ସେନା ବାହିନୀରେ ଭୃତ୍ୟ ବ୍ୟବସ୍ଥା

News Story - Posted on 2017-10-16

ସରଳ କୁମାର ଦାସ

 

ଭାରତୀୟ ସେନା ବିଶ୍ବର ଅନ୍ୟତମ ଶକ୍ତିଶାଳୀ ପେସାଦାର ସାମରିକ ବାହିନୀ। ଏହାର ପ୍ରତ୍ୟେକ ଯବାନ ଓ ଅଫିସରଙ୍କ ଅଦମ୍ୟ ସାହସ ଓ ଶୌର୍ଯ୍ୟ ପାଇଁ ଦେଶବାସୀ ଗର୍ବୀତ। ସେନାବାହିନୀର ପରାକ୍ରମ ଓ ଉଚ୍ଚ ଶ୍ରେଣୀର ରଣକୌଶଳ ବିଶ୍ବବିଦିତ। ମାତ୍ର ଭାରତୀୟ ସେନାରେ ବ୍ୟାଟମ୍ୟାନ୍ ଭଳି ଏକ ନିନ୍ଦିତ ପ୍ରଥା, ଦେଶକୁ ଲଜ୍ଜିତ କରୁଛି। କିଛିଦିନ ତଳେ ଜଣେ ଯବାନଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ, ଏହି ବ୍ୟାଟମ୍ୟାନ୍ ପ୍ରଥା ମାଧ୍ୟମରେ ପ୍ରଶିକ୍ଷିତ ଯବାନମାନଙ୍କୁ କିପରି ଘରୋଇ ଚାକର ଭଳି ବ୍ୟବହାର କରାଯାଉଛି, ତାହା ଗଣମାଧ୍ୟମରେ ଆଲୋଚିତ ହେଲା। ଏଥିପୂର୍ବରୁ ୨୦୧୪ ମସିହାରେ ଏନଏସଜି କମାଣ୍ଡୋ ଲାନସ ନାଏକ୍ ଆର୍ ମୁରୁଗନ୍, ସେନାରେ ପ୍ରଚଳିତ ଏହି କୁପ୍ରଥା ବିରୁଦ୍ଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ।

 

ବ୍ୟାଟମ୍ୟାନ ଶବ୍ଦଟି ଫରାସୀ ଭାଷାର ଶବ୍ଦ ବ୍ୟାଟ ବାସ୍ତ ଓ ମଧ୍ୟଯୁଗୀୟ ଲାଟିନ୍ ଶବ୍ଦ ବ୍ୟାଷ୍ଟମ୍ ପ୍ୟାକସେଡଲରୁ ଆସିଛି। ଯେତେବେଳେ ସେନାବାହିନୀରେ ଯାନବାହନର ପ୍ରଚଳନ ନଥିଲା, ସାମରିକ କାର୍ଯ୍ୟରେ ଯିବା ଆସିବା କରିବା ପାଇଁ ଅଫିସରମାନେ ଘୋଡାର ବ୍ୟବହାର କରୁଥିଲେ। ଘୋଡାମାନଙ୍କ ରକ୍ଷଣାବେକ୍ଷଣ ଓ ଅଧିକାରୀଙ୍କ ୟୁନିଫର୍ମ, ଅସ୍ତ୍ରଶସ୍ତ୍ର ଆଦିର ଉପଯୁକ୍ତ ଯତ୍ନ ନେବାରେ ସହାୟତା କରିବା ପାଇଁ ଏହି ବ୍ୟାଟମ୍ୟାନମାନଙ୍କୁ ନିଯୁକ୍ତି ଦିଆଯାଉଥିଲା।

 

ପ୍ରଥମ ବିଶ୍ବଯୁଦ୍ଧ ସମୟରେ ବ୍ରିଟିଶ ସୈନ୍ୟବାହିନୀରେ ସୈନ୍ୟ-ସେବକ (ସୋଲଜର-ସର୍ଭେଣ୍ଟ) ପ୍ରଥା ଥିଲା। ପ୍ରତି ଅଫିସରଙ୍କୁ ଜଣେ ଲେଖାଏଁ ସେବକ ଦିଆଯାଉଥିଲା। ସମ୍ପୃକ୍ତ ଅଫିସର ତାଙ୍କ ଅଧୀନରେ ଥିବା ସୈନ୍ୟମାନଙ୍କ ମଧ୍ୟରୁ ଜଣକୁ ସେବକ ଭାବେ ବାଛୁଥିଲେ। ପ୍ରଥମ ବିଶ୍ବଯୁଦ୍ଧ ପରେ ଏହି ସେବାର ନାମ ବଦଳାଇ ବ୍ୟାଟମ୍ୟାନ କରାଯାଇଥିଲା। କେବଳ ଆର୍ମି ଓ ରୟାଲ ଏଆରଫୋର୍ସର ବରିଷ୍ଠ ଅଫିସରମାନଙ୍କୁ ଏହି ସେବା ଯୋଗାଇ ଦିଆଯାଉଥିଲା। ଏକାଧିକ କନିଷ୍ଠ ଅଫିସରଙ୍କ ପାଇଁ ଜଣେ ବ୍ୟାଟମ୍ୟାନ୍ ଉପଲବ୍ଧ ଥିଲେ। ବ୍ରିଟିଶ ସୈନ୍ୟବାହିନୀ ଚାଲିଗଲେ, ହେଲେ ଭାରତୀୟ ସେନାବାହିନୀରେ ଛାଡି ଦେଇଗଲେ ଔପନିବେଶିକ ମାନସିକତାରୁ ସୃଷ୍ଟ ସେହି ଘୃଣ୍ୟ ବ୍ୟାଟମ୍ୟାନ ପ୍ରଥା, ଯାହା ଏ ଯାବତ୍ ରହିଛି  ଭିନ୍ନ ଏକ ନାମ ସହାୟକ ପ୍ରଥାରେ। ଭାରତୀୟ ସେନାର ଅଫିସର, ଏପରିକି ଜୁନିଅର କମିଶନଡ୍ ଅଫିସର(ଜେସିଓ)ମାନଙ୍କୁ ମଧ୍ୟ ସହାୟକ ଯୋଗାଇ ଦିଆ ଯାଇଥାଏ। ଅବଶ୍ୟ ଏହି ପ୍ରଥା ଜଳବାହିନୀ ଓ ବିମାନବାହିନୀରେ ନାହିଁ।

 

ଆର୍ମି ନିୟମ ଅନୁସାରେ, ଜଣେ ଅଫିସରଙ୍କୁ ତାଙ୍କ ୟୁନିଫର୍ମ, ଅସ୍ତ୍ରଶସ୍ତ୍ର, ଅନ୍ୟାନ୍ୟ ଉପକରଣର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଓ ତାଙ୍କ ରେଡିଓ ଅପରେଟର ଓ ସାଥୀ (ବଡ୍ଡି) ଭାବେ କାମ କରିବା ପାଇଁ ଜଣେ ସହାୟକଙ୍କୁ ଦିଆଯାଇଥାଏ। ଏପରିକି ସୈନିକମାନଙ୍କ ସ୍ବାଭିମାନ ଓ ଆତ୍ମସମ୍ମାନରେ ଆଞ୍ଚ ଆସିଲା ଭଳି କୌଣସି ଇତର ଘରୋଇ କାର୍ଯ୍ୟରେ ଯେପରି ସହାୟକମାନେ ବ୍ୟବହୃତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ସେନାର ସମସ୍ତ ୟୁନିଟକୁ ଜଣାଇ ଦିଆଯାଇଛି। ଅର୍ଥାତ୍, ସହାୟକଙ୍କୁ ଅନ୍ୟ କୌଣସି ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରିବା କେବଳ ଅନୈତିକ ନୁହେଁ, ନିୟମ ବହିର୍ଭୁତ ମଧ୍ୟ। କିନ୍ତୁ ବିଡମ୍ବନାର ବିଷୟ ହେଉଛି, ବ୍ୟାଟମ୍ୟାନ ଭାବେ ନିୟୋଜିତ ଜଣେ ଯବାନ୍, ତା’ ଠାରୁ ଅପେକ୍ଷିତ କାର୍ଯ୍ୟ କରିବା ସହ, ଅଫିସରଙ୍କ ଘରେ ଏମିତି ଅନେକ କାର୍ଯ୍ୟ କରିଥାଏ, ଯାହା ସାଧାରଣତଃ ଘରୋଇ ଚାକରମାନେ କରିଥା’ନ୍ତି, ଯେମିତି ପରିବା କାଟିବା, ରୋଷେଇ କରିବା, ଝାଡୁପୋଛା କରିବା, ଲୁଗାପଟା କାଚିବା, ଜୋତା ପାଲିସ କରିବା, ବଗିଚା କାମ କରିବା, ପୋଷା କୁକୁରକୁ ବୁଲାଇବା, ପିଲାଙ୍କୁ ସ୍କୁଲ ନେବାଆଣିବା କରିବା ଆଦି ଯାବତୀୟ ଘରୋଇ କାମ। ଏପରିକି ସ୍ଥଳବିଶେଷରେ ଜଣେ ଜଣେ ଅତି ଉଚ୍ଚ ପଦସ୍ଥ ଅଫିସରଙ୍କ ଘରୋଇ କାର୍ଯ୍ୟରେ ସହାୟତା କରିବା ପାଇଁ ଏକାଧିକ ଯବାନ ନିୟୋଜିତ ହୋଇଥା’ନ୍ତି। ଯୁଦ୍ଧ ଲଢିବା ପାଇଁ ପ୍ରଶିକ୍ଷିତ ଜଣେ ଯବାନ୍, ଚାକର ଭଳି କାମ କଲାବେଳେ, ତା’ ସ୍ବାଭିମାନ ଆଘାତପ୍ରାପ୍ତ ହୋଇଥାଏ, ତା’ ବିବେକ ତାହା ଅନୁମୋଦନ କରି ନଥାଏ, ହେଲେ ସେ ପ୍ରତିବାଦ କରି ପାରେ ନାହିଁ। କାରଣ ସେ ଅନୁଶାସନରେ ବନ୍ଧା। ତା’ ଛଡା ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ପଦୋନ୍ନତି ନ ମିଳିବାର ଆଶଙ୍କା ସହ ଅସୁବିଧାଜନକ ଅଞ୍ଚଳକୁ ତୁରନ୍ତ ବଦଳି ହେବାର ଭୟ ରହିଥାଏ। କେତେକ ସହାୟକ ତାଙ୍କ ପରିବର୍ତ୍ତିତ ଭୂମିକାରେ ସନ୍ତୁଷ୍ଟ ଥା’ନ୍ତି, କାରଣ ଏହା ଦ୍ବାରା ସେମାନେ କଷ୍ଟ ଓ ବିପଦସଙ୍କୁଳ କାର୍ଯ୍ୟ କରିବାରୁ ବର୍ତ୍ତ ଯାଆନ୍ତି। ସାହେବଙ୍କ ଖୁବ ନିକଟରେ କାମ କରିବା ସୁଯୋଗ ପାଉଥିବାରୁ ତାହା ତାଙ୍କୁ ପରୋକ୍ଷରେ ପଦୋନ୍ନତିରେ ସାହାଯ୍ୟ କରିଥାଏ। ସ୍ଥଳବିଶେଷରେ କେହି କେହି ନିଜ ସହାୟକକୁ ଘରର ଜଣେ ସଦସ୍ୟ ଭଳି ଭଲ ବ୍ୟବହାର କରିଥା’ନ୍ତି।

 

ବ୍ୟାଟମ୍ୟାନ ଏକ ସାମନ୍ତବାଦୀ ପ୍ରଥା ଯାହା ଏକ ସାମାଜିକ ବିସଙ୍ଗତି ମଧ୍ୟ। ଦୀର୍ଘଦିନରୁ ବିଶ୍ବର ପ୍ରାୟ ସମସ୍ତ ପ୍ରମୁଖ ସୈନ୍ୟବାହିନୀ ବ୍ୟାଟମ୍ୟାନ ପ୍ରଥାକୁ ଉଚ୍ଛେଦ କରିସାରିଛନ୍ତି। ଫ୍ରାନ୍ସ ସୈନ୍ୟବାହିନୀରେ ଏମାନଙ୍କୁ ଅଡୋନାନ୍ସ କୁହାଯାଉଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆଧିକାରିକ ଭାବେ ତାହା ଉଚ୍ଛେଦ କରାଯାଇଛି। ଇଟାଲୀରେ ଏହି ପ୍ରଥା ଆଟେଣ୍ଡେଣ୍ଟି ଭାବେ ପରିଚିତ ଥିଲା, ଯାହା ୧୯୭୧ ମସିହାରୁ ଉଚ୍ଛେଦ ହୋଇଛି। ଏହା ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ବ୍ରିଟିଶ ସୈନ୍ୟବାହିନୀରୁ ଉଠେଇ ଦିଆଯାଇଛି। ବିଶ୍ବର ସର୍ବବୃହତ୍ ସୈନ୍ୟବାହିନୀ ଚୀନର ପିପୁଲସ୍ ଲିବରେସନ୍ ଆର୍ମିରେ ବ୍ୟାଟମ୍ୟାନ ପ୍ରଥା ମୂଳରୁ ନଥିଲା। ଯୁକ୍ତରାଷ୍ଟ୍ର ଆମେରିକା ସେନାବାହିନୀରେ ମଧ୍ୟ ଏହି ପ୍ରଥା ନାହିଁ। ସେଠାକାର ପ୍ରତିରକ୍ଷା ନୀତି ବିଭାଗ ଅନୁଯାୟୀ, କୌଣସି ଅଫିସର କୌଣସି ତାଲିକାଭୁକ୍ତ ସଦସ୍ୟ (ସେନାବାହିନୀର କର୍ମଚାରୀ)ଙ୍କୁ ଭୃତ୍ୟ ଭଳି ଅଫିସରଙ୍କ ବ୍ୟକ୍ତିଗତ ଲାଭ ହେଉଥିବା କାର୍ଯ୍ୟ ଓ ଅଫିସରଙ୍କ ଆଧିକାରିକ ଦାୟିତ୍ବ ନିର୍ବାହ ସହ ସମ୍ପର୍କ ନଥିବା କାର୍ଯ୍ୟରେ ବ୍ୟବହାର କରିବେ ନାହିଁ। ଏପରିକି ପାକିସ୍ତାନରେ ମଧ୍ୟ ଏହି ପ୍ରଥା ୨୦୦୪ ମସିହାରୁ ଉଚ୍ଛେଦ ହୋଇସାରିଛି। ତାଙ୍କ ସ୍ଥାନରେ ବେସାମରିକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି, ଯେଉଁମାନଙ୍କୁ ନନ୍ କମ୍ବାଟାଣ୍ଟ ବିଅରର୍’ (ଏନସିବି) କୁହାଯାଉଛି। ଅର୍ଥାତ୍, ପାକିସ୍ତାନରେ କୌଣସି ସୈନିକ, ଭୃତ୍ୟ ଭାବେ କାମ କରୁନାହାନ୍ତି।

 

ସେନାବାହିନୀରେ ମାନସିକ ଚାପ ପରିଚାଳନା ପାଇଁ ୨୦୦୮ ମସିହାରେ ବାବାସାହେବ ଭିଖେ ପାଟିଲଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା ସଂକ୍ରାନ୍ତୀୟ ସ୍ଥାୟୀ ସଂସଦୀୟ କମିଟି ଭାରତୀୟ ସେନାରୁ ସହାୟକ ପ୍ରଥା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପରାମର୍ଶ ଦେଇଥିଲେ। କମିଟି ମତରେ, ଯବାନମାନଙ୍କୁ ଦେଶସେବା କରିବା ପାଇଁ ନିଯୁକ୍ତି ମିଳିଥାଏ, ଅଫିସରମାନଙ୍କ ପରିବାର ସଦସ୍ୟମାନଙ୍କ ସେବା କରିବା ପାଇଁ ନୁହେଁ, ଯାହା ସମ୍ମାନ ହାନିକାରକ ଓ ଅପମାନଜନକ। କିଛି ଅଫିସରଙ୍କ ଦ୍ବାରା ସହାୟକ ପ୍ରଥାର ଅପବ୍ୟବହାର ହେଉଥିବାରୁ ତାହା ସୈନିକମାନଙ୍କ ମନୋବଳକୁ ତଳ ସ୍ତରକୁ ନେଉଛି।

 

ଭୂତପୂର୍ବ ସେନାଧ୍ୟକ୍ଷ ଜେନେରାଲ ଭି.କେ. ଶର୍ମା ବ୍ୟାଟମ୍ୟାନ ପ୍ରଥାକୁ ଉଠାଇ ଦେବା ସପକ୍ଷରେ ଥିଲେ। ତାଙ୍କ ମତରେ ଏହାଦ୍ବାରା ସେନାର ସମ୍ବଳ ଅଯଥାରେ ନଷ୍ଟ ହେଉଛି। କିନ୍ତୁ ସେ ସୀମାନ୍ତ ଓ ଯୁଦ୍ଧକ୍ଷେତ୍ରରେ ଅଫିସରଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବଡ୍ଡି ପ୍ରଥା ଚାଲୁରଖିବାକୁ ମତ ଦେଇଥିଲେ। ଅନେକ ବରିଷ୍ଠ ସେନା ଅଧିକାରୀ ସହାୟକ ପ୍ରଥା ଉଠିଗଲେ କିଛି ଅସୁବିଧା ନାହିଁ ବୋଲି କହୁଥିଲେ ମଧ୍ୟ ପୋଲିସ, ଅର୍ଦ୍ଧସାମରିକ ଓ ଅନ୍ୟ ବେସାମରିକ ସେବାର ଅଫିସରମାନେ ଏହି ସୁବିଧା ପାଉଥିବାରୁ, ସେମାନେ ପାଉଥିବା ସେବା ପ୍ରତ୍ୟାହୃତ ନହେଲା ପର୍ଯ୍ୟନ୍ତ ସେନାରେ ବ୍ୟାଟମ୍ୟାନ ପ୍ରଥା ଚାଲୁରଖିବାକୁ ମତ ଦେଉଛନ୍ତି। ଏ କଥା ସତ ଯେ, ପୋଲିସ ପ୍ରଶାସକ ଏବଂ ଉଭୟ ରାଜ୍ୟ ଓ କେନ୍ଦ୍ରର ପ୍ରଶାସକମାନେ ଅର୍ଦ୍ଦଳି ଓ ବିଭାଗୀୟ କର୍ମଚାରୀମାନଙ୍କୁ ଲଜ୍ଜାହୀନ ଭାବେ ଘରୋଇ କାର୍ଯ୍ୟରେ ନିୟୋଜିତ କରନ୍ତି, ଯାହା ଏକ ଦୁର୍ନୀତିଗ୍ରସ୍ତ ପ୍ରଥା। ଏହାଦ୍ବାରା ରାଜକୋଷରୁ ଅର୍ଥ ଅପଚୟ ହେଉଥିବାରୁ ତାହା ତୁରନ୍ତ ବନ୍ଦ ହେବା ଉଚିତ। ଏମାନଙ୍କୁ ଯଥେଷ୍ଟ ଅଧିକ ଦରମା ମିଳୁଥିବାରୁ, ଘରୋଇ କାର୍ଯ୍ୟରେ ସହାୟତା ପାଇଁ ଆବଶ୍ୟକତା ଥିଲେ ସେମାନେ ନିଜ ଦରମାରୁ ଖର୍ଚ୍ଚ ବହନ କରିପାରିବେ। ସ୍ବାଧୀନ ଭାରତରେ ଏଭଳି ସାମନ୍ତବାଦୀ ମାନସିକତାର କୌଣସି ସ୍ଥାନ ନଥିବାରୁ, ବେସାମରିକ ଅଧିକାରୀଙ୍କଠାରୁ ଏହି ସୁବିଧା ପ୍ରତ୍ୟାହୃତ ହେଲେ ସେନାବାହିନୀର ଅଧିକାରୀମାନେ ଆପେଆପେ ସହାୟକ ପ୍ରଥାକୁ ପରିତ୍ୟାଗ କରିପାରନ୍ତି, କାରଣ ସେମାନେ ଅଧିକ ଅନୁଶାସିତ।

 

ସାଧାରଣତଃ ସେନାବାହିନୀରେ ହେଉଥିବା ଦୁର୍ନୀତି ଓ ଅନୈତିକ କାର୍ଯ୍ୟ ସମ୍ପର୍କରେ ସାଧାରଣରେ ଆଲୋଚନା ହୋଇ ନଥାଏ। କାରଣ ତାହା ସେନାର ଭାବମୂର୍ତ୍ତିକୁ ମଳିନ କରିବା ସଙ୍ଗେସଙ୍ଗେ ତା’ର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଥାଏ। ମାତ୍ର ଥରେ ଯଦି କୌଣସି ପ୍ରସଙ୍ଗ ସାଧାରଣରେ ଆଲୋଚନା ହେବା ଆରମ୍ଭ ହେଲା, ତେବେ କୌଣସି ସମସ୍ୟା ନାହିଁ କହି ଆଖି ବନ୍ଦ କରି ଦେବା ଅପେକ୍ଷା, ସମସ୍ୟାର ସମାଧାନ କରିବା ପାଇଁ ଆନ୍ତରିକ ଉଦ୍ୟମ ହେବା ଉଚିତ। କେତେକ ସ୍ଥାନରେ ଅଫିସର-ଯବାନଙ୍କ ମଧ୍ୟରେ ସଂଘର୍ଷର ଖବର ସେନାବାହିନୀର ତଳସ୍ତରରେ ଥିବା ଅସନ୍ତୋଷକୁ ସୂଚାଉଛି। ଏହି ଅସନ୍ତୋଷର ଅନ୍ୟତମ କାରଣ ସହାୟକ ପ୍ରଥା ହୋଇଥିବାରୁ, ଏହା ତୁରନ୍ତ ଉଚ୍ଛେଦ ହେବା ଆବଶ୍ୟକ। ଅଫିସରମାନଙ୍କୁ ଘରୋଇ କାର୍ଯ୍ୟରେ ସହାୟତା ଯୋଗାଇ ଦେବାର ଆବଶ୍ୟକତା ଅନିବାର୍ଯ୍ୟ ବୋଲି ଅନୁଭୂତ ହେଉଥିଲେ, ଏଥିପାଇଁ ବେସାମରିକ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇପାରେ ବା ଅଫିସରମାନଙ୍କୁ ସ୍ବତନ୍ତ୍ର ଭତ୍ତା ଦିଆଯାଇପାରେ।

 

ଭାରତୀୟ ସେନାରେ ଯୋଗ ଦିଅନ୍ତୁ, ଦେଶର ସେବା କରନ୍ତୁ ବିଜ୍ଞାପନରେ ଆକୃଷ୍ଟ ହୋଇ ଦେଶର ସେବା କରିବା ପାଇଁ ସେନାରେ ଯୋଗ ଦେଉଥିବା ଯବାନକୁ ଅଫିସରଙ୍କ ପରିବାରର ସେବା କରିବାକୁ ହୁଏ ବୋଲି ଜାଣିବାକୁ ପାଇଲେ, ହୁଏତ ଭବିଷ୍ୟତରେ ସ୍ବାଭିମାନୀ ଓ ଆତ୍ମସମ୍ମାନବୋଧ ଥିବା ଯୁବକମାନେ ସେନାରେ ଯୋଗ ଦେବା ଲାଗି ନିଷ୍ପୃହ ହୋଇପାରନ୍ତି। ଦେଶ ଏମିତି ଏକ ପ୍ରତିରକ୍ଷାଜନିତ ସଙ୍କଟ ଆଡକୁ ଠେଲି ହୋଇଯିବା ପୂର୍ବରୁ ନୀତି ନିର୍ଦ୍ଧାରକମାନେ ଉଚିତ ପଦକ୍ଷେପ ନିଅନ୍ତୁ। ପ୍ରତିଟି ଯବାନ ସ୍ବାଭିମାନ ଓ ଆତ୍ମସମ୍ମାନର ସହ ଦେଶମାତୃକାର ସେବା କରିବାର ସୁଯୋଗ ପାଉ।

 

୪୮୬, ନୀଳକଣ୍ଠ ନଗର, ନୂଆପଲ୍ଲୀ

ଭୁବନେଶ୍ବର -୭୫୧୦୧୨

ମୋ- ୯୪୩୭୦୩୮୦୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top