ଜିଏସଟି ଲାଗିଲେ ପେଟ୍ରୋଲ ମିଳିବ ୪୦ରେ

News Story - Posted on 2017-09-15

ପେଟ୍ରୋଲ ଓ ଡିଜେଲର ଅହେତୁକ ଉଚ୍ଚମୂଲ୍ୟକୁ ନିୟନ୍ତ୍ରଣ କରିବାକୁ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହମତ ହେବାକୁ ପଡ଼ିବ । ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯଦି କେନ୍ଦ୍ର ସରକାର ଏହାକୁ ସାମଗ୍ରୀ ଓ ସେବା କର ବା ଜିଏସଟି ପରିସରଭୁକ୍ତ କରିବାକୁ ଚାହିଁବେ ତେବେ ରାଜ୍ୟଗୁଡ଼ିକ ମଧ୍ୟ ସହମତ ହେବା ଦରକାର । ରାଜ୍ୟଗୁଡ଼ିକର ବିନା ସହମତିରେ କେନ୍ଦ୍ର ସରକାର ଏକତରଫା ଭାବେ ଏହାକୁ ଜିଏସଟି ପରିସରଭୁକ୍ତ କରିପାରିବେ ନାହିଁ ।

 

ଯଦି ପେଟ୍ରୋଲ ଓ ଡିଜେଲକୁ ସରକାର ଜିଏସଟି ପରିସରଭୁକ୍ତ କରନ୍ତି ତେବେ ସାଧାରଣ ଗ୍ରାହକମାନେ ଲିଟର ପିଛା ପ୍ରାୟ ୪୦ ଟଙ୍କାର ଫାଇଦା ପାଇବା ସହିତ ବଜାରରେ ଖାଦ୍ୟ ସାମଗ୍ରୀ ଦର ମଧ୍ୟ ଅନେକଟା କମିଯାଆନ୍ତା । ବଜାର ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୧୨ ପ୍ରତିଶତ ଜିଏସଟ ଲଗାନ୍ତି ତେବେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୩୮.୧ ଟଙ୍କାକୁ ଖସି ଆସନ୍ତା । ସେହିପରି ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗିଲେ ଦର ୪୦.୦୫ ଟଙ୍କା ହୁଅନ୍ତା । ଆଉ ଯଦି ସରକାର ଏହା ଉପରେ ସର୍ବାଧିକ ୨୮ ପ୍ରତିଶତ ଜିଏସଟି ଲାଗୁ କରନ୍ତେ ତେବେ ପେଟ୍ରୋଲ ଦର ଲିଟର ପିଛା ୪୩.୪୪ ଟଙ୍କା ହୁଅନ୍ତା ।

 

ସେହିପରି ଡିଜେଲ କ୍ଷେତ୍ରରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେଲେ ଡିଜେଲ ଦର ଦିଲ୍ଲୀରେ ୩୬.୬୫ ଟଙ୍କାକୁ ଖସିଆସନ୍ତା । ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗିଲେ ଦିଲ୍ଲୀରେ ଡିଜେଲ ଦର ୩୮.୬୧ ଟଙ୍କା ଏବଂ ୨୮ ପ୍ରତିଶତ ଜିଏସଟି ଲାଗିଲେ ୪୮.୮୮ ଟଙ୍କା ହୁଅନ୍ତା ।
ତେବେ ଜିଏସଟି ବ୍ୟବସ୍ଥା ଅନୁସାରେ ଏହି ପ୍ରସ୍ତାବକୁ କେବଳ କେନ୍ଦ୍ର ସରକାର ଚାହିଁଲେ ଗ୍ରହଣ କରିପାରିବେ ନାହିଁ । ରାଜ୍ୟଗୁଡ଼ିକ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିବା ଉଚିତ । ରାଜ୍ୟଗୁଡ଼ିକ ବିରୋଧ କରିବାରୁ ହିଁ ପେଟ୍ରୋଲ ଓ ଡିଜେଲ ଏଯାଏଁ ଜିଏସଟି ପରିସରଭୁକ୍ତ ହୋଇନାହିଁ ବୋଲି କେନ୍ଦ୍ର ସରକାର ଯୁକ୍ତି କରୁଛନ୍ତି । ଏବେ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ଯୁକ୍ତି ଅନୁସାରେ ପେଟ୍ରୋଲ ଓ ଡିଜେଲ ଉପରୁ ଏବେ ଆଦାୟ ହେଉଥିବା ୫୭ ପ୍ରତିଶତ ଭାଟ ଓ ଅବକାରୀ ଆଦି ଟିକସର ସିଂହଭାଗ ରାଜ୍ୟ ରାଜକୋଷକୁ ଯାଉଛି । ଏବେ ପେଟ୍ରୋଲ ଲିଟର ଉପରେ ପ୍ରାୟ ୪୦ ଟଙ୍କାର ଟିକସ ହିସାବ ହେଉଛି । ସେଥିରୁ କେନ୍ଦ୍ର ସରକାର ୨୫ ଟଙ୍କା ଓ ରାଜ୍ୟ ସରକାର ୧୫ ଟଙ୍କା ପାଉଛନ୍ତି ।

 

ପୁଣି କେନ୍ଦ୍ର ଯେଉଁ ୨୫ ଟଙ୍କା ପାଉଛି ତାହାର ୪୨ ପ୍ରତିଶତ ଟିକସ ଅଂଶ ରାଜ୍ୟକୁ ହସ୍ତାନ୍ତର କରାଯାଉଛି । ତେଣୁ ଏ ବାବଦରେ ରାଜ୍ୟ ସରକାର ଆଉ ପ୍ରାୟ ୧୦ ଟଙ୍କା ପାଉଛନ୍ତି । ଅର୍ଥାତ ପ୍ରକୃତରେ ଦେଖିଲେ ଗୋଟେ ଲିଟର ପେଟ୍ରୋଲ ଉପରୁ ରାଜ୍ୟ ସରକାର ୨୫ ଟଙ୍କା ଓ କେନ୍ଦ୍ର ସରକାର ୧୫ ଟଙ୍କା ପାଉଛନ୍ତି ।

 

ଜିଏସଟି ଲାଗୁ ହେଲେ ଲୋକେ ସର୍ବାଧିକ ଉପକୃତ ହେବେ । ତେଣୁ ରାଜ୍ୟ ସରକାର କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ ସମର୍ଥନ କରି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ଦାବି କରିବା ଉଚିତ । ଓଡ଼ିଶା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ଅରୁଣ ଜେଟଲି କିମ୍ବା ପେଟ୍ରୋଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ପ୍ରସ୍ତାବ ଦେବା ଉଚିତ । ବିଶେଷ ଭାବରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଘନିଷ୍ଟ ବନ୍ଧୁ ହୋଇଥିବାରୁ ତାଙ୍କୁ ବୁଝେଇ ନବୀନବାବୁ ରାଜ୍ୟବାସୀଙ୍କର ଅଶେଷ ଉପକାର କରିପାରନ୍ତେ ।

 

ଅନ୍ତର୍ଜାତୀୟ ବଜାରରେ ଏବେକାର ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ପ୍ରାୟ ୫୦ ଡଲାର । ଏ ହିସାବରେ ଦେଖିଲେ ଭାରତରେ ପେଟ୍ରୋଲି ଦର ଲିଟର ପିଛା ସର୍ବାଧିକ ୩୧ ଟଙ୍କାରେ ମିଳିବା କଥା । ସରକାର ଏହା ଉପରେ ୨୮ ପ୍ରତିଶତ ଜିଏସଟି ଲଗାଇଲେ ଏହାର ଦର ଲିଟର ପିଛା ୪୦ ଟଙ୍କା ହେବ । ଏହା ଉପରେ ଡିଲର କମିଶନ ଓ ପରିବହନ ଖର୍ଚ୍ଚ ଲଗାଇଲେ ସାଧାରଣ ଗ୍ରାହକମାନେ ଲିଟର ପିଛା ୪୩-୪୪ ଟଙ୍କା ଭିତରେ ପେଟ୍ରୋଲ କିଣି ପାରନ୍ତେ ।

 

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ଫ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ମୌଖିକ ଭାବରେ ହେଲେ ବି ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବା ସପକ୍ଷରେ ମତ ଦେଇଛନ୍ତି । ଏ ଦିଗରେ ଅଗ୍ରଗତି କରିବାକୁ ହେଲେ ସେ ଜିଏସଟି ପରିଷଦ ବା ଅର୍ଥମନ୍ତ୍ରୀଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦେବା ଉଚିତ । ଏହି ପ୍ରସ୍ତାବ ଜିଏସଟି ପରିଷଦରେ ଗୃହୀତ ହେଲେ ଲୋକଙ୍କର ମଙ୍ଗଳ ହେବ । ସଂପ୍ରତି ଭାରତର ଅଧିକାଂଶ ରାଜ୍ୟରେ ବିଜେପି ସରକାର ଥିବାରୁ ଏଭଳି ଏକ ପ୍ରସ୍ତାବ ଗୃହଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସମର୍ଥନ ନିଅନ୍ତଣ ହେବ ନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top