ଏ ଦଳ ସେ ଦଳ ନୁହେଁ!

News Story - Posted on 2017-09-18

ତୈଳ ଦରବୃଦ୍ଧି ବିରୋଧରେ ବିଜେଡିର ହରତାଳ ସମୟରେ କେତେକ ସ୍ଥାନରେ ହୋଇଥିôବା ଗୁଣ୍ଡାଗର୍ଦ୍ଦିକୁ ଦଳୀୟ ସାଂସଦ ବୈଜୟନ୍ତ ପଣ୍ଡା ତୀବ୍ର ସମାଲୋଚନା କରିଥିବାବେଳେ ଏହା ଲୋକଙ୍କ ଆକ୍ରୋଶର ପ୍ରତିଫଳନ ବୋଲି କହିଛି ଦଳ । ବିଜେଡି କିମ୍ବା ଏହାର ନେତା ନବୀନ ପଟ୍ଟନାୟକ ହିଂସାରେ ବିଶ୍ୱାସ କରନ୍ତି ନାହିଁ ବୋଲି ଦଳ କହିଛି ।

 

ଆଜି ଆୟୋଜିତ ହୋଇଥିବା ରାଜ୍ୟବ୍ୟାପୀ ହରତାଳ ସମୟରେ ବିଜେଡିର କେତେକ କର୍ମୀ ଭୁବନେଶ୍ୱରରେ ନିଜର ରୋଗାକ୍ରାନ୍ତ ଶ୍ୱଶୁରଙ୍କୁ ନେଇ ଯାଉଥିବା ଜଣେ ମହିଳାଙ୍କ କାର୍କୁ ଭଙ୍ଗାରୁଜା କରିଥିଲେ । ସେହିପରି ଅନ୍ୟ ଏକଠାରେ ରୋଗୀ ନେଇ ଯାଉଥିôବା ଏକ ଆମ୍ବୁଲାନ୍ସକୁ ବିଜେଡି କର୍ମୀମାନେ ବାଟରୁ ଫେରାଇ ଦେଇଥିଲେ । ଏହି ଘଟଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡିର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ସେ ନିଜ ଟୁଇଟର ଆକାଉଣ୍ଟରେ କହିଛନ୍ତି ଯେ ଏହାକୁ ମୁଁ ତୀବ୍ର ନିନ୍ଦା କରୁଛି । ମୁଁ ଆଉ ଦଳର ମୁଖପାତ୍ର ନାହିଁ । ତେଣୁ ଦଳ ତରଫରୁ ନିନ୍ଦା କରୁନାହିଁ । କୋଡ଼ିଏ ବର୍ଷ ତଳେ ନବୀନ ପଟ୍ଟନାୟକଙ୍କୁ ସହାୟତା କରି ଯେଉଁ ଦଳ ଗଢ଼ିଥିଲୁ ଏହା ସେହି ଦଳ ନୁହେଁ । ଏଥିପାଇଁ ମୁଁ ଲଜ୍ଜିତ ଓ କ୍ଷୁବ୍ଧ । ବିଜୁବାବୁ ମଧ୍ୟ ଏଇଆ କରିଥାନ୍ତେ । ଆରାମ ଚେୟାର କୌଶଳ ନିର୍ଦ୍ଧାରକ ବିଦା ହୁଅନ୍ତୁ ।

 

ବୈଜୟନ୍ତଙ୍କର ଏହି ଟୁଇଟ ବିଜେଡି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି । କାହାକୁ ସେ ଆରାମ ଚେୟାର କୌଶଳ ନିର୍ଦ୍ଧାରକ ବୋଲି ଆକ୍ଷେପ କରିଛନ୍ତି ତାହା ଅନେକଙ୍କ ପାଇଁ ଅନୁମାନର କଥା ହୋଇଯାଇଛି ।

 

ତେବେ ହରତାଳ ସମୟରେ ହୋଇଥିବା ଗୁଣ୍ଡାଗିରିକୁ ଏକରକମ ଅସ୍ୱୀକାର କରିଛି ବିଜେଡି । ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ସଂଜୟ ଦାସବର୍ମା କହିଛନ୍ତି ଯେ ରାଜ୍ୟର ୩୧୪ ବ୍ଲକରେ ହରତାଳ ସଫଳ ହୋଇଛି । ହରତାଳକୁ ସ୍ୱତସ୍ଫୂର୍ତ୍ତ ଜନସମର୍ଥନ ମିଳିଛି । ଯାହା ଘଟିଛି ତାହା ପେଟ୍ରୋଲ ଦର ବିରୋଧରେ ଜନ ଆକ୍ରୋଶର ପ୍ରତିଫଳନ । ଦଳର ନେତା କେବେ ବି ହିଂସାରେ ବିଶ୍ୱାସ କରନ୍ତି ନାହିଁ । ଏହା ମଧ୍ୟ ଦଳର ଆଭିମୁଖ୍ୟ ନୁହେଁ । ଦଳର ଅନ୍ୟତମ ମୁଖପାତ୍ର ପ୍ରଶାନ୍ତ ନନ୍ଦ ମଧ୍ୟ କହିଛନ୍ତି ଯେ ଦଳର ନେତା କେବେ ବି ହିଂସାକୁ ପ୍ରଶ୍ରୟ ଦେଇନାହାନ୍ତି କି ଦେବେ ନାହିଁ । ଆଉ ଦଳର ନୀତି ନିର୍ଦ୍ଧାରକ ହେଲେ କେବଳ ଜଣେ ଲୋକ, ସେ ହେଲେ ନବୀନ ପଟ୍ଟନାୟକ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top