ଆମେରିକାରୁ ଆସିଲା ପ୍ରଥମ ତେଲ

News Story - Posted on 2017-10-02

ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରୁ ତେଲ କିଣିଛି ଭାରତ । ଭାରତୀୟ ତୈଳ ନିଗମ ପାଇଁ ଆମେରିକାରୁ ୧.୬ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆଣିଥିବା ଏକ ଜାହାଜ ପାରାଦୀପ ବନ୍ଦରରେ ଲାଗିଛି । ଯେଉଁ ଜାହାଜରେ ଏହି ତୈଳ ଆସିଛି ତା ନାମ ହେଉଛି ଏମଭି ପ୍ରସପରିଟି । ପାରାଦୀପ ବନ୍ଦର ଉପକୂଳଠାରୁ ପ୍ରାୟ ୨୦ କିମି ଦୂରରେ ଥିବା ଏସପିଏମ୍ ବର୍ଥରେ ଏହି ଜାହାଜ ଲାଗିଛି । ଜାହାଜରେ ଥିବା ଅଶୋଧିତ ତୈଳକୁ ପାଇପ୍ ମାଧ୍ୟମରେ ଆଇଓସିଏଲ୍ ବିଶୋଧନାଗାରକୁ ଅଣାଯାଉଛି । ସେଠାରେ ବିଶୋଧନ କରାଯିବା ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଏହି ତେଲ ଯିବ ।

 

ଆମେରିକାରୁ ଭାରତ ଆସିଥିବା ଏହି ଜାହାଜକୁ ପାରାଦୀପ ବନ୍ଦରରେ ସ୍ୱାଗତ କରାଯାଇଥିଲା । ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲ ପାଇପ ଲାଇନର ନିର୍ଦ୍ଦେଶକ ଅନୀଶ ଅଗ୍ରୱାଲ, ଯୁଗ୍ମ ସଚିବ ମୁନୁ ମାହାୱାର, ବୈଦେଶିକ ମନ୍ତ୍ରଣାଳୟ କାଥାରାଇନ ବି ହଡ୍ଡା, ୟୁଏସ୍ କନସୁଲ ଜେନେରାଲ ହାଇଦ୍ରାବାଦ, ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ତୈଳ ନିଗମର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଅଶୋଧିତ ତୈଳ ନମୁନା ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଇଣ୍ଟର ନ୍ୟାସନାଲ କୋ-ଅପରେସନ) ସଞ୍ଜୟ ସୁଧୀରଙ୍କୁ ସଙ୍କେତିକ ଭାବେ ପ୍ରଦାନ କରାଯାଇଛି ।

 

ଭାରତୀୟ ତୈଳ ନିଗମ ପ୍ରଥମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଆମେରିକାରୁ କ୍ରମବର୍ଦ୍ଧିର୍ିଷ୍ଣୁ ଅର୍ଡର ଦେଇ ୩.୯ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ସଂଗ୍ରହ କରିଛି । ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ ହେଉଛନ୍ତି ଭାରତର ଅନ୍ୟ ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯେଉଁମାନେ କି ସେମାନଙ୍କର କୋଚିନ ଓ ଭାଇଜାଗ୍ ରିଫାଇନାରୀ ପାଇଁ ଆମେରିକାରୁ ଯଥାକ୍ରମେ ୨.୯୫ ନିୟୁତ ଓ ୧ ନିୟୁତ ବ୍ୟାରେଲ ଅଶୋଧିତ ତୈଳ କିଣିବାକୁ ଅର୍ଡର କରିଛନ୍ତି । ଭାରତୀୟ ପବ୍ଲିକ ସେକ୍ଟର ରିଫାଇନାରୀ ବର୍ତ୍ତମାନ ସୁଦ୍ଧା ସମୁଦାୟ ୪୫୦ ନିୟୁତ ଡଲାର ମୂଲ୍ୟର ୭.୮୫ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଉଭୟେ ପବ୍ଲିକ ଓ ପ୍ରାଇଭେଟ କ୍ଷେତ୍ରରେ ଭାରତୀୟ କମ୍ପାନୀ ଯୁକ୍ତରାଷ୍ଟ୍ରରେ ସମୁଦାୟ ପ୍ରାୟ ୫୦୦ କୋଟି ଡଲାରର ପୁଞ୍ଜି ବିନିଯୋଗ କରିଛନ୍ତି । ଭାରତୀୟ କମ୍ପାନୀ ବାର୍ଷିକ ୯ ନିୟୁତ ଟନ ଏଲଏନଜି ପାଇଁ ଯୁକ୍ତରାଷ୍ଟ୍ର ସହ ଚୁକ୍ତିବଦ୍ଧ ହୋଇଛନ୍ତି ଏବଂ ପ୍ରଥମ ପଣ୍ୟବାହୀ ଜାହାଜ ଜାନୁୟାରୀ ୨୦୧୮ ସୁଦ୍ଧା ଭାରତରେ ଆସି ପହଞ୍ଚିବ ।

 

ଯୁକ୍ତରାଷ୍ଟ୍ର ସହିତ ଭାରତ ହାଇଡ୍ରୋକାର୍ବନ କ୍ଷେତ୍ରରେ ସମ୍ପର୍କ ସୁଦଅଢ଼ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜୁନ ୨୦୧୭ରେ ତାଙ୍କ ଗସ୍ତ ସମୟରେ ସୂଚାଇବା ପରେ ଭାରତ-ଯୁକ୍ତରାଷ୍ଟ୍ର ଗ୍ଲୋବାଲ ଷ୍ଟ୍ରାଟେଜିକ୍ ପାର୍ଟନରସିପ ବିକଶିତ ହୋଇଛି । ପ୍ରଧାନମନ୍ତ୍ରୀ ଯୁକ୍ତରାଷ୍ଟ୍ର ଗସ୍ତର ଅଳ୍ପଦିନ ପରେ ଯୁକ୍ତରାଷ୍ଟ୍ରରୁ ଅଶୋଧିତ ତୈଳ ଆମଦାନୀ ଯୋଜନା ପ୍ରସ୍ତୁତ ହୋଇଥିଲା । ତେଣୁ ଯୁକ୍ତରାଷ୍ଟ୍ରର ଅଶୋଧିତ ତୈଳ ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ-ଯୁକ୍ତରାଷ୍ଟ୍ରର ଦ୍ୱିପାକ୍ଷିକ ସମ୍ପର୍କର ସୁଦୃଢ଼ୀକରଣ ଦିଗରେ ଏକ ସୋପାନ । ଭାରତ ଓ ଯୁକ୍ତରାଷ୍ଟ୍ର ଉର୍ଜ୍ଜା ଉପଭୋକ୍ତା କ୍ଷେତ୍ରରେ ଯଥାକ୍ରମେ ବିଶ୍ୱର ସର୍ବ ବୃହତ ଓ ତୃତୀୟ ବୃହତ ଦେଶ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top