ଫାଲତୁ ଚର୍ଚ୍ଚା!

News Story - Posted on 2017-10-02

ଏ ଦଳ ଓ ନେତାମାନଙ୍କୁ ଓଡ଼ିଶାର ସମସ୍ୟା ଉପରେ ବିତର୍କ କରିବାକୁ ଭଲ ଲାଗୁନି ବୋଧେ । ଯେତେବେଳେ ଶୁଣିବ ଖାଲି ଭୋଟ କଥା! ଗଣମାଧ୍ୟମ ବି ତାଙ୍କ ପାଲରେ ପଡ଼ିଗଲାଣି । ଆମ ପିଲାଏ କେମିତି ଭଲ ପାଠ ପଢ଼ିବେ, କେମିତି ଭଲ ମଣିଷ ହେବେ, ରୋଜଗାରକ୍ଷମ ହେବେ, ବିଲକୁ କେମିତି ପାଣି ମାଡ଼ିବ, ସ୍ୱାସ୍ଥ୍ୟ ବ୍ୟବସ୍ଥା କେମିତି ଗାଁରେ ପହଂଚିବ, ପରିବେଶ ନିର୍ମଳ ହେବ, ଅପରାଧ କମିବ, ଦୁର୍ନୀତି ଦୂର ହେବ- ଏସବୁ ବିଷୟରେ କେଉଁ ଦଳର କେଉଁ ନେତା ବିତର୍କ କରିବାର ଶୁଣାଯାଉନି କାହିଁକି?

 

କେହି ତ କାହିଁକି କହୁ ନାହାନ୍ତି, ମୂଲିଆ ମଜୁରୀ ବଢ଼ୁ ବୋଲି? ଅସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ବେତନ କମିଶନ ବସୁ ବୋଲି? ଦରଦାମ କମୁ ବୋଲି? ମହିଳାଙ୍କୁ ସମ୍ମାନ ଓ ଶକ୍ତି ଦିଆଯାଉ ବୋଲି? ପିଲାଙ୍କୁ ଉତ୍ତମ ପୁଷ୍ଟି ଓ ଶିକ୍ଷା ଦିଆଯାଉ ବୋଲି? ଓଡ଼ିଆ ଭାଷା ଓ ସଂସ୍କୃତି ଓଡ଼ିଶାର ସହର, ଶାସନ ଓ ବଜାରର ଭାଷା ଓ ସଂସ୍କୃତି ହେଉ ବୋଲି? ରାଜନୀତିକ ନେତାମାନେ ବର୍ଷକୁ କେତେ ଥର ବୃଦ୍ଧି ପାଉଥିବା ପ୍ରଦୂଷଣ, ଅପରାଧ, ଦୁର୍ନୀତି, ଭେଜାଲ ଖାଦ୍ୟ, ନିମ୍ନମାନର ଔଷଧ, ଆର୍ôଥକ ଅସମାନତା, ସୀମା ଓ ନିୟନ୍ତ୍ରଣ ହୀନ ଲାଭ, ପ୍ରାକୃତିକ ସଂପଦର ଲୁଟ୍, ସ୍ୱାସ୍ଥ୍ୟ ଓ ଶିକ୍ଷା ଖର୍ଚ୍ଚ ବୃଦ୍ଧି ବା ସାଧାରଣ ଲୋକଙ୍କ ଖର୍ଚ୍ଚସୀମା ବାହାରକୁ ଚାଲିଯିବା ଆଦି ବିଷୟରେ ଚର୍ଚ୍ଚା କରୁଛନ୍ତି?

 

ଭାରତବର୍ଷ କଥା ଛାଡ଼ନ୍ତୁ, ଓଡ଼ିଶାରେ ଏସବୁ ବିଷୟରେ ଅଧିକରୁ ଅଧିକ ଚର୍ଚ୍ଚା ଓ ଆଲୋଚନା ହେବା ଦରକାର । ବିଭିନ୍ନ ଦଳର ନେତାମାନେ ଏସବୁ ବିଷୟରେ ଟିଭି ଚାନେଲ, ଖବରକାଗଜ ଓ ସାଧାରଣ ସଭା ଭଳି ସାଧାରଣ ମଂଚରେ ଆଲୋଚନା କରି ତାହାର ସମାଧାନ ବାହାର କରିବା ଉଚିତ । କାରଣ ଏସବୁ ହେଉଛି ଓଡ଼ିଶାର ବୁନିଆଦି ସମସ୍ୟା ।

 

କିନ୍ତୁ ଦୁଃଖ ଓ ପରିତାପର କଥା, ସେମାନେ ଏସବୁ ବିଷୟରେ କମ କଥା ହୁଅନ୍ତି, ବେଶି କଥା ହୁଅନ୍ତି ଭୋଟ ଓ ରାଜନୀତି ବିଷୟରେ । ଏଇ ଯେମିତି ଘୋଷଣା ହୋଇନଥିôା ବିଜେପୁର ନିର୍ବାଚନ । ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କର ଗତ ଅଗଷ୍ଟ ୨୨ ତାରିଖରେ ଅକାଳ ବିୟୋଗ ଘଟିଲା । ବିଧିବିଧାନ ଅନୁଯାୟୀ ତାଙ୍କ ବିୟୋଗର ୬ ମାସ ଭିତରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଏଯାଏଁ ଭାରତର ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରି ନାହାନ୍ତି । ଓଡ଼ିଶା ବିଧାନସଭା ବି ସୁବଳଙ୍କ ବିୟୋଗ ଜନିତ ଖାଲି ହୋଇଥିବା ଆସନ ନେଇ ଭାରତର ନିର୍ବାଚନ କମିଶନଙ୍କୁ ରିପୋର୍ଟ ପଠାଇବାକୁ ସପ୍ତାହେ କି ପକ୍ଷେ ନେଇଥିବେ ।

 

ଅଥଚ ତାଙ୍କ ମୃତ୍ୟୁର ଦୁଇ ଦିନ ପରଠୁଁ ସେଠା ନିର୍ବାଚନ, କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, କିଏ ଜିତିବେ, କିଏ ପ୍ରଚାର କରିବେ ଆଦି ବିଷୟରେ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ସୁବଳଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାରଙ୍କୁ କିମ୍ବା ତାଙ୍କ ଅନୁଗାମୀମାନଙ୍କୁ ସମବେଦନା ଜଣାଇବା ବାହାନାରେ ମୂଳରୁ ଆରମ୍ଭ ହୋଇଥିବା ଏହି ନିଷ୍ଠୁର ରାଜନୀତିକ ଅଭିଯାନ ଭିତରେ ମାନବିକତାର ମୃତ୍ୟୁ ହେବା ସ୍ୱାଭାବିକ କଥା, ତା’ ସହିତ ରାଜ୍ୟର ଅନ୍ୟାନ୍ୟ ସମସ୍ୟା ମଧ୍ୟ ଗୌଣ ହୋଇଯାଇଛି । ଯେଉଁ ନିର୍ବାଚନ କେବେ ହେବ ସେଥିପାଇଁ ବିଜ୍ଞପ୍ତି ଜାରି ହୋଇନାହିଁ ତା’ ଉପରେ ଓଡ଼ିଶାର ରାଜନୀତିକ ଦଳଗୁଡ଼ିକ ଯେତେ ଗୁରୁତ୍ୱ ଦେଇ ରଣକୌଶଳ ନିର୍ଦ୍ଧାରଣ କରୁଛନ୍ତି ସେତିକି ତତ୍ପରତା ଯଦି ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଅର୍ଥନୀତି, ସଂପଦ ପରିଚାଳନା ଆଦି ସଂପର୍କରେ ପ୍ରକାଶ ପାଆନ୍ତା ତେବେ ହୁଏତ ଦିନ କେଇଟାରେ ଏସବୁ ସମସ୍ୟା ଇତିହାସ ହୋଇଯାଆନ୍ତା । ମାତ୍ର, ତାହା ହୁଏ ନାହିଁ । କାରଣ ବୋଧହୁଏ ଏହି ରାଜନୀତିକ ଦଳଗୁଡ଼ିକ ଓଡ଼ିଶା ଓ ଓଡ଼ିଆଙ୍କର କୌଣସି ମୌଳିକ ସମସ୍ୟା ଦୂର ହେଉ ବୋଲି ଚାହାନ୍ତି ନାହିଁ । ଲୋକେ ଯଦି ଶିକ୍ଷିତ, ସଚେତନ, ଆତ୍ମନିର୍ଭରଶୀଳ ହୋଇଯିବେ ଆଉ ନେତାଙ୍କ ପଛରେ ଗୋଡ଼େଇବେ ନାହିଁ କି ସେମାନଙ୍କ ପତାକା ଧରିବେ ନାହିଁ । ଲୋକେ ଶିକ୍ଷିତ, ସଚେତନ ଓ ସଶକ୍ତ ହେଲେ ନେତା ଓ ବାବୁମାନଙ୍କର ଗାଲୁଆମି ଧରାପଡ଼ିବ । ଦୁର୍ନୀତି ଓ କୁପରିଚାଳନାର ଯବାବ ଦିଆଯିବ । ଲୋକେ ପ୍ରଶ୍ନ କରିବେ । ତାତିବେ, ମାତିବେ । ସେମାନଙ୍କ ଜବାବ ଦେବାକୁ ହେବ ।

 

ନେତାମାନେ ଏସବୁ ଚାହାନ୍ତି ନାହିଁ । ସେଇଥିପାଇଁ ବୋଧହୁଏ ସେମାନେ କେବେ ବି ଜନ ସାଧାରଣଙ୍କର ବାସ୍ତବ ସମସ୍ୟା ସଂପର୍କରେ ଆଲୋଚନା ନକରି ସବୁବେଳେ ଫାଲତୁ କଥାରେ ଦିନ ଗଡ଼ାନ୍ତି । ଲୋକେ ଗଣମାଧ୍ୟମ ଜରିଆରେ ଏଇସବୁ ଫାଲତୁ କଥା ସଂପର୍କରେ ଅବହିତ ହୋଇ ତା’ରି ଉପରେ ଦୋହରା ଚର୍ଚ୍ଚା କରୁଛନ୍ତି । ବିଜେପୁରରେ ବିଜେଡି ଜିତିଲେ ତାଙ୍କ ଦଳର ବିଧାୟକଙ୍କ ସଂଖ୍ୟା ଆଉ ଗୋଟିଏ ବଢ଼ିବ । ସେଥିରେ ଓଡ଼ିଶାବାସୀଙ୍କର କି ଉପକାର ହେବ? ସେ ଆସନଟି ନଜିତିଲେ କ’ଣ ବିଜେଡି ସରକାର ଭାଙ୍ଗି ଯାଉଛି କି? ସେହିପରି ବିଜେପି ବା କଂଗ୍ରେସ ଜିତିଲେ ସେହି ଦଳ ବା ସେମାନଙ୍କ ନେତାଙ୍କର ଲାଭ ହେବ । ସେଥିରେ ଓଡ଼ିଶାବାସୀଙ୍କର କି ଲାଭ ହେବ? ଲୋକେ କେବେ ଏ ଲାଭ କ୍ଷତିର ହିସାବ କରିବେ କେଜାଣି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top