ଓଡ଼ିଆ ଭାଷା ଭବନ ବିରୋଧରେ ସ୍ମାର୍ଟସିଟି!

News Story - Posted on 2017-09-22

ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିବା ଓଡ଼ିଆ ଭାଷାର ବାଧକ ସାଜିଛି ଭୁବନେଶ୍ୱର ସ୍ମାର୍ଟ ସିଟି। ଓଡ଼ିଶା ଭାଷା ପ୍ରତିଷ୍ଠାନର ଭାଷା ଭବନ ଲାଗି ସରକାର ଜମି ଓ ଅର୍ଥ ଯୋଗାଇ ଦେଇଥିଲେ ମଧ୍ୟ ଏହି ଜମିରେ ଭାଷା ଭବନ ନିର୍ମାଣ କାର୍ଯ୍ୟ ନ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟିର ମୁଖ୍ୟ ନିର୍ବାହୀ ଅଧିକାରୀ ନିଦ୍ଦେର୍ଶ ଦେଇଛନ୍ତି। ବିଧାୟକ ଦିଲିପ ରାୟ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦେଇଥିବା ଉତ୍ତରରୁ ଏହା ଜଣାପଡ଼ିଛି।

 

ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ପାଇଁ ରାଜଧାନୀର କେଉଁଠି ସରକାର କେତେ ପରିମାଣର ଜମି ଓ ଅର୍ଥ କେବେଠାରୁ ଯୋଗାଇ ଦେଇଛନ୍ତି, କାମରେ ନ ଲାଗି ବ୍ୟାଙ୍କରେ ଜମା ଥିବା ଏହି ଅର୍ଥ ବଢ଼ି ବଢ଼ି କେତେ ହେଲାଣି ଏବଂ ଜମି ଓ ଟଙ୍କା ଯୋଗାଇବା ସତ୍ତ୍ବେ କାହିଁକି ଭାଷା ଭବନ ନିର୍ମାଣ ହୋଇପାରିନାହିଁ ତାହାର କାରଣ ଦର୍ଶାଇବା ସହିତ ଆବଣ୍ଟିତ ଜମିରେ କେବେସୁଦ୍ଧା ଭାଷା ଭବନ ନିର୍ମାଣ କାର୍ଯ୍ୟ ଶେଷ ହେବ ସେ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ଏକ ଅଣତାରକା ପ୍ରଶ୍ନ ପଚାରିଥିଲେ।

 

ଏହାର ଉତ୍ତରରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ପାଇଁ ରାଜଧାନୀର ଖାରବେଳ ନଗର ଅଞ୍ଚଳରେ ୫୩,୨୫୦ ବର୍ଗଫୁଟ ପରିମିତ ଜମି ଓ ଏଥିଲାଗି ୧ କୋଟି ୫ ହଜାର ଟଙ୍କା ଯୋଗାଇଥିଲେ। ବର୍ତ୍ତମାନ ସୁଦ୍ଧା ମୂଳ ଜମା ସହିତ ସୁଧ ମିଶି ଏହାର ପରିମାଣ ୧,୨୬,୫୯,୫୧୬ ଟଙ୍କା ହେଲାଣି। ପରବର୍ତ୍ତୀ ଅବସ୍ଥାରେ ଏହି ଜମିରେ ନିର୍ମାଣ କାର୍ଯ୍ୟ ନ କରିବା ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟିର ମୁଖ୍ୟ ନିର୍ବାହୀ ଅଧିକାରୀ ନିଦ୍ଦେର୍ଶ ଦେଇଛନ୍ତି। ଓଡ଼ିଆ ଭାଷା ପ୍ରତିଷ୍ଠାନ କାର୍ଯ୍ୟାଳୟ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ପ୍ରସ୍ତାବ କ୍ରମେ ସଚିବାଳୟ ପାର୍ଶ୍ୱସ୍ଥ କାର୍ଯ୍ୟାଳୟ ଟାୱାରରେ ଭାଷା ପ୍ରତିଷ୍ଠାନ ଅବସ୍ଥାନ ପାଇଁ ସଂସ୍କୃତି ସଚିବ ଓ ପୂର୍ତ୍ତ ବିଭାଗ ସହିତ ଆଲୋଚନା କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ବହୁତଳ ପ୍ରାସାଦରେ ଏହା ଯଥାଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି।

 

ଭାଷା ଭବନ ପାଇଁ ପ୍ରଶାସନିକ ସୌଧ ସହିତ ଅତିଥି ଗୃହ, ତାଲିମ ପ୍ରତିଷ୍ଠାନ, ଗବେଷଣାଗାର, ପାଠାଗାର, ପ୍ରେକ୍ଷାଳୟ ସହିତ ଗ୍ୟାରେଜ‌୍‍ ଓ ପାର୍କିଂ ସ୍ଥାନ ଆଦି ଲାଗି ନତ୍ତା ପ୍ରସ୍ତୁତି ସହିତ କାମ ଆରମ୍ଭ ପାଇଁ ସବୁ ଯୋଜନା ଶେଷ ହେବା ବେଳେ ଓଡ଼ିଆଙ୍କ ଭାବାବେଗ ପ୍ରତି ଆଘାତ ସୃଷ୍ଟି କରି ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ନିର୍ଦ୍ଧାରିତ ସ୍ଥାନରେ ନିର୍ମାଣ କାର୍ଯ୍ୟ କରାଇନଦେବା ଓଡ଼ିଆ ଅସ୍ମିତା ପ୍ରତି ଏକ ଶକ୍ତ ଧକ୍କା ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ କହିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top