ସଫଳତାର ବିରୋଧାଭାସ

News Story - Posted on 2017-10-17

ଓଡ଼ିଶାରେ କୃଷକମାନଙ୍କ ଆୟ ଦୁଇ ଗୁଣ ହୋଇଯାଇଛି । ଏହା ସରକାରଙ୍କ ଦାବି ।

 

ଓଡ଼ିଶାରେ ପ୍ରତି ବର୍ଷ ହାରାହାରି ୩୦୦ କୃଷକ ଋଣଭାରରେ ଆତ୍ମହତ୍ୟା କରୁଛନ୍ତି । ଏହା ଗଣମାଧ୍ୟମର ରିପୋର୍ଟ ।

 

ମହିଳା ସଶକ୍ତିକରଣରେ ଓଡ଼ିଶା ଦେଶରେ ଆଗୁଆ । ଏହା ସରକାରଙ୍କ ଦାବି ।

 

ଓଡ଼ିଶାରେ ଦିନକୁ ହାରାହାରି ୭ ଜଣ ମହିଳା ଧର୍ଷଣର ଶିକାର ହୁଅନ୍ତି । ଏହା ବି ସରକାରଙ୍କ ଖାତାର ହିସାବ ।

 

ଓଡ଼ିଶାରେ ୧୭ ବର୍ଷ ଭିତରେ ଦାରିଦ୍ର୍ୟ ହାର ୪୭ ପ୍ରତିଶତରୁ ୨୮ ପ୍ରତିଶତକୁ ଖସିଛି । ଏହା ସରକାରଙ୍କ ଦାବି ।

 

ତଥାପି ଓଡ଼ିଶାର ୮୬ ଲକ୍ଷ ପରିବାର ଟଙ୍କିକିଆ ଚାଉଳ ଉପରେ ନିର୍ଭର କରନ୍ତି । ଏହା ମଧ୍ୟ ଏକ ସରକାରୀ ପରିସଂଖ୍ୟାନ ।

 

ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ଜରିଆରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ସରକାରଙ୍କ ଦାବି ।

 

ଓଡ଼ିଶାରେ ପଂଜୀକୃତ ଶିକ୍ଷିତ ବେକାରଙ୍କ ସଂଖ୍ୟା ପ୍ରାୟ ୧୧ ଲକ୍ଷ । ପ୍ରତିବର୍ଷ ଏ ସଂଖ୍ୟା ବଢ଼ି ଚାଲିଛି । ଏହା ବି ଏକ ସରକାରୀ ବିଭାଗର ସଂଖ୍ୟା ।

 

ପୁଂଜି ଆକର୍ଷଣରେ ଓଡ଼ିଶା ଦେଶରେ ତୃତୀୟ । ଏହା ସରକାର ପ୍ରସାରିତ ପରିସଂଖ୍ୟାନ ।

 

ଓଡ଼ିଶାରେ ଶିଳ୍ପ କରି ନପାରି ପୋସ୍କୋ ଓ ମିତ୍ତଲ ଫେରିଗଲେ । କୌଣସି ବୃହତ ଶିଳ୍ପ ଦୁଇ ଦଶନ୍ଧିରେ ହୋଇନାହିଁ । ଏହା ବି ଏକ ସରକାରୀ ରେକର୍ଡ଼ । ରାଜ୍ୟରେ କୌଣସି ଶିଳ୍ପ ଆଇନ ମାନି ଚାଲି ନାହିଁ । ଶ୍ରମିକମାନେ ସବୁ ଶିଳ୍ପରେ ଶୋଷଣ ଓ କଷଣ ଭୋଗ କରୁଛନ୍ତି । ତାହା ଅବଶ୍ୟ ସରକାରଙ୍କୁ ଦେଖାଯାଏନି ।

 

ଶିଶୁ ଓ ମାତୃ ମୃତ୍ୟୁହାର କମାଇବାରେ ଓଡ଼ିଶା ଦେଶରେ ଆଗରେ । ଏହା ସରକାରଙ୍କ ଦାବି ।

 

ଓଡ଼ିଶାରେ ଅନେକ ନବଜାତ ଶିଶୁ ଅଳିଆ ଗଦାରୁ ମିଳନ୍ତି । ମା’ମାନେ ରାସ୍ତାକଡ଼ରେ ପ୍ରସବ କରନ୍ତି, ସରକାରୀ ଡାକ୍ତରଖାନାରେ ତୁରନ୍ତ ଚିକିତ୍ସା ନପାଇ ମୃତ୍ୟୁବରଣ କରନ୍ତି । ଏହା ବି ଏକ ବାସ୍ତବ ଚିତ୍ର ।

 

ଦୁଇ ଦଶନ୍ଧି ଭିତରେ ଓଡ଼ିଶାର ଗାଁ ଗହଳର ବିକାଶ ହୋଇଛି, ଚିତ୍ର ବଦଳିଛି । ଏହା ସରକାରଙ୍କ ଦାବି ।

 

ଗତ ୧୦ ବର୍ଷରେ ଓଡ଼ିଶାର ଦାଦନ ଶ୍ରମିକଙ୍କ ସଂଖ୍ୟା ୧୦ ଗୁଣ ବୃଦ୍ଧି ପାଇଛି । ମନରେଗାରେ ଠିକ ସମୟରେ କାମ କି ପାଉଣା ମିଳୁ ନାହିଁ । ଏହା ସାମାଜିକ ସଂଗଠନଗୁଡ଼ିକର ପରିସଂଖ୍ୟାନ ।

 

ଦୁଇ ଦଶନ୍ଧି ଭିତରେ ପୂର୍ବ ଭାରତରେ ଓଡ଼ିଶା ହୋଇଛି ଉଚ୍ଚ ଓ ବୈଷୟିକ ଶିକ୍ଷାର ପେଣ୍ଠସ୍ଥଳ । ଏହା ସରକାରଙ୍କ ଦାବି ।

 

ଓଡ଼ିଶାର ୧ କୋଟିରୁ ଅଧିକ ଲୋକ ଏବେ ବି ନିରକ୍ଷର । ବୈଷୟିକ ଶିକ୍ଷା ସଂସ୍ଥାରେ ୮୦ ପ୍ରତିଶତ ସିଟ୍ ଖାଲି । ଉଚ୍ଚଶିକ୍ଷା କ୍ଷେତ୍ରରେ ୩୦ ପ୍ରତିଶତ ଖାଲିସ୍ଥାନ । ଏହା ବି ସରକାରଙ୍କ ପରିସଂଖ୍ୟାନ ।

 

ଋଣଗ୍ରସ୍ତ ଓଡ଼ିଶାର ନିଅଣ୍ଟିଆ ବଜେଟ ଏବେ ବଳକା । ଏହା ସରକାରଙ୍କ ଦାବି ।

 

ଗତ ୧୭ ବର୍ଷରେ ଓଡ଼ିଶାର ଋଣଭାର ୧୮,୧୦୦ କୋଟି ଟଙ୍କାରୁ ବଢ଼ିବଢ଼ି ୬୦ ହଜାର କୋଟି ଟପିଲାଣି । ଏହା ବି ଏକ ସରକାରୀ ହିସାବ ।
ଓଡ଼ିଶାରେ ଦୁର୍ନୀତିମୁକ୍ତ ଶାସନ ଚାଲିଛି । ଏହା ଶାସକ ଦଳ ନେତାମାନଙ୍କର ଦାବି ।

 

ଓଡ଼ିଶାରେ ପିସି ସରକାର ଚାଲିଛି । ଏହା ଖୋଦ ମୁଖ୍ୟମନ୍ତ୍ରୀଙ୍କର ବୟାନ ।

 

ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏହା ଏକ ସରକାରୀ ସଂଳାପ ।

 

ଓଡ଼ିଶାରେ ପ୍ରତି ଦିନ ହାରାହାରି ୪ଟି ହତ୍ୟା ଘଟଣା ଘଟୁଛି । ଏହା ପୁଲିସ ବିଭାଗର ତଥ୍ୟ ।

 

ଏସବୁ ବିରୋଧାଭାସରୁ କେଉଁଟି ସତ? କେଉଁଟି ମିଛ? ସରକାରଙ୍କ ଦାବି ସତ ନା ସରକାରଙ୍କ ପରିସଂଖ୍ୟାନ ସତ? ଶାସନ କଳ ପ୍ରଚାରିତ ଚିତ୍ର ସତ ନା ସମାଜରେ ଦେଖାଯାଉଥିବା ନିତିଦିନିଆ ଚିତ୍ର ସତ? ଏମିତି ବିରୋଧାଭାସ ସବୁ କ୍ଷେତ୍ରରେ । ଯେମିତି ପ୍ରାଚୁର୍ଯ୍ୟ ଭିତରେ ଦାରିଦ୍ର୍ୟ ଆମର ଚିର ସହଚର ସେହିପରି ସଫଳତା ଭିତରେ ବିଫଳତା ବି ଆମର ଅଧିକ ଦେହସୁଆ ।

 

ଏଇଭଳି ବିତ୍ପାତ ଓ ବିରୋଧାଭାସ ଭିତରେ ଆମର ନେତାମାନେ ଶୀଖର ଚଢ଼ନ୍ତି, କିଛି ଲୋକ କ୍ଷମତାଶାଳୀ ହୁଅନ୍ତି, କିଛି ହୁଅନ୍ତି ଧନୀ । ଲୋକମାନେ ରହିଯାଆନ୍ତି ଯୋଉ ଭକୁଆ କି ସେହି ଭକୁଆ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top