ଶ୍ରେଷ୍ଠ ପ୍ରଶାସକ ନା ଶ୍ରେଷ୍ଠ ନିଷ୍କର୍ମା?

News Story - Posted on 2017-09-17

ଓଡ଼ିଶାରେ ନିରକ୍ଷରଙ୍କ ସଂଖ୍ୟା କୋଟିଏରୁ ଅଧିକ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୦୧ରୁ ଗଢ଼ା ଯାଇଥିବା ରାଜ୍ୟ ସାକ୍ଷରତା ମିଶନର ବୈଠକ ଅଦ୍ୟାବଧି ବସିନାହିଁ। ରାଜ୍ୟର ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ବିକାଶ ପାଇଁ ଗଢ଼ା ଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ମିଶନର ବି ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ। ଏହି ମିଶନର ବୈଠକ ଅନ୍ତତଃପକ୍ଷେ ପ୍ରତି ୬ ମାସରେ ଥରେ ବସିବା କଥା। କିନ୍ତୁ ବର୍ଷ ବର୍ଷ ଧରି ସ୍ବାସ୍ଥ୍ୟ ମିଶନର ବୈଠକ ବସିନାହିଁ। ରାଜ୍ୟର ଆର୍ଥିକ ସମ୍ବଳକୁ ଅନୁଧ୍ୟାନ କରି ତାକୁ ସଜାଡ଼ିବା ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନେବା ସହିତ ସୁଚିନ୍ତିତ ଯୋଜନା ପ୍ରଣୟନ ପାଇଁ ପରାମର୍ଶ ଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ଯୋଜନା ବୋର୍ଡର ବୈଠକ ୧୦ ବର୍ଷ ଧରି ଅନୁଷ୍ଠିତ ହୋଇନାହିଁ। ବିଧାୟକ ଦିଲିପ ରାୟଙ୍କ ଭିନ୍ନ ଭିନ୍ନ ଚାରୋଟି ପ୍ରଶ୍ନର ଉତ୍ତରରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀମାନେ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଏଥିରୁ ରାଜ୍ୟର ବିକାଶ ପାଇଁ ସରକାରଙ୍କ ଆନ୍ତରିକତା କେତେ ରହିଛି ତାହା ସ୍ପଷ୍ଟ ଅନୁମେୟ ବୋଲି ବିଧାୟକ ଶ୍ରୀ ରାୟ କହିଛନ୍ତି।

 

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଶ୍ରୀ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସର୍ବଶେଷ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟା ୪,୧୯,୭୪,୨୧୮ ଥିବା ବେଳେ ଏମାନଙ୍କ ମଧ୍ୟରୁ ନିରକ୍ଷରଙ୍କ ସଂଖ୍ୟା ହେଉଛି ୧,୦୧,୯୯୫୩୨। ଓଡ଼ିଶାର ଏହି ନିରକ୍ଷରଙ୍କ ଭିତରୁ ୩୨,୭୨,୪୩୪ ଜଣ ପୁରୁଷ ଥିବା ବେଳେ ମହିଳାଙ୍କ ସଂଖ୍ୟା ହେଉଛି ୬୯,୨୭,୦୯୮। ରାଜ୍ୟରେ ନିରକ୍ଷରତା ଦୂରୀକରଣ ପାଇଁ କେନ୍ଦ୍ର ସରକାର ୪୮ କୋଟି ୮ ଲକ୍ଷ ଟଙ୍କା ଗତ ଆର୍ଥିକ ବର୍ଷ ସୁଦ୍ଧା ଦେଇଥିବା ବେଳେ ଏଥିରୁ ୪୧ କୋଟି ୭୩ ଲକ୍ଷ ଟଙ୍କା ଗତ ୫ ବର୍ଷ ମଧ୍ୟରେ ଖର୍ଚ୍ଚ ହୋଇଛି। ୨୦୦୧ ମସିହାରୁ ରାଜ୍ୟ ସାକ୍ଷରତା ମିଶନ କର୍ତ୍ତୃପକ୍ଷ କାର୍ଯ୍ୟକାରୀ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଛନ୍ତି ଏବଂ ଏଥିରେ ୩୦ ଜଣ ସଦସ୍ୟ ରହିଛନ୍ତି। ସାକ୍ଷରତା ମିଶନର ବୈଠକ ଅଦ୍ୟାବଧି ହୋଇନାହିଁ ଓ ବୈଠକ ବସିବା ନିମନ୍ତେ ସରକାରଙ୍କ ତରଫରୁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

 

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ମିଶନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୦୫ ମସିହାରୁ ଗଠନ କରାଯାଇଛି। ଏହି ମିଶନରେ ୩୩ ଜଣ ସଦସ୍ୟ ଅଛନ୍ତି। ମିଶନର ବୈଠକ ପ୍ରତି ୬ ମାସରେ ଅନ୍ତତଃପକ୍ଷେ ଥରେ ବସିବା କଥା। ରାଜ୍ୟ ସ୍ବାସ୍ଥ୍ୟ ମିଶନର ସର୍ବଶେଷ ବୈଠକ ୧୯.୦୫.୨୦୧୫ରେ ଅନୁଷ୍ଠିତ ହୋଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

 

ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଉଷା ଦେବୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ଯୋଜନା ବୋର୍ଡର ସର୍ବଶେଷ ବୈଠକ ୧୫.୧୦.୨୦୦୭ରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଯୋଜନା ପ୍ରଣୟନ, ତାହାର ମୂଲ୍ୟାୟନ ଓ ରୂପାୟନ ସଙ୍ଗେ ସଙ୍ଗେ କାର୍ଯ୍ୟକାରିତା ପାଇଁ ଏହି ବୋର୍ଡ ପରାମର୍ଶ ଦେବା କଥା। ରାଜ୍ୟର ଆର୍ଥିକ ସମ୍ବଳକୁ ଅନୁଧ୍ୟାନ କରି ତାକୁ ସଜାଡ଼ିବା, ଆଗାମୀ ୫ ବର୍ଷ ପାଇଁ ଯୋଜନାର ପୁନର୍ବିନ୍ୟାସ କରି ସୁଚିନ୍ତିତ ଯୋଜନା ପ୍ରଣୟନ ପାଇଁ ପରାମର୍ଶ, ମାନବ ସମ୍ବଳର ସର୍ବେକ୍ଷଣ ଓ ତା’ର ଉପଯୁକ୍ତ ବିନିଯୋଗ ସହିତ ଯୋଜନା ପ୍ରଣୟନ, କାର୍ଯ୍ୟାନ୍ବୟନ ଓ ମୂଲ୍ୟାୟନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ସହିତ ଆର୍ଥିକ, ନୀତିଗତ ଓ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଯୋଜନା ବୋର୍ଡ ପରାମର୍ଶ ଦେଇଥାଏ। ଏହି ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ଏବେ ଜଣେ ଉପାଧ୍ୟକ୍ଷ, ଉପଦେଷ୍ଟା ଓ ଓଏସଡି ଅଛନ୍ତି। ଉପାଧ୍ୟକ୍ଷ ଓ ଉପଦେଷ୍ଟା ଯଥାକ୍ରମେ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧା ସୁଯୋଗ ପାଉଥିବା ବେଳେ ଓଏସଡିଙ୍କୁ ସ୍ବତନ୍ତ୍ର ସଚିବ ପଦବୀର ସୁବିଧା ମିଳୁଛି। ତେବେ ଯୋଜନା ବୋର୍ଡର ୧୦ଟି ସଭ୍ୟ ପଦବୀ ଖାଲି ପିଛି ବୋଲି ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି।

 

ବିଧାୟକ ଶ୍ରୀ ରାୟ କହିଛନ୍ତି ଯେ ଯୋଜନା ବୋର୍ଡ ଭଳି ଏକ ଗୁରୁତ୍ବପୂର୍ଣ୍ଣ ସଂସ୍ଥାର ବୈଠକ ୧୦ ବର୍ଷ ଧରି ନ ବସିବା ଏବଂ ଓଡ଼ିଶା କୋଟିଏରୁ ଅଧିକ ନିରକ୍ଷରଙ୍କ ବୋଝ ବୋହୁଥିବା ବେଳେ ସାକ୍ଷରତା ମିଶନର ବୈଠକ ନ ବସିବା ଦୁର୍ଭାଗ୍ୟଜନକ। ଛଅ ମାସରେ ଅନ୍ତତଃ ଥରେ ସ୍ବାସ୍ଥ୍ୟ ମିଶନର ବୈଠକ ବସିବା ଜରୁରୀ ହୋଇଥିବା ବେଳେ ଦୁଇ ବର୍ଷ ଧରି ଏହି ଗୁରୁତ୍ବପୂର୍ଣ୍ଣ ମିଶନର ବୈଠକ ବସୁନାହିଁ। ରାଜ୍ୟ ଯୋଜନା ବୋର୍ଡ, ସ୍ବାସ୍ଥ୍ୟ ମିଶନ ଓ ସାକ୍ଷରତା ମିଶନର ମୁଖ୍ୟମନ୍ତ୍ରୀ ନିଜେ ଅଧ୍ୟକ୍ଷ ଥାଇ ବୈଠକ ପାଇଁ ସମୟ ଦେଇପାରୁନଥିବା ବେଳେ ରାଜ୍ୟ ସରକାର ରାଜ୍ୟର ବିକାଶ ପାଇଁ କେତେଦୂର ଚିନ୍ତିତ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ରାୟ କହିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top