ପେଟ୍ରୋଲରେ ଜିଏସଟି ଲଗାଅ: ଧର୍ମେନ୍ଦ୍ର

News Story - Posted on 2017-09-17

ଉପଭୋକ୍ତାମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ପେଟ୍ରୋଲିୟମ ଉତ୍ପାଦଗୁଡ଼ିକ ସାମଗ୍ରୀ ଓ ସେବା କର ବା ଜିଏସଟି ଅଧୀନକୁ ଆଣିବା ପାଇଁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଏସଟି ଯୁଗରେ ଦେଶରେ ଗୋଟିଏ ପ୍ରକାର ଟିକସ ବ୍ୟବସ୍ଥା ରହିବା ଦରକାର ବୋଲି ସେ ଯୁକ୍ତି କରିଛନ୍ତି ।

 

ଏକ ଖବର ସରବରାହ ସଂସ୍ଥାକୁ ସେ କହିଛନ୍ତି ଯେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଦେଇଛି । ଆମେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏବଂ ଦେଶର ସମସ୍ତ ରାଜ୍ୟଗୁଡ଼ିକୁ ଏହି ଅନୁରୋଧ କରିଛୁ । ଉପଭୋକ୍ତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯୁକ୍ତିଯୁକ୍ତ ଟିକସ ବ୍ୟବସ୍ଥା ପ୍ରଚଳିତ ହେବା ଉଚିତ । ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ଜିଏସଟି ପରିସରଭୁକ୍ତ କରିବାର ଆବଶ୍ୟକତା ରହିଛି । ଏହା ଏକ ସୁଚିନ୍ତିତ ଟିକସ ବ୍ୟବସ୍ଥା । କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସହମତିରେ ଏହି ବ୍ୟବସ୍ଥା ପ୍ରଚଳିତ ହେଉଅଛି ।

 

ସେ କହିଛନ୍ତି ଯେ ଏବେ ପେଟ୍ରୋଲିୟମ ଉତ୍ପାଦ ଉପରେ ଦୁଇ ପ୍ରକାର ଟିକସ ଲାଗୁ ହେଉଛି । ଗୋଟିଏ ହେଉଛି କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ଅନ୍ୟଟି ହେଉଛି ରାଜ୍ୟର ଭାଟ୍ । ଏହି କାରଣରୁ ଆମେ ପେଟ୍ରୋ ଶିଳ୍ପ ଦୃଷ୍ଟିକୋଣରୁ ମଧ୍ୟ ଏହାର ଉତ୍ପାଦଗୁଡ଼ିକୁ ଏକକ ଟିକସ ବ୍ୟବସ୍ଥା ଅଧୀନକୁ ଆଣିବାକୁ ଚାହୁଁଛୁ ।

 

ତେବେ ପେଟ୍ରୋଲ ଓ ଡିଜେଲର ଦୈନିକ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା ସପକ୍ଷରେ ଯୁକ୍ତି କରି ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ତୈଳ ଦର ଅନୁସାରେ ହିଁ ଦେଶରେ ତୈଳ ଦର ନିର୍ଦ୍ଧାରିତ ହେଉଛି । ଅନ୍ତର୍ଜାତୀୟ ଦର ଓ ଜାତୀୟ ଦର ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମର ଦର ଯାହା ଆମେ ଜାତୀୟ ଉପଭୋକ୍ତାଙ୍କ ଉପରେ ତାହା ହିଁ ଧାର୍ଯ୍ୟ କରୁଛୁ । ଯେତେବେଳେ ଦର ବଢ଼ୁଛି ଆମେ ବଢ଼ାଉଛୁ । ଯେତେବେଳେ ଦର କମୁଛି ଆମେ କମାଉଛୁ । ଦେଶରେ ଏହି ପ୍ରକ୍ରିୟା ଚାଲିଛି ।

 

ସେହିପରି ତୈଳ ଉପରେ ଯାହା କିଛି ଟିକସ କେନ୍ଦ୍ର ସରକାର ଆଦାୟ କରୁଛନ୍ତି ତାହାର ୪୨ ପ୍ରତିଶତ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରାଯାଉଛି । ରାଜ୍ୟଗୁଡ଼ିକ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଅନେକ ଟିକସ ଲଗାଇଛନ୍ତି । ତେଣୁ ଏସବୁ ସାମଗ୍ରୀ ଉପରୁ ଯାହା କିଛି ଟିକସ ଆଦାୟ ହେଉଛି ତାହାର ସିଂହଭାଗ ରାଜ୍ୟଗୁଡ଼ିକର ରାଜକୋଷକୁ ଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

 

ଦେଶରେ ଚାଲିଥିବା ବହୁ ପ୍ରକାର ବିକାଶ ଓ କଲ୍ୟାଣମୂଳକ ଯୋଜନା ପାଇଁ ବିପୁଳ ପରିମାଣର ପାଣ୍ଠିର ଆବଶ୍ୟକତା ରହିଛି ବୋଲି ଯୁକ୍ତି କରି ସେ କହିଛନ୍ତି ଯେ ଆମେ କ’ଣ ଭଲ ରାସ୍ତା ତିଆରି କରିବା ନାହିଁ? ଲୋକମାନଙ୍କୁ କ’ଣ ବିଶୁଦ୍ଧ ପାନୀୟ ଜଳ ଦେବା ନାହିଁ? ଭାରତ ସରକାରଙ୍କ ବ୍ୟୟଭାର ହିସାବ କରନ୍ତୁ । ଆଗରୁ ଘର ତିଆରି କରିବାକୁ ଦରିଦ୍ର ପରିବାରଙ୍କୁ ୭୦ ହଜାର ଟଙ୍କା ଦିଆଯାଉଥିଲା । ଏବେ ସେଥିପାଇଁ ୧.୫ ଲକ୍ଷ ଟଙ୍କା ଦିଆଯାଉଛି ।

 

ଆମେ ଏ ଟଙ୍କା କେଉଁଠୁ ପାଉଛୁ? ଆମେ କ’ଣ ଟଙ୍କା ନେଇ ଟ୍ରେଜେରିରେ ରଖୁଛୁ କି? ସରକାର ଯାହା କିଛି ଟିକସ ଆକାରରେ ଆଦାୟ କରୁଛନ୍ତି ତାହାକୁ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ନିବେଶ କରାଯାଉଛି । ଏହା ଦ୍ୱାରା ବଜାରରେ ଅର୍ଥ କାରବାର ବୃଦ୍ଧି ପାଉଛି । ସାମ୍ବାଦିକମାନଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ତୈଳ ଓ ପ୍ରାକୃତିକ ବାଷ୍ଫ ଖଣିର ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରୁ ଭଲ ପ୍ରସ୍ତାବ ମିଳିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top