ରାଜନୀତିରେ ବଂଶବାଦ

News Story - Posted on 2017-09-23

ସିଏ. ବିବେକାନନ୍ଦ ନାୟକ

 

କିଛିଦିନ ତଳେ ବଂଶବାଦ ଉପରେ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଭାରତରେ ଝଡ଼ ସୃଷ୍ଟି କରିଥିଲା। ରାହୁଲ ଗାନ୍ଧୀ କହିଲେ, ‘ଭାରତରେ ବଂଶାନୁକ୍ରମିକ ଉତ୍ତରାଧିକାର ଏକ ସାଧାରଣ କଥା ଏବଂ ସବୁ କ୍ଷେତ୍ରରେ ଅଛି।’ ଏହା ସପକ୍ଷରେ ଯୁକ୍ତି ରଖି ରାଜନୀତିରେ ଡି.ଏମ‌୍‍.କେ. ର ଷ୍ଟାଲିନ‌୍‍, ଶିଳ୍ପରେ ମୁକେଶ ଅମ୍ୱାନୀ ଏବଂ ଫିଲ୍ମ ଜଗତରେ ଅଭିଷେକ ବଚ୍ଚନଙ୍କ ଉଦାହରଣ ଦେଇଥିଲେ। ତାଙ୍କର ଏହି ଯୁକ୍ତି ନିଶ୍ଚିତ ଭାବରେ ଗ୍ରହଣୀୟ ନୁହେଁ। ସ୍ୱାଧୀନତା ପରଠାରୁ କଂଗ୍ରେସ ପାର୍ଟିରେ ଗାନ୍ଧୀ ପରିବାରର ନିୟନ୍ତ୍ରଣ ଦୃଷ୍ଟିକୋଣରୁ ରାହୁଲଙ୍କ ଉକ୍ତି ଏକ ବାଧ୍ୟବାଧକତା ବୋଲି ଧରାଯାଇପାରେ। ଗଣତନ୍ତ୍ର ହେଲା ‘ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା।’ ଗଣତନ୍ତ୍ରରେ ଶାସକ ଲୋକମାନଙ୍କ ଦ୍ୱାରା ହିଁ ନିର୍ବାଚିତ ହୋଇଥାନ୍ତି। ଶାସନ କରିବାର ଅଧିକାର ଏକ ପରମ୍ପରା ଅନୁଯାୟୀ ଉତ୍ତରାଧିକାର ସୂତ୍ରରେ ହସ୍ତାନ୍ତର ପ୍ରକ୍ରିୟା ଗଣତନ୍ତ୍ର ବିରୋଧି। କୌଣସି ପରିବାର କାହାକୁ ଲୋକମାନଙ୍କ ଉପରେ ଥୋପିଦେବା ଗଣତାନ୍ତ୍ରିକ ମୂଲ୍ୟବୋଧର ବିରୋଧାଭାସ କରେ। ୨୦୦୪ ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବରେ ଉଭା ହେବାବେଳେ ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବା ଆଶା ଉଜ୍ଜିବୀତ ହୋଇଥିଲା। କିନ୍ତୁ ତାଙ୍କର ‘ବିଦେଶୀ ମୂଳ’ ବିବାଦ ଯୋଗୁଁ ନିଜ ଦଳରେ ଏବଂ ଦଳ ବାହାରେ ପ୍ରବଳ ବିରୋଧ କରାଯାଇଥିଲା। ଶେଷରେ ସେ ପ୍ରଧାନମନ୍ତ୍ରୀ ହେବା ଲକ୍ଷ୍ୟରୁ ଓହରି ଯାଇଥିଲେ। ମାତ୍ର ପ୍ରକାରାନ୍ତରେ ନିଜର ପ୍ରତିନିଧି ଭାବରେ ମନମୋହନ ସିଂଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ସ୍ୱୀକୃତି ଦେଇଥିଲେ। ଦଳର ଅଧିକାଂଶ ନେତା ନେହେରୁ ଗାନ୍ଧୀ ପରିବାର ଉପରେ ଆନୁଗତ୍ୟ ରଖି ସୋନିଆଙ୍କ ଏହି ନିଷ୍ପତ୍ତିକୁ ଗ୍ରହଣ କରି ନେଇଥିଲେ। ପ୍ରଣବ ମୁଖାର୍ଜୀ ଓ ଶିବରାଜ ପାଟିଲ‌୍‍ଙ୍କ ପରି ଟାଣୁଆ ନେତା ଏହି ଉତ୍କଟ ବଂଶବାଦ ଆଗରେ ଚୁପ‌୍‍ ରହିଥିଲେ।

 

ରାଜନୀତିରେ ବଂଶବାଦ କହିଲେ ନିଜର ବଂଶ ବା ପରିବାର ଆଧାରରେ ଦଳ ବା ସରକାରରେ ଅହେତୁକ ରାଜନୈତିକ ସୁବିଧା ପାଇବା। ଜନସାଧାରଣଙ୍କର ବିଶ୍ୱାସ ଭାଜନ ନ ହୋଇ ବିଭିନ୍ନ ପଦ ପଦବୀ ମଣ୍ଡନ କରିବା। ବଂଶବାଦ ଏହା ନୁହେଁ ଯେ, କୌଣସି ରାଜନେତାର ପୁଅ ବା ଝିଅ ରାଜନୀତି କରିବା। ଜଣେ ମୁଖ୍ୟମନ୍ତ୍ରୀ ପୁଅ ସାଂସଦ ହୋଇଗଲା ବା କୌଣସି କେନ୍ଦ୍ରମନ୍ତ୍ରୀ ପୁଅ ବିଧାୟକ ହୋଇଗଲା ବୋଲି ବଂଶବାଦର ଦ୍ୱାହି ଦେଇ ତାକୁ ବିରୋଧ କରାଯିବା ଉଚିତ‌୍‍ ନୁହେଁ। ନିର୍ବାଚନ ଲଢିବା ଏବଂ ଦେଶର ରାଜନୀତିରେ ଭାଗନେବା ହେଉଛି ସମସ୍ତଙ୍କର ଗଣତାନ୍ତ୍ରିକ ଅଧିକାର। ଦକ୍ଷତା ଆଧାରରେ କୌଣସି ବ୍ୟକ୍ତି ଜନସାଧାରଣଙ୍କର ବିଶ୍ୱାସଭାଜନ ହେଲେ ବା ସେମାନଙ୍କ ଦ୍ୱାରା ନିର୍ବାଚିତ ହେଲେ, କାହାର କହିବାର କିଛି ନାହିଁ। ଯଦି ଡାକ୍ତର ବା ଇଂଜିନିୟରଙ୍କ ସନ୍ତାନ ଡାକ୍ତର ବା ଇଂଜିନିୟର ହୋଇପାରିବେ, ତାହାହେଲେ ନେତାଙ୍କ ସନ୍ତାନ ନେତା ହେବାର ଅସୁବିଧା କେଉଁଠି ? ମାତ୍ର ଦକ୍ଷତାକୁ ଅଣଦେଖା କରି କୌଣସି ପରିବାରର ଇଚ୍ଛା ଅନୁଯାୟୀ କୌଣସି ବ୍ୟକ୍ତିଙ୍କୁ ଦଳ ବା ସରକାରରେ ଉକ୍ତ ପଦପଦବୀରେ ବସାଇବା ହିଁ ବଂଶବାଦକୁ ଦର୍ଶାଇଥାଏ।

 

ସ୍ୱାଧୀନତା ପରଠାରୁ ବଂଶବାଦ ହିଁ ଭାରତୀୟ ରାଜନୀତିକୁ ପ୍ରଭାବିତ କରି ଆସିଛି। ରାଜନୈତିକ ବଂଶବାଦ କଥା ଆସିଲେ, ସ୍ୱାଭାବିକ ଭାବେ ଗାନ୍ଧୀ ପରିବାର (ବାସ୍ତବରେ ନେହେରୁ ପରିବାର) କଥା ସାମ୍ନାକୁ ଆସେ। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଯେତେବେଳେ ଜବାହାରଲାଲ‌୍‍ ନେହେରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ପାଠ କଲେ, ସେତେବେଳେ କେହି ମଧ୍ୟ ଭାବି ନଥିବେ ତାଙ୍କ ପରିବାର ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଦେଶକୁ ୬୦ ବର୍ଷ ଶାସନ କରିବ। ନେହେରୁ ୧୭ ବର୍ଷ (୧୯୪୭ ରୁ ୧୯୬୪ ପଯ୍ର୍ୟନ୍ତ), ଇନ୍ଦିରା ଗାନ୍ଧୀ ୧୫ ବର୍ଷ (୧୯୬୪ ରୁ ୧୯୮୪ ମଧ୍ୟରେ), ରାଜୀବ ଗାନ୍ଧୀ ୫ ବର୍ଷ (୧୯୮୪ ରୁ ୧୯୮୯) ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ଥିଲେ। ପି.ଭି. ନରସିଂହା ରାଓ ୧୯୯୦ରେ ପ୍ରଧାନମନ୍ତ୍ରୀ ହେଲେ। ସ୍ୱାଧୀନତାର ୪୩ ବର୍ଷ ପରେ ସେ ହେଉଛନ୍ତି ନେହେରୁ ପରିବାର ବାହାରୁ ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ କି ପୂରା ୫ ବର୍ଷ ଶାସନରେ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ନରସିଂହା ରାଓ ଏବଂ ତତ୍‌କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ଭାରତୀୟ ଅର୍ଥନୀତିରେ ବିକାଶୋନ୍ମୁଖୀ ମୌଳିକ ଉଦାରବାଦୀ ପରିବର୍ତ୍ତନ ଆସିଥିଲା। ଏହି ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ୧୦, ଜନପଥ (ସୋନିଆଙ୍କ ଆବାସ ଠିକଣା) ର ନିୟନ୍ତ୍ରଣ ଥିଲା। ମାତ୍ର ଶାସନର ଶେଷ ଆଡକୁ ପ୍ରଧାନମନ୍ତ୍ରୀ ରାଓ ଓ ସୋନିଆଙ୍କ ମଧ୍ୟରେ ଘୋର ମତଭେଦ ଦେଖାଯାଇଥିଲା। ଏହି ସମୟରେ ଅଧିକାଂଶ ବରିଷ୍ଠ ନେତା ଗାନ୍ଧୀ ପରିବାରର ପ୍ରଭୁତ୍ୱକୁ ସ୍ୱୀକାର କରିଥିଲେ ଏବଂ ସୋନିଆଙ୍କ ସପକ୍ଷରେ ଛିଡ଼ା ହୋଇଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ରାଓଙ୍କୁ ପ୍ରଶାସନିକ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ସରିବା ପରେ ମଧ୍ୟ ରାଓଙ୍କ ସହିତ ଶତୃତାକୁ ସୋନିଆ ଗାନ୍ଧୀ ଭୁଲି ନଥିଲେ। ଏପରିକି ୨୦୦୪ ମସିହାରେ ରାଓଙ୍କ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଜାତୀୟ କଂଗ୍ରେସ କାର୍ଯ୍ୟାଳୟ ଭିତରକୁ ଛଡ଼ାଯାଇ ନଥିଲା। ଗେଟ‌୍‍ ବାହାରେ ମର ଶରୀରକୁ ରଖି ମୃତ୍ୟୁକାଳୀନ ଅଭିବାଦନ ଦିଆଯାଇଥିଲା। ଫଳତଃ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଦଳର ପୂର୍ବତନ ସଭାପତିଙ୍କ ମର ଶରୀର କଂଗ୍ରେସ କାର୍ଯ୍ୟାଳୟ ଭିତରକୁ ଯାଇପାରିଲା ନାହିଁ।

 

୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ସୁରକ୍ଷା କର୍ମୀମାନେ ହତ୍ୟା  କରିଥିଲେ। ଏହି ମହିୟସୀ ମହିଳାଙ୍କ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ସେତେବେଳେ କେହି ଭାବି ନଥିଲେ ରାଜନୀତିଠାରୁ ଦୂରରେ ରହୁଥିବା ଯୁବକ ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହେବେ। ବହୁ ରାଜନୀତି ପଣ୍ଡିତମାନଙ୍କର ଆକଳନକୁ ଭୁଲ‌୍‍ ପ୍ରମାଣିତ କରି ରାଜୀବ ଗାନ୍ଧୀ ହିଁ ଦେଶର ପ୍ରଧାନମନ୍ତ୍ରୀ ହେଲେ। ପ୍ରଧାନମନ୍ତ୍ରୀ ଦାବୀଦାର ଚର୍ଚ୍ଚା ସମୟରେ ବହୁ ବରିଷ୍ଠ ନେତା ଯଥା ପି.ଭି. ନରସିଂହା ରାଓ, ପ୍ରଣବ ମୁଖାର୍ଜୀ, ଅଜୁର୍ନ ସିଂହ ପ୍ରମୁଖ ପଛକୁ ଠେଲି ହୋଇଯାଇଥିଲେ। ପରବର୍ତ୍ତୀ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ବିପୁଳ ଜନସମର୍ଥନ ପାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ଜଡ଼ିତ ଅନୁକମ୍ପା ଯୋଗୁଁ ସର୍ବକାଳୀନ ରେକର୍ଡ଼ ୪୦୪ ଆସନର ବିଜୟ ସହିତ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ। ଏଥିରୁ ସାଧାରଣ ଜନତାଙ୍କ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧା ସହିତ ଭାରତୀୟମାନଙ୍କର ଗାନ୍ଧୀ ବଂଶ ଆନୁଗତ୍ୟର ପ୍ରମାଣ ମିଳେ।

 

ଜାତୀୟ ଦଳ ଭାବରେ କମ୍ୟୁନିଷ୍ଟ ଏବଂ ବିଜେପିରେ ବଂଶବାଦର କୁପ୍ରଭାବ ବିଶେଷ ଦେଖାଯାଏ ନାହିଁ। କେହି କହି ପାରିବେ ନାହିଁ, ଏହି ଦଳମାନଙ୍କର ପରବର୍ତ୍ତୀ ସଭାପତି କିଏ ବା  କେଉଁ ପରିବାରରୁ ହେବ। କିନ୍ତୁ କଂଗ୍ରେସ, ଶିବସେନା ବା ଆର‌୍‍ଜେଡିର ସଭାପତି କିଏ ବା କେଉଁ ପରିବାରରୁ ହେବେ ମୋଟାମୋଟି ଆକଳନ କରାଯାଇପାରେ। ଏହା ଲେଖୁଥିଲା ବେଳେ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ପୁଅ ରାହୁଲ ଗାନ୍ଧୀ କଂଗ୍ରେସର ପରବର୍ତ୍ତୀ ସଭାପତି ହେବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ହେଉଛି। ହୁଏତ ଏହି ଅଗ୍ରଲେଖାଟି ପ୍ରକାଶିତ ହେବା ବେଳକୁ ରାହୁଲ ଗାନ୍ଧୀ କଂଗ୍ରେସର ସଭାପତି ଭାବେ ଅବସ୍ଥାପିତ ହୋଇଯାଇଥିବେ !

 

ପ୍ରାୟ ସବୁ ଆଂଚଳିକ ଦଳମାନଙ୍କରେ ବଂଶବାଦର ଉତ୍କଟ (କୁ)ପ୍ରଭାବ ଦେଖିବାକୁ ମିଳେ। ସମାଜବାଦୀ ପାର୍ଟି, ଡିଏମ‌୍‍କେ, ରାଷ୍ଟ୍ରୀୟ ଜନତା ଦଳ, ଶିବସେନା, ଜନତା ଦଳ (ଧର୍ମ ନିରପେକ୍ଷ)ରେ କୌଣସି ଏକ ପରିବାର ଦଳର ହର୍ତ୍ତାକର୍ତ୍ତା। ଏହି ସବୁ ଦଳରେ ହାଇକମାଣ୍ଡ ହିଁ ସର୍ବେସର୍ବା। ଏଠାରେ ନେତାମାନଙ୍କର ଦକ୍ଷତାର ମାପକାଠି ବୋଲି ବିଶେଷ କିଛି ନାହିଁ। ଦଳର ପଦପଦବୀ ପାଇଁ ହାଇକମାଣ୍ଡଙ୍କ ଆଶୀର୍ବାଦ ହିଁ ସବୁକିଛି। ୟୁପି ପରି ବୃହତ ରାଜ୍ୟରେ ମୁଲାୟମଙ୍କ ଅନଭିଜ୍ଞ ପୁଅ ଅଖିଲେଶ ସିଂ ମୁଖ୍ୟମନ୍ତ୍ରୀ ହେବା ଏବଂ ବିହାରରେ ଗଠ-ବନ୍ଧନ ସରକାରରେ ମଧ୍ୟ ଲାଲୁ ଯାଦବଙ୍କ ଦୁଇ ପୁଅ କ୍ୟାବିନେଟ‌୍‍ ମନ୍ତ୍ରୀ (ଜଣେ ଉପମୁଖ୍ୟମନ୍ତ୍ରୀ) ହେବା ପାରିବାରିକ ରାଜନୀତି ବା ବଂଶବାଦର ବଳି  ପ୍ରମାଣ। ଏହା ନିଃସନ୍ଦେହରେ କୁହାଯାଇପାରେ, ଦଳରେ ଏମାନଙ୍କଠାରୁ ଅନେକ ଦକ୍ଷ ନେତା ଥିଲେ, କିନ୍ତୁ ବଂଶବାଦ ରାଜନୀତି ପାଇଁ ସେମାନେ ନିଜ ଅଧିକାରରୁ ବଂଚିତ ହୋଇଛନ୍ତି।

 

ଆଂଚଳିକ ଦଳମାନଙ୍କର ବଂଶବାଦ ରାଜନୀତି ଏକ ସାଧାରଣ ପ୍ରକ୍ରିୟା ଭାବରେ ଧରାଗଲାଣି। ଅନେକ ସମୟରେ ଏକ ବଳିଷ୍ଠ ନେତା ନିଜ ଦଳର ନେତୃତ୍ୱ ଉପରେ ଅସନ୍ତୁଷ୍ଟ ହୋଇ ବା ନିଜର ପ୍ରାଧାନ୍ୟ ବଜାଇ ରଖିବା ପାଇଁ ଆଂଚଳିକ ଦଳ ଆରମ୍ଭ କରିଥାଆନ୍ତି। ମୂଳ ଜନତା ଦଳରୁ ଅଲଗା ହୋଇ କେତେକ ପ୍ରଭାବଶାଳୀ ନେତାଙ୍କ ଦ୍ୱାରା ବିଭିନ୍ନ ପ୍ରାନ୍ତରେ ଗଢି ଉଠିଥିବା ଆଂଚଳିକ ଦଳ ତାହାର ଉଦାହରଣ। ଏହି ଲୋକପ୍ରିୟ ନେତାମାନେ ନିଜର ପରକା। ଏବଂ ସମ୍ୱଳ ମାଧ୍ୟମରେ ସେମାନଙ୍କ ଦଳକୁ ଶକ୍ତିଶାଳୀ କରିଥାନ୍ତି। ଫଳତଃ ଏହି ଦଳଗୁଡିକର କାର୍ଯ୍ୟକ୍ରମ ଏହି ନେତାମାନଙ୍କର କର୍ତ୍ତୃତ୍ବରେ ଥାଏ। ଅନ୍ୟ ଦଳୀୟ ନେତା ଓ ଅନୁଗାମୀମାନଙ୍କର ଏମାନଙ୍କର କଥାକୁ ବିରୋଧ କରିବାର ଶକ୍ତି ନଥାଏ।

 

ଓଡିଶାରେ ଆଂଚଳିକ ଦଳର ପ୍ରଭାବ ଏକ ରୋଚକ ଅଧ୍ୟାୟ। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପର୍ଯ୍ୟନ୍ତ ଓଡ଼ିଶାରେ ପରିବାରବାଦର ବିଶେଷ ପ୍ରଭାବ ନଥିଲା। ତାଙ୍କ ଅବର୍ତ୍ତମାନରେ ଦଳରେ ନେତୃତ୍ୱ ସଂକଟ ଦେଖା ଦେଇଥିଲା। ସେତେବେଳର ଶାସନରେ ଥିବା ଶକ୍ତିଶାଳୀ କଂଗ୍ରେସକୁ ସାମ୍ନା କରିବା ପାଇଁ ଜନତା ଦଳ ପକ୍ଷରେ ସମ୍ଭବ ନଥିଲା। ତେଣୁ ଦଳର ତତ‌୍‍କାଳୀନ କେତେକ ତୁଙ୍ଗ ନେତାମାନେ ବିଜୁ ପଟ୍ଟାନାୟକଙ୍କର ଜଣେ ସୁପୁତ୍ରଙ୍କୁ ଦଳର ମଙ୍ଗ ଧରିବା ପାଇଁ ଗୁହାରୀ କଲେ। ଏହି ସମ୍ମୀକରଣକୁ ସଫଳ କରିବା ପାଇଁ ସେତେବେଳେ କେନ୍ଦ୍ରରେ ଥିବା ବିଜେପି ଜନତାଦଳ ନେତାମାନଙ୍କୁ ସମ୍ୱଳ ଓ ନୈତିକ ସମର୍ଥନ ଦ୍ୱାରା ସାହାଯ୍ୟ କରିଥିଲେ। ବିଜୁ ଜନତା ଦଳ ସୃଷ୍ଟି ହେଲା ଏବଂ ରାଜନୀତିର ପାଖ ମାଡୁ ନଥିବା ନବୀନ ପଟ୍ଟନାୟକ ଏହାର ମଙ୍ଗ ଧରିଲେ। ବିଜୁ ଦାୟଦ ହିସାବରେ ନବୀନଙ୍କ ସପକ୍ଷରେ ଜନସାଧାରଣଙ୍କ ଅନୁକମ୍ପା ଏବଂ ବିଜୁ ଜନତା ଦଳର ଦୁଇ ଦଶନ୍ଧି ଧରି ଅପୂର୍ବ ନିର୍ବାଚନୀ ସଫଳତା ଇତିହାସ ହୋଇଯାଇଛି। ଏହା ବଂଶବାଦ ବା ପାରିବାରିକ ରାଜନୀତିର ଆଉ ଏକ ରୂପ। ବିଜୁ ପଟ୍ଟନାୟକ ନିଜ ଜୀବନ କାଳରେ ବଂଶବାଦ ରାଜନୀତିକୁ ପ୍ରୋତ୍ସାହିତ କରି ନଥିଲେ। ତାଙ୍କ ଅବର୍ତ୍ତମାନରେ ଜନସାଧାରଣଙ୍କ ତାଙ୍କ ପ୍ରତି ଥିବା ପ୍ରଚଣ୍ଡ ଶ୍ରଦ୍ଧା ଓ ସମ୍ମାନ ଉତ୍ତରାଧିକାରୀ ଭାବରେ ନବୀନ ପଟ୍ଟନାୟକଙ୍କୁ ବିପୁଳ ରାଜନୈତିକ ସଫଳତା ଆଣି ଦେଇଛି। ଯାହା ହେଉନା କାହିଁକି, ବଂଶବାଦ ରାଜନୀତି ଗଣତାନ୍ତ୍ରିକ ପ୍ରକ୍ରିୟାର ପରିପନ୍ଥୀ। ଦୁର୍ଭାଗ୍ୟର କଥା ଏହାର କୁପ୍ରଭାବ ଭାରତୀୟ ରାଜନୀତିକୁ କଳୁଷିତ କରୁଛି।

 

ଏ-୨୦୩, ଲେକ‌୍‍ଭିୟୁ ହୋମ‌୍‍ସ‌୍‍, ମଧୁସୂଦନ ନଗର,

ଭୁବନେଶ୍ୱର-୭୫୧୦୧୨।

ମୋ- ୯୪୩୯୯ ୫୫୮୦୪


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top