ଯୁଦ୍ଧଠାରୁ ଭୟଙ୍କର ପ୍ରଦୂଷଣ!

News Story - Posted on 2017-10-21

ବିଶ୍ୱରେ ସମସ୍ତ ଯୁଦ୍ଧ ଓ ହିଂସାଠାରୁ ପ୍ରଦୂଷଣରେ ପ୍ରାଣ ହରାଉଛନ୍ତି ଅଧିକ ଜନତା । ଧୂମପାନ, କ୍ଷୁଧା ଓ ପ୍ରାକୃତିକ ବିପର୍ଯ୍ୟୟଠାରୁ ମଧ୍ୟ ଅଧିକ ପ୍ରାଣ ନେଉଛି ପ୍ରଦୂଷଣ । ଏଡ୍ସ, ରାଜଯକ୍ଷ୍ମା ଓ ମ୍ୟାଲେରିଆରେ ମିଶିକି ଯେତେ ଲୋକଙ୍କ ପ୍ରାଣ ଯାଉଛି ତା’ଠାରୁ ମଧ୍ୟ ଅଧିକ ଲୋକ ପ୍ରଦୂଷଣର ଶିକାର ହେଉଛନ୍ତି ।

 

ଲାନ୍ସେଟ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ୨୦୧୫ ମସିହାରେ ପ୍ରଦୂଷଣ ଜନିତ ରୋଗ ଯୋଗୁଁ ୯୦ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ଘଟିଛି । ଏହି ବର୍ଷ ଯେତେ ଅକାଳ ମୃତ୍ୟୁ ଘଟିଛି ତାହାର ଏକଷଷ୍ଠାଂଶ ହେଉଛି ପ୍ରଦୂଷଣ ଜନିତ ଅକାଳ ମୃତ୍ୟୁ । ପ୍ରଦୂଷଣ ଯୋଗୁଁ ଯେତେ ମୃତ୍ୟୁ ଓ ବ୍ୟାଧି ହେଉଛି ଏବଂ ସେବାବଦରେ ଯେତେ ଖର୍ଚ୍ଚ ହେଉଛି ତାହା ହେଉଛି ବାର୍ଷିକ ପ୍ରାୟ ୪.୬ ଲକ୍ଷ କୋଟି ଡଲାର । ଏହା ହେଉଛି ବିଶ୍ୱ ଅର୍ଥନୀତିର ପ୍ରାୟ ୬.୨ ପ୍ରତିଶତ । ଏହି ରିପୋର୍ଟର ପ୍ରମୁଖ ଲେଖକ ତଥା ନିୟୁ ୟର୍କର ସଂକ୍ରାମକ ରୋଗ ବିଶେଷଜ୍ଞ ଫିଲିପ ଲାଣ୍ଡ୍ରିଗାନ କୁହନ୍ତି ଯେ ପ୍ରଦୂଷଣ ଉପରେ ଏତେ ଗବେଷଣା ସତ୍ତେ୍ୱ ଏଡ୍ସ ଓ ପାଗ ପରିବର୍ତ୍ତନ ଯେପରି ବିଶ୍ୱ ସ୍ତରୀୟ ଦୃଷ୍ଟି ଆକର୍ଷଣ କରିଛି ପ୍ରଦୂଷଣ ନେଇ ସେତେ ଆଲୋଚନା ହେଉନାହିଁ । ଲାଣ୍ଡ୍ରିଗାନଙ୍କ ମତରେ ଲୋକମାନେ ପ୍ରଦୂଷଣର ସାମୂହିକ ଅହିତକାରିତା ଉପରେ ଦୃଷ୍ଟି ନଦେଇ ସମସ୍ୟାକୁ ଖଣ୍ଡଖଣ୍ଡ କରି ଦେଖୁଥିବାରୁ ଏପରି ହେଉଛି ।

 

ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ସର୍ବାଧିକ ଲୋକଙ୍କର ଅକାଳ ମୃତ୍ୟୁ ହେଉଛି । ଶିଳ୍ପ, ପରିବହନ ଓ ଘରୋଇ ଇନ୍ଧନ ଆଦି ବିଭିନ୍ନ କାରଣରୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣ ଯୋଗୁଁ ୨୦୧୫ ମସିହାରେ ୬୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଜଳ ପ୍ରଦୂଷଣ ଜନିତ ଅକାଳ ମୃତ୍ୟୁସଂଖ୍ୟା ହେଉଛି ୧୮ ଲକ୍ଷ । ପ୍ରଦୂଷିତ ଜଳ ଯୋଗୁଁ ବ୍ୟାପୁଥିବା ପେଟ ରୋଗ ହେଉଛି ଏହାର ମୂଳ କାରଣ ।

 

ଭାରତରେ ମଧ୍ୟ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ଆଶଙ୍କାଜନକ ଭାବେ ଅଧିକ । ୨୦୧୫ ମସିହାରେ ଭାରତରେ ବିଭିନ୍ନ ପ୍ରକାର ପ୍ରଦୂଷଣ ଯୋଗୁଁ ୨୫ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିବାବେଳେ ଚୀନରେ ଏହି ସଂଖ୍ୟା ହେଉଛି ୧୮ ଲକ୍ଷ । ବାଂଲାଦେଶ, ପାକିସ୍ତାନ, ଉତ୍ତର କୋରିଆ, ଦକ୍ଷିଣ ସୁଦାନ ଓ ହାଇତି ଆଦି ରାଷ୍ଟ୍ରରେ ଯେତେ ଲୋକ ଅକାଳରେ ମୃତ୍ୟୁବରଣ କରିଛନ୍ତି ତାହାର ଏକପଞ୍ଚମାଂଶ ପ୍ରଦୂଷଣ ଯୋଗୁଁ ହୋଇଛି ।

 

ଏହି ରିପୋର୍ଟ ଅନୁସାରେ ଏଯାଏଁ ସାହାରା ଦେଶଗୁଡ଼ିକରେ ବାୟୁ ପ୍ରଦୂଷଣ ମାପିବା ପାଇଁ ବ୍ୟବସ୍ଥା ହୋଇନାହିଁ । ମୃତ୍ତିକା ପ୍ରଦୂଷଣର ମାତ୍ରା ମାପିବାକୁ ମଧ୍ୟ ଅନେକ ଦେଶରେ ବ୍ୟବସ୍ଥା ନାହିଁ । ଏହା ବ୍ୟତିତ ଅନେକ ପ୍ରଦୂଷକ ଅମ୍ଳର କ୍ଷତିକାରିତା ନେଇ ମଧ୍ୟ ଗବେଷଣା ହୋଇନାହିଁ । ୧୯୫୦ ମସିହାରୁ ଏବେସୁଦ୍ଧା ମାତ୍ର ୫ ହଜାର ରସାୟନର ଅମ୍ଳତା ପରୀକ୍ଷା ହୋଇଛି । ଆହୁରି ବହୁ ରସାୟନର ପ୍ରଦୂଷଣ ପ୍ରତିକ୍ରିୟା ନେଇ ଏଯାଏଁ ଉଦ୍ୟମ ହୋଇନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।

 

ମାଟି, ପାଣି ଓ ପବନର ପ୍ରଦୂଷଣ ନେଇ ବ୍ୟାଧିର ବ୍ରହ୍ମାଣ୍ଡ ବୋଝ ବା ଗ୍ଲୋବାଲ ବର୍ଡନ ଅଫ ଡିଜିଜେସ ସଂସ୍ଥା ତରଫରୁ ସଂଗ୍ରହ କରାଯାଇଥିବା ତଥ୍ୟ ଏବଂ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା ତରଫରୁ ନିର୍ଦ୍ଧାରିତ ମାନକ ବ୍ୟବହାର କରି ଏହି ରିପୋର୍ଟ ପ୍ରକାଶ ପାଇଛି । ଏସବୁ ଗବେଷଣା ପଛରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୱାଶିଂଟନ ବିଶ୍ୱବିଦ୍ୟାଳୟର ସହାୟତା ରହିଛି । ୨୦୧୫ ବର୍ଷ ପ୍ରଦୂଷଣ ଯୋଗୁଁ ଅତିକମରେ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ଯେଉଁ ଆକଳନ କରାଯାଉଛି ତାହା ସମଗ୍ର ବିଶ୍ୱରେ ଧୂମପାନ ଜନିତ ମୃତ୍ୟୁସଂଖ୍ୟାଠାରୁ ଦେଢ଼ଗୁଣ ଅଧିକ । ଏହି ମୃତ୍ୟୁସଂଖ୍ୟା ମଧ୍ୟ ଏଡ୍ସ, ଯକ୍ଷ୍ମା ଓ ମ୍ୟାଲେରିଆରେ ମୃତ୍ୟୁବରଣ କରୁଥିବା ମୋଟ ଲୋକଙ୍କ ସଂଖ୍ୟାଠାରୁ ତିନି ଗୁଣ ଅଧିକ । ସମଗ୍ର ବିଶ୍ୱରେ ସଡ଼କ ଦୁର୍ଘଟଣାରେ ଯେତେ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି ତା’ଠାରୁ ମଧ୍ୟ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ୬ ଗୁଣ ଅଧିକ । ଯୁଦ୍ଧ ଓ ଅନ୍ୟାନ୍ୟ ହିଂସାକାଣ୍ଡରେ ଯେତେ ଲୋକଙ୍କର ଅକାଳ ମୃତ୍ୟୁ ହେଉଛି ତାହାଠାରୁ ବି ଏହି ମୃତ୍ୟୁସଂଖ୍ୟା ୧୫ ଗୁଣ ଅଧିକ ।

 

ତେବେ ଏହି ସର୍ବଗ୍ରାସୀ ପ୍ରଦୂଷଣର ଶିକାର ହେଉଛି କିଏ? ଏହି ରିପୋର୍ଟ ଅନୁଯାୟୀ ଗରୀବ ଲୋକମାନେ ହିଁ ଅଧିକ ମାତ୍ରାରେ ପ୍ରଦୂଷଣର ଶିକାର ହେଉଛନ୍ତି । ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟାର ୯୨ ପ୍ରତିଶତ କେବଳ ବିକାଶଶୀଳ ଗରୀବ ଦେଶଗୁଡ଼ିକରେ ଘଟୁଛି । ଏହିସବୁ ଦେଶର ନେତା ଓ ନୀତି ନିର୍ଦ୍ଧାରକମାନଙ୍କର ଏହା ଉପରେ ଧ୍ୟାନ ନାହିଁ । ସେମାନେ କେବଳ ବିକାଶ ଓ ଅଭିବୃଦ୍ଧି ପଛରେ ଗୋଡ଼ାଇଛନ୍ତି । ଏସବୁ ଦେଶର ସରକାର ମୌଳିକ ଭିତ୍ତିଭୂମି ସୃଷ୍ଟି କରିବା ଓ ଦ୍ରୁତ ଶିଳ୍ପାୟନ ଜରିଆରେ ଦାରିଦ୍ର୍ର୍ୟ ଦୂର କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାରି ଭିତରେ ସେମାନଙ୍କର ପାରିବେଶିକ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇଚାଲିଛି । ଏସବୁ ଦେଶର ଶିଳ୍ପଗୁଡ଼ିକ ପୁରୁଣା ଓ ପରିତ୍ୟକ୍ତ ପ୍ରଯୁକ୍ତି ବ୍ୟବହାର କରୁଥିବାରୁ ଅଧିକ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଧନୀ ଦେଶଗୁଡ଼ିକରେ ମଧ୍ୟ ଗରୀବ ଲୋକମାନେ ଏହି ସମସ୍ୟା ଅଧିକ ଭୋଗ କରୁଛନ୍ତି । ଧନୀ ଦେଶରେ ପରିବେଶ ସୁରକ୍ଷା ବ୍ୟବସ୍ଥା ଉନ୍ନତ ହୋଇଥିଲେ ମଧ୍ୟ ଗରୀବମାନେ ପ୍ରଦୂଷଣ ଜନିତ ରୋଗବ୍ୟାଧିର ଶିକାର ହେଉଛନ୍ତି ।

 

ଏହି ରିପୋର୍ଟର ଅନ୍ୟତମ ଲେଖକ ତଥା ପ୍ୟୋର ଆର୍ଥ ସଂସ୍ଥାର ମୁଖ୍ୟ ରିଚାର୍ଡ଼ ଫୁଲର କୁହନ୍ତି ଯେ ନୀତି ନିର୍ଦ୍ଧାରକମାନେ ଏଯାଏଁ ବୁଝି ନାହାନ୍ତି ଯେ ପ୍ରଦୂଷଣ ଅର୍ଥନୀତିର ମଧ୍ୟ କ୍ଷତି କରୁଛି । କାରଣ ବ୍ୟାଧିଗ୍ରସ୍ତ ଓ ମୃତ ଲୋକମାନେ ଅର୍ଥନୀତିକୁ ଅବଦାନ ଦେଇପାରୁ ନାହାନ୍ତି ।

 

ଅର୍ଥମନ୍ତ୍ରୀମାନେ ଭାବୁଛନ୍ତି ଶିଳ୍ପ ପ୍ରଦୂଷଣ କରିବ, ନହେଲେ ବିକାଶ ହୋଇପାରିବ ନାହିଁ । ଏହା ବିଲକୁଲ ସତ ନୁହେଁ ।

 

ଆମେରିକାର ପରିବେଶ ସୁରକ୍ଷା ସଂସ୍ଥାର ଗବେଷଣା ଅନୁସାରେ ୧୯୭୦ ମସିହାରୁ ଏଯାଏଁ ଆମେରିକା ସରକାର ବାୟୁ ପ୍ରଦୂଷଣ ରୋକିବା ଦିଗରେ ଖର୍ଚ୍ଚ କରିଥିବା ପ୍ରତି ଏକ ଡଲାର ତୁଳନାରେ ୩୦ ଡଲାର ଲାଭ କରିଛନ୍ତି । ୧୯୭୦ ମସିହାରେ ପ୍ରଣୀତ ହୋଇଥିଲା ନିର୍ମଳ ବାୟୁ ଆଇନ । ଗ୍ୟାସୋଲିନରୁ ସିସା ବହିଷ୍କାର କରିବା ପ୍ରକ୍ରିୟାରେ ମଧ୍ୟ ଆମେରିକା ସରକାର ୧୯୮୦ ମସିହା ପରଠାରୁ ୬ ଲକ୍ଷ କୋଟି ଡଲାର ଆୟ କରିସାରିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top