ଦୁଇଟି ଚେହେରା ଅନେକ ପ୍ରଶ୍ନ!

News Story - Posted on 2017-10-21

ସୂର୍ଯ୍ୟମଣି ମିଶ୍ର

 

ଦେଶର ରାଜନୀତିରେ ଏବେ ଦୁଇଟି ଚେହେରାର ଜାଜ୍ଜ୍ୱଲ୍ୟମାନ ଚିତ୍ର ଦେଖିବାକୁ ମିଳୁଛି । ଭାରି କ୍ରିୟାଶୀଳ ସ୍ଥିତିରେ ଏହି ଦୁଇଟି ଚେହେରା । ଜଣେ ନରେନ୍ଦ୍ର ମୋଦି ଓ ଅନ୍ୟ ଜଣକ ରାହୁଳ ଗାନ୍ଧି । ଜଣେ ବିଜେପିର ତୁଙ୍ଗ ବ୍ୟକ୍ତିତ୍ୱ, ଅନ୍ୟ ଜଣକ କଂଗ୍ରେସର । ଜଣେ ନିଜ ଭାବମୂର୍ତ୍ତିକୁ ଭାଙ୍ଗୁଛନ୍ତି ତ ଅନ୍ୟ ଜଣକ ନିଜର ନିର୍ମିତ ଚେହେରାକୁ ପରିବର୍ତ୍ତନ କରିବା ଦିଗରେ ଲାଗିପଡ଼ିଛନ୍ତି ।

 

୨୦୧୯ରେ ସାଧାରଣ ନିର୍ବାଚନ, ଏହା ପୂର୍ବରୁ ଗୁଜରାଟର ହିମାଚଳ ପ୍ରଦେଶ, କର୍ଣ୍ଣାଟକରୁ ରାଜସ୍ଥାନ, ମଧ୍ୟ ପ୍ରଦେଶରୁ ଛତିଶଗଡ଼ ଯାଏ ନିର୍ବାଚନୀ ରାସ୍ତାରେ ଏହି ଦୁଇ ଚେହେରା ପରସ୍ପରକୁ ଟକ୍କର ଦେବାରେ ପଛଘୁଞ୍ଚା ଦେଉନାହାନ୍ତି । ମୋଦି ଏବଂ ରାହୁଳ କେହି କାହାର ବିକଳ୍ପ ନୁହନ୍ତି, କିନ୍ତୁ ବିକଳ୍ପ ଦୌଡ଼ରେ ଉଭୟେ । ଉଭୟଙ୍କ ସମ୍ପର୍କ ନିଜ ନିଜ କ୍ଷେତ୍ରରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ବଳିଷ୍ଠ ହେଉଛି । ଉଭୟେ ନିଜ ଭାବମୂର୍ତ୍ତିକୁ ତିଆରି କରିବା ପାଇଁ ରାତିଦିନ ଏକ କରିଦେଲେଣି ।

 

ମୋଦି କାହିଁକି ଏତେ ଦୌଡୁଛନ୍ତି? ଗୋଟିଏ ପରେ ଗୋଟିଏ ସଭା-ସମାବେଶରେ କଂଗ୍ରେସକୁ ଟାର୍ଗେଟ୍‍ କରି ବର୍ଷୁଛନ୍ତି? କାହିଁକିନା ମୋଦିଙ୍କ ଆଗରେ ଏବେ ଆଉ ମନମୋହନ ସିଂହ ସରକାର ନାହାନ୍ତି । ୨୦୧୪ରେ ସେ ଦେଇଥିବା ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ କରିଛନ୍ତି, ଜନ ଅସନ୍ତୋଷ ତାଙ୍କ ପ୍ରତିଶ୍ରୁତି ପାଳନର ବିଫଳତାକୁ ନେଇ କେତେ ଏକାଠି ହେଉଛି ତାହାକୁ ସେ ନିଜେ ପରଖି ସାରିଲେଣି । ମୋଦିଙ୍କ ପାଖରେ ହିନ୍ଦୁତ୍ୱର ପୋଷାକ ଅଛି । ବିକାଶର ମନ୍ତ୍ର ବି ଫୁଙ୍କୁଛନ୍ତି ସେ । ସଂଘଠାରୁ ଭୋଟବ୍ୟାଙ୍କ ଯାଏ ବଞ୍ଚାଇବା ପାଇଁ ଚଳାଇ ରଖିଛନ୍ତି ସଂଗ୍ରାମ । ଗରିବଙ୍କ ଆସ୍ଥା ମିଳିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ଓ ଆଶଙ୍କାରେ । କିପରି ଗରିବକୁ ମନାଇବେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ଓ ତାଙ୍କ ଦଳକୁ ବିଜୟ ମଣ୍ଡିତ କରିବା ପାଇଁ ସେ ଦିଗରେ କାମ କରୁଛନ୍ତି । ଯୁବ ଭାରତର ସ୍ୱପ୍ନକୁ ସାର୍ଥକ ଓ ସଫଳ କରିବା ଦିଗରେ ମୋଦି ଯେ ଚେଷ୍ଟା କରୁନାହାନ୍ତି ତାହା ଅସ୍ୱୀକାର କରାଯାଇନପାରେ । କିନ୍ତୁ ସଫଳତା ନମିଳିବା ତାଙ୍କ ଦକ୍ଷତା ପ୍ରତି ରାହୁଳଜୀ ପ୍ରଶ୍ନ ଉଠାଇଛନ୍ତି । କାଲି ସକାଳେ ସୁଟ୍‍ କୋଟ୍‍ ସରକାର ବୋଲି ଆକ୍ଷେପ କରି କଂଗ୍ରେସ ଦଳକୁ ଧରାଶାୟୀ କରିଥିବା ମୋଦିଜୀ ଏବେ ଧରାଶାୟୀ ଯେ ନହେବେ ସେନେଇ ଚିନ୍ତାରେ ।

 

ଯେଉଁ ଉଲ୍ଲାସ ଓ ଉତ୍ସାହକୁ ନେଇ କଂଗ୍ରେସର ଦୁର୍ନୀତି, ମନମୋହନ ସିଂହ ସରକାରଙ୍କ ବିଫଳତା ଓ ଗାନ୍ଧି ପରିବାରକୁ ଟାର୍ଗେଟ୍‍ କରି ଜନମତକୁ ଠୁଳ କରିପାରିଥିଲେ ଏବଂ କଂଗ୍ରେସ ଶାସନକୁ ଧୁଳିରେ ଉଡ଼ାଇ ଦେଇଥିଲେ ତାଙ୍କ ସରକାର ପାଇଁ ସେଭଳି ଅବସ୍ଥା ଆସୁଛି କି? ଏଭଳି ପ୍ରଶ୍ନ ଏବେ ମୋଦିଜୀଙ୍କ କାନରେ ପଡ଼ିଲାଣି । ମୋଦିଜୀ ନିଜ ଭାବମୂର୍ତ୍ତିର ପୁନଃ ପ୍ରତିଷ୍ଠା ଦିଗରେ ସଂକଳ୍ପବଦ୍ଧ ପ୍ରୟାସ ଆରମ୍ଭ କରିଛନ୍ତି । ଗୋଟିଏ ଦେଶ ଗୋଟିଏ ଆଇନର ନାରା ଦେଇ ଜିଏସ୍‍ଟି ଆରମ୍ଭ କଲେ । ଯାହାକୁ କଂଗ୍ରେସ ସରକାର ସମୟରେ ସେ ନିଜେ ବିରୋଧ କରୁଥିଲେ । ଏବେ ଜିଏସ୍‍ଟିର ଫଳାଫଳ ସରକାରଙ୍କ ପାଇଁ ଭସ୍ମାସୁରର ପରିସ୍ଥିତି ସୃଷ୍ଟି କରିବାର ସଙ୍କେତ ଦେଇଛି ।

 

ରାହୁଳଜୀ ତ ମୁସଲିମ୍‍, ଦଳିତ, ଆଦିବାସୀ ଭୋଟକୁ କିପରି ନିଜ ଆଡ଼କୁ ଓ ନିଜ ଦଳଆଡ଼କୁ ଆଣି ଏକାଠି କରିବେ ସେଥିପାଇଁ ଏକାଧିକ ସୂତ୍ର ଓ ମନ୍ତ୍ରକୁ ଜପ କରୁଛନ୍ତି ଓ ପ୍ରୟୋଗ କରୁଛନ୍ତି । ନେହେରୁ ଓ ଗାନ୍ଧି ପରିବାରର ଦାୟାଦ ସେ । ଏହି ପରିବାରର ଐତିହ୍ୟ ଯେପରି ବଳିଷ୍ଠ ସେପରି ସର୍ବଜନବିଦିତ । ତ୍ୟାଗ ତପସ୍ୟାର ଉଦାହରଣ ଏହି ପରିବାର ପାଖରେ ଏକାଧିକ । ମୋଦିଙ୍କୁ ଟକ୍କର ଦେବା ପାଇଁ ଏହି ଐତିହ୍ୟକୁ ବଖାଣିବାରେ ରାହୁଳ ପଛାଇ ନାହାନ୍ତି । ଏହା ମଧ୍ୟରେ ରାହୁଳ କଂଗ୍ରେସ ଦଳକୁ ଆଧୁନିକୀକରଣ କରିବା ପାଇଁ ମନ ବଳାଇଛନ୍ତି । ଏନେଇ କାର୍ଯ୍ୟ ଆରମ୍ଭ ବି କରିଛନ୍ତି । ବରିଷ୍ଠଙ୍କୁ ଆଉ ଦଳୀୟ ଟିକେଟ ମିଳିବ ନାହିଁ, ଯୁବବର୍ଗ ହାତରେ କ୍ଷମତା ଦେବା ପାଇଁ ପ୍ରାୟତଃ ସ୍ଥିର କରିଛନ୍ତି ରାହୁଳ । ରାଜନୀତିରେ ବଂଶବାଦ ବା ପରିବାରବାଦକୁ ସ୍ୱୀକାର କରିଛନ୍ତି । ସେ ମାନିଛନ୍ତି ଯେ କଂଗ୍ରେସ ଦଳ କ୍ଷମତାରେ ଥାଇ ଅନେକ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିଛି । ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ଜନତାଙ୍କୁ ପ୍ରତିଶ୍ରୁତି ଦେଲେଣି ସେ । ତାଙ୍କ ପାଖରେ ଧର୍ମାନ୍ଧତା ନାହିଁ ବରଂ ହିନ୍ଦୁତ୍ୱ ଭାବନା ଠାରୁ ସେ ଦୂରରେ ନୁହନ୍ତି, ଏହାକୁ ସେ ବିଭିନ୍ନ ମନ୍ଦିର ଭ୍ରମଣ କରି ଓ ପୂଜାର୍ଚ୍ଚନା କରି ସୂଚାଇଛନ୍ତି । ଏହା ମୋଦିଜୀ ଓ ତାଙ୍କ ଦଳ ତଥା ତାଙ୍କ ମାତୃ ସଂଗଠନ ଆର୍‍ଏସ୍‍ଏସ୍‍ ପାଇଁ ଚିନ୍ତାର କାରଣ ହୋଇଛି ।

 

ମୋଦି କି ରାହୁଳ କେହି କାହାର ବିକଳ୍ପ ହୋଇପାରିବେ ନାହିଁ । ବିଫଳତାକୁ ଉଭୟେ ମନ୍ଥନ କରୁଛନ୍ତି । ଇତିହାସର ଦୁର୍ବଳତାକୁ ଖୋଜୁଛନ୍ତି । ଆର୍‍ଏସ୍‍ଏସ୍‍ ନିଜର ବ୍ୟାପକ ମଧ୍ୟ ଦେଇ ମୋଦିଙ୍କୁ କ୍ଷମତାରେ ରହିବା ପାଇଁ ବାଟ ତିଆରି କରୁଛନ୍ତି । ଜନତାଙ୍କ ମନକୁ କିଏ କିପରି ପ୍ରଭାବିତ କରିପାରିବେ ସେଥିପାଇଁ ବାଟ ତିଆରି କରିବା ଆରମ୍ଭ କରିଛନ୍ତି । ୧୯୯୧ରେ ଦେଶରେ ଆର୍ଥିକ ସଂସ୍କାର ଆରମ୍ଭ ହୋଇଥିଲା । ଏହି ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା କଂଗ୍ରେସ ଶାସନ ସମୟରେ । ଆରମ୍ଭ କରିଥିଲେ ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ଡ଼କ୍ଟର ମନମୋହନ ସିଂହ । ଶ୍ରୀ ସିଂହଙ୍କ ଏହି ଆର୍ଥିକ ସଂସ୍କାର ଏପରି ଫଳାଫଳ ଆଣିଦେଇଛି ଯେ, ଦେଶରେ ଆର୍ଥିକ ଅସମାନତା ଆକାଶ ଛୁଇଁଲାଣି । ନେତା ଓ ରାଜନୈତିକ ଦଳର ସମ୍ପତ୍ତି ବଢିଚାଲିଛି । ଲୋକ ଏଠି ଗରିବ କିନ୍ତୁ ଲୋକ ପ୍ରତିନିଧି ଏବଂ ରାଜନୈତିକ ଦଳ ଧନୀ । ଏଭଳି ବିରୋଧାଭାସକୁ ନେଇ ମୋଦିଜୀ କି ରାହୁଳ କେହି ମୁହଁ ଖୋଲୁନାହାନ୍ତି । ରାହୁଳଜୀଙ୍କ ଦଳ ଆରମ୍ଭ କରିଥିବା ଜଗତୀକରଣ, ଘରୋଇକରଣ, ଉଦାରୀକରଣ ନୀତିକୁ କାର୍ଯ୍ୟକାରୀ କରିବାରେ କୁଣ୍ଠା ପ୍ରକାଶ କରୁନାହାନ୍ତି ମୋଦିଜୀ । କାଲି ସକାଳେ ସ୍ୱଦେଶୀ ଭାବନାର କଥା କହିଥିବା ମୋଦିଜୀ ଏବେ ବିଦେଶ ଗସ୍ତରେ ଯାଇ ବିଦେଶୀ ନୀତିକୁ ଆପଣେଇବା ସହ ବିଦେଶରୁ କେତେ ଆମଦାନି ହେବ କିପରି ଭାରତ ବଜାରରେ ଅଧିକରୁ ଅଧିକ ବହୁରାଷ୍ଟ୍ରୀୟ ପୁଞ୍ଜିପତିମାନେ ତାଙ୍କ ଉତ୍ପାଦର ପସରା ମେଲାଇ ପାରିବେ ସେଥିପାଇଁ ଲାଗିପଡ଼ିଛନ୍ତି ।

 

ରାହୁଳଜୀ ଏହାକୁ କିପରି ବା ବିରୋଧ କରିବେ? କାରଣ କଂଗ୍ରେସ ନୀତିକୁ ବିଜେପି ଯେ ହାତଛଡ଼ା କରିପାରିନାହିଁ । ବରଂ ଏହି ନୀତିକୁ ସଫଳ କରିବା ପାଇଁ ବଚନବଦ୍ଧ ଭାବେ ପ୍ରୟାସ ଜାରି ରଖିଛନ୍ତି । ଦେଶର ୩୬ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । ୧୨ କୋଟି ମୁଖ୍ୟ ଉପଭୋକ୍ତା ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ୨୦୧୫ ରିପୋର୍ଟ ଅନୁଯାୟୀ ଭାରତର ୧୯ କୋଟିରୁ ଅଧିକ ଲୋକ ରାତିରେ ଖାଲି ପେଟରେ ଶୁଅନ୍ତି, ଅର୍ଥାତ ପ୍ରତିଦିନ ଉପାସରେ ରାତି କାଟନ୍ତି । ୨୦୧୭ ଗ୍ଲୋବାଲ୍‍ ହଙ୍ଗର ଇଣ୍ଡେକ୍ସ ସୂଚାଙ୍କରେ ଭାରତ ଭୋକରେ ଆଗକୁ ବଢୁଛି । ମୋଦିଜୀ ଏବଂ ରାହୁଳଜୀ ଏ ସଂପର୍କରେ ମନ୍ଥନ କରିବେ କିପରି ଏହାକୁ ନେଇ ପ୍ରଶ୍ନ । ପ୍ରତିଦିନ ସାଢେ ୧୨ ଟନ ଖାଦ୍ୟ ସାମଗ୍ରୀକୁ ନଷ୍ଟ କରିଦିଆଯାଉଛି । ୨୦୧୫ରୁ ୨୦୧୭ ମଧ୍ୟରେ ୧୧,୮୮୯ ଟନ ଖାଦ୍ୟ ସାମଗ୍ରୀ ନଷ୍ଟ କରିଦିଆଯାଇଛି ।

 

ଏହା ମଧ୍ୟରେ ଝାଡ଼ଖଣ୍ଡର ସିମଡ଼େଗାରେ ଜଣେ ଶିଶୁ ଭାତ ଭାତ ମାଗି ମାଗି ଆଖି ବୁଜି ଦେଇଛନ୍ତି । ହୁଏତ ସରକାର ଏହାକୁ ମ୍ୟାଲେରିଆ ଜନିତ ମୃତ୍ୟୁ ବୋଲି କହିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିବା ସୂଚନା ମିଳିଛି । ଯେପରି ଭାରତର କଂଗ୍ରେସ ଶାସିତ ରାଜ୍ୟ ହେଉ ଅବା ବିଜେପି ଶାସିତ ଅବା ଅନ୍ୟଦଳର ଶାସନ ହେଉ, କୃଷକଟିଏ ଅବା କୃଷି ଶ୍ରମିକଟିଏ ଋଣଭାର ସହିନପାରି ଆତ୍ମହତ୍ୟା କଲେ ଏହାକୁ ଏହିସବୁ ରାଜ୍ୟର ସରକାରମାନେ ଋଣଭାରଜନିତ ମୃତ୍ୟୁ ବୋଲି ଘରୋଇ କଳି ଓ ପ୍ରେମଜନିତ ବୋଲି କହିଥାନ୍ତି । ଏନେଇ ମୋଦିଜୀ କି ରାହୁଳଜୀଙ୍କ ମଧ୍ୟରେ ମତ ବିନିମୟରେ ଫରକ ଦେଖିବାକୁ ମିଳି ନଥାଏ । ଦେଶର ଏହି ସତ୍ୟକୁ ମୋଦିଜୀ ଓ ରାହୁଳଜୀ ମାନିନେଇ ପାରିବେ କି? ମୋଦିଜୀ ତ ଷ୍ଟେଟସମ୍ୟାନ, ରାହୁଳଜୀ ମଧ୍ୟ । ନିଜ ନିଜ ଦଳର ସର୍ବସମ୍ମତ ନେତା । ମୋଦିଜୀ ଓ ରାହୁଳଜୀ ଦେଶର ସବୁଠୁ ସତ୍ୟ ଯାହା ତାହା ହେଲା ଦରିଦ୍ରଙ୍କ ଦୁର୍ଦ୍ଦଶା ଆହୁରି ବଢୁଛି ଏହା ଯେ ତ୍ରୁଟିପୂର୍ଣ୍ଣ ଆର୍ଥିକ ସଂସ୍କାର ନୀତି ପାଇଁ ଏହାକୁ ମାନିନେବେ କି ଏହି ଦୁଇନେତା । ଗରିବ ତ ଏହି ଦୁଇ ଦଳର ନେତାଙ୍କର ସବୁଠୁ ବଡ଼ ଭୋଟବ୍ୟାଙ୍କ । ବଡ଼ ଆସେଟ ବି । ଗରିବ ଦୁଃଖରେ ଅଛନ୍ତି, ଧନୀ ଆହୁରି ଧନୀ ହେଉଛନ୍ତି । ଏହି ସତ୍ୟକୁ ମୋଦିଜୀ ଭଲ ଭାବେ ଜାଣିଛନ୍ତି ଓ ରାହୁଳଜୀ ମଧ୍ୟ । ଏହା ମଧ୍ୟ ଜାଣିଛନ୍ତି ଉଭୟ ନେତା ଯେ ୨୫୪ କୋଟି ଟଙ୍କାର ଖାଦ୍ୟ ସାମଗ୍ରୀ ପ୍ରତିଦିନ ନଷ୍ଟ ହେଉଛି । ୫୮ ହଜାର କୋଟି ଟଙ୍କାର ଖାଦ୍ୟ ପ୍ରତିବର୍ଷ ନଷ୍ଟ ହେଉଛି । ଦିଲ୍ଲୀର ରାଇସିନା ହିଲ୍‍ସର ସାଉଥ୍‍ ଓ ନର୍ଥ ବ୍ଲକରେ ରହୁଥିବା ଏହି ଦୁଇନେତା ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରତିବଦ୍ଧତା କେତେ? ବ୍ୟବସ୍ଥା ଓ ତ୍ରୁଟିପୂର୍ଣ୍ଣ ନୀତିର ପରିବର୍ତ୍ତନ ବିନା ନେତା ବଦଳିଲେ ଗରିବଙ୍କ ଦୁର୍ଦ୍ଦଶା ବଦଳିଯିବ ବୋଲି ଚିନ୍ତା କରିବା ଭୁଲ ହେବ । ଏହା ଜାଣିଛନ୍ତି ଏହି ଦୁଇନେତା । ଏହି ନେତା ଜାଣିଛନ୍ତି ୧୦ବର୍ଷରେ ୭ଟି ଜାତୀୟ ରାଜନୈତିକ ଦଳର ମୋଟ ସମ୍ପତି ୪୩୧ କୋଟିରୁ ୨୭୧୯ କୋଟି ହୋଇଛି ।

 

ଗତ ୧୦ ବର୍ଷ ମଧ୍ୟରେ ବିଜେପିର ସମ୍ପତ୍ତି ୧୨୨ କୋଟିରୁ ୮୯୩ କୋଟି, କଂଗ୍ରେସର ୧୭୬ରୁ ୭୫୮ କୋଟି ଟଙ୍କାକୁ ବଢିଛି । ୧୦ ବର୍ଷରେ ୨,୦୬,୩୯୦ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଦେଶର ଗୋଦାମରେ ସଢି ଯାଇଛି । ଗତ ୧୦ ବର୍ଷରେ ୬୪୦୦ ଲକ୍ଷ ଟନ ଖାଦ୍ୟ ଶସ୍ୟ ନଷ୍ଟ ହେଲା ଏଥିପାଇଁ ଦାୟୀ କିଏ ଏନେଇ ମୁହଁ ଖୋଲିନାହାନ୍ତି ଏହି ଉଭୟ ନେତା । ଖାଦ୍ୟ ଶସ୍ୟ ନଷ୍ଟ ହେଲା ଅଥଚ ଭୋକିଲାଙ୍କ ପାଖରେ ପହଞ୍ôଚଲା ନାହିଁ । ଏହାର କାରଣ ଓ ନିରାକରଣ ଦିଗରେ ମଧ୍ୟ ଉଭୟ ନେତା ନିରବ । ମୋଦିଜୀ ଓ ରାହୁଳଜୀଙ୍କ ପାଇଁ ଦାରିଦ୍ର୍ୟ, ଦୁର୍ନୀତି ଅବିଚାର ମୁଖ୍ୟ ପ୍ରସଙ୍ଗ ନୁହେଁ । କ୍ଷମତାର ଚୌକି ହାସଲ ମୁଖ୍ୟ ଲକ୍ଷ୍ୟ ଓ ମୁଖ୍ୟ ପ୍ରସଙ୍ଗ । ୧୦୦ ଜଣ ଦେଶର କୁବେର ମହାଧନୀ ହେବାରେ ଲାଗିଛନ୍ତି । ଏହି କେତେ ଜଣଙ୍କ ସମ୍ପତ୍ତି ୧୫୦୦୦ରୁ ୧୬୦୦୦ ଗୁଣା ବଢିଛି । ଭୋକ ସୂଚାଙ୍କରେ ଦେଶ ବିଶ୍ୱ ୧୧୯ଟି ଦେଶ ମଧ୍ୟରେ ୧୦୦ ସ୍ଥାନରେ ପହଞ୍ôଚଛି । ସୋସିଆଲ ପ୍ରୋଗ୍ରେସ ଇଣ୍ଡେକ୍ସରେ ଭାରତ ୧୨୮ ଟି ଦେଶ ମଧ୍ୟରେ ୯୩ ସ୍ଥାନରେ । ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସରେ ୧୮୮ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୮ । ଦେଶରେ ବଢି ଚାଲିଛି ଗରିବୀ, ଜାତିବାଦ, ସାମ୍ପ୍ରଦାୟିକତାବାଦ, ଆତଙ୍କବାଦ ଏବଂ ନକ୍ସଲବାଦ । ଏହାକୁ କେବଳ ଭୋଟର ପ୍ରସଙ୍ଗ କରି ଉଭୟ ନେତା କିଏ କାହାଠାରୁ ଉପରେ, କିଏ କେତେ ଜନଦରଦୀ, କିଏ କେତେ ଜନବାଦୀ ତାହାକୁ ସଭା, ଶୋଭାଯାତ୍ରା, ହୋର୍ଡିଂ, ମିଡ଼ିଆ ବିତର୍କ ମାଧ୍ୟମରେ ସୂଚାଇ ଚାଲିଛନ୍ତି । କିନ୍ତୁ କେହି କାହାର ବିକଳ୍ପ ହୋଇପାରିବେ ନାହିଁ । କେହି ମଧ୍ୟ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତିକୁ ବଦଳାଇ ଜନବାଦୀ ଆର୍ଥିକ ନୀତି କାର୍ଯ୍ୟକାରୀ କରିବେ ସେ ନେଇ ସଂକଳ୍ପ ବାଣୀ ଶୁଣାଇବେ ନାହିଁ । ସେମାନେ କେବଳ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଯୁଦ୍ଧ ପ୍ରସ୍ତୁତି ଚଳାଇଛନ୍ତି । କିଏ କେତେ ସ୍ୱଚ୍ଛ ଓ କିଏ ଦେଶଭକ୍ତ, କାହା ପାଖରେ କେତେ ରାଷ୍ଟ୍ରପ୍ରେମ ଅଛି ତାହାକୁ ଦେଖାଇ ଚାଲିଛନ୍ତି ଏହି ଦେଶର ଦୁଇ ପ୍ରମୁଖ ଦଳର ତୁଙ୍ଗନେତା । କିନ୍ତୁ ଦେଶର ୮୦ କୋଟିରୁ ଅଧିକ ସାଧାରଣ ଜନତା ନ୍ୟାୟ ଓ ବିକାଶକୁ ଖୋଜି ଚାଲିଛନ୍ତି ।

 

ସାମ୍ବାଦିକ, ଭୁବନେଶ୍ୱର
ମୋ-୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top