ୍କ ବିଷୟରେ ବୟାନ ନବୀନ ସରକାରର ଚାଷୀମାରଣ ନୀତିର ସ୍ୱୀକାରୋକ୍ତି । ସାଂସଦ ହେଲେ ବିଜେଡିର ଢୋଲ ଭିତରେ ମୂଷା, ମଝିରେ ମଝିରେ ସିଏ ଦଳର ଗୁମର ଖୋଲନ୍ତି । ଏହାର ପର ଟୁଇଟ୍ରେ ସେ କହିଛନ୍ତି, ତଥାଗତବାବୁଙ୍କ ମା’ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଓ ସିଏ ନିଜେ ୨୦ ବର୍ଷ ହବ ସାଂସଦ ଅଛନ୍ତି । ଏଇମାନେ ତ’ ସରକାର! ସେମାନେ ଚାଷୀଙ୍କ ପାଇଁ କ’ଣ କରିଛନ୍ତି? ଏ ସଂପର୍କୀତ ତାଙ୍କର ଶେଷ ଟୁଇଟ୍ରେ ସେ କହିଛନ୍ତି, ଅପାରଗ ନବୀନ ସରକାର, ଅପାରଗତ ବିଜୁ ଜନତା ଦଳ, ଅପାରଗତ ଢେଙ୍କାନାଳ ସାଂସଦ । କେବଳ ଫରକ ଏତିକି ମିଛୁଆ ରାଧୁଆ ସରକାରକୁ ବେଳେବେଳେ ସତକୁହା ସାଂସଦ!

 

ତଥାଗତଙ୍କ ଟୁଇଟ୍ ସଂପର୍କରେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ଅବଗତ କଲାରୁ ସେ କହିଛନ୍ତି, ତଥାଗତ କେବେ ତ କାହିଁ ତାଙ୍କ ସହିତ କୃଷକମାନଙ୍କ ଅବସ୍ଥା ନେଇ ଆଲୋଚନା କରି ନାହାନ୍ତି! କିଛି ଲୋକ ଖବରକାଗଜରେ ନାଁ ବାହାର କରିବାକୁ ଓ ଟେଲିଭିଜନରେ ମୁହଁ ଦେଖାଇବାକୁ ଅନେକ କଥା କହିଥାନ୍ତି । ନା, ମୁଁ କ’ଣ ମିଛ କହିଲି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top