ପ୍ରବାଦର ପ୍ରମାଦ

News Story - Posted on 2017-09-22

ପରଂବ୍ରହ୍ମ ତ୍ରିପାଠୀ

 

ଅସୁରୁଣୀ, ରଜାପୁଅ, କାଶିଆ କପିଳା କଥା ପରେ ପିଲାବେଳେ ମୋ ବୁଢ଼ୀ ମାଆଠାରୁ ଯେଉଁ କଥାଟି ସବୁଠାରୁ ଅଧିକ ଶୁଣୁଥିଲି ସେଇଟା ହେଉଛି ସଦା ପରିଡାଙ୍କ ବିଷୟରେ। ଇଏ କେଉଁ କାଳ୍ପନିକ ଚରିତ୍ର ନୁହେଁ, ବରଂ ଆମ ଗାଆଁର ଜଣେ ଲୋକ ଯିଏ ସତୁରି ଦଶକରେ କଲିକତା ଯାଇ ସେଠି ନିଜର ଗୋଟେ ଫ୍ୟାକ୍ଟ୍ରି  ତିଆରି କରି ପାରିଥିଲେ। ବୁଢୀମା’ କହେ ଶହେ ଟଙ୍କିଆ ବିଡ଼ା ସବୁ ବିଛଣା ତଳେ ନ ରଖା ହେଲେ ସଦା ପରିଡାଙ୍କୁ କୁଆଡେ ନିଦ ହୁଏନି। ତାଙ୍କ ପାନରେ କି ଅତର ମିଶା ଗୁଣ୍ଡି ଥାଏ କେଜାଣି ପାନପିକ ପଡିଥିବା ଜାଗାଟି ବାସ ଛାଡେ ଆଠ ଦିନ ଯାଏ। ସଦା ପରିଡାଙ୍କୁ କୁଆଡେ ବଡ଼ବଜ଼ାରରେ ଗର୍ଭିଣୀ ଗାଈ ବି ବାଟ ଛାଡିଦିଏ। ଖାଲି ବୁଢୀମା’ ନୁହେଁ, ଆମ ଗାଆଁର ଆହୁରି ଅନେକ ଲୋକଙ୍କଠାରୁ ସଦା ପରିଡାଙ୍କ ବିଷୟରେ ଆହୁରି ଅନେକ ମଜାଦାର କଥା ଶୁଣିଛି।

 

ମୁଁ ଦଶମ ଶ୍ରେଣୀରେ ପଢୁଥିଲା ବେଳେ ସଦା ପରିଡା ଥରେ ଆସିଥିଲେ ଗାଆଁକୁ। କୌତୁହଳବଶତଃ ମୁଁ ତାଙ୍କ ଘରକୁ ଗଲି ତାଙ୍କୁ ଦେଖିବାକୁ। ହେଲେ ଇଏ କ’ଣ? ସତୁରି ବର୍ଷର କ୍ଷୀଣକାୟ ବ୍ୟକ୍ତି ଜଣେ ବସିଥାନ୍ତି ଖଟ ଉପରେ, ଦି ଚାରୋଟି କାଳିଆ କାଳିଆ ଦାନ୍ତ, ନିଜେ ଗୁଆକାତିରେ କାଟୁଥାନ୍ତି ଗୁଆ। ମତେ ସେ ଅତ୍ୟନ୍ତ ନମ୍ର ଭାବେ ପଚାରିଲେ, କ’ଣ ହେଲା ବାବୁ? ମୁଁ କହିଲି, କିଛି ନାହିଁ, ସଦା ପରିଡାଙ୍କୁ ଦେଖିବାକୁ ଆସିଥିଲି। ସିଏ କୋଉଠି ଅଛନ୍ତି? ବୃଦ୍ଧ ଜଣକ କହିଲେ, କହୁନ କ’ଣ କାମ ଅଛି? ମୁଁ ବା ସଦା ପରିଡା? ମୋ କୌତୁହଳ ଏକାଥରକେ ଗାୟବ। ତା’ପରେ ମୁଁ କିଏ, ମାନେ ଆମ ଘର ପରିଚୟ ଦେଇ ଦି’ ମିନିଟରେ ସେଠୁ ପଳେଇ ଆସିଲି।

 

ସେଇ ଘଟଣାର ତିନି ଚାରିଦିନ ଯାଏ ମତେ କେଜାଣି କାହିଁକି କେମିତି କେମିତି ଗୋଟେ ଲାଗିଥିଲା। ବୋଧେ କାହାଣୀ ଓ କିମ୍ବଦନ୍ତୀର ତାଳେ ତାଳେ ସଦା ପରିଡାଙ୍କୁ ନେଇ ଯେଉଁ ଚିତ୍ରଟିଏ ମୋ ମୁଣ୍ଡ ଭିତରେ ତିଆରି ହେଇଥିଲା, ତା ସହିତ କେଉଁଠି ବି ଖାପ ଖାଉ ନଥିବା ବା ତାର ସମ୍ପୂର୍ଣ ବିପରୀତ ଚିତ୍ରଟି ଦେଖିବା ହିଁ ଏହାର କାରଣ ଥିଲାୟ ହେଲେ ସଦା ପରିଡା କ’ଣ ତାଙ୍କ ବିଷୟରେ ଏମିତି ଗୋଟେ ଚିତ୍ର ତିଆରି କରିବାକୁ ମତେ ବାଧ୍ୟ କରିଥିଲେ ନା ଟଙ୍କା ଦେଇଥିଲେ? ନା। ତାଙ୍କ ବିଷୟରେ ସେ ଚିତ୍ର ତିଆରି କରିଥିଲା ତାଙ୍କ ନାଁରେ, ତାଙ୍କ ଅଗୋଚରରେ ତିଆରି ହେଇଥିବା କାହାଣୀ, କିମ୍ବଦନ୍ତୀ ଆଉ ପ୍ରବାଦରୁ। ଏଥିରେ ସଦା ବାବୁଙ୍କର ଦୋଷ କ’ଣ?

 

ସିଏ କ’ଣ ସାଧାରଣ ମଣିଷ? ସିଏ ପରା ମହାପୁରୁଷ! ମଣିଷରୁ ଜଣକୁ ମହାପୁରୁଷ ସ୍ତରକୁ ନେଇଯିବାର ସମୟ ସୀମା ଉପରେ ଯଦି କୌଣସି ବିଶ୍ବସ୍ତରୀୟ ପ୍ରତିଯୋଗିତା ହୁଅନ୍ତା, ତେବେ ପ୍ରଥମ ଦଶଟି ସ୍ଥାନରୁ ସିଂହଭାଗ ଯେ ଭାରତୀୟମାନେ ହିଁ ଅଧିକାର କରନ୍ତେ ଏଥିରେ ସନ୍ଦେହର ଅବକାଶ ନାହିଁ। ମହିମା ମଣ୍ଡନ ଓ ଅଲୌକିକତାର ମୁକୁଟ ପିନ୍ଧେଇବାର ପରମ୍ପରା ଏଠି ବହୁ ପୁରୁଣା। ପ୍ରତି ସଫଳ ବ୍ୟକ୍ତିତ୍କୁ ନେଇ ପର୍ଯ୍ୟାପ୍ତ ଇତିହାସ ପଛେ ନଥାଉ, ହେଲେ କିମ୍ବଦନ୍ତୀ ଥିବ ଲକ୍ଷେ। ଆମେ ଅଲୌକିକତାକୁ ଭଲ ପାଉ, ଭୟ କରୁ ଓ ସେଥିପାଇଁ ବୋଧେ ଭୟରେ ହେଉ ବା ଭକ୍ତିରେ ହେଉ ଆମେ ତାର ପ୍ରଚାର ପ୍ରସାରରେ ବିଶ୍ବାାସ କରୁ। ଆମେ ରଜା ପାଇଁ ବି ମନ୍ଦିର ତିଆରି କରିଛୁ, ନେତା ପାଇଁ ବି, ଏମିତିକି ଅଭିନେତା, କ୍ରିକେଟ ଖେଳାଳୀଙ୍କ ପାଇଁ ବି। ମଣିଷଟାକୁ ଖାଲି ସଫଳ ମଣିଷ କହିଲେ ବୋଧେ ଆମର ମନ ପୂରେନି। ତାକୁ ମହିମା ମଣ୍ଡିତ ନକରିବା ଯାଏ, ପ୍ରବାଦ ବା କିମ୍ବଦନ୍ତୀରେ ରୂପାନ୍ତରିତ ନକରିବା ଯାଏ ଆମର ପ୍ରୟାସ ହାର ମାନେନି।  ହେଲେ ଥରେ ମହିମା ମଣ୍ଡିତ ହୋଇଗଲେ, ପ୍ରବାଦ ବା କିମ୍ବନ୍ତୀରେ ରୂପାନ୍ତରିତ ହେଇଗଲେ, ସେ ବ୍ୟକ୍ତି, ସେ ପ୍ରକ୍ରିୟାକୁ ପ୍ରଶ୍ନ କରିବାର ଅବସର ହିଁ ରହିଲା କେଉଁଠି? ଯଦି କିଏ ପ୍ରଶ୍ନ କଲା, ଅନେକ ଅନୁଗାମୀ ବାହାରି ଆସନ୍ତି ପ୍ରତିହିଂସାର ବର୍ଚ୍ଛା ଧରି। ତମେ ମାନିଲେ ମାନ, ନ ମାନିଲେ ନାଇଁ, ଏଇଟା ଆମ ଆସ୍ଥାର କଥା, ସେ ଉପରେ ପ୍ରଶ୍ନ ଉଠେଇବାକୁ ତମେ କିଏ ଯେ ?

 

ପୂଜ୍ୟପୂଜା ଆଉ ମହିମାମଣ୍ଡନ ପ୍ରକ୍ରିୟା ଦୁଇଟି ସମାନ କଥା ନୁହେଁ। ଯେଉଁ ଜାତି ତା ସଫଳ ବ୍ୟକ୍ତିମାନଙ୍କୁ ସମ୍ମାନ ଦେଇ ଶିଖିନି, ସେ ଜାତିର ଭବିଷ୍ୟତ ନିଶ୍ଚିତ ଭାବେ ସମୁଜ୍ଜ୍ବଳ ନୁହେଁ। ଠିକ ସେମିତି, ଯେଉଁ ଜାତି ସଫଳ ବ୍ୟକ୍ତିତ୍ବଙ୍କୁ କେବଳ ପ୍ରବାଦରେ ରୂପାନ୍ତରିତ କରିବାରେ ଲାଗିଯାଏ ତାର ଭବିଷ୍ୟତ ବି ସମରୂପେ ସମ୍ଭାବନାମୟ ନୁହେଁ। ବିକଳ୍ପ ଓ ବିତର୍କର ରାସ୍ତାକୁ ସବୁଦିନ ପାଇଁ ନହେଲେ ବି ଗୋଟେ କାଳଖଣ୍ଡ ପାଇଁ ବନ୍ଦ କରିବାର ପ୍ରୟାସ ମହିମା ମଣ୍ଡନର ପ୍ରକ୍ରିୟା କରିଥାଏ। ଗତାନୁଗତିକତାକୁ ଚ୍ୟାଲେଞ୍ଜ କରୁଥିବା ସବୁ ତାତ୍ତ୍ବିିକ ପ୍ରଶ୍ନ, ଅନୁସନ୍ଧାନ ଓ ପ୍ରଚେଷ୍ଟାକୁ ବାଚାଳାମୀ ବୋଲି ଅଭିହିତ କରିବାରେ ନିଜର ସମସ୍ତ ଶକ୍ତି ଏହି ପ୍ରକ୍ରିୟା ଖଟେଇ ଦିଏ। ଚିତ୍ରାଳୟରୁ ମଗାଯାଇଥିବା ସାଧବ ପୁଅ ପୋଷାକରେ ବର୍ଷକୁ ଗୋଟିଏ ଦିନ ହୁଏତ ବୋଇତ ବନ୍ଦାଣର ମହୋତ୍ସବ ପାଳିହୁଏ, ହେଲେ ବର୍ତ୍ତମାନର ନଗ୍ନ ବାସ୍ତବତାକୁ ତ ଢାଙ୍କି ହୁଏନି ନା? କିମ୍ବଦନ୍ତୀ, ମହିମା ମଣ୍ଡନ ଆପଣଙ୍କୁ ବେଶୀରେ ବେଶୀ ଅନୁପ୍ରାଣିତ କରିପାରେ, ହେଲେ କିଛି ନିର୍ଦ୍ଦିଷ୍ଟ ଗୋଟେ  ଜିନିଷ କରିବାକୁ ହେଲେ ଏସବୁରୁ ବାହାରି ଉପଯୁକ୍ତ ବିଚାର, ଅଧ୍ୟବସାୟ ଓ ଦୃଢ଼ ମନୋବଳର ସାହାଯ୍ଯ ନେବାକୁ ହୋଇଥାଏୟ ଆଉ ସବୁଠାରୁ ମଜାଦାର କଥାଟି ହେଲା, ଯେଉଁଦିନ ଏଇ ତିନୋଟି ଜିନିଷ ଆସିଯାଏ, ସେତେବେଳେ ଆପଣଙ୍କ ପାଖରେ ବି ପ୍ରବାଦ/କିମ୍ବଦନ୍ତୀ/ମହିମା ମଣ୍ଡନ ଅଯୌକ୍ତିକ ହେଇଯାନ୍ତି। ଯିଏ ନିଜେ ନୂଆ ଇତିହାସ ଲେଖିବାର ସାମର୍ଥ୍ୟ ରଖୁଛି, ସିଏ କାଇଁ ପ୍ରବାଦର ମାୟାରେ ଫସିବ ଯେ?

 

ନା କୁଣ୍ଠିତ କିମ୍ବଦନ୍ତୀରେ ନା ଆତ୍ମସନ୍ତୋଷର ଅଫିମରେ, ନା ନିନ୍ଦୁକମାନଙ୍କ ନିନ୍ଦାରେ ନା ମିଛୁଆ ସ୍ତାବକଙ୍କ ଭାଟଗୀତରେ, ଗୋଟେ ଜାତି ବଞ୍ଚେ ତା ସ୍ବାଭିମାନରେ, ଆତ୍ମପ୍ରତ୍ୟୟରେ, ଅଲଂଘନୀୟ ମନେ ହେଉଥିବା ଦୂରତାକୁ ପଦାନତ କରିବାର ଜିଗୀସାରେ। ପ୍ରବାଦ, କିମ୍ବଦନ୍ତୀ, କାହାଣୀ ଆମ ସଭ୍ୟତା ଓ ସଂସ୍କୃତିର ଗୋଟିଏ ଗୋଟିଏ ସୁଦୃଢ଼ ଅଙ୍ଗ। ଏହା ଆମ ସାଂସ୍କୃତିକ ଜୀବନ ଓ ଅତୀତକୁ ପରିପୁଷ୍ଟ କରିଛି। ହେଲେ ଆମକୁ ବଂଚିବାକୁ ପଡିବ ବର୍ତ୍ତମାନ ଓ ଭବିଷ୍ୟତରେ। ପ୍ରବାଦ, କିମ୍ବଦନ୍ତୀ ଓ କାହାଣୀ ତାଙ୍କ ସ୍ଥାନରେ ଥାଆନ୍ତୁ, ପ୍ରମାଦ ରହିତ ବର୍ତ୍ତମାନ ଓ ଭବିଷ୍ୟତର ଗଠନ ପାଇଁ ମଧ୍ୟ ସମପରିମାଣ ବା ତା’ଠୁଁ ଟିକେ ଅଧିକ ଚେଷ୍ଟା କରାଯାଉ।

 

ନାଉଗାଁହାଟ, ଜଗତସିଂହପୁର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top