ବିଜେଡିର ନୂଆ ଭାବମୂର୍ତ୍ତି

News Story - Posted on 2017-09-22

ଚାରୁ ଚନ୍ଦନ ଦାଶ

 

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ସେପ୍ଟେମ୍ବର ୧୮ ତାରିଖ ରାଜ୍ୟବ୍ୟାପୀ ହରତାଳ କରିଥିଲା। ଶାସକ ଦଳ ହିସାବରେ ତୈଳ ଦର ଭଳି ଏକ ଗୁରୁତ୍ବପୂର୍ଣ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲେଇବା ଏକ ଭଲ କଥା। ଅନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ ସତ୍ତ୍ବେ ଭାରତରେ ତୈଳ ଦର ବୃଦ୍ଧି ହେବା ନିହାତି ପରିତାପର ବିଷୟ।

 

ସକାଳ ୭ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବନ୍ଦ ପାଳନ କରିବାକୁ ବିଜେଡି ଡାକରା ଦେଇଥିଲା। ସେଥିପାଇଁ ଏକ ସ୍ଲୋ ମୋସନ ରାଜନୀତି କରିବାକୁ ଦଳର ସମସ୍ତ ନେତା, କର୍ମୀ ପ୍ରସ୍ତୁତ ମଧ୍ୟ ହେଲେ। କିନ୍ତୁ, ମାତ୍ର ୫ ଘଣ୍ଟା ମଧ୍ୟରେ ଦଳର ଚେହେରା ବଦଳି ଯିବା ସାଙ୍ଗେ ସାଙ୍ଗେ ଓଡ଼ିଶା ରାଜନୀତିରେ ଏକ ନୂଆ ଫର୍ଦ୍ଦ ଯୋଡି ହେଇଗଲା। ଆଉ ସେଇଟା ହେଲା ’ଗୁଣ୍ଡାଗର୍ଦ୍ଦି’। ସାଧାରଣ ଜନତାଙ୍କ ସ୍ବର ଉଠାଇବା ଲାଗି ପ୍ରଚେଷ୍ଟାରତ ବିଜେଡି ନାଁ ପୂର୍ବରୁ ’ଗୁଣ୍ଡା’ ଲାଗିବା ନିହାତି ଲଜ୍ଜାକର ବିଷୟ

 

୨୦୧୪ ନିର୍ବାଚନ ପରଠୁ ଦଳ ବିଭିନ୍ନ ସମୟରେ ଏମିତି ନିଜ ମୁହଁରେ କାଳି ବୋଳି ବାରେ ଲାଗିଛି।

 

୨୦୧୬ ଶେଷ ଆଡର ଏକ କଥା ଏଠାରେ ମନେ ପକେଇବାକୁ ଚାହୁଁଛି। ମାନମୁଣ୍ଡା ଠାରେ ଜଣେ ବିଜେପି କର୍ମୀଙ୍କୁ ବିଜେଡି ନେତାଏ ନିର୍ଧୁମ ଛେଚି ଥିଲେ। ଏହି ଘଟଣା ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। କିନ୍ତୁ, ସେଇ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା କି ନାହିଁ ସେକଥା ମା’ ଗଙ୍ଗେ ଜାଣିଥିବେ। ସେହିପରି ବେଗୁନିଆ ବୋଲଗଡରେ ଜଣେ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା ମଧ୍ୟ ଆପଣମାନେ ନିହାତି ଜାଣିଥିବେ। ହେଲେ ସେପ୍ଟେମ୍ବର ୧୮ ହରତାଳର ଚିତ୍ର ଥିଲା ସମ୍ପୂର୍ଣ ଅଲଗା।

 

ହରତାଳ ପାଳନ ସମୟରେ ଆଚାର୍ଯ୍ୟ ବିହାର ଛକ ନିକଟରେ ଏକ ଆମ୍ବୁଲାନ୍ସ ଯାଉଥିବା ବେଳେ ତାକୁ କର୍ମୀମାନେ ପଛକୁ ଫେରାଇ ଦେଇଥିଲେ। ଏପରିକି ସେଥିରେ ଦଳୀୟ ପତାକା ଲଗେଇବାକୁ ମଧ୍ୟ ଭୁଲି ନଥିଲେ। ତେବେ ଲୋକଙ୍କ ସ୍ବର ଉଠାଇବାକୁ ଆନ୍ଦୋଳନର ଡାକରା ଦେଇ ଆମ୍ବୁଲାନ୍ସକୁ ଅଟକାଇବା କେତେ ଯୁକ୍ତିଯୁକ୍ତ ? ସେହିପରି ଡେଲଟା ଛକ ନିକଟରେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କ ସ୍କୁଟି ଉପରକୁ କର୍ମୀମାନେ ଆକ୍ରମଣ କରିଥିଲେ। ସାଗରିକା ନାମ୍ନୀ ଜଣେ ଭଦ୍ର ମହିଳା ତାଙ୍କ ବାପାଙ୍କୁ ହସ୍ପିଟାଲ ନେଲା ବାଟରେ ବିଜେଡି କର୍ମୀମାନେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଉକ୍ତ ଭଦ୍ର ମହିଳା ଜଣକ ତାଙ୍କ ଟ୍ବିିଟର ଆକାଉଣ୍ଟରେ ଏ ସମ୍ପର୍କରେ ଲେଖିଛନ୍ତି। ଆହୁରି ବି ଅନେକ ଘଟଣା ଏଇ ୫ ଘଣ୍ଟା ମଧ୍ୟରେ ଘଟିଗଲା।

 

ଉପର ଉଦାହରଣ ଓ ହରତାଳର କାରନାମାରୁ ରାଜ୍ୟର ଶାସନ ବ୍ୟବସ୍ଥା ସ୍ପଷ୍ଟ ଭାବରେ ବାରି ହୋଇ ପଡୁଥିବା ମୁଁ ମନେ କରେ।

 

ହରତାଳ ପରେ ଶାସକ ଦଳର ଜଣେ ସାଂସଦ ତାଙ୍କ ଟ୍ବିଟର ରେ ଇତିହାସକୁ ଦୋହରାଇ ଥିଲେ। ତାଙ୍କ ବେଳର ହରତାଳ ଓ ଏଇ ହରତାଳକୁ ନେଇ ତୁଳନା କରିଥିଲେ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ମଧ୍ୟ ତୈଳ ବୃଦ୍ଧିକୁ ନେଇ ହରତାଳ କରାଯାଇଥିଲା। ଆଉ ସେଇ ସମୟରେ ବାଜପେୟୀ ଶଗଡ଼ ଗାଡ଼ିରେ ବସି ସଂସଦକୁ ଯିବା ତାଙ୍କ ଉଦାରତାର ପରିଚୟ ଦେଇଥିଲା। ଖାଲି ସେତିକି ନୁହେଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମଧ୍ୟ ଅନେକ ଥର ସାଇକଲରେ ବିଧାନସଭା ଯାଉଥିଲେ।

ହେଲେ ଇଏ କି ପ୍ରକାର ମାନବିକତା ! ଆଖିରେ ଜାଣି ଜାଣି ପଟି ବାନ୍ଧି ଦେବା କ’ଣ ଏକ ଉତ୍ତମ ରାଜନୈତିକ ପରିଚୟ? ଶାନ୍ତି ନାଁରେ ରାଜ୍ୟରେ ରାଜନୈତିକ ହିଂସା କରିବା କେତେଦୂର ଯୁକ୍ତିଯୁକ୍ତ !!!!

 

ଫୋ- ୯୬୫୮୨୬୩୨୮୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top