ଗଂଜାମ ଖୋଜୁଛି ମାଟିର ମଣିଷ!

News Story - Posted on 2017-10-18

ହେମାଙ୍ଗ କୁମାର ରାଉଳ

ଗଂଜାମ ଓଡ଼ିଶା ଉପକୂଳର ଏକ ସମୃଦ୍ଧଶାଳୀ ଅଂଚଳ ଯା’ର ଭୌଗୋଳିକ ସ୍ଥିତି ଯେପରି ସମୃଦ୍ଧ ରାଜନୈତିକ ବ୍ୟବସ୍ଥା ବି ଅନୁରୂପ । ପ୍ରାକୃତିକ ସଂପଦରେ ଭରପୂର, ତଥାପି ବିକାଶରେ ପଛୁଆ ଜିଲ୍ଲା ଭିତରେ ପରିଗଣିତ । ଦୁଇ ଦଶନ୍ଧି ପୂର୍ବରୁ ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରିଥିବା ଗଂଜାମ ବିଗତ ଦୁଇ ଦଶନ୍ଧି ଭିତରେ ମଧ୍ୟ ସମାନ ଗୁରୁତ୍ୱ ବହନ କରି ଆସିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ଜଣ ମନ୍ତ୍ରୀ ଏବଂ ବହୁ ପଦପଦବୀରେ ଅନେକ ବିଧାୟକ ଥାଇ ସୁଦ୍ଧା ଗଂଜାମର ବିକାଶର ଗନ୍ଧ ନାହିଁ । ଦୁଇ ଦଶନ୍ଧି ପୂର୍ବରୁ ବହୁ ତୁଙ୍ଗ ନେତା ଗଂଜାମ ମାଟିର କୃତି ସନ୍ତାନ ଭାବରେ କ୍ଷମତା ରାଜନୀତି ସହ ଜଡ଼ିତ ରହି ଆସିଥିଲେ । ଜୟନ୍ତୀ ପଟ୍ଟନାୟକ, ବିଜୁ ପଟ୍ଟନାୟକ, ବୃନ୍ଦାବନ ନାୟକ, ବିନାୟକ ଆଚାର୍ଯ୍ୟ, ରାମଚନ୍ଦ୍ର ରଥ, ସୋମନାଥ ରଥ, ରାମକୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ୱକୁ ରାଜ୍ୟ କାହିଁକି ଦେଶରେ ମଧ୍ୟ ସ୍ୱୀକୃତି ମିିଳିଥିଲା । ରାମକୃଷ୍ଣ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ଜନତା ଦଳରେ ଯେତିକି ଚର୍ଚ୍ଚିତ, କଂଗ୍ରେସର ଜୟନ୍ତୀ ପଟ୍ଟନାୟକ, ସୋମନାଥ ରଥ ଓ ରାମଚନ୍ଦ୍ର ରଥ ମଧ୍ୟ ଜାତୀୟ ରାଜନୀତି ସହ ସଂଶ୍ଲିଷ୍ଟ ଥିଲେ । କ୍ଷମତା ଏମାନଙ୍କ ହାତରେ ଗୋଟିଏ କୁହୁକ ବାଡ଼ି ପରି କାମ କରୁôଥିଲା । ଧୂରୀଣ ରାଜନତାମାନେ ଯେପରି ଜନଭାବନା ସହ ଜଡ଼ିତ ରହି କ୍ଷମତା, ଜନସେବା, ସହ ଅଂଚଳର ବିକାଶକୁ ନେଇ ଚିନ୍ତିତ ଥିଲେ ଆଜି ଆଉ ସେପରି ବ୍ୟକ୍ତି ନାହାନ୍ତି ।

 

ଏମାନେ ମାଟିର ମଣିଷ ଥିଲେ । କିନ୍ତୁ ବିଗତ ୧୯ ବର୍ଷ ଭିତରେ ମାଟିର ମଣିଷ ନାମରେ ବିଜୁଙ୍କ ଦାୟାଦଙ୍କ ନେତୃତ୍ୱକୁ ସ୍ୱୀକାର କରିଥିବା ଗଂଜାମ ପାଇଛି ବା କ’ଣ? ଏଇ ମାଟିର ଜୀବନ ସଂସ୍କୃତି ସହ ଆଦୌ ଜଡ଼ିତ ହୋଇ ନଥିବା ମଣିଷଟିକୁ ରାଜ୍ୟର ଶୀର୍ଷସ୍ଥାନରେ ବସାଇଥିବା ଲୋକମାନେ ଭାବୁଛନ୍ତି ନବୀନ ପଟ୍ଟନାୟକ ଗଂଜାମ ବାସୀଙ୍କୁ କିଛି ପ୍ରତିଦାନ ଦେଲେନି କାହିଁକି? କଂଗ୍ରେସ ଗଡ଼ ଭାବେ ବିବେଚିତ ଏକଦା ଗଂଜାମରେ କଂଗ୍ରେସ ଆଜି ବିପନ୍ନ । ସାଂପ୍ରତିକ ସମୟରେ ସେ ସମୟର ରାମଚନ୍ଦ୍ର୍ର ରଥ ନାହାନ୍ତି କିନ୍ତୁ ଶେଖର ଭାଇନା ନାମରେ ଘରେ ଘରେ ପରିଚିତ ଚନ୍ଦ୍ରଶେଖର ସାହୁ ମାଟିଣ ମଣିଷ ହେଲେ ମଧ୍ୟ କେବଳ କଂଗ୍ରେସର ଅବ୍ୟବସ୍ଥା ପାଇଁ ସେ ନୀରବ ପ୍ରାୟ । ସାଧାରଣ ଜନତା ଭିତରୁ ଜଣେ କାଉନ୍ସିଲର ଏବଂ ବ୍ରହ୍ମପୁର ମ୍ୟୁନିସିପାଲ୍ ମୁଖ୍ୟ ଦାୟିତ୍ୱ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମଥର ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ପଦ ପାଇବାରେ ଶେଖର ଭାଇନା ଏକ ଆଶ୍ଚର୍ଯ୍ୟ । ନବୀନ ବାବୁଙ୍କ ସହ ତୁଳନା କଲେ ଶେଖର ହିଁ ପ୍ରକୃତରେ ମାଟିର ପୁଅ । ରାଜ୍ୟ ରାଜନୀତିରେ କଂଗ୍ରେସର ଦୁର୍ଗଗୁଡ଼ିକ ପତନ ହେଲାପରେ ଅନ୍ତଦ୍ୱର୍ନ୍ଦ୍ୱ ବଢ଼ିବା ଛଡ଼ା ଦଳ ଦୁର୍ବଳ ହୋଇଚାଲିଛି । କିନ୍ତୁ ଗଂଜାମ ଗଡ଼ର କଂଗ୍ରେସ ଭୋଟରମାନେ ବି ଏବେ କରଛଡ଼ା । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ କଂଗ୍ରେସ ରାଜନୀତିର ସଂଜ୍ଞା ବଦଳି ଯାଇଛି । ଅନ୍ତଦ୍ୱର୍ନ୍ଦ୍ୱ ସହ ଦିଲ୍ଲୀ ହାଇକମାଣ୍ଡଙ୍କ ଲଗାମଛଡ଼ା ନୀତି କଂଗ୍ରେସକୁ କ୍ଷତିଗ୍ରସ୍ତ କରିଛି । ବାରମ୍ବାର ବିପର୍ଯ୍ୟୟ ସତ୍ତେ୍ୱ ଦଳ କିଛି ଶିଖି ନାହିଁ । ଜିଲ୍ଲାର ମଙ୍ଗ ଧରିଥିବା ଭଗବାନ ଗନ୍ତାୟତ ଏସବୁ ଭିତରେ ଏକ ପ୍ରକାର ନିଷ୍ପ୍ରଭ । ପ୍ରସଙ୍ଗ ଥାଇ ବି ପ୍ରସଙଗ ହୋଇପାରୁନାହିଁ, କେବଳ ସାଙ୍ଗଠନିକ ଦକ୍ଷତାର ଅଭାବ ହେତୁ ।

 

ଏଇଠି ଗୋଟିଏ କଥା ସୂଚାଇ ଦିଆଯାଇପାରେ । ଶାସକ ଦଳଠୁଁ ବିରୋଧୀ ଦଳର ଶାଣିତ ସ୍ୱର ରାଜ୍ୟ ଶାସନକୁ ଠିକ୍ ରାସ୍ତାରେ ନିଏ । କିନ୍ତୁ ବିରୋଧୀ ଯଦି ଦୁର୍ବଳ ହୁଅନ୍ତି ଶାସନ ସ୍ୱେଚ୍ଛାଚାରୀ ହୋଇଯାଏ । ଓଡ଼ିଶା ରାଜନୀତିରେ ବିରୋଧୀ ଦଳ ଏବେ ଏକ ପ୍ରକାର ସ୍ଥାଣୁ । ହାତକୁ ହାତଧରି ଠିଆ କରାଇବାର ସାମର୍ଥ୍ୟ ବୋଧେ ଆଉ କାହାର ନାହିଁ । ଅନୁଭବୀ, ଧୂରୀଣ ରାଜନେତାମାନେ ମଂଚରେ ନାହାନ୍ତି । ଏକ ପ୍ରକାର ନେତୃତ୍ୱ ଦେବାଳିଆ ସ୍ଥିତିରେ ଗଂଜାମ କଂଗ୍ରେସ ।

 

ବିଜୁ ବାବୁଙ୍କ ପରେ ନବୀନ ପଟ୍ଟନାୟକକୁ ରାଜନୀତିର ‘ଅ’ ଅକ୍ଷର ଶିଖାଇବାଠାରୁ କ୍ଷମତା ଗାଦିରେ ବସାଇବାରେ ଗଂଜାମର ଅବଦାନ ଅନେକ । ରାମକୃଷ୍ଣ ପଟ୍ଟନାୟକଙ୍କ ପରି ବିଚକ୍ଷଣ ରାଜନେତା ଏନଡ଼ିଏ ସହ ହାତମିଶାଇ ବିଜୁ ଜନତା ଦଳ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ନବୀନ ଆସିକାରୁ ସଂସଦକୁ ଯାଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ପରେ ବିଜେପି-ବିଜେଡ଼ି ମେଣ୍ଟର ନେତା ଭାବେ ରାଜ୍ୟ ଶାସନର ମଂଗ ଧରିଥିଲେ । ବିଡ଼ମ୍ବନାର ବିଷୟ ଥିଲା ଯେ ରାମକୃଷ୍ଣ ପଟ୍ଟନାୟକଙ୍କ ପରି ବରିଷ୍ଠ ରାଜନେତା ମଧ୍ୟ ତଡ଼଼ାଖାଇ କ୍ଷମତା ରାଜନୀତିରେ ଅସ୍ତ ହୋଇଗଲେ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱର ପ୍ରଥମ ଦଫାରେ । ରାମକୃଷ୍ଣ ପଟ୍ଟନାୟକଙ୍କ ପରି ବିଚକ୍ଷଣ ରାଜନେତାଙ୍କୁ ହଟାଇ ମଧ୍ୟ ବିଜେଡ଼ି ସୁପ୍ରିମୋ ଗଂଜାମରେ ୧୪ ବିଧାୟକଙ୍କୁ ଜିତାଇଥିଲେ । ନବୀନ ଗଂଜାମର ଆଶା, ଭାଗ୍ୟ, ଭରସା, ଭବିଷ୍ୟତ ଭାବିନେଇ ଲୋକମତ ଯେଉଁ ଅନୁପାତରେ ନବୀନଙ୍କୁ ସମର୍ଥନ ଦେଇ ଚାଲିଲେ ସେଥିରେ ଗଂଜାମର ଆଶାତୀତ ପ୍ରଗତି ହୋଇପାରିଥାନ୍ତା । କିନ୍ତୁ ନବୀନଙ୍କଠାରୁ ପ୍ରତିଦାନରେ ଗଂଜାମ ଜିଲ୍ଲାବାସୀ କିଛି ପାଇଲେ ନାହିଁ ।

 

ଗଂଜାମ ବିକାଶରେ ମୁଖ୍ୟମନ୍ତ୍ରୀ ଶ୍ରେୟ ନେବାକୁ ଆଖି ଦୃଶିଆ କାମ ନାହିଁ । ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ ଆରୁଖ, ଉଷାଦେବୀ, ଡ଼. ପ୍ରଦୀପ ପାଣିଗ୍ରାହୀଙ୍କ ପରି ନେତା ମନ୍ତ୍ରୀ ପଦରେ ଥାଇ ସୁଦ୍ଧା ଫଳ ଶୂନ । ବିକାଶଧାରାକୁ ସଜାଡ଼ିବାରେ ଏମାନଙ୍କ ଭୂମିକା କ’ଣ? ରାମଚନ୍ଦ୍ର ପଣ୍ଡାଙ୍କ ପାଇଁ ବିଜେପି ସୁରକ୍ଷିତ କେବେ ବି ନଥିଲା । ସେ ଯେମିତି ନିଜକୁ ନିଜେ ଅସହାୟ ମନେ କଲେ । ସେ ଦଳ ଛାଡ଼ି ବିଜେଡ଼ି ଦଳକୁ ଯାଇ ଗୋଟିଏ ସାନ୍ତ୍ୱନାମୂଳକ ପଦ ପାଇଛନ୍ତି । ତେବେ ସରକାରରେ ତାଙ୍କର ସ୍ୱର ଶୁଣାଯାଏ ନାହିଁ ।

 

ବର୍ତ୍ତମାନ ଭାରତ ରାଜନୀତିର ପାଣିପାଗ ବଦଳିବା ସହ ରାଜ୍ୟ ରାଜନୀତିର ପାଣିପାଗ ବଦଳୁଛି । ବିଜେଡ଼ି ପାଇଁ ହୁଏତ ଆଗାମୀ ନିର୍ବାଚନ ସେତେଟା ସହଜ ହୋଇନପାରେ । ଚିଟଫଣ୍ଡ ସଂସ୍ଥା ଗଂଜାମରୁ ବେଶୀ ଟଙ୍କା ଖାଇଛନ୍ତି । କ୍ଷମତାଧାରୀମାନେ ଚୁପ୍ ଅଛନ୍ତି । ସମୟ ଅନୁସାରେ କାହା ମୁଣ୍ଡରେ ଖଣ୍ଡା ଖସିବ । ଅପରାଧୀଙ୍କୁ ଦମନ ନାମରେ ଗଂଜାମ ମଧ୍ୟ ଏନ୍କାଉଣ୍ଟରରେ ରେକର୍ଡ଼ କରିଛି ।

 

ଏସବୁ ଭିତରେ ଗଂଜାମର ବିକାଶ ପାଇଁ ବିଜେପି ସମ୍ଭାବନା ଦେଖାଇ ଗୋଟିଏ ବଡ଼ ସମ୍ମିଳନୀ କରିଦେଇ ତୁନି ବସିଛି । ୱାର୍ଡ଼କୁ ୱାର୍ଡ଼ ଯିବା ପାଇଁ ବିଜେଡ଼ି ସ୍ଥିର କରିଥିବାବେଳେ ମୋ ବୁଥ୍ ସବୁଠାରୁ ମଜବୁତ୍ କାର୍ଯ୍ୟକ୍ରମ ଜରିଆରେ ବିଜେପି ମଧ୍ୟ ରଣକୌଶଳ ଅବ୍ୟାହତ ରଖିଛି । ଗଂଜାମର ଜଣେ ମାତ୍ର ବିଜେପିର ନେତା ବିଭୂତି ଜେନା ରାଜ୍ୟସ୍ତରରେ ନାମ ବଜାୟ ରଖିଛନ୍ତି । ଅନ୍ୟମାନେ ସବୁ ପଦ୍ମଦଳର ରବି ଫସଲ ପରି । ବ୍ୟକ୍ତିତ୍ୱ ଗୁଣ, ଚରିତ୍ର, ଦକ୍ଷତାକୁ ମାପକାଠି କରିବା କଥା କହୁଥିବା ବିଜେପି ପାଇଁ ଟିକଟ ବଣ୍ଟନ ମଧ୍ୟ ସମସ୍ୟାରେ ଛନ୍ଦି ହୋଇଯିବ । ଏସବୁ ବିଶ୍ଲେଷଣ ଆଧାରରେ ଅନୁଶୀଳନ କରାଗଲେ ଗଂଜାମବାସୀ ୨୦୧୮-୨୦୧୯ରେ ମାଟିର ପୁଅମାନଙ୍କୁ ଯେ କୋଳେଇ ନନେବେ କିଏ କହିବ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top