ଆର୍ଥିକ ସ୍ଥିତି ଗୋଲାପୀ ନୁହେଁ, ଲାଲ!

News Story - Posted on 2017-09-17

ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପିର ଅଭିବୃଦ୍ଧି ହାର ଗତ କିଛି ବର୍ଷ ଧରି ଅସ୍ଥିର ରହିଛି। ସେହିପରି ରାଜ୍ୟର ନିଜସ୍ବ ଟିକସ ଆୟ କେନ୍ଦ୍ରୀୟ ଟିକସ ଅଂଶ ଓ ଅନୁଦାନଠାରୁ କମିବାରେ ଲାଗିଛି। ରାଜ୍ୟ ଅର୍ଥନୀତିର ଏଭଳି କିଛି ଚିତ୍ର ଅଙ୍କିତ ହୋଇଛି ବିଧାନସଭାର ଉପସ୍ଥାପିତ ହୋଇଥିବା କଂପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି ରିପୋର୍ଟରେ। ଏହି ରିପୋର୍ଟ ଅନୁସାରେ ୨୦୧୫-୧୬ ବର୍ଷରେ ରାଜ୍ୟର ଜିଏସଡିପି ଅଭିବୃଦ୍ଧି ହାର ୭.୨୭ ପ୍ରତିଶତକୁ ଖସିଥିବାବେଳେ ସେହିବର୍ଷ ରାଜ୍ୟର ମୋଟ ରାଜସ୍ବ ଆଦାୟରେ ରାଜ୍ୟର ନିଜସ୍ବ ରାଜସ୍ବ ହାର ୪୫.୩୧ ପ୍ରତିଶତକୁ ଖସି ଯାଇଛି।

 

ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଥିବା ରାଜ୍ୟର ଆର୍ଥିକ ସ୍ଥିତି ଓ ରାଜସ୍ବ ସମ୍ବନ୍ଧୀୟ ସିଏଜି ରିପୋର୍ଟ ଅନୁସାରେ ୨୦୧୧-୧୨ ଆର୍ଥିକ ବର୍ଷରୁ ରାଜ୍ୟର ଆର୍ଥନୀତିକ ଅଭିବୃଦ୍ଧିର ଅସ୍ଥିରତା ଲାଗି ରହିଛି। ସେହିବର୍ଷ ରାଜ୍ୟର ଜିଏସଡିପିର ପୂର୍ବ ବର୍ଷ ତୁଳନାର ୧୪.୦୫ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା। ସେ ବର୍ଷ ରାଜ୍ୟର ଜିଏସଡିପି ଥିଲା ୨,୨୫,୨୮୩ କୋଟି ଟଙ୍କା। କିନ୍ତୁ ୨୦୧୨-୧୩ ଆର୍ଥିକ ବର୍ଷବଳକୁ ଏହି ହାର ୧୩.୩୧ ପ୍ରତିଶତକୁ ଖସିଗଲା। ସେହି ବର୍ଷ ଜିଏସଡିପି ପରିମାଣ ଥିଲା ୧,୫୫,୨୭୩ କୋଟି ଟଙ୍କା। ତେବେ ୨୦୧୩-୧୪ ବର୍ଷ ବେଳକୁ ଏହି ଅଭିବୃଦ୍ଧି ହାର ୮.୬୨ ପ୍ରତିଶତକୁ ଖସିଲା। ସେହି ବର୍ଷ ଟଙ୍କା ଆକାରରେ ଜିଏସଡିପି ପରିମାଣ ଥିଲା ୨,୭୭,୨୭୧ କୋଟି। କିନ୍ତୁ ୨୦୧୪-୧୫ ବର୍ଷ ବେଳକୁ ଅଭିବୃଦ୍ଧି ହାର ପୁଣି ଥରେ ବୃଦ୍ଧି ପାଇଲା। ସେହି ବର୍ଷର ଅଭିବୃଦ୍ଧି ହାର ଥିଲା ୧୧.୭୩ ପ୍ରତିଶତ ଏବଂ ଜିଏସଡିପି ପରିମାଣ ଥିଲା ୩,୦୯,୮୦୭ କୋଟି ଟଙ୍କା। କିନ୍ତୁ ୨୦୧୫-୧୬ ବର୍ଷ ବେଳକୁ ଏହ ଅଭିବୃଦ୍ଧି ହାର ୭.୨୭ ପ୍ରତିଶତକୁ ଖସି ଆସିଛି। ଏହି ବର୍ଷର ଜିଏସଡିପି ପରିମାଣ ହେଉଛି ୩,୩୨,୩୨୯ କୋଟି ଟଙ୍କା।

 

ଏହା ଏକ ଚିନ୍ତାଜନକ ବିଷୟ। ସେହିପରି ରାଜ୍ୟ ଅର୍ଥନୀତି ନେଇ ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଲା ଏହାର କେନ୍ଦ୍ରୀୟ ଟିକସ ଭାଗ ଓ ଅନୁଦାନ ତୁଳନାରେ ନିଜସ୍ବ ଆୟ କମିଯିବା। ଏବେ ରାଜ୍ୟର ମୋଟ ରାଜସ୍ବ ପ୍ରାପ୍ତିରେ ନିଜସ୍ବ ରାଜସ୍ବ ପ୍ରତିଶତ ଗତ ୫ ବର୍ଷ ଭିତରେ ସର୍ବନିମ୍ନ ୪୫.୩୧ ପ୍ରତିଶତରେ ପହଂଚିଛି। ଏ କ୍ଷେତ୍ରରେ ମଧ୍ୟ ଏ ପାଂଚ ବର୍ଷ ଭିତରେ ଅସ୍ଥିରତା ଲାଗି ରହିଛି।

 

ସିଏଜି ରିପୋର୍ଟ ଅନୁସାରେ ୨୦୧୫-୧୬ ଆର୍ଥିକ ବର୍ଷରେ ଓଡ଼ିଶା ସରକାରଙ୍କର ମୋଟ ରାଜସ୍ବ ପ୍ରାପ୍ତି ହେଲା ୬୮,୯୪୧.୨୪ କୋଟି ଟଙ୍କା। ଏହା ମଧ୍ୟରେ ରାଜ୍ୟର ନିଜସ୍ବ ଟିକସ ଓ ଅଣଟିକସ ଆୟ ମିଶି ୩୧,୨୩୮.୨୦ କୋଟି ଟଙ୍କା ଅନ୍ତର୍ଭକ୍ତ। ସେହିପରି ଏହି ବର୍ଷ କେନ୍ଦ୍ରୀୟ ଟିକସର ଅଂଶ ଓ ଅନୁଦାନ ବାବଦରେ ରାଜ୍ୟକୁ ମିଳିଛି ୩୭,୭୦୩.୨୪ କୋଟି ଟଙ୍କା। ରାଜ୍ୟର ମୋଟ ରାଜସ୍ବ ପ୍ରାପ୍ତିରେ ଏହି ହାର ହେଉଛି ୫୪.୬୯ ପ୍ରତିଶତ। ରାଜ୍ୟର ଆର୍ଥିକ ସ୍ବାବଲମ୍ବନ କ୍ଷେତ୍ରରେ ଏହା ଏକ ଶୁଭ ସଂକେତ ନୁହେଁ। ସିଏଜିଙ୍କ ରିପୋର୍ଟ ଅନୁସାରେ ୨୦୧୧-୧୨ ବର୍ଷରେ ରାଜ୍ୟର ମୋଟ ରାଜସ୍ବ ପ୍ରାପ୍ତି ୪୦,୨୬୭.୦୨ କୋଟି ଟଙ୍କା ଥିଲାବେଳେ ସେଥିରେ ରାଜ୍ୟର ନିଜସ୍ବ ରାଜସ୍ବ ପ୍ରାପ୍ତିର ଭାଗ ଥିଲା ୪୯.୩୮ ପ୍ରତିଶତ ବା ୧୯,୮୮୫.୭୦ କୋଟି ଟଙ୍କା। ୨୦୧୨-୧୩ ବର୍ଷକୁ ଏହି ହାର ୫୨.୩୮ ପ୍ରତିଶତ ଏବଂ ପରିମାଣ ୨୩,୧୧୨.୧୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୩-୧୪ ବର୍ଷ ବେଳକୁ ଏହି ହାର ୫୧.୬୩ ପ୍ରତିଶତକୁ ଖସିଥିଲା। ସେହି ବର୍ଷ ରାଜ୍ୟର ମୋଟ ରାଜସ୍ବ ପ୍ରାପ୍ତି ଥିଲା ୨୫,୨୭୦.୧୯ କୋଟି ଟଙ୍କା। ୨୦୧୪-୧୫ ବର୍ଷ ବେଳକୁ ରାଜ୍ୟର ଟିକସ ଓ ଅଣଟିକସ ରାଜସ୍ବ ମିଶି ୨୭,୮୯୯.୧୬ କୋଟ ଟଙ୍କା ହିସାବ ହୋଇଥିଲା। ଏହା ରାଜ୍ୟର ମୋଟ ରାଜସ୍ବ ପ୍ରାପ୍ତିର ୪୮.୯୫ ପ୍ରତିଶତ। ସେହି ବର୍ଷ ରାଜ୍ୟର ମୋଟ ରାଜସ୍ବ ପ୍ରାପ୍ତିରେ କେନ୍ଦ୍ରୀୟ ଟିକସ ଅଂଶ ଓ ଅନୁଦାନ ଭାଗ ଥିଲା ୨୯,୦୯୮.୭୨ କୋଟି ଟଙ୍କା।

 

ରାଜ୍ୟର ଋଣ ବୋଝ ଅନ୍ୟ ଏକ ଚିନ୍ତା। ସିଏଜିଙ୍କ ରିପୋର୍ଟ ଅନୁସାରେ ଗତ ୫ ବର୍ଷରେ ରାଜ୍ୟର ସାଧାରଣ ଋଣ ପରିଶୋଧ ହାର ସାଧାରଣ ଋଣ ପ୍ରାପ୍ତି ହାର ତୁଳନାରେ କମି କମି ଚାଲିଛି। ୨୦୧୧-୧୨ ବର୍ଷରେ ରାଜ୍ୟର ଋଣ ଉଠାଣ ତୁଳନାରେ ଋଣ ପରିଶୋଧ ଅନୁପାତ ୯୭.୧୦ ପ୍ରତିଶତ ଥିଲାବେଳେ ତା’ ପର ବର୍ଷକୁ ଏହା ୯୨.୮୦ ପ୍ରତିଶତକୁ ଖସିଯାଇଥିଲା। ସେହିପରି ୨୦୧୩-୧୪ ବର୍ଷକୁ ଏହି ଅନୁପାତ ୯୦.୩୪ ପ୍ରତିଶତ ଓ ୨୦୧୪-୧୫ ବର୍ଷକୁ ୬୮.୫୩ ପ୍ରତିଶତ ହୋଇଥିଲା। ସିଏଜିଙ୍କ ମନ୍ତବ୍ୟ ଅନୁସାରେ ସଂପ୍ରତି ରାଜ୍ୟ ସରକାର ସାଧାରଣ ଋଣ ପରିଶୋଧ କରିବାକୁ ଅଧିକ ଋଣ ଉଠାଇବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ସରକାର ଯେତେ ଋଣ କରୁଛନ୍ତି ତା’ଠାରୁ କମ୍‌ ପରିଶୋଧ କରୁଛନ୍ତି। ତେଣୁ ଋଣ ବୋଝ ବଢ଼ି ଚାଲିଛି। ସିଏଜି ରିପୋର୍ଟ ଅନୁସାରେ ରାଜ୍ୟର ସାଧାରଣ ଋଣ ଅଭିବୃଦ୍ଧି ହାର ୨୦୧୧-୧୨ରୁ ୨୦୧୫-୧୬ ବର୍ଷ ମଧ୍ୟରେ ଯଥାକ୍ରମେ -୩.୮୧%, -୫.୨୮%, -୦.୦୧%, ୧୫.୧୬% ଏବଂ ୨୫.୭୩% ହିସାବ ହୋଇଛି। ଏଥିରୁ ରାଜ୍ୟର ଆର୍ଥିକ ସ୍ଥିତି କିଭଳି ଋଣନିର୍ଭରଶୀଳ ହୋଇଯାଇଛି ତାହା ଜଳଜଳ ହୋଇ ଦେଖାଯାଉଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top