ବିଚାର : ଦ୍ୱନ୍ଦ୍ୱ ଏବଂ ସଂକଟ

News Story - Posted on 2017-10-08

ସୂର୍ଯ୍ୟମଣି ମିଶ୍ର

 

ଆମ ଦେଶ ଭାରତ ସମେତ ବିଶ୍ୱର ସମସ୍ତ ରାଷ୍ଟ୍ର ଏବଂ ରାଜ୍ୟରେ ଭିନ୍ନ ଭିନ୍ନ ବିଚାରକୁ ନେଇ ଜନତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ସଂକଟର ଚିତ୍ର ଅଧିକରୁ ଅଧିକ ଭାବେ ଦେଖିବାକୁ ମିଳୁଛି । ଇତିହାସ ପ୍ରମାଣ ଦିଏ ଯେ, କ୍ରାନ୍ତିର ଶକ୍ତି ବଳରେ ସୋଭିଏତ୍‍ ସଂଘ ଏକଦା ବିଶ୍ୱର ଏକ ପ୍ରମୁଖ ଶକ୍ତିଶାଳୀ ଦେଶରେ ପରିଣତ ହୋଇଥିଲା । ଭାରତ ହୋଇଥିଲା ସ୍ୱାଧୀନ । ବିଚାରର ପ୍ରୟୋଗ ହିଁ କ୍ରାନ୍ତି ଆଣିଥିଲା । ମୁକ୍ତି ପାଇଥିଲେ ଜନତା । ଦେଶର ପ୍ରଗତି ପାଇଁ ବାଟ ଖୋଲିଥିଲା । ଆମ ଦେଶ ଭାରତ ହେଉ ଅବା ରୁଷ୍‍, ଚୀନ୍‍ ଓ ଆମେରିକା ଭଳି ପ୍ରାୟତଃ ରାଷ୍ଟ୍ର ବୈଚାରିକ ଦୃଢ଼ତା ବଳରେ ସ୍ୱାଧୀନତା ଲାଭ କରିଛନ୍ତି । ଏହା ସତ୍ୟ ଯେ ରାଜନୈତିକ ବିଚାର ସହ ଧାର୍ମିକ, ସାମାଜିକ, ସାଂସ୍କୃତିକ ପ୍ରଥା, ବିଧି ବ୍ୟବସ୍ଥା ଏବଂ ଦୃଷ୍ଟିକୋଣ କାଳକ୍ରମେ ଜନତାଙ୍କ ଚେତନାର ଉତ୍ତରଣରେ ପ୍ରମୁଖ ଭୂମିକା ନିର୍ବାହ କରିଆସିଛି । ବ୍ୟବସ୍ଥାର ପରିବର୍ତ୍ତନ ହେଉଛି । ଗଣତାନ୍ତ୍ରିକୀକରଣ ଏବଂ ବିକେନ୍ଦ୍ରୀକରଣକୁ ଜନତା ଗ୍ରହଣ କରୁଛନ୍ତି ।

 

ସର୍ବହରା, ସାମନ୍ତବାଦ, ସମାଜବାଦ, ସାମ୍ୟବାଦ, ଶ୍ରେଣୀ ସଂଘର୍ଷ, ବୁର୍ଜୁଆ, ଦକ୍ଷିଣପନ୍ଥୀ, ବାମପନ୍ଥୀ, ଧର୍ମନିରପେକ୍ଷିତାବାଦୀ ଭଳି ଶବ୍ଦ ଓ ବିଚାରକୁ ନେଇ ଅନେକ ବ୍ୟକ୍ତି ଓ ସଂଗଠନ କ୍ରାନ୍ତିର ବାର୍ତ୍ତା ଦେଉଛନ୍ତି । କିନ୍ତୁ, ସମାଜବ୍ୟବସ୍ଥା ଏବଂ ଏହାର କ୍ରମବିକାଶକୁ ଆଧାର କରି ଜନତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ପ୍ରଶ୍ନ ସମ୍ବଳିତ ବିତର୍କର ଅନ୍ତ ଘଟୁନି । ସମାଜରେ ପ୍ରତିଦିନ ପ୍ରତିମୁହୂର୍ତ୍ତରେ ବିଚାରଗତ ପାର୍ଥକ୍ୟକୁ ନେଇ ବିବାଦ, ଦ୍ୱନ୍ଦ୍ୱ ଏବଂ ସଂକଟର ଚିତ୍ର ଦେଖିବାକୁ ମିଳୁଛି ।

 

ସାଧାରଣ ଜନତା ଏଯାଏ ଶୁଣିଚାଲିଛନ୍ତି ବିଚାର ସମ୍ବଳିତ ଶବ୍ଦଗୁଡ଼ିକୁ । କିନ୍ତୁ ସର୍ବହରା କିଏ, କିଏ ସାମନ୍ତବାଦୀ, କିଏ ସାମ୍ୟବାଦୀ, ଶ୍ରେଣୀ ସଂଘର୍ଷ କଣ, ବୁର୍ଜୁଆ କାହାକୁ କୁହାଯାଏ, ଦକ୍ଷିଣ ଓ ବାମପନ୍ଥୀ କିଏ, କ୍ରାନ୍ତି କଅଣ, ସମାଜ ବ୍ୟବସ୍ଥା କାହାକୁ କୁହାଯାଏ, ଜନତା କ’ଣ ଚାହାନ୍ତି ଆଉ ଇତିହାସ କହିଲେ କ’ଣ? ଏଭଳି ପ୍ରଶ୍ନଗୁଡ଼ିକୁ ନେଇ ଚାଲିଛି ଦ୍ୱନ୍ଦ୍ୱ ।

 

ସର୍ବହରା ସେହିମାନେ, ଯେଉଁମାନଙ୍କର ସମ୍ବଳ ବୋଲି କିଛି ନାହିଁ । ସେମାନେ ଶ୍ରମ କରନ୍ତି, ବଞ୍ôଚ ରହିବା ପାଇଁ । କିନ୍ତୁ ତାଙ୍କୁ ମଜୁରି ମିଳେନି । ପ୍ରତିଦିନ ଶୋଷଣର ଶିକାର ହୁଅନ୍ତି । ସାମନ୍ତବାଦ ହେଉଛି, ଅନ୍ୟର ସମ୍ବଳକୁ ଠେଙ୍ଗାଧରି ନେଇଯିବା । ସମାଜବାଦ ହେଉଛି, ପରସ୍ପର ଅଭାବକୁ ମେଣ୍ଟାଇବା ପାଇଁ ଜଣେ ଆଉଜଣଙ୍କ ସହାୟତା ଲୋଡ଼ିବା । ସାମ୍ୟବାଦ ହେଉଛି, ସମାନ ଭାବେ ବଞ୍ôଚବା । ଶ୍ରେଣୀ ସଂଘର୍ଷ ହେଉଛି, ଜଣଙ୍କର ସମ୍ପତ୍ତି ବା ସମ୍ବଳକୁ ବଳ ପ୍ରୟୋଗ କରି ଛଡ଼ାଇନେବା ପାଇଁ ଉଦ୍ୟମ କଲାବେଳେ ତା’ର ପ୍ରତିରୋଧ କରିବା । ବୁର୍ଜୁଆ ଶ୍ରେଣୀ ସେଇମାନେ, ଯେଉଁମାନେ ଅନ୍ୟର ସମ୍ପତ୍ତିକୁ ଲୁଟିନେବା ସହ ଅନ୍ୟକୁ ଚାକିରିଆ କରି ରଖିôବା, କେବଳ ଖାଇବାକୁ ଦେଇ ଖଟାଇବା ।

 

ଗୋଲାମୀ କରି ରଖିବାର ମାନସିକତା ହେଉଛି ବୁର୍ଜୁଆଶ୍ରେଣୀର ମୁଖ୍ୟ ଚରିତ୍ର । ଦକ୍ଷିଣପନ୍ଥୀ ସେହିମାନେ, ଯେଉଁମାନେ ଅନ୍ୟର ସମ୍ପତ୍ତିକୁ ନିଜର ବୋଲି କହିଥାନ୍ତି । ବାମପନ୍ଥୀ ସେହିମାନେ, ଅନ୍ୟର ସମ୍ପତ୍ତିକୁ ତାଙ୍କର ବୋଲି କହିଥାନ୍ତି । ବାମପନ୍ଥୀମାନେ ମାନବବାଦର ପ୍ରସାର କରିଥାନ୍ତି । ସେମାନେ ଇହଲୋକକୁ ବିଶ୍ୱାସ କରିଥାନ୍ତି । ସମତା, ସମାନତା ଏବଂ ପ୍ରଗତିକୁ ବିଶ୍ୱାସ କରିଥାନ୍ତି ଓ ଆଚରଣରେ ପ୍ରଦର୍ଶନ କରିଥାନ୍ତି । ଦକ୍ଷିଣପନ୍ଥୀମାନେ ମଧ୍ୟ ମାନବାଦକୁ ବିଶ୍ୱାସ କରିଥାନ୍ତି; କିନ୍ତୁ କେନ୍ଦ୍ରରେ ରଖିଥାନ୍ତି ଈଶ୍ୱରଙ୍କୁ । ସେମାନଙ୍କର ବିଶ୍ୱାସ ଥାଏ ପରଲୋକର । ଭେଦଭାବରେ ବିଶ୍ୱାସ କରିଥାନ୍ତି । ପଛୁଆ ଅବସ୍ଥାକୁ ମଧ୍ୟ ବିଶ୍ୱାସ ଥାଏ । ସେମାନଙ୍କ ଆଚରଣରେ ଏହା ପ୍ରକାଶ ପାଇଥାଏ । କ୍ରାନ୍ତି ହେଉଛି ଏହା ଯେ ଯେତେବେଳେ ଜଣେ ଶୋଷିତ ଆଉଜଣେ ଶୋଷିତକୁ ଏକାଠି କରି ନିଜର ହକ୍‍ ଦାବି କରିଥାନ୍ତି ।

 

ବିଚାରର ମୃତ୍ୟୁ ହୋଇ ନଥାଏ । ଏହା କେବଳ ସମୟେ ସମୟେ ଅପ୍ରାସଙ୍ଗିକ ହୋଇଥାଏ କିଛି ନିର୍ଦ୍ଦିଷ୍ଟ ବିଚାରର ମଣିଷମାନଙ୍କ ପାଇଁ । ମାର୍କ୍ସବାଦ ଏକ ବିଚାର । ଏହାର ମୃତ୍ୟୁ ନାହିଁ । ପ୍ରଶ୍ନ ଉଠେ, କାହିଁକି ନାହିଁ? ଉତ୍ତର ହେଉଛି- କାହିଁକି ନା ଏହାର ଆଧାର ବିଜ୍ଞାନ । ଏହି ବାଦ କେବଳ ତର୍କ ଭିତ୍ତିରେ ନୁହେଁ, ତଥ୍ୟ ଓ ପ୍ରମାଣ ଆଧାରିତ । ସମାଜ ବ୍ୟବସ୍ଥାର କ୍ରମାନ୍ୱୟ ଚିତ୍ର ହେଉଛି- ସାମ୍ୟବାଦ ପରେ ସାମନ୍ତବାଦ ଏବଂ ସାମାନ୍ତବାଦ ପରେ ପୁଞ୍ଜିବାଦ ଆସିଥାଏ । ପୁଞ୍ଜିବାଦ ପରେ ସମାଜବାଦ ଏବଂ ସମାଜବାଦ ପରେ ସାମ୍ୟବାଦ ଆସିବ । ଏହା ହେଉଛି ସାମ୍ୟବାଦୀଙ୍କର ବିଚାର । ଅନ୍ୟପକ୍ଷରେ ଦକ୍ଷିଣପନ୍ଥୀମାନେ ଯଦିଓ ସର୍ବଧର୍ମ ସମଭାବ ଓ ବସୁଧୈବ କୁଟୁମ୍ବକମ୍‍ ଏବଂ ସର୍ବେ ଭବନ୍ତୁ ସୁଖିନଃ କଥା କହିଥାନ୍ତି; କିନ୍ତୁ ଏହା କେବଳ ଉଚାରଣରେ ସୀମିତ ଥାଏ ସିନା ଆଚରଣରେ ଦେଖିବାକୁ ମିଳିନଥାଏ । ଫଳତଃ ଏହାକୁ ନେଇ ବୈଚାରିକ ଦ୍ୱନ୍ଦ୍ୱର ଚିତ୍ର ଦେଖିବାକୁ ମିଳୁଛି । ଯେପରି ନିକଟରେ କେରଳରେ ଦକ୍ଷିଣପନ୍ଥୀ ଓ ବାମପନ୍ଥୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟଣା ଦେଶପାଇଁ ଉଦ୍‍ବେଗର ପ୍ରସଙ୍ଗ ହୋଇଛି ।

 

ପୁଞ୍ଜିବାଦ ସପକ୍ଷରେ ଥାଆନ୍ତି ଦକ୍ଷିଣପନ୍ଥୀମାନେ । ଆଜିଦିନରେ ଏହି ରାସ୍ତା ପ୍ରତି ନରମ ସମର୍ଥନ ଯଦିଓ ଚୀନ୍‍ରେ ବି ଦେଖିବାକୁ ମିଳୁଛି । ଏହା ସ୍ପଷ୍ଟ ଯେ ଏହା ମାଓଙ୍କ ଭୂମି; କିନ୍ତୁ ମାଓଙ୍କ ବିଚାର ଏବେ ବାଟଭାଙ୍ଗିଛି । ପୁଞ୍ଜିବାଦ ଚରମ ପୁଞ୍ଜିର ଏକାଧିକାର ଏବଂ ସକେନ୍ଦ୍ରୀକରଣ କରିଥାଏ । ପ୍ରଥମେ ରାଷ୍ଟ୍ରର ଉଦ୍ୟୋଗ ଓ ଛୋଟ ଛୋଟ ଉଦ୍ୟୋଗକୁ ହଡ଼ପ କରି ବୃହତ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥାଏ । ପୁଞ୍ଜିବାଦର ଲକ୍ଷ୍ୟ ହେଲା- କେବଳ ବୃହତ ପୁଞ୍ଜିପତି ହିଁ ରହିବେ । ୮୦ ଭାଗରୁ ଅଧିକ ପୁଞ୍ଜି ବା ସମ୍ପତ୍ତିର ମାଲିକ ହେବେ ସେମାନେ । ଗୋଟିଏ ବଡ଼ମାଛ ବଞ୍ଚେ ଓ ବଢ଼େ ଅନେକ ଛୋଟ ମାଛଙ୍କୁ ଖାଇକରି । ଏହା ହେଉଛି ପୁଞ୍ଜିବାଦୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଆଜିଦିନରେ ଛୋଟ ଦୋକାନୀ, ଚାଷୀ ଶ୍ରମିକ ହେଉଛି । ଶ୍ରମିକ ସଂଖ୍ୟା ବଢ଼ିଚାଲିଛି । ଧର୍ମ ଓ ଜାତି ଆଧାରରେ ଭେଦଭାବର ନିଆଁ ଜଳୁଛି । ଏହା ହେଉଛି ପୁଞ୍ଜିବାଦର ସ୍ୱରୂପ ।

 

ବ୍ୟବସ୍ଥା ହେଉଛି ଏହା ଯେ, ଯାହା କାଳକ୍ରମେ ଚଳିଆସିଛି । ଯେପରି ଗାଈର ପିଠି ଉପରେ କୁଆ କି ବଗ ବସେ । ସେଥିରେ ତା’ର ଫରକ ନଥାଏ କି ପ୍ରତିକ୍ରିୟା ନଥାଏ । ପିଲାମାନେ ଖେଳିବାବେଳେ ବାଡ଼ିଆପିଟା ହୁଅନ୍ତି । ଖାଇବା, ପିନ୍ଧିବା ଓ ଅୟସ୍‍ କରିବାର ଢାଞ୍ଚାଗତ ସ୍ଥିତି ହିଁ ବ୍ୟବସ୍ଥା । ଇତିହାସ ହେଉଛି, ଯେଉଁଥିରେ ବ୍ୟବସ୍ଥା ପଶିଆସିଥାଏ । ପାଣି କେତେବେଳେ ତେଜସ୍କ୍ରିୟ ଓ କେତେବେଳେ ଶାନ୍ତ ହୋଇଥାଏ । କେତେବେଳେ ସ୍ୱଚ୍ଛ ତ କେତେବେଳେ ଦୁର୍ଗନ୍ଧଯୁକ୍ତ । ସେ ସମୁଦ୍ରପରି ସାମ୍ୟବାଦର ବାର୍ତ୍ତା ଦେଇଥାଏ । ରାଜନୀତି ହେଉଛି ଆବଶ୍ୟକତା ପୂରଣ ହେଉନି, ଡିମାଣ୍ଡ ଅଧିକା । ସ୍ୱାଦିଷ୍ଟ ଖାଇବାକୁ ଇଚ୍ଛା, ଯାହା ଅନ୍ୟ ଦେଶରେ ମିଳୁଛି, ଏଠି ମିଳୁନି । ଏହାକୁ ନେଇ ଦାବି, ପ୍ରତିବାଦ ହିଁ ରାଜନୀତି । ଜନତା ସବୁବେଳେ ଚାହାନ୍ତି ସୁଖ ଓ ସମୃଦ୍ଧିରେ ବଞ୍ôଚବାକୁ । ତାଙ୍କ ଫସଲ ଭଲ ହେଉ, ଶାନ୍ତିରେ ସେମାନେ ବଞ୍ôଚବାକୁ ଚାହାନ୍ତି । କିନ୍ତୁ ସେମାନଙ୍କର ଆବଶ୍ୟକତା ପୂରଣ ହୁଏନାହିଁ । ମୁହଁ ଖୋଲନ୍ତି ପ୍ରତିବାଦ ପାଇଁ । କିନ୍ତୁ ତାଙ୍କ ମୁହଁକୁ ପ୍ରଲୋଭନ ଓ ଦମନ ମାଧ୍ୟମରେ ବନ୍ଦ କରାଯାଏ ।

 

କେତେକ ସ୍ଥାନ ଓ କ୍ଷେତ୍ରରେ ସେମାନେ ବିଚାରଗତ ଦ୍ୱନ୍ଦ୍ୱ ସହ ଯୋଡ଼ିହୋଇଯାଆନ୍ତି । ବିଚାରର ବାର୍ତ୍ତା ହେଉଛି, ଆମ ସହ ଯୋଡ଼ିହୁଅ-ସମୃଦ୍ଧିରେ ଜୀବନ କାଟିବ । ପ୍ରତିବାଦ-ପ୍ରତିରୋଧ କରି ଶିଖ, ଶକ୍ତିଶାଳୀ ହେବ ଓ ସମୃଦ୍ଧି ହାସଲ କରିବ । ଯାହା ତୁମ ଜନ୍ମଗତ ଅଧିକାର, ତାକୁ ଛଡ଼ାଇ ଆଣ । ସାମ୍ବିଧାନିକ ଅଧିକାର ଯାହା, ତାହାକୁ ପାଇବା ପାଇଁ ଲଢ଼େଇ କର । ଲଢ଼େଇ ପାଇଁ ସାଥୀ ସଂଗ୍ରହ କର । ଲୋକଶକ୍ତି ବଳରେ ହିଁ ନିଜ ଅଧିକାର ମିଳିବ, ଏହା ହେଉଛି ବିବିଧ ବିଚାରର ମୂଳ କଥା । କିନ୍ତୁ ଏହା ସାଧାରଣ ନାଗରିକଙ୍କ ପାଇଁ ବ୍ୟଥାର କାରଣ ହୋଇଛି । ବିଚାର ଆଧାରରେ ଗଢ଼ିଉଠିଥିବା ରାଜନୈତିକ ଦଳଗୁଡ଼ିକ ସାଥୀ ଓ କର୍ମୀ ସଂଗ୍ରହ ଅଭିଯାନ ମାଧ୍ୟମରେ ଭୋଟ ସଂଗ୍ରହକୁ ପ୍ରମୁଖ ଲକ୍ଷ୍ୟ ଭାବେ ଗ୍ରହଣ କରିଛନ୍ତି । ଫଳରେ ସାଧାରଣ ଜନତା ନିଜର ହକ୍‍ ପାଇପାରୁନାହାନ୍ତି । କାରଣ ବିଚାରର ଝଗଡ଼ା ଏବେ ହିଂସାର ରୂପ ନେଇଛି । ବିବାଦ ଓ ଦ୍ୱନ୍ଦ୍ୱ ଏଠି-ସେଠି ସବୁଠି ଭାରତରୁ ଆମେରିକା, ଚୀନ୍‍ରୁ ପାକିସ୍ତାନ ଯାଏଁ । ସବୁଠି ଏହି ବିଚାରଗତ ଦ୍ୱନ୍ଦ୍ୱର ଉଗ୍ର ସ୍ୱରୂପ ଦେଖିବାକୁ ମିଳୁଛି ।

 

ଏବେ ତ ଆମ ଦେଶରେ ଦେଶଭକ୍ତି ଓ ରାଷ୍ଟ୍ରବାଦର ଜୁଆର ଛୁଟିଛି । ଯଦିଓ ଏହା ବିରୁଦ୍ଧରେ ସ୍ୱର ସୃଷ୍ଟିକାରୀଙ୍କ ସଂଖ୍ୟା କମ୍‍ ନୁହେଁ । ବିରୋଧୀଙ୍କ କହିବା କଥା ଏହା ପ୍ରକୃତ ଦେଶଭକ୍ତି ଓ ରାଷ୍ଟ୍ରବାଦର ରୂପ ନୁହେଁ, ଏହା ଛଦ୍ମ ଓ ଛଳନାର ସ୍ୱରୂପ । ଦେଶଭକ୍ତି ଓ ରାଷ୍ଟ୍ରବାଦର କଥା କହୁଥିବା ଦକ୍ଷିଣପନ୍ଥୀ ହିନ୍ଦୁତ୍ୱବାଦୀମାନେ ଖୋଲାଖୋଲି କହୁଛନ୍ତି ଯେ, ଯେଉଁମାନେ ଆମକୁ ବିରୋଧ କରୁଛନ୍ତି, ସେମାନେ କ୍ରୂର, ସେମାନେ ଅତ୍ୟାଚାରୀ ଓ ଦେଶଦ୍ରୋହୀ । ଏପରି ସଂକଟଜନକ ସ୍ଥିତିରେ ବିଚାରର ମନ୍ଥନ ଚାଲିଛି ଓ ବିତର୍କ ବି ଜୋର୍‍ ଧରିଛି । ସବୁଠି ଏବେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି । ଜଣେ ଆଉଜଣଙ୍କର ବିଚାରକୁ ଭୁଲ ବୋଲି ପ୍ରମାଣିତ କରିବାକୁ ଯାଇ ହାତରେ ଅସ୍ତ୍ର ଧରିବାକୁ ମଧ୍ୟ ପଛାଉନାହିଁ । ଗଠନମୂଳକ ଚିନ୍ତା-ଚେତନା ଓ ବିତର୍କ ଯେପରି ବାଟହୁଡ଼ିଛି ଏହି ବିଚାରର ଠିକାଦାରମାନଙ୍କ ପାଖରେ । ଏଥିଯୋଗୁଁ ଆଜି ଆମ ଦେଶରେ, ଆମ ରାଜ୍ୟରେ ଏବଂ ବିଶ୍ୱରେ ଦେଖାଦେଇଛି ବିଚାରଗତ ଦ୍ୱନ୍ଦ୍ୱ ଓ ସାଧାରଣ ଜନତାଙ୍କ ପାଇଁ ସଂକଟ ।

ସାମ୍ବାଦିକ, ଭୁବନେଶ୍ୱର
ମୋ : ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top