ମୁଖା ପିନ୍ଧିବେ ଦିଲ୍ଲୀବାସୀ!

News Story - Posted on 2017-10-17

ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ପୋଡ଼ିବା ବଢ଼ିବା ସଙ୍ଗେସଙ୍ଗେ ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି । ସେଥିପାଇଁ ଲୋକମାନେ ମୁହଁରେ ମୁଖା ଲଗେଇ ବୁଲିବାକୁ ଡାକ୍ତର ଓ ପରିବେଶ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

 

ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ ଅଂଚଳରେ ବାୟୁର ମାନ ଅତ୍ୟନ୍ତ ନିମ୍ନ ମାନର । ବହୁ ପୂର୍ବରୁ ବିଭିନ୍ନ କାରଣରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଉତ୍ତର ପରିସର ଏବଂ ମଥୁରା ରୋଡ଼ ଅଂଚଳର ବାୟୁର ମାନ ଖରାପ ହୋଇସାରିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସର ମାପକ ଅନୁସାରେ ଏସବୁ ଅଂଚଳର ବାୟୁର ମାନ ୨୯୦ ରେକର୍ଡ଼ କରାଯାଇଛି । ଅତି ଖରାପ ବାୟୁର ଏକ୍ୟୁଆଇ ୩୦୦ । ଅର୍ଥାତ ଆଉ ମାତ୍ର ୧୦ ୟୁନିଟ୍ ବଢ଼ିଗଲେ ଏସବୁ ଅଂଚଳର ବାୟୁ ଅତି ଖରାପ ହୋଇଯିବ ।

 

କିନ୍ତୁ ଗାଜିଆବାଦରେ ବାୟୁର ମାନ ୩୮୫ ଟପି ଗଲାଣି । ଏହା ଅତ୍ୟନ୍ତ ଗମ୍ଭୀର ସ୍ଥିତି । ନୋଇଡ଼ା ବାୟୁର ମାନ ୪୮ ଘଣ୍ଟା ପୂର୍ବରୁ ଅପେକ୍ଷାକୃତ ଭଲ ଥିଲା । ସେଠାରେ ଏକ୍ୟୁଆଇ ୨୬୮ ଥିଲା । କିନ୍ତୁ ତା’ ପରଠାରୁ ନଡ଼ାପୋଡ଼ି କାରଣରୁ ବାୟୁମାନ ଦ୍ରୁତ ଗତିରେ ଖରାପ ହେବାରେ ଲାଗିଛି ।

 

ପଡ଼ୋଶୀ ରାଜ୍ୟଗୁଡ଼ିକରେ କ୍ଷେତରେ ରହିଥିବା ଶୁଖିଲା ନଡ଼ା ପୋଡ଼ାଯିବା କାରଣରୁ ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳରେ ପିଏମ-୨.୫ ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଦୀପାବଳି ପୂର୍ବରୁ ଦିଲ୍ଲୀ ବାୟୁ ମଣ୍ଡଳରେ ପିଏମ-୨.୫ର ମାତ୍ରା ୧୨୨ରୁ ୧୩୭ ହୋଇଯିବାର ସମ୍ଭାବନା ଅଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସୋମବାର କରିଥିବା ଆକଳନ ଅନୁଯାୟୀ ଆନନ୍ଦ ବିହାର ଅଂଚଳର ବାୟୁରେ ପିଏମ-୨.୫ ମାତ୍ରା ଥିଲା ୨୦୭.୭୨ । ସେହିପରି ପିଏମ-୧.୦ର ମାତ୍ରା ଥିଲା ୫୨୦ ।

 

ସେହିପରି ଆରକେ ପୁରମରେ ବାୟୁରେ ପିଏମ-୨.୫ର ମାତ୍ରା ୧୭୪.୯୫ ମାପ କରାଯାଇଥିଲାବେଳେ ଦ୍ୱାରକାରେ ୧୬୭.୪୨, ଦିଲସାଦ ଗାର୍ଡେନରେ ୧୪୧.୮୧, ଆଇଟିଓରେ ୧୩୨.୨୪, ମନ୍ଦିର ମାର୍ଗରେ ୧୧୯.୨୧ ଏବଂ ଶାଦିପୁରରେ ୨୦୮.୩୦ ରେକର୍ଡ଼ କରାଯାଇଛି । ନିରାପଦ ପିଏମ-୨.୫ ପରିମାଣଠାରୁ ଏସବୁ ପରିମାଣ ପ୍ରାୟ ଦୁଇ ଗୁଣ ଅଧିକ । ସୋମବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଉତ୍ତର ପରିସରର ବାୟୁରେ ପିଏମ-୨.୫ ପରିମାଣ ୩୩୧, ଆରକେପୁରମରେ ୧୬୧ ଓ ଆଇଜିଆଇରେ ୧୫୫ ରେକର୍ଡ଼ କରାଯାଇଛି ।

 

ଏଭଳି ସ୍ଥିତିରେ ଦିଲ୍ଲୀବାସୀ ପଦାକୁ ବାହାରିବା ସମୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମୁଖା ପିନ୍ଧିବାକୁ ଡାକ୍ତର ଓ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top