ନର୍ମଦା ପ୍ରକଳ୍ପ ଯୋଗୁଁ ବୁଡ଼ିବେ ୪୦ ହଜାର

News Story - Posted on 2017-09-17

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟରେ ନର୍ମଦା ନଦୀ ଉପରେ ନିର୍ମିତ ସର୍ଦ୍ଦାର ସରୋବର ନଦୀବନ୍ଧର ଉଦଘାଟନ କରିବା ସମୟରେ ବହୁ କୋଶ ଦୂର ମଧ୍ୟ ପ୍ରଦେଶର ବରୱାନୀ ନିକଟରେ ଏହା ବିରୋଧରେ ଜଳ ସତ୍ୟାଗ୍ରହ କରିଥିଲେ ନର୍ମଦା ବଞ୍ଚାଅ ଆନ୍ଦୋଳନର କର୍ମୀ ମେଧା ପାଟେକର । ସର୍ଦ୍ଦାର ସରୋବର ପ୍ରକଳ୍ପ ଯୋଗୁଁ ଏହି ଅଂଚଳର ୪୦ ହଜାର ପରିବାରଙ୍କ ଘର ବୁଡ଼ିଯିବ ବୋଲି ସେ ଦାବି କରିଛନ୍ତି ।

 

ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳଠାରୁ ୩୦୦ କିଲୋମିଟର ମିଟର ଦୂର ଧାଡ଼ ଜିଲ୍ଲାର ଛୋଟା ବାର୍ଦ୍ଦା ଗାଁରେ ଏହି ଜଳ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଗୁଜରାଟର ପଡ଼ୋଶୀ ରାଜ୍ୟ ହେଉଛି ମଧ୍ୟ ପ୍ରଦେଶ । ନର୍ମଦା ନଦୀ ଉପରେ ନିର୍ମିତ ସର୍ଦ୍ଦାର ସରୋବର ପ୍ରକଳ୍ପ ଯୋଗୁଁ ମଧ୍ୟ ପ୍ରଦେଶର ଅନେକ ଗାଁ ମଧ୍ୟ ଜଳମଗ୍ନ ହୋଇଛି । ସର୍ଦ୍ଦାର ସରୋବର ନଦୀବନ୍ଧ ପ୍ରକଳ୍ପର ଜଳଭଣ୍ଡାରରେ ଏବେ ଜଳ ଗଚ୍ଛିତ କରାଯାଉଛି । ସେଥିପାଇଁ ମଧ୍ୟ ପ୍ରଦେଶର ଏହି ଅଂଚଳରେ ଥିବା ଅନେକ ଗାଁ ବୁଡ଼ିବା ଆରମ୍ଭ କରିଛି । ଏହି ଅଂଚଳରେ ଥିବା ନିଶାରପୁର ଓ ଐତିହାସିକ ରାଜଘାଟ ବୁଡ଼ି ସାରିଲାଣି । ଆଜି ପ୍ରଧାନମନ୍ତ୍ରୀ ପ୍ରକଳ୍ପ ଉଦଘାଟନ କରିବା ପରେ ଜଳପତ୍ତନ ଦ୍ରୁତଗତିରେ ବୃଦ୍ଧି ପାଇବ ଓ ଆହୁରି ଅନେକ ଗାଁ ବୁଡ଼ିଯିବାର ଆଶଙ୍କା ରହିଛି । ସେଥିପାଇଁ ଧାଡ଼ ଜିଲ୍ଲାରେ ପୁଲିସ ଓ ଏନଡିଆରଏଫକୁ ଜାଗତିଆର କରାଯାଇଛି ।

 

ଜଳମଗ୍ନ ହେବାକୁ ଯାଉଥିବା ସମସ୍ତ ଲୋକଙ୍କୁ ଉତ୍ତମରୂପେ ଥଇଥାନ କରିବା ପାଇଁ ମେଧା ପାଟେକର ଦାବି କରିଛନ୍ତି । ଏବେ ଜଳଭଣ୍ଡାରରେ ଜଳ ଗଚ୍ଛିତ ନକରିବା ସହିତ ଗେଟ୍ ଖୋଲି ଜଳ ନିଷ୍କାସନ କରିବାକୁ ସେ ଦାବି ଜଣାଇଛନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ସର୍ଦ୍ଦାର ସରୋବର ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯାଇ ନାହିଁ କି କ୍ଷତିପୂରଣ ଦିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ମେଧାଙ୍କର ନର୍ମଦା ବଞ୍ଚାଅ ଆନ୍ଦୋଳନ ହିଁ ପରିବେଶ ଓ ଥଇଥାନ ପ୍ରସଙ୍ଗ ଉଠାଇ ସୁପ୍ରିମ କୋର୍ଟରେ ପ୍ରକଳ୍ପ ବିରୋଧରେ ମାମଲା କରିଥିଲେ । ସୁପ୍ରିମ କୋର୍ଟ ୧୯୯୬ ମସିହାରେ ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିଥିଲେ । ପରେ ୨୦୦୦ ମସିହାରେ କୋର୍ଟ ରହିତାଦେଶ ଉଠାଇ କେତେକ ସର୍ତ୍ତ ସହିତ ପ୍ରକଳ୍ପ ନିର୍ମାଣକୁ ଅନୁମତି ଦେଇଥିଲେ ।

 

ଏହି ପ୍ରକଳ୍ପ ଯୋଗୁଁ ୧୮,୩୮୬ ପରିବାର ପ୍ରଭାବିତ ହୋଇଛନ୍ତି ବୋଲି ଗୁଜରାଟ ସରକାର ଦାବି କରିଛନ୍ତି । ବନ୍ଧର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କହିଛନ୍ତି ଯେ ପ୍ରକଳ୍ପ ବିରୋଧରେ ଅନେକ ଭୁଲ ତଥ୍ୟ ପ୍ରଚାର କରାଯାଇଛି । ସୂଚନାଯୋଗ୍ୟ ଯେ ୧୯୬୧ ମସିହାରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେବେଠାରୁ ପ୍ରକଳ୍ପକୁ ନେଇ ନାନାଦି ବିବାଦ ଲାଗି ରହିଛି ।

 

ସର୍ଦ୍ଦାର ସରୋବର ନଦୀବନ୍ଧ ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ । ପ୍ରଥମ ବୃହତ୍ତମ ନଦୀବନ୍ଧ ହେଉଛି ଆମେରିକାର ଗ୍ରାଣ୍ଡ କାଉଲି ନଦୀବନ୍ଧ । ସର୍ଦ୍ଦାର ସରୋବର ପ୍ରକଳ୍ପ ମଧ୍ୟ ଭାରତବର୍ଷର ତୃତୀୟ ସର୍ବୋଚ୍ଚ କଂକ୍ରିଟ ନଦୀବନ୍ଧର ମାନ୍ୟତା ଅର୍ଜନ କରିଛି । ଏହି ପ୍ରକଳ୍ପ ଜରିଆରେ ଗୁଜରାଟ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ୯ ହଜାର ଗାଁର ଲୋକମାନଙ୍କୁ ବିଦ୍ୟୁତ ଓ ଜଳ ଯୋଗାଇ ଦିଆଯିବ ବୋଲି ସରକାର ଦାବି କରି ଆସୁଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top