ବଂଚିଥିଲେ କହିଥାନ୍ତେ ରଘୁନାଥ

News Story - Posted on 2017-10-14

ବୈଷ୍ଣବ ଜେନା

କିଛିଦିନ ତଳେ ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲେ ପାଖାପାଖି ୫୦ଜଣ ରାଜ୍ୟସ୍ତରୀୟ ସାମ୍ବାଦିକ । ବ୍ୟୁରୋ ଅଫ୍ ପାର୍ଲାମେଣ୍ଟାରୀ ଷ୍ଟଡିଜ୍ (ବି.ପି.ଏସ୍.ଟି) ପକ୍ଷରୁ ଏକ ତିନିଦିନିଆ କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇଥିଲେ । ଶେଷଦିନ ସେମାନେ ଜାତିର ଜନକ ତାଙ୍କ ଶେଷ ସମୟ ବିତାଇଥିବା ବିରଳା ଭବନ ଯାଇଥିଲେ । ଏହି ସାମ୍ବାଦିକମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ସେହି ପୂଣ୍ୟସ୍ଥଳର ବିଭିନ୍ନ ସ୍ଥାନ ବୁଲିବା ଉପରେ ଗୁରୁତ୍ୱ ଦେଇଥିଲା ବେଳେ ଆମ୍ଭ ସମେତ କିଛି ସାମ୍ବାଦିକ ବିରଳା ଭବନର ଲନ୍କୁ ସମସ୍ତ କଟକଣା ସତ୍ତେ୍ୱ ଯାଇଥିଲେ । ସମସ୍ତେ ସେହି ଭୂମିକୁ ପ୍ରଣାମ ଜଣାଇଥିଲେ । ସେହି ଭୂମିଷ୍ଟ ପ୍ରଣାମ ଜାତିର ଜନକଙ୍କ ପାଇଁ ଯେତିକି ଉଦ୍ଦିଷ୍ଟ ଥିଲା, ସେତିକି ମଧ୍ୟ ଉଦ୍ଦିଷ୍ଟ ଥିଲା ବୀର ପୁରୁଷ ରଘୁନାଥ ନାୟକଙ୍କ ପ୍ରତି । ହୋଇପାରନ୍ତି ରଘୁନାଥ ଜଣେ ଅନାମଧ୍ୟେୟ ବ୍ୟକ୍ତି, ମାତ୍ର ତାଙ୍କର କାର୍ଯ୍ୟ ଥିଲା ଅତ୍ୟନ୍ତ ମହାନ୍, ଏ୍ୟ÷ତିହାସିକ, ଦୁଃସାହସିକ, ଉଲ୍ଲେଖନୀୟ ତଥା ଅବିଶ୍ୱସନୀୟ । ଓଡ଼ିଶାରେ ତାଙ୍କୁ କାଁ ଭାଁ ଲୋକ ଜାଣିଛନ୍ତି । ସ୍ୱାଧୀନତା ସଂଗ୍ରାମ ଏବଂ ବାପୁଙ୍କ ଉପରେ ବହୁ ବହି ଲେଖାଗଲାଣି, ବହୁ ସିନେମା ଓ ଟିଭି ସିରିଏଲ୍ ହେଲାଣି, ମାତ୍ର ଏହି ବୀର ପୁରୁଷକୁ ଯଥୋଚିତ ସ୍ଥାନ ମିଳିନାହିଁ । ତାଙ୍କ ଦୁଃସାହାସିକ କାର୍ଯ୍ୟ ଓ ପ୍ରଭୁ ଭକ୍ତି ଲୋକଲୋଚନକୁ ଆସିପାରିନାହିଁ ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ଜାଗୁଳେଇପଡ଼ା ଗ୍ରାମ । ସେହିଠାରେ ଜନ୍ମ ହୋଇଥିଲେ ରଘୁନାଥ ନାୟକ । ପେଟପାଟଣା ପାଇଁ ସେ ବାଛି ନେଇଥିଲେ ବିରଳା ହାଉସ୍ରେ ମାଳିକାମକୁ । ମାତ୍ର ତାଙ୍କ ଉଦ୍ଦେଶ୍ୟ ଥିଲା ଭିନ୍ନ - ଅର୍ଥାତ ମହାତ୍ମା ଗାନ୍ଧୀଙ୍କ ସେବକ ହୋଇ ରହିବା ଏବଂ ପ୍ରତ୍ୟେକ ଦିନ ସେହି ଜୀଅନ୍ତା ଭଗବାନଙ୍କୁ ଦେଖିବା । ପ୍ରତ୍ୟେକ ଦିନ ପରି ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ସକାଳେ ସେ ମଧ୍ୟ ତାଙ୍କ କାମରେ ଲାଗି ପଡ଼ିଥିଲେ । ଶୀତ ଛାଡି ନଥାଏ - ସେ ବଗିଚା କାମରେ ବ୍ୟସ୍ତ ଥାଆନ୍ତି, ହାତରେ ଥାଏ ଖୁରୁପି, ଏକ ଘାସ ଚଞ୍ଛା ଯନ୍ତ୍ର । ଦୃଷ୍ଟିଥାଏ ମହାତ୍ମାଙ୍କ ପ୍ରାର୍ଥନା ସଭା ଉପରେ । ଏହି ସମୟରେ ଗୁଳି ଫୁଟିବା ଶବ୍ଦ ଶୁଣି ଚମକି ପଡ଼ିଲେ ଏବଂ ନାଥୁରାମ ଗଡ଼ସେ ପିସ୍ତଲ ଧରି ଗୁଳି କରୁଥିବାର ରଘୁନାଥ ଦେଖିଲେ । ଗୁଳି ମାଡ଼ ପରେ ମହାତ୍ମା ଗାନ୍ଧୀ ତଳେ ପଡ଼ିଥିବା ବେଳେ ସେହି ପ୍ରାର୍ଥନା ସଭାରେ ଥିବା ନରନାରୀମାନେ ଛିନ୍ଛତ୍ର ଦେଲେ, ଜୀବନ ବିକଳରେ ଦୌଡ଼ିଲେ, କେହି ପାଖରେ ରହିଲେ ନାହିଁ । ମାତ୍ର ଯୁବକ ରଘୁନାଥ ଡରିବା ଲୋକ ନୁହଁନ୍ତି - ସେ ଶିକାରୀ ସିଂହ ପରି ନରହନ୍ତା ନାଥୁରାମଙ୍କ ଉପରକୁ ଲମ୍ଫ ପ୍ରଦାନ କରିଥିଲେ । ଦୁଇଜଣଙ୍କ ମଧ୍ୟରେ (ନାଥୁରାମ ଓ ରଘୁନାଥ) ଗଡ଼ାପଡ଼ା ଲାଗିଥିଲା । ରାଜକନିକା ଆଂଚଳିକ ଭାଷାରେ କଛାମୁଠି ଲାଗିଥିଲା । ବଳବାନ୍ ରଘୁନାଥ ତାଙ୍କର ସାମର୍ଥ୍ୟରେ ନାଥୁରାମଙ୍କୁ କାବୁ କରି ନେଇଥିଲେ । ତେବେ ପିସ୍ତଲଧାରୀ ନାଥୁରାମ ସସମ୍ମାନେ କହିଥିଲେ - ତୁମେ ମୋର ଲକ୍ଷ୍ୟ ନୁହେଁ, ମୋର ଲକ୍ଷ୍ୟରେ ଯିଏ ଥିଲେ ତାଙ୍କୁ ମୁଁ ଗୁଳିକରିଛି । ଏହାପରେ ଅନ୍ୟ କେତେକ ଲୋକ ନାଥୁରାମଙ୍କୁ ଧରିନେଇଥିଲେ । ନାଥୁରାମଙ୍କ ସହଯୋଗୀମାନଙ୍କୁ ମଧ୍ୟ ରଘୁନାଥ ଚିହ୍ନି ନେଇଥିଲେ । ଲୁହଭରା ଆଖିରେ ଛାତିଫଟା ଚିକ୍ରାର କରି ସେମାନଙ୍କୁ ଧରିବା ପାଇଁ ଡାକ ପକାଇଥିଲେ ।

ଦୁର୍ଭାଗ୍ୟର କଥା ହେଉଛି ଯେ, ରଘୁନାଥ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ୧୯୮୬ ମସିହା ପର୍ଯ୍ୟନ୍ତ ଏହି କଥା କହି ଚାଲିଥିଲେ ବି କେହି ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ । ବିଶ୍ୱାସ କରିନଥିଲେ ଦୀର୍ଘ ୩୮ ବର୍ଷ ଧରି ତାଙ୍କର ସେହି ବୀରତ୍ୱପୂର୍ଣ୍ଣ କାହାଣୀକୁ ଲୋକେ ହସରେ ଉଡ଼ାଇଦେବା ଯେତିକି ଦୁଃଖଦାୟକ, ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ପରେ ହୋଇଥିବା ତଦନ୍ତ ତାଙ୍କୁ ଏଡ଼ାଇଦେବା ସେତିକି ଦୁର୍ଭାଗ୍ୟଜନକ ।

ତେବେ ସତ୍ୟ କେତେ ଲୁଚି ରହେନାହିଁ । ରଘୁନାଥଙ୍କ ମୃତ୍ୟୁର ୬ ବର୍ଷ ପରେ ତାହାର ପ୍ରମାଣ ମିଳିଲା । ୧୯୯୨ ମସିହାରେ ଭାରତୀୟ ଜନସଂଘ ପକ୍ଷରୁ “ନାଥୁରାମ ବୋଲତେ” ନାମକ ଏକ ଗୁଜୁରାତି ନାଟକରେ ରଘୁନାଥଙ୍କ ଚରିତ୍ର ସ୍ଥାନ ପାଇଥିଲା । ତାହା ପୂର୍ବରୁ ଅନ୍ୟ କୌଣସି ଲେଖକ ରଘୁନାଥଙ୍କ ପ୍ରସଙ୍ଗରେ ଲେଖିନଥିଲେ । ଏପରିକି ବିଶ୍ୱରେ ସର୍ବର୍ାଧିକ ଆଦୃତ ଓ ପ୍ରଶଂସିତ ରିଚାର୍ଡ ଆଟେନ୍ବିରୋଙ୍କ ଚଳଚ୍ଚିତ୍ର ‘ଗାନ୍ଧୀ’ରେ ତାହା ପ୍ରଦର୍ଶିତ ହୋଇନଥିଲା । ଗୁଜୁରାଟ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ “ନାଥୁରାମ ବେଲତୋ”ର ମଂଚ ପ୍ରଦର୍ଶନ ପରେ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା । ତେବେ ସେତେବେଳେ ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ପ୍ରସାରିତ “ଆଜିର ଓଡ଼ିଶା” ସାପ୍ତାହିକ କାର୍ଯ୍ୟକ୍ରମରେ ତାହା ପ୍ରସାରିତ ହେଲାପରେ ଓଡ଼ିଶାବାସୀ କିଛି ପରିମାଣରେ ରଘୁନାଥଙ୍କ କଥା ଜାଣିବାକୁ ପାଇଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏପରିକି ସେ ବାରମ୍ବାର କହୁଥିବା “କଳିଙ୍ଗା ସାହାସିକାଃ” ଉକ୍ତିର ପ୍ରମାଣ ରଘୁନାଥ ବୋଲି ବିଜୁ ବାବୁ କହିଥିଲେ । ଦୁଃଖର କଥା ହେଉଛି ଯେ, ମହାତ୍ମା ଗାନ୍ଧୀଙ୍କର ବହୁ ସେବକ, ଅନୁଗାମୀ, ସହଚର ଓ ପ୍ରଶଂସକମାନଙ୍କୁ ସଂଗ୍ରାମୀ ମାନ୍ୟତା ଦିଆଯାଇଥିଲା ବେଳେ ରଘୁନାଥ ସମସ୍ତଙ୍କ ଆଢୁଆଳରେ ରହିଗଲେ । ତାଙ୍କ ପୁଅର ଅକାଳ ମୃତ୍ୟୁ ଘଟିଥିବା ବେଳେ ରଘୁନାଥଙ୍କ ବିଧବା ପତ୍ନୀ ଓ ବୋହୂ ଏବେ ବି ଅଛନ୍ତି । ତାଙ୍କୁ ସରକାରୀ ସାହାଯ୍ୟ ନାହିଁ - ମାନ୍ୟତା ନାହିଁ - ଗରିବି ହିଁ ଗରିବି । ରଘୁନାଥଙ୍କ ପତ୍ନୀଙ୍କୁ ବିବାହିତା ଝିଅ ହିଁ ସାହାରା ।

୧୯୮୬ ପୂର୍ବରୁ କଟକ ଜିଲ୍ଲା ପ୍ରଶାସନ କିମ୍ବା ପରବର୍ତ୍ତୀ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ରଘୁନାଥଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ପାଇଁ ସୁପାରିଶ କରିନଥିଲା । ଏପରିକି ରାଜ୍ୟ କିମ୍ବା ଜାତୀୟ ସ୍ତରରେ ଥିବା ସ୍ୱାଧୀନତା ସଂଗ୍ରାମୀ ସଂଘ ମଧ୍ୟ ଆବଶ୍ୟକୀୟ ସୁପାରିଶ କରିନାହିଁ । ତେଣୁ ରଘୁନାଥଙ୍କୁ ସଂଗ୍ରାମୀ ମାନ୍ୟତା ମିଳିଲା ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ମହାତ୍ମାଙ୍କୁ ହତ୍ୟାପରେ ସେ ସମୟରେ ଦେଶରେ ବଡ଼ ଧରଣର ପୋଲିସ୍ ଏବଂ ଆଇନ୍ଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଚାର ଶେଷରେ ନାଥୁରାମ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଏହାକୁ ବହୁଲୋକ ସ୍ୱାଗତ କରିଥିଲେ । ମାତ୍ର ସେହି ପ୍ରକ୍ରିୟାରେ ବା ତଦନ୍ତ ପ୍ରକ୍ରିୟାରେ ରଘୁନାଥଙ୍କୁ ସାମିଲ୍ କରାଗଲା ନାହିଁ । ସେହି ଦୃଷ୍ଟିରୁ ଉକ୍ତ ପ୍ରକ୍ରିୟା ଅଧାପନ୍ତରିଆ କହିଲେ ଭୁଲ୍ ହେବନାହିଁ । ରଘୁନାଥ ସବୁ ସତକଥା କହିବାକୁ ପ୍ରସ୍ତୁତ ଥିଲେ ବୋଲି କହି ବୁଲୁଥିଲେ ।

ସାମଗ୍ରିକ ଭାବେ ରଘୁନାଥଙ୍କ ପ୍ରସଙ୍ଗ ଏବେ ଅବତାରଣା କରିବାର ଏକ ଉଦ୍ଦେଶ୍ୟ ଅଛି । କାରଣ ଏବେ ମହାତ୍ମା ଗାନ୍ଧୀଙ୍କୁ ଗୁଳିମାଡ଼ ସମ୍ପର୍କରେ ଦେଶରେ ଉଷ୍ଣ ବାତାବରଣ ସୃଷ୍ଟି ହୋଇଛି । ବିଶେଷ କରି ବାପୁଙ୍କୁ ୪ଟି ଗୁଳିମାଡ଼ ହୋଇଥିବା କଥା ଡାକ୍ତରୀ ରିପୋର୍ଟ ଅଛି, ଅପରପକ୍ଷରେ ନାଥୁରାମ ତିନୋଟି ଗୁଳି ମାରିଥିବାର ପ୍ରମାଣର ଅଛି । ସେହି ଚତୁର୍ଥ ଗୁଳିଟିକୁ କିଏ ମାରିଥିଲେ ବୋଲି ଖୋଳତାଡ ହୋଇଛି । ଏଥିପାଇଁ ମାମଲା ସୁପ୍ରିମକୋର୍ଟକୁ ଯାଇଛି । ଯଦି ଏପରି ଏକ ମାମଲା ୧୯୮୬ ପୂର୍ବରୁ ହୋଇଥାଆନ୍ତା ଏବଂ ସେଥିରେ ରଘୁନାଥଙ୍କୁ ପକ୍ଷଭୁକ୍ତ କରାଯାଇ ତଦନ୍ତ କରାଯାଇଥାଆନ୍ତା, ତେବେ ଅସଲ କଥା ପଦାକୁ ଆସିଥାଆନ୍ତା, କାରଣ ସେ ହିଁ ଥିଲେ ଜ୍ୱଳନ୍ତ ପ୍ରମାଣ, ଜୀଅନ୍ତା ସାକ୍ଷୀ - ସେ କହିଥାଆନ୍ତେ ଆଖି ଦେଖା କଥା ।

ଆଉ ଏକ ଦୁଃଖପୂର୍ଣ୍ଣ ଘଟଣା ହେଉଛି ରଘୁନାଥଙ୍କ ସ୍ମୃତି ରକ୍ଷା କରିବା ପାଇଁ କୌଣସି ଭାରତୀୟ ଆଗେଇ ଆସିନାହାଁନ୍ତି । ରାଜକନିକା ଭଳି ପଲ୍ଲୀରୁ ମହାନଗରୀ ଦିଲ୍ଲୀ ପର୍ଯ୍ୟନ୍ତ କୌଣସି ଉଦ୍ୟମ ହୋଇନାହିଁ । ମାତ୍ର ଜଣେ ୟୁରୋପୀୟ ଗବେଷକ କିଛିଦିନ ତଳେ ନିଜ ହାତରୁ ପଇସା ଖର୍ଚ୍ଚ କରି ଜାଗୁଳାଇପଡ଼ାଠାରେ ଏକ କ୍ଷୁଦ୍ର ସ୍ମୃତିସ୍ତମ୍ଭ ସ୍ଥାପନ କରିଛନ୍ତି ।

ସାମ୍ବାଦିକ, ମୋ-୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top