ପୁଞ୍ଜିବାଦ, ଉଦାରବାଦ ଓ ସାମ୍ୟବାଦ

News Story - Posted on 2017-09-17

ସୂର୍ଯ୍ୟମଣି ମିଶ୍ର

 

ପୁଞ୍ଜିବାଦ ମୁନାଫା ଅର୍ଜନକୁ ହିଁ ନୀତି ଭାବେ ଗ୍ରହଣ କରିଥାଏ। ଅମାନବୀୟ ପ୍ରୟୋଗ ଏବଂ ବଜାରୀକରଣ ଦ୍ୱାରା ସମାଜର ମୂଳ ବାସିନ୍ଦାକୁ ବିସ୍ଥାପିତ କରିଥାଏ ଏବଂ ହତ୍ୟା କରିବାକୁ ପଛାଇନଥାଏ। ପୁଞ୍ଜିବାଦର ଦୁଇଟି ସ୍ୱରୂପ, ଗୋଟିଏ ଫାଶୀବାଦ, ଅନ୍ୟଟି ଉଦାରବାଦ। ବିଶ୍ୱର ପ୍ରଖ୍ୟାତ ଦାର୍ଶନିକ ତଥା ଚିନ୍ତାନାୟକ କାର୍ଲ ମାର୍କ୍ସଙ୍କ ରଚିତ ପୁଞ୍ଜିର ପ୍ରଥମ ଖଣ୍ଡ ଉପରେ ଆଖି ପକାଇଲେ ଏହାର ସୂଚନା ମିଳେ। ପୁଞ୍ଜିର ପ୍ରଥମ ଖଣ୍ଡ ପ୍ରକାଶନର ୧୫୦ ବର୍ଷ ପୂରିଯାଇଛି। କିନ୍ତୁ ସେ ଲେଖିଯାଇଥିବା ପୁଞ୍ଜିବାଦ ସମ୍ପର୍କିତ ପରିଣତି ଯାହା ଘଟିବା କଥା ତାହା ହିଁ ଆଜି ଦିନରେ ଦେଖିବାକୁ ମିଳୁଛି। ପୁଞ୍ଜି ପ୍ରଥମ ଖଣ୍ଡର ପ୍ରାସଙ୍ଗିକତା ଆଜି ଦିନରେ ଗୁରୁତ୍ୱ ବହନ କରିଛି।

 

ପୁଞ୍ଜି କେବଳ ଟଙ୍କା ବା ଧନ ନୁହେଁ, ଏହା ମାନବ ଜୀବନରେ ଆଭ୍ୟନ୍ତରିଣ ସମ୍ପତ୍ତି। ପୁଞ୍ଜିବାଦର ପ୍ରତିକୁଳ ସ୍ଥିତି ହେଉଛି ଏହା ମାନବ ସମୁଦାୟର ବ୍ୟକ୍ତିତ୍ୱକୁ ପଣ୍ୟରେ ପରିବର୍ତ୍ତନ କରିଦିଏ। ବ୍ୟକ୍ତି କୈନ୍ଦ୍ରିକତାକୁ ଉଚ୍ଚକୁ ଉଠାଇଥାଏ। ବ୍ୟକ୍ତିଗତ ପୁଞ୍ଜି ଠୁଳକୁ ସ୍ଥିର କରିଥାଏ ଓ ଏହାକୁ ବାଧାହୀନ କରିବାରେ ବାତାବରଣ ତିଆରି କରିଥାଏ। ଏପରି ସ୍ଥିତି ଉପୁଜାଇଥାଏ ଯେ, ବ୍ୟକ୍ତିଗତ ପୁଞ୍ଜିର ସୁରକ୍ଷା ପାଇଁ ବ୍ୟକ୍ତି ଅଧିକ କ୍ଷମତାଧାରୀ ହୋଇଥାଏ, ବୋମା ନିର୍ମାଣ ଠାରୁ ପରିବେଶ ନଷ୍ଟ ଯାଏ ବିନାଶକାରୀ ତରିକାକୁ ଆପଣେଇଥାଏ। ପୁଞ୍ଜି ଭବିଷ୍ୟତ ବଂଶଧର ପାଇଁ ବା ଜୀବନ ପାଇଁ ଚିନ୍ତା କରିନଥାଏ। ପୁଞ୍ଜିବାଦ ମାନବ ସମୁଦାୟକୁ ଏକ ରୋଗଗ୍ରସ୍ତ ରୁଗ୍‌ଣ ସମୁଦାୟରେ ପରିଣତ କରିଥାଏ। ଏହା କେବଳ ବସ୍ତୁଗତ ବିକାଶ ଉପରେ ପ୍ରାଧାନ୍ୟ ଦେଇଥାଏ। ଧନ ହିଁ ଏକମାତ୍ର ବିଚାର, ଏକମାତ୍ର ବିକାଶ, ଏକମାତ୍ର ଜୀବନ, ଏକମାତ୍ର ଶିକ୍ଷା, ଧନ ହିଁ ଶିକ୍ଷା, ଧନହିଁ ସମ୍ପର୍କ ଏହି ଭାବରେ ସମାଜକୁ ପୁଞ୍ଜିବାଦ ପଙ୍ଗୁ ଓ ରୋଗଗ୍ରସ୍ତ ସମାଜରେ ପରିଣତ କରିଥାଏ।

 

ମଣିଷ ସମାଜର ଉତ୍ପାଦ ନୁହେଁ, ବଜାରର ଉତ୍ପାଦ- ଏହି ଧାରଣାକୁ ସୁଦୃଢ଼ କରିଥାଏ ପୁଞ୍ଜିବାଦ। ମଣିଷକୁ ବିକ୍ରୟ ବସ୍ତୁ ଭଳି ବଜାରରେ ଠିଆ କରାଇଥାଏ ପୁଞ୍ଜିବାଦ। ମାନବୀୟ ଚେତନାକୁ  ଏକ ମ୍ୟାଗନେଷ୍ଟିକ୍ ହିଲ‍୍‌ ଭାବରେ ବଦଳାଇଦିଏ। ଚେତନାକୁ ବସ୍ତୁକୃତ ଭାବେ ତିଆରି କରେ। ମଣିଷର କଳା ତାର ବୁଦ୍ଧି, ଶ୍ରମ, ଚମଡ଼ା, ଶ୍ରବଣ କ୍ଷମତା, ଲେଖିବାର ଯୋଗ୍ୟତା ସମସ୍ତ ବଜାରର ବସ୍ତୁ ଭଳି ଏବେ ମିଳୁଛି। ଏହା ହେଉଛି ପୁଞ୍ଜିବାଦର ସଫଳତା ଓ ସମାଜ ପାଇଁ ବିଷମତା। ପୁଞ୍ଜିବାଦୀ ବଜାର ନିଜର ସମସ୍ତ ଅମାନବୀୟ କ୍ରୁରତା ସହ ଏକ ବଡ଼ ଦାସ ବଜାର ତିଆରି କରିଥାଏ। ଏହା କେବଳ ମଣିଷର ଶରୀରକୁ ଗୋଲାମ କରେନାହିଁ, ଏହା ମଣିଷର ଚେତନା, ବିଚାର କରିବାର କ୍ଷମତା, ବୁଦ୍ଧିକୁ, ବିବେବକୁ ବୁଝିପାରିବାର ସମ୍ୱେଦନ କ୍ଷମତାକୁ ଯୋଗ୍ୟତା ଇତ୍ୟାଦି ମାନବୀୟ ଚେତନାର ବିବିଧ ରୂପକୁ ଦାସ ବା ପରାଧୀନ କରିଦିଏ। ମଣିଷକୁ ଦୁର୍ବଳ ଓ ଅସମର୍ଥ ଭାବେ ଗଢିତୋଳେ। ମଣିଷ ନିଜର କ୍ଷମତା, ସମ୍ପୂର୍ଣ୍ଣତା ବାହାର ବସ୍ତୁ ଉପରେ ନିର୍ଭର କରେ। ଆଜି ଦେଖାଦେଇଥିବା ହିଂସା ଏବଂ ଅମାନବୀୟ ବର୍ବରତାପୂର୍ଣ୍ଣ ଘଟଣା ପୁଞ୍ଜିବାଦର ଏହି ବିଫଳତା କାରଣରୁ ଜନ୍ମ ନେଇଛି। ଏହା ହେଉଛି ପୁଞ୍ଜିବାଦର ସ୍ୱରୂପ ଯାହା କାର୍ଲ ମାର୍କ୍ସ ୧୫୦ ବର୍ଷ ତଳେ ନିଜ ପୁଞ୍ଜି ପୁସ୍ତକରେ ସେତେବେଳେ ଲେଖିଥିଲେ।

 

ଏବେ ପୁଞ୍ଜିବାଦର ଅନ୍ୟ ଯେଉଁ ସ୍ୱରୂପ ଆମ ଆଖି ଆଗରେ ଦେଖିବାକୁ ପାଉଛୁ ତାହା ହେଉଛି ଦକ୍ଷିଣପନ୍ଥୀଙ୍କ ଫାଶୀବାଦର କଳାକାରନାମା। ଅନ୍ୟଟି ଉଦାରବାଦ ଭାବରେ ପୁଞ୍ଜିକୁ ସୁରକ୍ଷା ଦେଉଛି। ଏହି ଦକ୍ଷିଣପନ୍ଥୀ ଫାଶୀବାଦ ଶକ୍ତି ଏବଂ ଉଦାରବାଦୀ ଧର୍ମନିରପେକ୍ଷ ଶକ୍ତି ଉଭୟେ ପୁଞ୍ଜିବାଦର ଜୟଜୟକାର କରନ୍ତି ଆଉ ଆଲୋଚନା ଏବଂ ବିତର୍କରେ ବାମପନ୍ଥୀଙ୍କୁ ଜନବିରୋଧୀ, ସମାଜବିରୋଧୀ କହିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ନିକଟରେ ଦୁଇଜଣ ଆର‍୍‌ଏସ‍୍‌ଏସ‍୍‌ ବନ୍ଧୁ ଆଲୋଚନା ସମୟରେ ମତ ଦେଇ କହିଥିଲେ ଯେ, ଆଉ କ’ଣ ବିଶ୍ୱରେ କେଉଁଠି କମ୍ୟୁନିଷ୍ଟ ଅଛନ୍ତି ଯେ ବିପ୍ଳବର କଥା କହୁଛ! କ୍ରାନ୍ତି ଓ ମୁକ୍ତିକୁ ନେଇ କମ୍ୟୁନିଷ୍ଟମାନେ ଯେତେ ଜଣାଣ ଗାଇଲେ ବି କମ୍ୟୁନିଷ୍ଟଙ୍କ ପାଦତଳୁ କେବେଠୁ ମାଟି ଖସିଗଲାଣି। ଚିହ୍ନ, ବର୍ଣ୍ଣ ବି ଲିଭିଗଲାଣି। କେବଳ ମଝିରେ ମଝିରେ ସ୍ୱର ଶୁଭୁଛି। କିନ୍ତୁ ଦେଖିବାକୁ ମିଳୁଛି କମ୍ୟୁନିଷ୍ଟଙ୍କ ବିଫଳତା। ବନ୍ଧୁ ଦୁଇଜଣଙ୍କ ପ୍ରତି ମୋର ଉତ୍ତର ଥିଲା ଇତିହାସ ସୂଚାଇ ଦେଉଛି କମ୍ୟୁନିଷ୍ଟ ବିଚାରର ମହାନତା ସମ୍ପର୍କରେ। ରାଷ୍ଟ୍ରବାଦ ଓ ରାଷ୍ଟ୍ରଭକ୍ତି ନାମରେ ହିଟ‍୍‌ଲର କିପରି ଫାଶୀବାଦକୁ ଆଦରି ନେଇ ନରସଂହାର ପର୍ବରେ ମାତିଥିଲେ କିନ୍ତୁ ପରିଣତି କ’ଣ ହେଲା ତାହା କହିବା ଅନାବଶ୍ୟକ ନିଶ୍ଚୟ। ବନ୍ଧୁ ପୁଣି କହିଥିଲେ-ଋଷ୍ ଠାରୁ ଚୀନ‍୍‌ ଯାଏ, ନେପାଳ ଠାରୁ ଭିଏତନାମା ଯାଏ କ’ଣ କମ୍ୟୁନିଷ୍ଟଙ୍କର ସ୍ଥିତି। କିପରି ଅଛି ବିପ୍ଳବର ଧାରା? କହିବା ବାହୁଲ୍ୟ ହେବ ଯେ, କେବଳ ଆର‍୍‌ଏସ‍୍‌ଏସ‍୍‌ର ଏହି ଦୁଇ ବନ୍ଧୁ ନୁହନ୍ତି, ଦକ୍ଷିଣପନ୍ଥୀ ଓ ଉଦାରବାଦୀ ରାଜନୀତିକୁ ଆପଣେଇଥିବା ସମସ୍ତ ରାଜନୈତିକ ଦଳର ଦୃଷ୍ଟିରେ କମ୍ୟୁନିଷ୍ଟମାନେ ସେମାନଙ୍କର ଶତ୍ରୁ। ହୁଏତ ସମୟେ ସମୟରେ ଉଦାରବାଦୀ ଶକ୍ତି କମ୍ୟୁନିଷ୍ଟଙ୍କ ସମର୍ଥନ ନେଇ ଦକ୍ଷିଣପନ୍ଥୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଉଦାରବାଦୀ ଶକ୍ତି ଏବଂ ଦକ୍ଷିଣପନ୍ଥୀ ଶକ୍ତିଙ୍କ ମଧ୍ୟରେ ଆର୍ଥିକ ନୀତି କ୍ଷେତ୍ରରେ ଫରକ ନାହିଁ। ଉଭୟେ ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ୱ। ଉଭୟଙ୍କର ଗୋଟିଏ ଧର୍ମ ଓ କର୍ମ। ତାହା ହେଲା ପୁଞ୍ଜିବାଦର ସୁରକ୍ଷା ଓ ଏହାର ଉତ୍ତର।

 

ଭାରତରେ କମ୍ୟୁନିଷ୍ଟମାନେ ଯେତିକି ସଫଳତା ପାଇବା କଥା ପାଇପାରୁନାହାନ୍ତି। ଜନସମର୍ଥନ ହ୍ରାସ ପାଉଛି ସିନା ବୃଦ୍ଧି ପାଉନାହିଁ। କିନ୍ତୁ କମ୍ୟୁନିଷ୍ଟ କମ୍ରେଡ଼ମାନଙ୍କର ଦୃଢୋକ୍ତି ହେଲା ଯେତିକି ସଫଳତା ପାଇବା କଥା ପାଉଛୁ। ଘରଭାଙ୍ଗି ଅଠର ଫାଳ ହେଲାଣି, କିନ୍ତୁ କମ୍ୟୁନିଷ୍ଟଙ୍କର ଫୁଟାଣି କମିବାର ନାଁ ଧରୁନାହିଁ। କଥା କଥାକେ କବିତା ଓ ଗପରେ କମ୍ରେଡ଼ମାନେ ବୈପ୍ଲବିକ ବିଚାରର ସଫଳତା ସଂପର୍କରେ ବଖାଣୁଛନ୍ତି। ଉଚ୍ଚାରଣରେ ଯାହା ଆଚରଣରେ କିନ୍ତୁ ଓଲଟା, ଫଳରେ ଓଲଟା ଫଳ ହିଁ ମିଳିବା କଥା ମିଳୁଛି। ଯାହା ପଶ୍ଚିମବଙ୍ଗରୁ କେରଳରେ ଦେଖିବାକୁ ମିଳିଲାଣି। କିନ୍ତୁ କମ୍ରେଡ଼ଙ୍କର ଯୁକ୍ତି ହେଉଛି। ବୈପ୍ଲବିକ ବିଚାରର ସଫଳତା କେବଳ ବିପ୍ଲବୀ ସଂଗଠନର ସଫଳତା ବାହ୍ୟ ଶକ୍ତି ଉପରେ ନିର୍ଭର କରିଥାଏ। ବିପ୍ଲବର ଜନ୍ମ ବିଚାରର ଗର୍ଭରୁ ନୁହେଁ, ଭୌତିକ ପରିସ୍ଥିତିର ଗର୍ଭରୁ ହିଁ ହୋଇଥାଏ। ଭାରତରେ ସଂଗଠିତ କମ୍ୟୁନିଷ୍ଟ ପାର୍ଟି ଅଛି। ଏହି ପାର୍ଟି ହୁଏତ ବହୁଧା ବିଭକ୍ତ। କିନ୍ତୁ ଲକ୍ଷ୍ୟ ଏମାନଙ୍କର ବିପ୍ଲବ। ବିପ୍ଳବ ଚାହିଁଲେ ହୋଇପାରେନି, କ୍ରାନ୍ତି ଏକ ମାଲ‍୍‌ ନୁହେଁ ଯେ, ଖୋଜିଲେ ମିଳିଯିବ ବା ଯାହାକୁ ଆପଣ ବଜାରକୁ ଯାଇ କିଣିଆଣିପାରିବେ ବା ବ୍ୟବହାର କରିପାରିବେ। କ୍ରାନ୍ତି ଏକ ଖେଳ ନୁହେଁ ଯେ, ନିଜ ଇଚ୍ଛାରେ ଖେଳିବେ ଓ ଖେଳି ଚାଲିବେ, କ୍ରାନ୍ତି ଏକ କସ‍୍‌ମେଟିକ୍ସ କି ସୁନ୍ଦର କ୍ରିମ‍୍‌ ନୁହେଁ ଯେ, ଏହାକୁ ଖାଲି ଲଗାଇବେ ଓ ସୁଗନ୍ଧ ବାରିବେ? ଏହି ପ୍ରଶ୍ନକୁ ଅଧିକ ଭାବେ ଭାରତୀୟ କମ୍ୟୁନିଷ୍ଟମାନେ ବୁଝିଛନ୍ତି ବା ହଜମ‍୍‌ କରିଛନ୍ତି। ସେମାନଙ୍କ ବେଶଭୂଷା ଓ ଲାଲ‍୍‌ସଲାମର ଧ୍ୱନୀରେ ଯେପରି ଜଣାପଡେ଼ ଦକ୍ଷିଣପନ୍ଥୀ ଫାଶୀବାଦୀ ଶକ୍ତି ଓ ଉଦାରବାଦୀ ପୁଞ୍ଜିବାଦୀ ଶକ୍ତି ଧରାଶାୟୀ ହୋଇଯିବେ ଖୁବଶୀଘ୍ର।

 

ସତ୍ୟ ହେଉଛି ଚିରନ୍ତନ, ସତ୍ୟ ହିଁ ବିଜ୍ଞାନ ସମ୍ମତ, ଯାହା ଉପରେ କାର୍ଲମାକ୍ସ ସୂଚାଇ ଦେଇ ଯାଇଛନ୍ତି। ବିଜ୍ଞାନ ସମ୍ମତ ତଥା ଐତିହାସିକ ସତ୍ୟ ଯାହା ତାହା ହେଲା ପ୍ରେମ ଓ କ୍ରାନ୍ତିର ପ୍ରତିସ୍ପର୍ଦ୍ଧା ନିକଟରେ ଈଶ୍ୱରପ୍ରେମୀ ପଛରେ ପଡ଼ିଯାନ୍ତି। ପ୍ରେମର ଇତିହାସ ଓ କ୍ରାନ୍ତିର ଇତିହାସ ବହୁ ପୁରୁଣା। ଭକ୍ତି ଆନ୍ଦୋଳନର ଲେଖକମାନେ ପ୍ରେମକୁ ହିଁ ମହାନ‍୍‌ ବୋଲି କହିଯାଇଛନ୍ତି। ପଞ୍ଚମ ଓ ଷଷ୍ଠ ଶତାବ୍ଦୀରେ ଦକ୍ଷିଣ ଭାରତରେ ବହୁ ସନ୍ଥ ପ୍ରେମ ଏବଂ ଈଶ୍ୱର ମଧ୍ୟରେ ତୁଳନା କରି ଈଶ୍ୱରଙ୍କୁ ଗୌଣ ଓ ପ୍ରେମକୁ ମହାନ ବୋଲି ଦର୍ଶାଇଛନ୍ତି। ଏହି ସମୟରେ ସମାଜରେ ଦୁଇଟି ନୂଆବର୍ଗ ସୃଷ୍ଟି ହୋଇଥିଲେ। ଗୋଟିଏ ହେଉଛନ୍ତି ଶିଳ୍ପୀ ଏବଂ ଅନ୍ୟଟି ହେଉଛନ୍ତି ବ୍ୟବସାୟୀ। ପରବର୍ତ୍ତୀ ଅବସ୍ଥାରେ ଶିଳ୍ପୀ ଶ୍ରମିକ ଭାବରେ ବ୍ୟବସାୟୀ ପୁଞ୍ଜିପତି ଭାବରେ ଉଭା ହେଲେ।  ଆଧୁନିକ ସମୟରେ  ବ୍ୟବସାୟୀ ପୁଞ୍ଜିପତିବର୍ଗ ଭାବେ ରୂପାନ୍ତରଣ ହେବା ପରେ ଶିଳ୍ପୀରୁ ଶ୍ରମିକ ଭାବେ ରୂପାନ୍ତରିତ ହୋଇଥିବା ଶ୍ରମିକ ଶ୍ରେଣୀ ପୁଞ୍ଜିପତିବର୍ଗଙ୍କ ପାଇଁ ଅସମ୍ମାନତା ପାଇ ଆସୁଛନ୍ତି। କିନ୍ତୁ ଶ୍ରମିକ ହିଁ ଆଧୁନିକ ସମାଜକୁ ଜନ୍ମ ଦେଇଛି। ଶିଳ୍ପବିପ୍ଲବୀକୁ ଜନ୍ମ ଦେଇଛି। ଯେଉଁ ଲୋକମାନେ ପ୍ରଶ୍ନ କରନ୍ତି ଯେ, ଶ୍ରମିକମାନେ କ’ଣ କରିଛନ୍ତି? ସେମାନେ ଜାଣିନାହାନ୍ତି ନା ଜାଣି ବୁଝି ଅଣଦେଖା କରୁଛନ୍ତି ଶ୍ରମିକ ଶ୍ରେଣୀଙ୍କୁ। ଶ୍ରମିକ ଶ୍ରେଣୀ ହିଁ ଆଜିର ଶିଳ୍ପ ବିକାଶକୁ ଉନ୍ନତ ଶିଖରରେ ପହଞ୍ଚାଇଛନ୍ତି। ସଂସାରରେ ମହାନତମ ବୈଜ୍ଞାନିକ ଗବେଷଣାକୁ ସମ୍ଭବ କରାଇଛନ୍ତି। ଶ୍ରମିକ ଶ୍ରେଣୀ ହିଁ ଶିଳ୍ପ ବିକାଶକୁ ଆଗକୁ ନେଇ କ୍ରାନ୍ତି ଖୋଜୁଛନ୍ତି। ସଂସାରରେ ଶିଳ୍ପୀ ଜନ୍ମ ନେଇନଥିଲେ ଆଜି ଯେଉଁ ଭୌତିକ ବିକାଶର ଚିତ୍ର ଦେଖିବାକୁ ମିଳୁଛି ତାହା ସମ୍ଭବ ହୋଇନଥାନ୍ତା ବା ପ୍ରେମର ମହାନତା କ’ଣ ତାକୁ ସମାଜ ବୁଝିନଥାନ୍ତା ବା ପ୍ରେମର ସାହିତ୍ୟ ଓ ବିପ୍ଲବୀର ସଂଗୀତ ରଚନା ସମ୍ଭବ ହୋଇପାରିନଥାନ୍ତା। କବିର ଦାସ, ତୁଳସୀ ଦାସ, ମୀରାବାଇ ଭଳି ମହାନ‍୍‌ ଲେଖକ ଜନ୍ମ ନେଇପାରିନଥାନ୍ତେ। ପ୍ରଥମେ ଶିଳ୍ପୀ ଆସିଲେ ବା ଶ୍ରମିକ ହିଁ ଆସିଲେ, ଏହା ପରେ ସେମାନଙ୍କ ଶ୍ରମକୁ ନେଇ ଭାବ ବିଚାରର ଅଭିବ୍ୟକ୍ତିକୁ ନେଇ ଭକ୍ତି ସାହିତ୍ୟ ପରେ ବିପ୍ଲବୀ ସାହିତ୍ୟ ସୃଷ୍ଟି ହେଲା।

 

ଆଜି ସମାଜରେ ଯେଉଁ ବେଷମ୍ୟ ବା ଅସମାନତାର ଚିତ୍ର ଦେଖିବାକୁ ମିଳୁଛି ତାହା ହେଉଛି ଶ୍ରମିକ ଶ୍ରେଣୀକୁ ଅବହେଳା କରିବା କାରଣରୁ। ଶ୍ରମିକ ଶ୍ରେଣୀକୁ ଭଲ ପାଇବା ଓ ସମ୍ମାନ ଦେବା ଯାଏଁ ସମାଜର ବାସ୍ତବ ବିକାଶର କଳ୍ପନା କରାଯାଇନପାରେ। ଏହାକୁ ମଧ୍ୟ ବୁଝିବାକୁ ହେବ ଯେ, ଶ୍ରମିକ କେବଳ ବସ୍ତୁ ନିର୍ମାଣ କରନ୍ତି ନାହିଁ, ଶ୍ରେଷ୍ଠତମ କଳାକୁ ମଧ୍ୟ ଜନ୍ମ ଦେଇଥାନ୍ତି। ଆଜି ଯୁବବର୍ଗ ଏବଂ ମହିଳାଙ୍କ ମଧ୍ୟରେ ଯେଉଁ ସାମାଜିକ ଅଶାନ୍ତି, ବିଷାଦ, କୁଣ୍ଠା ଓ ନିରାଶ ଦେଖାଦେଇଛି ତାହା ହେଉଛି ଶ୍ରମିକ ଶ୍ରେଣୀକୁ ଅବହେଳା କରିବାର କାରଣ ଜନିତ ପରିଣାମ। ପୁଞ୍ଜିବାଦ ଶକ୍ତି  ଶ୍ରମିକଙ୍କ ନିର୍ମିତ ବସ୍ତୁକୁ ଭଲ ପାଉଛନ୍ତି, କିନ୍ତୁ ଶ୍ରମିକ ଶ୍ରେଣୀକୁ ଘୃଣା କରୁଛନ୍ତି। ସାମାଜିକ ଜୀବନରେ ଅଧିକରୁ ଅଧିକ ଭାବେ ଯୁବବର୍ଗଙ୍କ ମଧ୍ୟରେ ନିରର୍ଥକତାବୋଧ ଜନ୍ମ ନେଉଛି। କାରଣ ଶ୍ରମିକ ଅବହେଳିତ। ଆଜି ସମାଜରେ ଦକ୍ଷିଣପନ୍ଥୀ-ଉଦାରବାଦୀ ବନାମ ବାମପନ୍ଥୀଙ୍କ ମଧ୍ୟରେ ବିଚାରଗତ ବିତର୍କ ଚାଲିଛି। କିନ୍ତୁ ପୁଞ୍ଜିବାଦର ରାସ୍ତା ଏଯାଏ ସଂକଟର ସମ୍ମୁଖୀନ ହୋଇନାହିଁ। ଫଳରେ ଶ୍ରମିକ ଶ୍ରେଣୀ ଅସମ୍ମାନିତ ସ୍ଥିତିରେ ଜୀବନ ବିତାଉଛି। ଶ୍ରମିକଙ୍କୁ ଭଲ ନପାଇବା ଯାଏ ସମାଜରେ କ୍ରାନ୍ତି ଆସିପାରିବ ନାହିଁ। ଏହାକୁ କମ୍ୟୁନିଷ୍ଟମାନେ ହିଁ ଭଲ ଭାବେ ବୁଝିଛନ୍ତି। କମ୍ୟୁନିଷ୍ଟଙ୍କର ଏହି ଧାରଣା ଓ ବିଚାର ଦକ୍ଷିଣପନ୍ଥୀ ଓ ଉଦାରବାଦୀ ରାଜନୈତିକ ବିଚାର ସମ୍ପନ୍ନ ଶକ୍ତି ପାଇଁ ଗ୍ରହଣୀୟ ହୋଇପାରୁ ନାହିଁ। ସେଥିପାଇଁ ସେମାନଙ୍କ ମୁହଁରୁ କଥାକଥାକେ ଶୁଣିବାକୁ ମିଳୁଛି କମ୍ୟୁନିଷ୍ଟମାନଙ୍କର ସତ୍ତାପତ୍ତା ହଜିଗଲାଣି। କିନ୍ତୁ ବାସ୍ତବତା ହେଉଛି କମ୍ୟୁନିଷ୍ଟ ବିଚାରର ମୃତ୍ୟୁ ଏବେ ନୁହେଁ, ଯେତେଦିନ ଯାଏ ଶୋଷଣ ଥିବ ସେତେଦିନ ଯାଏ ଏହି ବିଚାରର ମୃତ୍ୟୁ ନେଇ ସମ୍ଭାବନା ନାହିଁ। ବରଂ ଦକ୍ଷିଣପନ୍ଥୀ ଓ ଉଦାରବାଦୀ ଶକ୍ତି ଯେଉଁମାନେ କି ପୁଞ୍ଜିବାଦ ରାସ୍ତାକୁ ଜାବୁଡ଼ି ଧରିଛନ୍ତି, ସେମାନଙ୍କ ପାଇଁ ପ୍ରଳୟର ଦିନ ଆଉ ବେଶି ଡେରି ନାହିଁ ବୋଲି ସ୍ୱୀକାର କରିବାକୁ ପଡ଼ିବ। କାରଣ ଶ୍ରମିକ ଆଜି ସବୁଠି ଶୋଷିତ ଓ ଲାଞ୍ଚିତ ଅବସ୍ଥାରେ ଦିନ କାଟୁଛି।

 

ସାମ୍ୱାଦିକ, ଭୁବନେଶ୍ୱର

ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top