ପର ଧନରେ ପଲେଇ ମା’!

News Story - Posted on 2017-10-14

ପ୍ରହଲାଦ କୁମାର ସିଂହ

ଓଡ଼ିିଶାରେ ମିଳୁଥିବା ଟଙ୍କିକିଆ ଚାଉଳକୁ ବିଜେପି ନେତାମାନେ ମୋଦି ଚାଉଳ କହୁଥିବା ବେଳେ ବିଜେଡି ନେତାମାନେ କହୁଛନ୍ତି ଏହା ନବୀନଙ୍କ ଚାଉଳ । ଏ କଳିରେ ପଶି ମାଲିକାନା ଜାହିର କରିବାକୁ ଯାଇ କଂଗ୍ରେସ ନେତାଏ କହିଲେଣି, ମୋଦି, ନବୀନ ମିଛ, ଏହା ସୋନିଆ-ମନମୋହନଙ୍କ ଚାଉଳ । ଅଭାବ ଅନଟନ, ଦାରିଦ୍ର୍ୟ, ପ୍ରାକୃତିକ ବିପର୍ଯ୍ୟୟ, ରୋଗପୋକ ପ୍ରାଦୁର୍ଭାବ, ଅଭାବୀ ବିକ୍ରିଠାରୁ ଆରମ୍ଭ କରି ଋଣଗ୍ରସ୍ତ ଅବସ୍ଥାରେ ଫସଲ ଫଳାଇ ଶେଷରେ ଆତ୍ମହତ୍ୟା ପର୍ଯ୍ୟନ୍ତ ଚରମ ପଦକ୍ଷେପ ନେଉଥିବା ଚାଷୀମାନେ କିନ୍ତୁ ଚାଷ ସହ ସମ୍ପର୍କ ତ ଦୂରର କଥା ଧାନ ଓ ବାଳୁଙ୍ଗାର ପ୍ରଭେଦ ଜାଣିନଥିବା ନେତାଙ୍କ ଚାଉଳ ରାଜନୀତି ଘେନି ଆକତାମାକତା ହୋଇଯାଉଛନ୍ତି । ଏହି ନେତାମାନଙ୍କ ଚାଉଳ କଳି ଏଭଳି ସ୍ତରକୁ ଆସିଲାଣି ଯେ ପ୍ରତିପକ୍ଷକୁ ବିବୃତ୍ତି ଯୁଦ୍ଧରେ ଆକ୍ରମଣ କରିବା ବେଳେ ଅନେକ ଭାଷା ପ୍ରୟୋଗର ଶାଳୀନତା ମଧ୍ୟ ଭୁଲି ଗଲେଣି ।

ଅନାହାର ମୃତ୍ୟୁ, ପୁଷ୍ଟିହୀନତା ଆଦିକୁ ଏଡ଼ାଇବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ଅସୁରକ୍ଷିତ ଲୋକଙ୍କୁ ଶସ୍ତାରେ ଚାଉଳ, ଗହମ ଭଳି ପ୍ରମୁଖ ଖାଦ୍ୟ ସାମଗ୍ରୀ ଯୋଗାଇବା ଲାଗି ସମଗ୍ର ଦେଶରେ ବ୍ୟବସ୍ଥା ହୋଇଛି । ଓଡ଼ିଶା ସମେତ ପ୍ରାୟ ସବୁ ରାଜ୍ୟରେ ବି ଏହି ବ୍ୟବସ୍ଥା ବହୁ ପୂର୍ବରୁ ଚାଲିଛି । ତେବେ ଏହାକୁ ନେଇ ପରଧନରେ ଧର୍ମ ଅର୍ଜନ ପାଇଁ ରାଜନୈତିକ ଛଂଚାଣମାନେ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ଏହି ଶସ୍ତା ଚାଉଳ ଗ୍ରହଣ କରୁଥିବା ଲୋକଙ୍କ ଦୈନ୍ୟ ପ୍ରତି ଉପହାସ କରି ରାଜନୈତିକ ନେତାମାନେ ଦାତାର ଦର୍ପ ପ୍ରଦର୍ଶନ ଲାଗି ଚଳାଇଛନ୍ତି ନିର୍ଲଜ ପ୍ରତିଯୋଗିତା । ଯଦି କାହାକୁ କିଛି ସାହାଯ୍ୟ ବା ଦାନ କରାଯାଏ ତାହା ଦାତା ପ୍ରକାଶ କରିଦେଲେ କୁଆଡ଼େ ଏଥିରୁ ମିଳୁଥିବା ଧର୍ମ ନାଶ ହୋଇଯାଏ ବୋଲି ବିଭିନ୍ନ ଧର୍ମ ଶାସ୍ତ୍ରମାନଙ୍କରେ କୁହାଯାଇଛି । ସେଇଥିପାଇଁ ପରା ପୁରୀ ଶ୍ରୀମନ୍ଦିର ତୋଳାଇସାରିବା ପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ତାଙ୍କ ବଂଶ ନାଶ କରିଦେବା ପାଇଁ ।

କିଛିଦିନ ତଳେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଦୃପ୍ତ କଣ୍ଠରେ ଘୋଷଣା କଲେ ଯେ ଓଡ଼ିଶାରେ ମିଳୁଥିବା ଟଙ୍କିକିଆ ଚାଉଳ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର । ଏହି ମୋଦି ଚାଉଳ ଉପରେ ରାଜ୍ୟ ସରକାର ନବୀନ ପଟ୍ଟନାୟକ ମୋହର ବସାଇ ବାହାବାଃ ନେଉଛନ୍ତି । ଗାଁରୁ ଭୁବନେଶ୍ୱର ଯାଏଁ ଟଙ୍କିକିଆ ଚାଉଳ ନବୀନ ଦେଉଛନ୍ତି ବୋଲି ବର୍ଷ ବର୍ଷ ଧରି ପ୍ରଚାର କରିଆସୁଥିବା ବିଜେଡି ନେତାମାନେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନକୁ କଡ଼ା ଭାଷାରେ ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀଙ୍କର ସଂଘୀୟ ବ୍ୟବସ୍ଥା ଉପରେ ଧାରଣା ନାହିଁ କି ମନ୍ତ୍ରୀ ନିଜ ଜମି ବାଡ଼ି ବିକି ଏଥିଲାଗି ରାଜ୍ୟକୁ ଅର୍ଥ ଦେଉନାହାନ୍ତି ବୋଲି କହିଛନ୍ତି । ବିରୋଧୀ ଦଳ ନେତା ଆଉ ପଦେ ଆଗେଇ ଯାଇ କହିଛନ୍ତି ଯେ ଏ ଟଙ୍କିକିଆ ଚାଉଳ ମୋଦି କି ନବୀନ ଦେଉନାହାନ୍ତି । ଏହା କ’ଣ ସେମାନଙ୍କର ପୈତୃକ ସମ୍ପତ୍ତି ବୋଲି ପ୍ରଶ୍ନ ଉଠାଇ ୟୁପିଏ ସରକାର ଅମଳରେ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହୋଇଥିବାରୁ ଏ ଶସ୍ତା ଚାଉଳ ମିଳୁଛି ବୋଲି ସେ କହିଛନ୍ତି । ଏଠି ଯେମିତି ନବୀନଙ୍କୁ ଟଙ୍କିକିଆ ଚାଉଳର ଦାତା ବୋଲି କୁହାଯାଉଛି ସେମିତି ଛତିଶଗଡ଼ରେ ବିଜେପି ବାଲା ସେଠାକାର ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ କୁହନ୍ତି ‘ଚାଓଲବାଲା ବାବା’ । ପ୍ରାୟ ସବୁ ରାଜ୍ୟରେ ଏମିତି ଅପପ୍ରଚାର ।

ଏ କଥା ନିଶ୍ଚିତ ଯେ ଭୋଟ ରାଜନୀତିରେ ଭୂତାଇବା ପାଇଁ ଟଙ୍କିକିଆ ଚାଉଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ବିଧାନସଭାର ଗତ ମୌସୁମୀ ଅଧିବେଶନ ସମୟରେ ସରକାର ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ କୁହାଯାଇଛି ଯେ ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟର ଜନସଂଖ୍ୟା ୪,୧୯,୭୪,୨୧୮ ଥିବା ବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୮୬,୩୨,୮୮୪ ହିତାଧିକାରୀ ପରିବାରର ୩,୨୩,୬୮,୯୩୬ ଲୋକଙ୍କୁ ସାମିଲ କରାଯାଇ ରେସନ କାର୍ଡ ଦିଆହୋଇଛି । କେବଳ ସେତିକି ନୁହେଁ ୬,୮୦,୮୫୩ ରେସନ କାର୍ଡକୁ ବାତିଲ କରାଯାଇଛି । ତେବେ ରାଜ୍ୟର ଜନସଂଖ୍ୟା ବର୍ତ୍ତମାନ ୪ କୋଟି ୪୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ତାହାର ୭୩ ପ୍ରତିଶତ ଟଙ୍କିକିଆ ଚାଉଳ ଯୋଜନାରେ ସାମିଲ ହୋଇଥିବା କଥା ବିଧାନସଭାର ଗତ ବଜେଟ ଅଧିବେଶନ ସମୟରେ ସରକାର ଦେଇଥିବା ତଥ୍ୟରୁ ସ୍ପଷ୍ଟ । ଓଡ଼ିଶା ସରକାରଙ୍କ ସର୍ବଶେଷ ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟର ମାତ୍ର ୩୨.୬ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ଅର୍ଥାତ ସର୍ବଶେଷ ଜନଗଣନା ଆଧାରରେ ପ୍ରାୟ ୧ କୋଟି ୩୭ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ । ତେବେ ଟଙ୍କିକିଆ ଚାଉଳ ପାଇଁ କିନ୍ତୁ ୩ କୋଟି ୨୩ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇସାରିଥିବା ବେଳେ ଏହି ସଂଖ୍ୟା ଆହୁରି ଅଧିକ ବଢ଼ାଇବା ପାଇଁ ସରକାର ଚାହୁଁଛନ୍ତି । ସରକାରଙ୍କ ଯୁକ୍ତି ହେଉଛି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ଛଡ଼ା ଆହୁରି ଅନେକ ବି ଖାଦ୍ୟ ଦୃଷ୍ଟିରୁ ଅସୁରକ୍ଷିତ ଥିବା ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ମାନଦଣ୍ଡ ଆଧାରରେ ଅଧିକରୁ ଅଧିକ ଲୋକଙ୍କୁ ଟଙ୍କିକିଆ ଚାଉଳ ଯୋଜନାରେ ସାମିଲ କରାଚାଲିଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆଧାରରେ ପ୍ରତି ହିତାଧିକାରୀଙ୍କୁ ମାସିକ ମୁଣ୍ଡପିଛା ୫ କିଲୋ ଚାଉଳ କିମ୍ବା ଗହମ ଅଥବା ଉଭୟ ଯୋଗାଇ ଦିଆଯିବାର ବ୍ୟବସ୍ଥା ଅଛି । ସେହିପରି ଅନ୍ତ୍ୟୋଦୟ ଅନ୍ନ ଯୋଜନା ପରିବାରଙ୍କୁ କିଲୋ ଟଙ୍କାଏ ଦରରେ ମାସିକ ୩୫ କିଲୋ କରି ଚାଉଳ ଦେବାର ପ୍ରାବଧାନ ରହିଛି । କେନ୍ଦ୍ର ସରକାର ଏଥିଲାଗି ରାଜ୍ୟକୁ କିଲୋ ୩ ଟଙ୍କାରେ ଚାଉଳ ଓ ୨ ଟଙ୍କାରେ ଗହମ ଯୋଗାଉଥିବା ବେଳେ ରାଜ୍ୟ ସରକାର ଏହାକୁ ହିତାଧିକାରୀଙ୍କ ନିକଟରେ କିଲୋ ଟଙ୍କାଏରେ ପହଂଚାଉଛନ୍ତି ।

ରାଜ୍ୟ ବିଧାନସଭାର ଗତ ବଜେଟ ଅଧିବେଶନ ସମୟରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଆଧାରରେ କେନ୍ଦ୍ର ସରକାର ଟଙ୍କିକିଆ ଚାଉଳ ପାଇଁ କିଲୋ ପିଛା ୨୭ ଟଙ୍କା ୯୪ ପଇସା ବହନ କରୁଥିବା ବେଳେ ରାଜ୍ୟ ସରକାର ଦେଉଛନ୍ତି ଦୁଇ ଟଙ୍କା । ବର୍ଷର ପ୍ରଥମ ତିନିମାସରେ ଓଡ଼ିଶାକୁ କେନ୍ଦ୍ର ଯୋଗାଇଥିଲା ୪,୬୦,୪୧୪ ମେଟ୍ରିକ ଟନ ଚାଉଳ । ଏହି ହାରରେ ଚାଉଳ ଆସୁଥିଲେ ବର୍ଷକୁ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୫,୧୪୫ କୋଟି ୫୮ ଲକ୍ଷ ଟଙ୍କାର ସବସିଡି ବହନ କରୁଛନ୍ତି । ରାଜ୍ୟ ସରକାରଙ୍କ ସବସିଡିକୁ ମିଶାଇଲେ ଏହି ପରିମାଣ ବାର୍ଷିକ ୫,୫୧୪ କୋଟି ଟଙ୍କା ହେବ । ୨୦୧୦-୧୧ରୁ ୨୦୧୪-୧୫ ପର୍ଯ୍ୟନ୍ତ ୫ ବର୍ଷରେ ଏହି ଶସ୍ତା ଚାଉଳ ପାଇଁ ଓଡ଼ିଶା ଲାଗି କେନ୍ଦ୍ର ସରକାର ୧୪,୯୬୦ କୋଟି ଟଙ୍କାର ସବସିଡି ଦେଇଥିବା ବେଳେ ରାଜ୍ୟ ସରକାର ଦେଇଛନ୍ତି ୫,୫୭୩ କୋଟି ଟଙ୍କାର ସବସିଡି । ମୋଟାମୋଟି ଭାବେ ଉକ୍ତ ୫ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓଡ଼ିଶାରେ ଟଙ୍କିକିଆ ଚାଉଳ ପାଇଁ ରିହାତି ଦେଇଛନ୍ତି ୨୦,୫୩୩ କୋଟି ୮୯ ଲକ୍ଷ ଟଙ୍କାର ବୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଟଙ୍କିକିଆ ଚାଉଳ ପାଇଁ ରାଜକୋଷରୁ ରିହାତି ବାବଦରେ ଯେଉଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରାଯାଉଛି ତାହା ଚାଷୀ ତଥା ଜନସାଧାରଣଙ୍କ ଟିକସ ଲବ୍ଧ ଅର୍ଥରୁ ଆସୁଛି । ଏହା କୌଣସି ରାଜନୈତିକ ନେତା କିମ୍ବା ଦଳର ପାଣ୍ଠିରୁ ଆସୁନାହିଁ । ତେଣୁ ଯେଉଁ ନେତା ଓ ଦଳମାନେ ଟଙ୍କିକିଆ ଚାଉଳର ମାଲିକ ବୋଲି ଚଢ଼ା ଗଳାରେ ଦାବି କରୁଛନ୍ତି ସେମାନେ ଯେ ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

ରାଜ୍ୟରେ ଦାରିଦ୍ର୍ୟ ଦ୍ରୁତଗତିରେ ହ୍ରାସ ପାଇ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ହାର ୩୨.୬ ପ୍ରତିଶତରେ ପହଂଚିଛି ବୋଲି ରାଜ୍ୟ ସରକାରଙ୍କ ସଫଳତାର ଦାବିକୁ ସତେ ଯେମିତି ଟଙ୍କିକିଆ ଚାଉଳର ହିତାଧିକାରୀ ତାଲିକାରେ ୩ କୋଟି ୨୩ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ସାମିଲ କରାଯିବାର ପରିସଂଖ୍ୟାନ ଫିକା ପକାଇ ଦେଉଛି । ୨୦୧୩ ମସିହାରେ କେନ୍ଦ୍ର ସରକାରଙ୍କ ରଘୁରାମ ରାଜନ କମିଟି ରିପୋର୍ଟରେ ଓଡ଼ିଶା ଦେଶର ସବୁଠାରୁ ଅନଗ୍ରସର ରାଜ୍ୟ ଭାବେ ଚିହ୍ନଟ ହୋଇଥିଲା । ଏଣେ ରାଜ୍ୟରେ କିଛି ମନ୍ତ୍ରୀ କହିଛନ୍ତି ଓଡ଼ିଶା ଗରିବ ନୁହେଁ, ଅନଗ୍ରସର । ତେଣୁ ଆଗକୁ ବଢ଼ିବା ଲାଗି ଆହୁରି ଅଧିକ ଟଙ୍କିକିଆ ଚାଉଳ ଦରକାର । ଅଯୋଗ୍ୟ ବ୍ୟକ୍ତିଙ୍କୁ ଟଙ୍କିକିଆ ଚାଉଳ ଦିଆଯିବା ଯୋଗୁ କର୍ମ ସଂସ୍କୃତି ଓ ଉତ୍ପାଦନ କେତେ ପ୍ରଭାବିତ ହେଉଛି ଏବଂ ଏଥିସହ ତାଳଦେଇ ମଦ ଓ ଅନ୍ୟାନ୍ୟ ନିଶା ପ୍ରସାରଣ କେତେ ବଢ଼ୁଛି ତାହାର ଉତ୍ତର କିନ୍ତୁ କୁହାଳିଆ ନେତାମାନଙ୍କ ପାଖରେ ନାହିଁ ।

ଏବେ ଚାଷୀମାନେ ପ୍ରଶ୍ନ କଲେଣି ଟଙ୍କିକିଆ ଚାଉଳର ୧୦ ଟଙ୍କିଆ ଦୁର୍ନୀତି ଓ ଘୃଣ୍ୟ ରାଜନୀତିକୁ ନେଇ । କିଲୋ ପିଛା କେନ୍ଦ୍ର ସରକାର ୨୭ ଟଙ୍କା ୯୪ ପଇସା ବହନ କରୁଥିବା ବେଳେ ରାଜ୍ୟର ୨ ଟଙ୍କା ଓ ହିତାଧିକାରୀ କିଣୁଥିବା ଟଙ୍କାଏକୁ ମିଶାଇଲେ ଏହି ଟଙ୍କିକିଆ ଚାଉଳର କିଲୋପିଛା ଦର ହେଉଛି ୩୦ ଟଙ୍କା ୯୪ ପଇସା ବା ୩୧ ଟଙ୍କା । ଯେଉଁ ମାନର ଟଙ୍କିକିଆ ଚାଉଳ ଯୋଗାଯାଉଛି ତାହା ଖୋଲା ବଜାରରେ କିଲୋ ୨୦ରୁ ୨୨ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ କଳା ବଜାରରେ ୧୦ରୁ ୧୫ ଟଙ୍କାରେ ମିଳୁଛି । ତେବେ ସଂଖ୍ୟାଧିକ ଚାଷୀ ପରିବାର ତଥା ସାଧାରଣ ଲୋକଙ୍କ ମଧ୍ୟରୁ ୭୩ ପ୍ରତିଶତରୁ ଅଧିକଙ୍କୁ ଯୋଗାଇବା ପାଇଁ ଏହି ଚାଉଳର କିଲୋ ପ୍ରାୟ ୩୧ ଟଙ୍କା ହେଉଛି କିପରି? ଏହି ଗୋଲକ ଧନ୍ଦା ପଛରେ ଯେ ବଡ଼ ଧରଣର ଘୋଟାଲା ରହିଛି ଏବଂ ବାର୍ଷିକ ଆମ ରାଜ୍ୟରେ ପ୍ରାୟ ୨୦୦୦ କୋଟି ଟଙ୍କାର ଦୁର୍ନୀତି ବିଭିନ୍ନ ସ୍ତରରେ ହେଉଛି ବୋଲି ଅର୍ଥନୀତି ବିଶାରଦମାନେ ଆଶଙ୍କା କରୁଛନ୍ତି । ସାରା ଦେଶରେ ଏ ଘୋଟାଲାର ପରିମାଣ କେତେ? ତେବେ ଯେଉଁସବୁ ରାଜନୈତିକ ଦଳ ଓ ତାହାର ନେତାମାନେ ନିଜକୁ ଟଙ୍କିକିଆ ଚାଉଳର ଦାତା ବୋଲି ଦାବି କରୁଛନ୍ତି ସେମାନେ ଏ ମହାଘୋଟାଲାରୁ କେତେ ପ୍ରତିଶତ ଅର୍ଥ ଚଳୁ କରୁଛନ୍ତି ତାହାର କିନ୍ତୁ କେହି ହିସାବ ଦେବାକୁ ନାରାଜ । ଏ ଟଙ୍କିକିଆ ଚାଉଳ ମୋଦିଙ୍କର ନୁହେଁ କି ନବୀନଙ୍କର ନୁହେଁ, କି ଆଉ କେଉଁ ରାଜନେତାଙ୍କ ବିଲର ନୁହେଁ, ଏ ଚାଉଳ ହେଉଛି ଚାଷୀଙ୍କର ।

ସାରା ଦେଶରେ ଶସ୍ତା ଚାଉଳ ପାଇଁ ବାର୍ଷିକ ଲକ୍ଷାଧିକ କୋଟି ଟଙ୍କା ସବସିଡି ଆକାରରେ ଖର୍ଚ୍ଚ ହେଉଛି । ପ୍ରକୃତ ଅଭାବୀ, ଅର୍ଦ୍ଧାହାର ଓ ଅନାହାର ପୀଡ଼ିତ ପରିବାରକୁ ଶସ୍ତାରେ କାହିଁକି ମାଗଣାରେ ଚାଉଳ ଦେଇ ସେମାନଙ୍କୁ କାର୍ଯ୍ୟକ୍ଷମ କରାଗଲେ ଭଲ ହୁଅନ୍ତା । କିନ୍ତୁ ବହୁ ସମ୍ପନ୍ନ ଲୋକଙ୍କୁ ରାଜନୈତିକ ବାଧ୍ୟବାଧକତାରେ ଟଙ୍କିକିଆ ଚାଉଳ ବଣ୍ଟାଯାଉଛି । କେଉଁଠି ମହାନଗର ନିଗମର ଅଧ୍ୟକ୍ଷା ତ କେଉଁଠି ବିଧାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏମିତିକି ମୋଟା ଦରମା ପାଉଥିବା ସରକାରୀ ଚାକିରିଆଙ୍କ ପରିବାର ଟଙ୍କିକିଆ ଚାଉଳ ଲୁଟିରେ ସାମିଲ ହେବାର ବହୁ ନଜିର ଅଛି । ଏଠି ତ ଭୂତଙ୍କ ନାମରେ ଭତ୍ତା ବରବାଦ, ସଧବାକୁ ବିଧବା ପେନସନ, ଯୁବକଙ୍କୁ ବାର୍ଦ୍ଧକ୍ୟଭତ୍ତା, ସକ୍ଷମକୁ ଅକ୍ଷମ ପେନସନ, କୋଟିପତିଙ୍କୁ ଇନ୍ଦିରା ଆବାସ ଘର ଆଦି ଦିଆଯିବା ଘେନି ବହୁ ପ୍ରାମାଣିକ ତଥ୍ୟ ସିଏଜି ରିପୋର୍ଟରେ ପ୍ରକାଶ ପାଇଛି । ଚାଷୀଙ୍କ ଝାଳବୁହା ଧନ ଓ ଟିକସଦାତାଙ୍କ ଅର୍ଥରେ ଗଢ଼ା ରାଜକୋଷକୁ ରାଜନୀତି ପାଇଁ ଲୁଟି ଚାଲିଛି । ଗଣତାନ୍ତ୍ରିକ ବ୍ୟବସ୍ଥା ସତେ ଯେମିତି ପାଲଟିଛି ଗଣଦୁର୍ନୀତିର ମହାମଂଚ । ଟଙ୍କିକିଆ ଚାଉଳର ହୀନ ରାଜନୀତି ହେଉଛି ଏହାର ଏକ ନଗ୍ନ ଉଦାହରଣ ମାତ୍ର । ଏହାକୁ ସୁଧାରିବ କିଏ?

ସଭାପତି, ମହାତ୍ମା ଗାନ୍ଧୀ ବିଚାର ମଂଚ
ମୋ- ୯୪୩୭୦୧୭୩୯୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top