ସ୍ମୃତିଙ୍କ ସ୍ମୃତିନାଶ!

News Story - Posted on 2017-10-08

ବୈଷ୍ଣବ ଜେନା

 

ଭାରତୀୟମାନେ ହୁଅନ୍ତୁ କିମ୍ବା ଯେଉଁମାନେ ମୂଳ ଭାରତୀୟ ହୋଇ ବିଦେଶରେ ବସବାସ କରୁଛନ୍ତି ସେମାନେ କସ୍ମିନ୍କାଳେ ତିନୋଟି କଥା ଛାଡ଼ି ପାରିବେ ନାହିଁ । ସେଗୁଡ଼ିକ ହେଲା ରାମାୟଣ, ମହାଭାରତ ଏବଂ ଭାରତୀୟ ସଂବିଧାନ । ଏହା ସେମାନଙ୍କର ଅସ୍ଥି ମଜ୍ଜାଗତ-ଜୀବନ ଯାପନ ପ୍ରଣାଳୀର ଅଂଶବିଶେଷ - ନିଜେ ଶିଖିବାର ତଥା ଅନ୍ୟକୁ ଶିଖାଇବାର ଏକ ମାଧ୍ୟମ । କେବଳ ହିନ୍ଦୁମାନେ ନୁହଁନ୍ତି ଅନ୍ୟ ଧର୍ମାବଲମ୍ବୀମାନେ ମଧ୍ୟ ରାମାୟଣ ଓ ମହାଭାରତର ଦର୍ଶନକୁ ସର୍ବଶ୍ରେଷ୍ଠ ବୋଲି କହିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ରାମାୟଣ ପରି ମହାଗ୍ରନ୍ଥ - ମହାକାବ୍ୟ - ମହାପୁରାଣର ବିଷୟବସ୍ତୁର ବିକୃତିକରଣ ସେମାନଙ୍କ ପକ୍ଷରେ ଆଦୌ ଗ୍ରହଣୀୟ ନୁହେଁ । ଏଭଳି ଅପରାଧ କରିଥିବା ବ୍ୟକ୍ତି ବା ସଂସ୍ଥା କ୍ଷମଣୀୟ ମଧ୍ୟ ନୁହେଁ । ଅତୀତରେ ଏଭଳି ଅଘଟଣ ଘଟିଥିବା ବେଳେ ନିକଟରେ ଆଉ ଏକ ବିକୃତିକରଣ ନଜରକୁ ଆସିଛି, ଯାହାକି ଜାଣିବା ଶୁଣିବା ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।

 

ବିଜେପିର ଜଣେ ବରିଷ୍ଠ ନେତ୍ରୀ ହେଉଛନ୍ତି ସ୍ମୃତି ଜୁବିନ ଇରାନି । ସେ ମଧ୍ୟ ଜଣେ କେନ୍ଦ୍ରମନ୍ତ୍ରୀ । ନିକଟରେ ସେ ଧର୍ମଗୁରୁ ମହାମାନ୍ୟ ରବିଶଙ୍କରର ସଂସ୍ଥା ଆର୍ଟ ଅଫ୍ ଲିଭିଙ୍ଗ୍ ପକ୍ଷରୁ ଆୟୋଜିତ ଏକ ଆର୍ନ୍ତଜାତିକ ମହିଳା ସମ୍ମିଳନୀରେ ଯୋଗଦେଇଥିଲେ । ସେଠାରେ ସ୍ମୃତି ତାଙ୍କର ଭାଷଣ ଅବସରରେ ନାରୀ ସମାଜ ମାତା ଏବଂ ମାତୃଭୂମି ପ୍ରସଙ୍ଗରେ ମୂଳ ସଂସ୍କୃତ ରାମାୟଣର ଏକ ବହୁଳ କଥିତ ଶ୍ଳୋକର ପ୍ରଥମ ଭାଗଟିକୁ ଆବୃତ୍ତି କରିଥିଲେ । ତାହା ହେଉଛି ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’ । ସ୍ମୃତି ଏହି ଶ୍ଳୋକଟିକୁ ପୂର୍ଣ୍ଣ ଭାବେ ଆବୃତ୍ତି କରିନଥିଲେ ।

 

ଏହା ପରେ ସେ କହିଥିଲେ ଯେ ରାବଣକୁ ବଧ କଲାପରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କୁ ସ୍ୱର୍ଣ୍ଣମୟୀ ଲଙ୍କାର ରାଜା ହେବା ପାଇଁ ଅନୁରୋଧ ଆସିଥିଲା ବେଳେ ଶ୍ରୀରାମ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏପରି ନାସ୍ତିବାଣୀ ମହାପ୍ରଭୁ ଶ୍ରୀରାମ ତାଙ୍କର ପରମ ମିତ୍ର ବିଭୀଷଣଙ୍କୁ ଶୁଣାଇଥିଲେ । ଯାହାକି ସତ୍ୟ ନୁହେଁ । ଏହି ପ୍ରସଙ୍ଗରେ ଆମ୍ଭେ ସେହି ବହୁଳ କଥିତ ଏବଂ ପଠିତ ଶ୍ଳୋକଟିର ପୂର୍ଣ୍ଣ ଅବତାରଣା କରୁଛି, ତାହା ହେଉଛି ‘ଅପି ସ୍ୱର୍ଣ୍ଣମୟୀ ଲଙ୍କା ନଃ ମେ ରୋଚତେ ଲକ୍ଷ୍ମଣ, ଜନନୀ ଜନ୍ଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’ । ଏହାଦ୍ୱାରା ସ୍ପଷ୍ଟ ଯେ ବିଭୀଷଣ ନୁହଁନ୍ତି ବରଂ ନିଜେ ଲକ୍ଷ୍ମଣ ସେହି ସ୍ୱର୍ଣ୍ଣପୁରୀରେ ରହିଯିବାକୁ ତାଙ୍କ ବଡ଼ଭାଇ ଶ୍ରୀରାମଙ୍କୁ କହିଥିଲେ । ମାତ୍ର ମର୍ଯ୍ୟାଦା ପୁରୁଷ ସାନଭାଇ ଲକ୍ଷ୍ମଣକୁ ବୁଝାଇ କହିଥିଲେ ଯେ ଜନନୀ ଓ ଜନ୍ମଭୂମି ସ୍ୱର୍ଗଠାରୁ ମହାନ୍ ଓ ବଡ଼ । ଏହି ଦୃଷ୍ଟିରୁ ଲଙ୍କା ସ୍ୱର୍ଣ୍ଣପୁରୀ ହେଲେ ମଧ୍ୟ ଏଠାରେ ରହିବାକୁ ତାଙ୍କୁ ରୁଚିକର ହେଉନାହିଁ । ତେଣୁ ସେ ଲଙ୍କାରେ ନରହି ମାତୃଭୂମି ଅଯୋଧ୍ୟାକୁ ଫେରିଯିବେ ବୋଲି ଶ୍ରୀରାମ କହିଥିଲେ । ଏକଥା ସମସ୍ତେ ଜାଣନ୍ତି । ଏକଥା ସବୁ ରାମାୟଣ ପ୍ରେମୀ ତଥା ଜାଣିବା ଲୋକଙ୍କ ମନରେ ଅଛି । ତେଣୁ ସ୍ମୃତିକୁ ବ୍ୟାଖ୍ୟାନ ସେମାନଙ୍କୁ ବିରକ୍ତି ଦେଇଛି ।

 

ସେହିପରି ଭାବେ ସ୍ମୃତି ତାଙ୍କ ଭାଷଣରେ କହିଥିଲେ ଯେ, ରାମାୟଣ ହେଉଛି ଏକ ତଥା କଥିତ ପୁରାଣ (ସୋ କଲ୍ଡ ଏପିକ୍) । ତାଙ୍କର ଏହି ମନ୍ତବ୍ୟ ଆହୁରି ଦୁଃଖ ଦେବା ସହିତ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । କାରଣ ରାମାୟଣ ପରି ଏକ ମହାନ୍ ଧର୍ମଗ୍ରନ୍ଥ ପ୍ରତି ତାଙ୍କର ସନ୍ଦେହ ରହିଛି କିମ୍ବା ସ୍ମୃତି ରାମାୟଣ ଶ୍ଳୋକ ଆବୃତ୍ତି କଲେ କି ରାମାୟଣ ସଂପର୍କରେ ତାଙ୍କର ବିଶେଷ ଜ୍ଞାନ ନାହିଁ । ସେ କେବେ ରାମାୟଣ ପାଠ କରିନାହାଁନ୍ତି କିମ୍ବା ହୃଦୟ ଦେଇ ଶୁଣି ନାହାନ୍ତି କିମ୍ବା ରାମାୟଣ ଉପରେ କୌଣସି ନାଟକ ଗୀତିନାଟ୍ୟ, ରାମଲୀଳା, ସିନେମା ଓ ଟିଭି ସିରିଏଲ୍ ଉକ୍ରଣ୍ଠାର ସହ ଦେଖିନାହାନ୍ତି । ନଚେତ୍ ଏହାକୁ ତଥାକଥିତ ଧର୍ମପୁରାଣ କହିନଥାନ୍ତେ ।

 

ଏହି ପ୍ରସଙ୍ଗରେ ମହାକବି ମହାଜ୍ଞାନୀ ସର୍ବଶ୍ରେଷ୍ଠ ପ୍ରଶାସକ ତଥା ଜ୍ଞାନପୀଠ ପୁରସ୍କାର ବିଜେତା ଅଶୋକ ବାଜପେୟୀଙ୍କ ଏକ କଥନର ଅବତାରଣା କରୁଛି । କିଛିଦିନ ତଳେ ଭୁବନେଶ୍ୱର ଆସିଥିôବା ଶ୍ରୀ ବାଜପେୟୀ କହିଥିଲେ ଯେ ପୃଥିବୀରେ ଏପରି ଦୁଇଟି ମହାପୁରାଣ ଅଛି, ଯାହାକି ଜୀବନ୍ତ । ସେ ଦୁଇଟି ହେଉଛି ରାମାୟଣ ଓ ମହାଭାରତ । ଏଭଳି ଆକଳନ ତାଙ୍କର (ଶ୍ରୀ ବାଜପେୟୀଙ୍କର) ନୁହେଁ । ତାହା ହେଉଛି ବିଶ୍ୱର ସର୍ବଶ୍ରେଷ୍ଠ ପୁରାଣବିଦମାନଙ୍କର ମତ । ଜର୍ମାନୀରେ ଅନୁଷ୍ଠିତ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଏହି ନିର୍ଯ୍ୟାସ ବାହାରିଥିଲା ବୋଲି ଶ୍ରୀ ବାଜପେୟୀ କହିଥିଲେ । ଉକ୍ତ ସଭାରେ ରାମାୟଣ ଓ ମହାଭାରତ କିପରି ଜୀବନ୍ତ ପୁରାଣ ତାହାର ସ୍ପଷ୍ଟିକରଣ ଦେଇଥିଲେ ଜଣେ ପ୍ରଫେସର । ସେ କହିଥିଲେ ଯେ ରାମାୟଣ ଓ ମହାଭାରତ ଉପରେ ଗବେଷଣା ପରେ ଗବେଷଣା ଚାଲିଛି । ନୂଆ ନୂଆ ଦିଗନ୍ତ ସୃଷ୍ଟି ହେଉଛି । ସବୁ ଦେଶର ସବୁ ଧର୍ମର ଓ ଜାତିର ଲୋକେ ଏଥିରେ ସାମିଲ୍ ହେଉଛନ୍ତି । ପ୍ରତ୍ୟେକ ବର୍ଷ ନୂଆ ନୂଆ ତଥ୍ୟ ଆଧାରରେ ଫିଲ୍ମ, ଟିଭି ସିରିଲ୍ ଓ ନାଟକ ରଚନା ହେଉଛି । ଦୁଇଜଣ ବ୍ୟକ୍ତି ରାମାୟଣ କିମ୍ବା ମହାଭାରତ ଉପରେ ତର୍ଜମା କରୁଥିଲେ କେହି କାହାରିକୁ ଊଣା ବା କମ୍ ଜାଣିବା ଲୋକ ବୋଲି ବିଚାର କରନ୍ତି ନାହିଁ । ସେହି ତର୍କର ଶେଷ ହୁଏନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେହି ତର୍ଜମାକାରୀଙ୍କ ଅଲକ୍ଷ୍ୟରେ ରହି ସେମାନଙ୍କ ବାଖ୍ୟା ଶୁଣୁଥିବା ତୃତୀୟ ଲୋକଟିଏ ଭିନ୍ନ ମତ ଦେଇଥାଏ । ଏପରି କି ସେହି ଦୁଇଜଣ ମହାପୁରାଣ ସମ୍ପର୍କରେ ବିଶେଷ ଜାଣନ୍ତି ନାହିଁ ବୋଲି ମନ୍ତବ୍ୟ ଦେଇଥାନ୍ତି । ଏହାହିଁ ଜୀବନ୍ତ ପୁରାଣର ପ୍ରମାଣ ବୋଲି ସେହି ବିଦ୍ୱାନ ଜଣକ କହିଥିଲେ । ଏହାସତ୍ତେ୍ୱ ବିଜେପି ନେତ୍ରୀ ସ୍ମୃତି ଇରାନୀ କିପରି ରାମାୟଣଙ୍କୁ ତଥାକଥିତ ପୁରାଣ କହିଲେ ତାହା ଦୁଃଖ ଓ କ୍ଷୋଭ କାରଣ ହୋଇଛି ।

 

ରାମାୟଣ କିପରି ଏକ ଜୀବନ୍ତ ମହାପୁରାଣ ସେ ପ୍ରସଙ୍ଗରେ ଆମେ ଆଉ ଏକ ଘଟଣାର ଅବତାରଣା କରୁଛୁ । ଶ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ସେତୁ ସମୁଦ୍ରମ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଭାରତ ମହାସାଗରରେ ବୁଡ଼ି ରହିଥିବା ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ନିର୍ମିତ ଏବଂ ପ୍ରତିଷ୍ଠିତ ସେତୁବନ୍ଧକୁ ନିଶ୍ଚିହ୍ନ କରିବା । ତେବେ ଏହା ଆଲୋଚନା ସ୍ତରରେ ରହିଗଲା । ପରବର୍ତ୍ତୀ ସମୟରେ ଡ. ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲାବେଳେ ପୁନର୍ବାର ଏହା ଉପରେ ଆଲୋଚନା ହେଲା । ଏକଥା ଜାଣିଲା ପରେ ପ୍ରଜ୍ଞାପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ ଜାନକୀ ବାବୁ ଦର୍ଶାଇଥିଲେ ଯେ, ସବୁ ସମୟରେ ରାମାୟଣର ପ୍ରାସଙ୍ଗିକତା ରହିଆସିଥିବା ବେଳେ ସମୁଦ୍ର ଭିତରେ ବୁଡ଼ି ରହିଥିବା ସେତୁବନ୍ଧ ହେଉଛି ତାହାର ଜୀବନ୍ତ ପ୍ରମାଣ । ତେଣୁ ତାକୁ ଭାଙ୍ଗି ଦିଆଯିବା ଉଚିତ୍ ନୁହେଁ ବୋଲି ସେ ସୋନିଆ ଗାନ୍ଧୀଙ୍କଠାରେ ଯୁକ୍ତି ଉପସ୍ଥାପନ କରିଥିଲେ । କହିବା ବାହୁଲ୍ୟ ଯେ, ଜାନକୀ ବାବୁଙ୍କ ଯୁକ୍ତିକୁ ସମ୍ମାନ ଜଣାଇ ଶ୍ରୀମତୀ ଗାନ୍ଧୀ ଏହି ସେତୁ ସମୁଦ୍ରମ୍ ପ୍ରକଳ୍ପରୁ ଓହରି ଯାଇଥିଲେ । ଓଡ଼ିଶାରେ ଏକଥା ବହୁତ କମ୍ ଲୋକ ଜାଣିଛନ୍ତି ।

 

ସାମ୍ବାଦିକ, ମୋ-୯୪୩୭୦୦୭୨୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top