ଆଧାର ନେଲା ନାବାଳିକାର ଜୀବନ!

News Story - Posted on 2017-10-17

ସାରା ଦେଶରେ ଏବେ ପାର୍ବଣର ଋତୁ । କେତେ ପିଲା କେତେ ଖୁସିରେ କେତେ ଜିନିଷ କିଣୁଛନ୍ତି । ପୂଜା ବଜାରରେ ବୁଲି ବୁଲି ମଉଜ କରୁଛନ୍ତି । କିନ୍ତୁ ଏହି ମଉଜ ଭିତରେ ‘ଭାତ, ଭାତ’ ବାଉଳି ହୋଇ ଅନାହାରରେ ପ୍ରାଣ ହରେଇଛି ଝାଡ଼ଖଣ୍ଡ ସିମଡେଗା ଜିଲ୍ଲାର ୧୧ ବର୍ଷ ବୟସ୍କା ସନ୍ତୋଷ କୁମାରୀ । କୁମାରୀ ପରିବାରର ଆଧାର କାର୍ଡ଼ ନଥିବାରୁ ସେମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଜନାରେ ରାସନ ବନ୍ଦ କରିଦେଇଥିଲେ ଡିଲର ।

 

ସିମଡେଗା ଜିଲ୍ଲାର କାରିମାଟି ଗାଁ । ଗତ ମାର୍ଚ୍ଚ ମାସରେ ଝାଡ଼ଖଣ୍ଡ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଗୋଟିଏ ଆଦେଶ ଜାରି କଲେ । ଯେଉଁମାନଙ୍କର ରାସନ କାର୍ଡ଼ ସହିତ ଆଧାର ସଂଯୋଗ ହେବ ନାହିଁ ସେମାନଙ୍କୁ ଆଉ ଖାଦ୍ୟ ନିରାପତ୍ତା ଯୋଜନାରେ ଶସ୍ତା ଖାଦ୍ୟଶସ୍ୟ ମିଳିବ ନାହିଁ । ସେଥିପାଇଁ ମାତ୍ର ୩ ସପ୍ତାହ ଦିଆଯାଇଥିଲା । ଏଇ ଗାଁର ୧୦ଟି ପରିବାର ନିକଟରେ ଆଧାର କାର୍ଡ଼ ନଥିଲା । ତେଣୁ ସେମାନଙ୍କର ରାସନ କାର୍ଡ଼ ବାତିଲ ହୋଇଗଲା । ଏହି ପରିବାର ଭିତରେ ଥିଲେ ସନ୍ତୋଷ କୁମାରୀର ପରିବାର ।

 

ଏପ୍ରିଲ ମାସରୁ ସନ୍ତୋଷ କୁମାରୀର ପରିବାର ଖାଦ୍ୟ ସଂକଟର ସମ୍ମୁଖୀନ ହେଲେ । ମା’ କୋଇଲି ଦେବୀ ମଜୁରୀ ଖଟି ଯାହା ପାଆନ୍ତି ସେଇଥିରେ ବଜାରରୁ ଚଢ଼ା ଦରରେ ଚାଉଳ କିଣିବାକୁ ପଡ଼େ । ତାହା ମାସକ ଯାଏ ନାହିଁ । କୋଇଲି ଦେବୀ ଡିଲରକୁ ଯେତେ ନେହୁରା ଗୁହାରି ହେଲେ ବି ସେ ଆଉ ଚାଉଳ ଦେଲା ନାହିଁ ।

 

ସନ୍ତୋଷ କୁମାରୀ ଗାଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ନିଏ । କିନ୍ତୁ ସେପ୍ଟେମ୍ବର ମାସରେ ଦୁର୍ଗାପୂଜା ପାଇଁ ସ୍କୁଲ ଛୁଟି ହୋଇଗଲା । କୁମାରୀକୁ ଆଉ ମଧ୍ୟାହ୍ନ ଭୋଜନ ମିଳିଲା ନାହିଁ । ତା’ପରଠୁଁ ସେ ଅଧେବେଳେ ଉପବାସ ରହିଲା । ଏମିତି ସାତ ଆଠ ଦିନ ଖାଇବାକୁ ନପାଇ ସେପ୍ଟେମ୍ବର ୨୮ ତାରିଖରେ କୁମାରୀର ପ୍ରାଣବାୟୁ ଉଡ଼ିଗଲା । ତା’ର ମା’ କୋଇଲି ଦେବୀ ମଧ୍ୟ ଅନାହାର କ୍ଳୀଷ୍ଟ ଅବସ୍ଥାରେ ରୋଗାକ୍ରାନ୍ତ ହେଲେ ।

 

ଏ ବିଷୟରେ ସେପ୍ଟେମ୍ବର ୩୦ ତାରିଖରେ ଜଣାପଡ଼ିଲା । ଜଣେ ସାମାଜିକ କର୍ମୀ ତାରାମଣି ଶାହ ସତ୍ୟାସତ୍ୟ ଜାଣିବାକୁ କାରିମାଟି ଗଲେ । ସେଠାରେ ସେ ଏଇ ସତ୍ୟ ଆବିଷ୍କାର କଲେ । ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମ କୋର୍ଟ ଏକାଧିକ ଥର ରାୟ ଦେଇଥିଲେ ବି ଝାଡ଼ଖଣ୍ଡ ସରକାର ଏଭଳି ଏକ ଗରୀବ ପରିବାର ପ୍ରତି ତାହାକୁ ବାଧ୍ୟତାମୂଳକ କରି ଜଣେ ନାବାଳିକାର ଜୀବନ ନେଇଗଲେ । ସେ ହିଁ ଏହି ନିଷ୍ଠୁର ପରିସ୍ଥିତିକୁ ଗଣମାଧ୍ୟମ ସାମ୍ନାକୁ ଆଣିଲେ । ଗଣମାଧ୍ୟମ ପ୍ରତିନିଧିମାନେ କୋଇଲି ଦେବୀଙ୍କୁ ଭେଟିବା ବେଳକୁ ସେ ଡାକ୍ତରଖାନାରେ ଚିକିତ୍ସାଧୀନ । ତାଙ୍କୁ ପଚାରିବାରୁ ସେ କହିଲେ, ମୋ ଝିଅ ‘ଭାତ, ଭାତ’ ହୋଇ ମରିଗଲା ।

 

ସରକାରୀ ରିପୋର୍ଟରେ କିନ୍ତୁ କୁମାରୀ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଉଲ୍ଲେଖ ଥିଲା ।

 

ଏ ଖବର ରାଜ୍ୟରେ ରାଜନୀତିକ ବିବାଦରେ ପରିଣତ ହେଲା ପରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସରଯୁ ରାଇ ନିଜ ସରକାରକୁ ଦୋଷ ଦେଲେ । ଅଫିସରଙ୍କ ମୁଣ୍ଡରେ ଦୋଷ ଢାଳିବାକୁ ତାଙ୍କ ନିର୍ଦ୍ଦେଶ କେହି ମାନିଲେ ନାହିଁ ବୋଲି କହିଲେ । ମୁଖ୍ୟଢ଼ନ୍ତ୍ରୀ ରଘୁବର ଦାସ ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦେଲେ । ଯେଉଁମାନଙ୍କର ଆଧାର କାର୍ଡ଼ ନାହିଁ ସେମାନଙ୍କର ରାସନ କାର୍ଡ଼ ରଦ୍ଦ ହେବନାହିଁ ବୋଲି ନୀତି ନିର୍ଦ୍ଦେଶ ଥିଲେ ମଧ୍ୟ କିଏ ଏହା ରଦ୍ଦ କଲା ସେନେଇ ଏବେ ଖୋଳତାଡ଼ ଚାଲିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top