‘ଆମେ କମେଇଲୁ, ତୁମେ କମାଅ’

News Story - Posted on 2017-10-04

ଆମେ ଉତ୍ପାଦ ଶୁଳ୍କ କମାଇଲୁ । ରାଜ୍ୟଗୁଡ଼ିକ ଭାଟ୍ କମାଇବା ଦରକାର । ପେଟ୍ରୋଲ ଓ ଡିଜେଲ ମୂଲ୍ୟ କମାଇବାକୁ ରାଜ୍ୟଗୁଡ଼ିକୁ ଏଭଳି ଆହ୍ୱାନ ଦେଇଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାର ଲିଟର ପିଛା ୨ ଟଙ୍କା ଛାଡ଼ କରିଛନ୍ତି । ରାଜ୍ୟଗୁଡ଼ିକ ୫ ପ୍ରତିଶତ ଭାଟ୍ ଛାଡ଼ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

 

ପେଟ୍ରୋଲ ଓ ଡିଜେଲ ମୂଲ୍ୟବୃଦ୍ଧି ବିରୋଧରେ ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହେବା ପରେ କେନ୍ଦ୍ର ସରକାର ଗତକାଲି ପ୍ରତି ଲିଟର ଡିଜେଲ ଓ ପେଟ୍ରୋଲ ଉପରେ ୨ ଟଙ୍କାର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । ଆଜି ଏ ସଂପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲିଟର ପିଛା ଉତ୍ପାଦନ ଶୁଳ୍କ ଲଗାଇଥିôବାବେଳେ ରାଜ୍ୟଗୁଡ଼ିକ ଏହାର ମୂଲ୍ୟ ଉପରେ ଭାଟ୍ ଲଗାଇଛନ୍ତି । ଫଳରେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବୃଦ୍ଧି ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲର ଦର ବଢ଼ିଲେ ରାଜ୍ୟଗୁଡ଼ିକର ଭାଟ୍ ପରିମାଣ ସେହି ଅନୁସାରେ ବଢ଼ି ଯାଉଛି ।

 

ପେଟ୍ରୋଲ ଓ ଡିଜେଲ ଉପରୁ ରାଜ୍ୟଗୁଡ଼ିକ ସର୍ବାଧିକ ଅର୍ଥ ଅର୍ଜନ କରୁଛନ୍ତି ବୋଲି ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟଗୁଡ଼ିକ ଏହା ଉପରେ ଆଦାୟ କରୁଥିବା ଭାଟ୍ ପୂରାକୁ ପୂରା ପାଉଛନ୍ତି । ତା’ ସହିତ କେନ୍ଦ୍ର ସରକାର ଆଦାୟ କରୁଥିବା ଉତ୍ପାଦ ଶୁଳ୍କର ୪୨ ପ୍ରତିଶତ ମଧ୍ୟ ରାଜ୍ୟଗୁଡ଼ିକୁ ଭାଗ ଦିଆଯାଉଛି । କେନ୍ଦ୍ର ସରକାର ଭାଗରେ ପଡ଼ୁଥିôବା ୫୮ ପ୍ରତିଶତ ଉତ୍ପାଦ ଶୁଳ୍କ କେନ୍ଦ୍ର ପ୍ରାୟୋଜିତ ଯୋଜନାଗୁଡ଼ିକରେ ନିବେଶିତ ହେଉଛି ।

 

ଲିଟର ପିଛା ୨ ଟଙ୍କାର ଉତ୍ପାଦ ଶୁଳ୍କ ଛାଡ଼ କରାଯିବା ପରେ ପେଟ୍ରୋଲ ଦର ଲିଟର ପିଛା ୨.୫ ଟଙ୍କା ଏବଂ ଡିଜେଲ ଦର ଲିଟର ପିଛା ୨.୨୫ ଟଙ୍କା କମିଛି ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି । ଦିଲ୍ଲୀରେ ପେଟ୍ରୋଲ ଦର ୭୦.୮୮ ଟଙ୍କାରୁ ୬୮.୩୮ ଟଙ୍କାକୁ ଏବଂ ଡିଜେଲ ଦର ଲିଟର ପିଛା ୫୯.୧୪ ଟଙ୍କାରୁ ୫୬.୮୯ ଟଙ୍କାକୁ ହ୍ରାସ ପାଇଛି ।

 

ଅଣବ୍ରାଣ୍ଡ ପେଟ୍ରୋଲ ଉପରେ କେନ୍ଦ୍ର ସରକାର ମୌଳିକ ଉତ୍ପାଦ ଶୁଳ୍କ ୮.୪୮ ଟଙ୍କା, ଅତିରିକ୍ତ ଉତ୍ପାଦ ଶୁଳ୍କ ୬ ଟଙ୍କା ଏବଂ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ୭ ଟଙ୍କା, ଏମିତି ମୋଟ ୨୧.୪୮ ଟଙ୍କା ହିସାବ କରୁଛନ୍ତି । ସେହିପରି ବ୍ରାଣ୍ଡେଡ ପେଟ୍ରୋଲ ଉପରେ ମୌଳିକ ଉତ୍ପାଦ ଶୁଳ୍କ ୯.୬୬ ଟଙ୍କା ହିସାବ ହେଉଛି, ମୋଟ ଉପରେ ଏହି ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୨୨.୬୬ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଅଣବ୍ରାଣ୍ଡ ଡିଜେଲ ଉପରେ ଲିଟର ପିଛା ମୋଟ ଉପରେ ୧୬.୩୩ ଟଙ୍କା ଏବଂ ବ୍ରାଣ୍ଡେଡ ଡିଜେଲ ଉପରେ ଲିଟର ପିଛା ୧୯.୬୯ ଟଙ୍କା ଧାର୍ଯ୍ୟ ହୋଇଛି । ମୋଦି ସରକାର କ୍ଷମତାସୀନ ହେବା ପରେ ୨୦୧୪ ନଭେମ୍ବର ମାସରୁ ୨୦୧୬ ଜାନୁଆରୀ ମଧ୍ୟରେ ପେଟ୍ରୋଲ ଉପରେ ୧୧.୭୭ ଟଙ୍କା ଓ ଡିଜେଲ ଉପରେ ୧୩.୪୭ ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି ।

 

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରି ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟ ସରକାରଗୁଡ଼ିକ ଏହା ଉପରେ ଆଦାୟ କରୁଥିବା ଭାଟ୍ ୫ ପ୍ରତିଶତ ଛାଡ଼ କଲେ ଲୋକମାନେ ଅଧିକ ଉପକୃତ ହେବେ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜେପି ଶାସିତ ମହାରାଷ୍ଟ୍ରରେ ପେଟ୍ରୋଲ ଉପରେ ୪୬.୫୨ ପ୍ରତିଶତ ଭାଟ୍ ଲଗାଇଛନ୍ତି । ଏହା ଦେଶରେ ସର୍ବାଧିକ । ମୁମ୍ବାଇ ସହରରେ ଏହି ହାର ହେଉଛି ୪୭.୬୪ ପ୍ରତିଶତ । ସେହିପରି ଆନ୍ଧ୍ର ପ୍ରଦେଶରେ ପେଟ୍ରୋଲ ଉପରେ ଲାଗିଥିବା ଭାଟ୍ ହାର ହେଉଛି ୩୮.୮୨ ପ୍ରତିଶତ । ଆନ୍ଧ୍ରରେ ବିଜେପିର ସହଯୋଗୀ ଟିଡିପି କ୍ଷମତାରେ ଅଛି । ବିଜେପି ଶାସିତ ମଧ୍ୟ ପ୍ରଦେଶରେ ପେଟ୍ରୋଲ ଉପରେ ଲାଗିଛି ୩୮.୭୯ ପ୍ରତିଶତ ଭାଟ୍ । ଦିଲ୍ଲୀ ଓ ହିମାଚଳ ପ୍ରଦେଶରେ ଏହି ହାର ହେଉଛି ୨୭ ପ୍ରତିଶତ । ପଞ୍ଜାବରେ ଏହି ହାର ୩୬.୦୪ ପ୍ରତିଶତ ଥିଲାବେଳେ ହରିଆନାରେ ୨୬.୨୫ ପ୍ରତିଶତ ରହିଛି ।

 

ଦେଶର ୨୯ ରାଜ୍ୟରୁ ୧୮ ରାଜ୍ୟରେ ଏବେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ କ୍ଷମତାସୀନ ରହିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top