ଚାଷୀ ଚେତନ୍ତୁ, ସରକାର ବୁଝନ୍ତୁ!

News Story - Posted on 2017-10-03

ଧାନର ସହାୟକ ଦରକୁ ନେଇ ଓଡ଼ିଶାର ଶାସକ ବିଜୁ ଜନତା ଦଳ ରାଜନୀତି କରି ଆସିଛି । ଅନେକ ଅଭାବୀ ଚାଷୀ ମଧ୍ୟ ଧାନର ସହାୟକ ଦର ବୃଦ୍ଧି କରିବାକୁ ବର୍ଷବର୍ଷ ଧରି ଦାବି ଅନ୍ୟାହତ ରଖିଛନ୍ତି । ବିଭିନ୍ନ ହିସାବ ଅନୁସାରେ କୁଇଣ୍ଟାଲେ ଧାନର ଉତ୍ପାଦନ ଖର୍ଚ୍ଚ ୧୮୦୦-୨୧୦୦ ଟଙ୍କା । କିନ୍ତୁ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ଦର ୧୫୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହି ଦରରେ ଚାଷୀ ଧାନ ବିକିଲେ ବି କୁଇଣ୍ଟାଲ ପିଛା ୩୦୦-୫୦୦ ଟଙ୍କା କ୍ଷତି ହେଉଛି । ତେଣୁ ଦେଶରେ ଧାନଚାଷୀଙ୍କ ଆର୍ଥିକ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି ।

 

ଓଡ଼ିଶାରେ ଏହି ଅବସ୍ଥା ଆହୁରି ସଙ୍ଗୀନ । ଅନେକ ଚାଷୀ ପ୍ରତିବର୍ଷ ଆତ୍ମହତ୍ୟା କରୁଛନ୍ତି । ଚାଷ ପାଇଁ ଋଣ କରୁଛନ୍ତି । ଫସଲ ଅମଳ କରି ସମୂଳସୁଧ ପରିଶୋଧ କରିପାରୁ ନାହାନ୍ତି । ତେଣୁ ମାନସିକ ଓ ଆର୍ଥିକ ଭାରାକ୍ରାନ୍ତ ହୋଇ ଦେୟମୁକ୍ତ ହେବାକୁ ଜୀବନମୁକ୍ତ ହୋଇଯାଉଛନ୍ତି ।
ଏଭଳି କରୁଣ ଅବସ୍ଥା ଓଡ଼ିଶାର ପ୍ରାୟ ପ୍ରତି ଜିଲ୍ଲାରେ । ଏମାନଙ୍କ ସମସ୍ୟାର ସମାଧାନ ପାଇଁ ରାଜନୀତିକ ଦଳଗୁଡ଼ିକୁ କେବଳ ଧାନର ସର୍ବନିମ୍ନ ସହାୟକ ଦର ଦେଖାଯାଉଛି । ଯେମିତି କି ଧାନର ସର୍ବନିମ୍ନ ସହାୟକ ଦର ରାଜ୍ୟ ସରକାରଙ୍କ ଦାବି ଅନୁଯାୟୀ ୨୯୩୦ ଟଙ୍କା କରି ଦିଆଗଲେ ଚାଷୀଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ! ଏବେ ଯେଉଁ ସହାୟକ ଦର ଧାର୍ଯ୍ୟ ହୋଇଛି ତାହା କ’ଣ ସବୁ ଚାଷୀ ପାଉଛନ୍ତି? ରାଜ୍ୟ ସରକାର ସେ ଦିଗରେ କି ପଦକ୍ଷେପ ନେଇଛନ୍ତି? ସବୁ ମିଲର ଏଜେଣ୍ଟ ଓ ସରକାରୀ ସଂସ୍ଥା କ’ଣ ସତରେ ଚାଷୀଙ୍କୁ ଏଇ ଦର ଦେଉଛନ୍ତି? ଚାଷୀ ବାପୁଡ଼ା କେତେ ଥର ଦଉଡ଼ିଲେ, କେତେ କମ୍ମେଇ ହେଇ କେତେ ଟଙ୍କା ଖର୍ଚ୍ଚ କରିବା ପରେ ଏ ଦର ପାଉଛି? ସେ ଟଙ୍କା କେଉଁ ସରକାର ଭରଣା କରୁଛି?

 

ଯଦି ଉତ୍ପାଦନ ଖର୍ଚ୍ଚରେ ଧାନ ବିକ୍ରି ହେବା ଅର୍ଥନୀତି ବିରୁଦ୍ଧ ତେବେ ଏହି ଖର୍ଚ୍ଚ କେମିତି କମ୍ ହେବ ସେ ଦିଗରେ କେହି କାହିଁକି ଚିନ୍ତା କରୁ ନାହାନ୍ତି? ବିହନ, ଖତ, ସାର, କୀଟନାଶକ ଆଦିର ଦର କାହିଁକି କମୁ ନାହିଁ? ଆଜିର ବଜାର ଦର ଯାହା ସେଥିରେ କୃଷି ଶ୍ରମିକଙ୍କ ମଜୁରୀ ବଢ଼ିବା ଦରକାର । ଏବେ ଯେତିକି ସର୍ବନିମ୍ନ ମଜୁରୀ ତାହା ଅତି କମରେ ଦୁଇ ଗୁଣ ବଢ଼ିଲେ ବି ମୂଲିଆକୁ ମର୍ଯ୍ୟାଦା ମିଳିବ ନାହିଁ । ତାହା ବଢ଼ିଲେ ବି ଚାଷଖର୍ଚ୍ଚ ବଢ଼ିବ । ତେଣୁ ବୋଧହୁଏ ସରକାର ଚାଷୀଙ୍କୁ ଡରି ମୂଲିଆ ମଜୁରୀ ବଢ଼ାଉ ନାହାନ୍ତି । ପରୋକ୍ଷରେ ତାହା ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ହିଁ କ୍ଷତି କରୁଛି । କାରଣ ସେମାନେ ଅଧେ ଦିନ ମୂଲିଆ ଓ ଅଧେ ଦିନ ଚାଷୀ ।

 

ଏଭଳି ପରିସ୍ଥିତିରେ ସରକାର ବିକଳ୍ପ ଚାଷ କଥା ବିଷୟରେ କାହିଁକି ଗମ୍ଭୀରତାର ସହିତ ବିଚାର କରୁ ନାହାନ୍ତି? ଚାଷୀ କିଲୋ ପିଛା ୨୧ ଟଙ୍କା ଖର୍ଚ୍ଚ କରି ଧାନ ଉତ୍ପାଦନ କରିବ ଓ ତାହାକୁ ୧୫ ଟଙ୍କାରେ ବିକିବ । ଏଥିରେ କ୍ଷତି ହେବ ହିଁ ହେବ । ସରକାର ଏବେ ସମସ୍ତଙ୍କ ପାଇଁ ଟଙ୍କିକିଆ ଚାଉଳ ବନ୍ଦୋବସ୍ତ କରିଛନ୍ତି । ଟଙ୍କାରେ ଯେତେବେଳେ କିଲେ ଚାଉଳ ମିଳିବ ସେତେବେଳେ କିଏ କାହିଁକି ୧୫ ଟଙ୍କାରେ କିଲେ ଧାନ କିଣିବ? ଏ ଅର୍ଥନୀତି କିଏ ବୁଝିଛି? କିଏ ବୁଝେଇଛି? ଓଡ଼ିଶା ସରକାରଙ୍କ ଜରିଆରେ ରାଜ୍ୟର ୭୭ ଲକ୍ଷ ପରିବାର ଖାଦ୍ୟ ନିରାପତ୍ତା ଯୋଜନାର ହିତାଧିକାରୀ ହୋଇଛନ୍ତି । ସେମାନେ ଚାଷୀଙ୍କ ଚାଉଳ କିଣୁ ନାହାନ୍ତି । ତଥାପି ସେମାନେ କାହିଁକି ଧାନ ଚାଷ ଛାଡ଼ୁ ନାହାନ୍ତି? କାରଣ ଅନ୍ୟ ଚାଷ ପାଇଁ ଉପଯୁକ୍ତ ସୁବିଧା ଓ ଭିତ୍ତିଭୂମି ନାହିଁ । ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଓଡ଼ିଶା ଚାଷୀ ବର୍ଷା ଉପରେ ନିର୍ଭରଶୀଳ । ସରକାର ବାହାଦୂର ବାହାଦୂରି ନେଉଛନ୍ତି, କିନ୍ତୁ ବିଲକୁ ପାଣି ମଡ଼ାଇ ପାରୁ ନାହାନ୍ତି ।

 

ଓଡ଼ିଶା ବଜାରରେ ଏବେ ମିଳୁଥିବା ଡାଲି, ତେଲ, ପନିପରିବା, ଫଳମୂଳ, ମାଛ, ମାଂସ, ଅଣ୍ଡା ଆଦିର ବହୁଳ ଭାଗ ଅନ୍ୟ ରାଜ୍ୟରୁ ଆମଦାନୀ ହୋଇ ଆସୁଛି । ରାଜଧାନୀ ଭୁବନେଶ୍ୱର ବଜାରରେ ସଜନା ଛୁଇଁ କିଲୋ ବର୍ଷକ ବାର ମାସ ୫୦ ଟଙ୍କା ଉପରେ । ମାଟି ଆଳୁ କିଲୋ ୮୦ ଟଙ୍କାକୁ ଚଢ଼ି ଯାଏ । ଏମିତି କି ସାରୁ କିଲୋ ମଧ୍ୟ ୪୦ ଟଙ୍କା । ବିନ୍ସ କିଲୋ ୪୦-୫୦ ବର୍ଷ ସାରା । ଝୁଡ଼ଙ୍ଗ କିଲୋ ବି ୩୦ରୁ କମୁ ନାହିଁ । ପୋଟଳ ଦର ବର୍ଷ ସାରା ହାରାହାରି ୫୦ ଟଙ୍କା । ବିଲାତି ବାଇଗଣ ଦର ତ ମଝିରେ ମଝିରେ ୧୦୦ ଟଙ୍କା ଟପୁଛି । ପାଳଛତୁ ଦର ୧୫୦ ଟଙ୍କା ଉପରେ । କଞ୍ଚା କଦଳୀ ଗୋଟା ୫ ଟଙ୍କାରୁ କମେ ନାହିଁ । ଅଣ୍ଡା ଦର ଗୋଟାକୁ ୬ ଟଙ୍କା । ମାଛ କିଲୋ ୨୦୦ ଟଙ୍କା । ମାଂସ କିଲୋ ୫୦୦ । କୁକୁଡ଼ା ମାଂସ କିଲୋ ବି ୨୦୦ ଟଙ୍କା ।

 

ଓଡ଼ିଶା ଚାଷୀ ଧାନ ଚାଷ ବନ୍ଦ କରି ଏସବୁ ଚାଷ କରୁ ନାହାନ୍ତି କାହିଁକି? ସେଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଉପଯୁକ୍ତ ଜ୍ଞାନକୌଶଳ ଓ ଆର୍ଥିକ ସହାୟତା ସହିତ ଭିତ୍ତିଭୂମି ଯୋଗାଉ ନାହାନ୍ତି କାହିଁକି? ଶିଳ୍ପ ପାଇଁ ଭିତ୍ତିଭୂମି ସୃଷ୍ଟି କରିବାରେ ବର୍ଷକୁ ବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାର ଚାଷ ଭିତ୍ତିଭୂମି ଦିଗରେ କାହିଁକି ତତ୍ପର ନୁହନ୍ତି? ସରକାର ଏ ଦିଗରେ ଭାବନ୍ତୁ ନଭାବନ୍ତୁ ଓଡ଼ିଶାର ଚାଷୀମାନେ ଏସବୁ ପ୍ରଶ୍ନ ଉପରେ ଗମ୍ଭୀର ଭାବେ ଚିନ୍ତା କରିବା ଦରକାର ଏବଂ ସେହି ଅନୁସାରେ ଭୋଟ କାହାକୁ ଦେବେ ସେ ନିଷ୍ପତ୍ତି ଗ୍ରହଣ କରିବା ଉଚିତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top