ଗୀତ ଆସରରେ ଗୁଳିବର୍ଷା

News Story - Posted on 2017-10-02

ଆମେରିକାର ନେଭାଡ଼ା ରାଜ୍ୟ ଅନ୍ତର୍ଗତ ଲାସ ଭେଗାସରେ ହୋଇଛି ଏକ ଭୟଙ୍କର ଗୁଳିକାଣ୍ଡ । ଏଠାକାର ମାଣ୍ଡାଲେ ବେ କ୍ୟାସିନୋ ନିକଟରେ ଏକ ମୁକ୍ତାକାଶ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିବାବେଳେ କ୍ୟାସିନୋ କୋଠାର ୩୨ ମହଲା ଘରେ ରହୁଥିବା ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳିବର୍ଷଣ କରିବାରୁ ସମବେତ ସଙ୍ଗୀତ ଶ୍ରୋତାଙ୍କ ମଧ୍ୟରୁ ଅନ୍ୟୁନ ୫୮ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହି ଆକ୍ରମଣରେ ପ୍ରାୟ ୫୦୦ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ପୁଲିସ ଗୁଳିରେ ଦୁର୍ବୃତ୍ତ ମଧ୍ୟ ନିହତ ହୋଇଛି ।

 

ଲାସ ଭେଗାସ ମେଟ୍ରୋପଲିଟାନ ପୁଲିସ ଅନୁସାରେ ରବିବାର ବିଳମ୍ବିତ ରାତିରେ ମାଣ୍ଡାଲେ ବେ କ୍ୟାସିନୋର ଖୋଲା ସ୍ଥାନରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥିଲା । ହଠାତ କ୍ୟାସିନୋର ୩୨ ମହଲାରେ ଥିବା ଏକ ଘର ଭିତରୁ କେହି ଜଣେ ସମବେତ ଜନତାଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷଣ କରିଥିଲା । ଏଥିରେ ୫୮ ଉପରେ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଏଯାଏଁ ୫୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆହୁରି ପ୍ରାୟ ୫୦୦ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସମସ୍ତ ଆହତଙ୍କୁ ଲାସ ଭେଗାସର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

ଗୁଳିମାଡ଼ ଖବର ପାଇ ସଙ୍ଗେସଙ୍ଗେ ପୁଲିସ ପହଂଚି ଅପରେସନ ଆରମ୍ଭ କରିଥିଲା । ପୁଲିସ ଗୁଳିରେ ସଂପୃକ୍ତ ଦୁର୍ବୃତ୍ତ ମଧ୍ୟ ନିହତ ହୋଇଛି । ତା’ର ନାମ ଷ୍ଟିଫେନ ପ୍ୟାଡକ ବୋଲି ଜଣାପଡ଼ିଛି । ତା’ର ବୟସ ୬୪ ବର୍ଷ ହେବ ବୋଲି ପୁଲିସ କହିଛି । ପୁଲିସ ସନ୍ଦେହ କରୁଛି ଯେ ପ୍ୟାଡକ ହିଁ ଏକମାତ୍ର ଆକ୍ରମଣକାରୀ । ତେବେ ସେହି ରୁମ୍ରେ ତା’ ସହିତ ଜଣେ ମହିଳା ରହୁଥିବା ପୁଲିସ ସୂଚନା ପାଇଛି । ସେହି ମହିଳାର ନାମ ମ୍ୟାରିଲୋ ଡାନଲେ । ତାଙ୍କ ବୟସ ୬୨ ବର୍ଷ । ସେ ଜଣେ ଏସୀୟ-ଆମେରିକୀୟ ବୋଲି ପୁଲିସ ସୂଚନା ପାଇଛି । ପୁଲିସ ଏବେ ଡାନଲେକୁ ପଚରାଉଚୁରା କରିବାକୁ ଖୋଜୁଛି । କିନ୍ତୁ ସେ ନିଖୋଜ ହୋଇଯାଇଛି । ସେହିପରି ସେଠାରେ ପ୍ୟାଡକର ଦୁଇଟି କାର୍ ଥିବା ପୁଲିସ ଜାଣିବାକୁ ପାଇଛି । ଗୋଟିଏ କାର୍ ହ୍ୟୁଣ୍ଡାଇ ଟୁସ୍କନ ଓ ଅନ୍ୟଟି କ୍ରିସଲର ପ୍ୟାସିଫିକା । ଦୁଇଟି ଯାକ ଗାଡ଼ିରେ ନେଭାଡ଼ା ନମ୍ବର ରହିଛି । ପୁଲିସ ଏ ଦୁଇଟି ଗାଡ଼ି ଜବତ କରିଛି । ଶେଷ ସୂଚନା ଅନୁଯାୟୀ ଆତତାୟୀ ପ୍ୟାଡକ ଏତେ ଲୋକଙ୍କୁ ମାରିବା ପରେ ନିଜକୁ ଗୁଳି କରି ହତ୍ୟା କରିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ।

 

କାଉଣ୍ଟି ଶେରିଫ ଯୋଶେଫ ଲୋମ୍ବାର୍ଡ଼ୋ କହିଛନ୍ତି ଯେ ପ୍ୟାଡକ ଏକ ଖୀରସ୍ତାନୀ ନାଁ ହୋଇଥିଲେ ବି ତାହାର ନିର୍ଦ୍ଦିଷ୍ଟ ଧର୍ମ ବିଷୟରେ କିଛି ଜଣାପଡ଼ି ନାହିଁ । ସେହିପରି ସେ କୌଣସି ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲା କି ନାହିଁ ତା’ ମଧ୍ୟ ଜଣାପଡ଼ି ନାହିଁ । ଏହା ଏକ ଆତଙ୍କବାଦୀ କାର୍ଯ୍ୟ କିମ୍ବା ଜଣେ ବିକୃତମସ୍ତିଷ୍କ ଲୋକର ପାଗଳାମି ସେନେଇ ପୁଲିସ ତଦନ୍ତ ଜାରି ରହିଛି । ଏହି ମର୍ମନ୍ତୁଦ ଗୁଳିକାଣ୍ଡରେ ନିହତ ଲୋକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ ହାଉସ ଏହି ଘଟଣା ଉପରେ ଅନୁଧ୍ୟାନ ଚଳାଇଛି ବୋଲି କହିଛନ୍ତି ମୁଖପାତ୍ର ସାରାହ ସାଣ୍ଡର୍ସ ।

 

ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁଯାୟୀ ରବିବାର ଥିଲା ତିନି ଦିନିଆ ରାଉଟ୍ ୯୧ କୃଷି ଉତ୍ସବର ଶେଷ ଦିନ । ଉତ୍ସବରେ ପ୍ରାୟ ୨୨ ହଜାର ଲୋକ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଏରିକ ଚର୍ଚ୍ଚ, ସାମ ହଣ୍ଟ ଓ ଜାସନ ଆଲଡେନଙ୍କ ପରି ବିଖ୍ୟାତ ଗାୟକ ଯୋଗଦେଇଥିଲେ । ରାତି ପ୍ରାୟ ୧୦.୪୫ ଘଣ୍ଟା ସମୟରେ ଆଲଡେନ ସଙ୍ଗୀତ ପରିବେଷଣ କରୁଥିବା ସମୟରେ ହିଁ ଗୁଳିକାଣ୍ଡ ଘଟିଥିଲା । ତେବେ ଆଲଡେନ ସୁରକ୍ଷିତ ଅଛନ୍ତି । ଉପରୁ ଗୁଳିବର୍ଷା ହେବା ଦେଖି ଶ୍ରୋତାମାନେ ଏଣେତେଣେ ଦୌଡ଼ିଥିଲେ । ଦୌଡ଼ାଦୌଡ଼ି ସମୟରେ ଦଳାଚକଟା ଘଟି କେତେ ଜଣ ଆହତ ହୋଇଛନ୍ତି ।

 

ଲାସ ଭେଗାସ ହେଉଛି ନେଭାଡାର ଏକ ସମୁଦ୍ରତଟ ସହର । ଏଠାକାର କ୍ୟାସିନୋଗୁଡ଼ିକ ବିଶ୍ୱ ପ୍ରସିଦ୍ଧ । ଏଠାରେ ଜୁଆଖେଳ ଚାଲେ । ଏଠାକୁ ପ୍ରତିବର୍ଷ ପ୍ରାୟ ୩.୫ ନିୟୁତ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ଗୁଳିକାଣ୍ଡ ଘଟିଥିବା ମାଣ୍ଡାଲେ ବେ କ୍ୟାସିନୋର ଖୁବ ନିକଟରେ ଅଛି ମ୍ୟାକ୍କାରନ ଅନ୍ତର୍ଜାତୀୟ ବିମାନ ବନ୍ଦର । ଗୁଳିକାଣ୍ଡ ପାଇଁ ଏହି ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ଆଖପାଖ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ଉପରେ ନିୟନ୍ତ୍ରଣ ଜାରି କରିଛି ପୁଲିସ ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଓର୍ଲାଣ୍ଡୋ ନାଇଟ୍ କ୍ଲବରେ ଏହିଭଳି ଏକ ଗୁଳିକାଣ୍ଡ ଘଟି ୪୯ ଜଣ ନିହତ ହୋଇଥିଲେ । ମାଣ୍ଡାଲେ ବେ ଗୁଳିକାଣ୍ଡର ନିହତଙ୍କ ସଂଖ୍ୟା ତା’କୁ ବଳି ଯାଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top