ଓଡ଼ିଶାରେ କେତେ ଗାଁ? 

News Story - Posted on 2017-09-15

ଓଡ଼ିଶାରେ ୫୦,୧୮୮ଟି ଗ୍ରାମ ରହିଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିବା ବେଳେ ରାଜ୍ୟରେ ୪୭,୬୭୫ଟି ଗ୍ରାମ ଥିବା କଥା ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ ବିଜେପି ବିଧାୟକ ଦିଲିପ ରାୟଙ୍କ ଦୁଇଟି ପୃଥକ୍ ପୃଥକ୍ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପ୍ରସ୍ତୁତ ହୋଇଥିବା ରୋଡ୍ କୋର୍ ନେଟୱାର୍କ ଅନୁଯାୟୀ ରାଜ୍ୟରେ ସମୁଦାୟ ୫୦,୧୮୮ଟି ଗ୍ରାମ ଥିବା ବେଳେ ଏଥିରୁ ୨୯,୧୦୯ ଗ୍ରାମକୁ ସଡ଼କ ସଂଯୋଗ ନଥିଲା । ଏଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୮,୧୭୬ଟି ଅସଂଯୋଜିତ ଗ୍ରାମ ଯୋଗ୍ୟ ବିବେଚିତ ହେଉଥିବା ବେଳେ ସେଥିରୁ ୧୬,୫୫୫ ଗାଁକୁ ସଡ଼କ ସଂଯୋଗୀକରଣ ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏଯାବତ୍ ଏଥିରୁ ୧୩,୦୪୮ ଗାଁକୁ ସଡ଼କ ସଂଯୋଗ କରାଯାଇଛି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

 

ସର୍ବଶେଷ ସରକାରୀ ହିସାବ ଅନୁଯାୟୀ ଏବେ କେତୋଟି ଗ୍ରାମ ସଡ଼କ ଅଛି ଓ ଆଉ କେତୋଟି ଗାଁକୁ ସଡ଼କ ନାହିଁ ତାହାର ଜିଲ୍ଲାୱାରୀ ବିବରଣୀ ଉପସ୍ଥାପନ ସହିତ ରାଜ୍ୟର ସମସ୍ତ ଗ୍ରାମକୁ କେବେସୁଦ୍ଧା ସବୁଦିନିଆ ସଡ଼କ ବ୍ୟବସ୍ଥା ହେବ ବୋଲି ବିଧାୟକ ଶ୍ରୀ ରାୟ ଜାଣିବାକୁ ·ହିଁଥିଲେ ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପ୍ରସ୍ତୁତ ହୋଇଥିବା ରୋଡ୍ କୋର୍ ନେଟ୍ୱାର୍କ ଅନୁଯାୟୀ ରାଜ୍ୟରେ ସମୁଦାୟ ୫୦,୧୮୮ଟି ଗ୍ରାମ ଥିବା ବେଳେ ଏଥିରୁ ଯୋଜନା ଆରମ୍ଭ ବେଳକୁ ୨୯,୧୦୯ ଗ୍ରାମକୁ ସଡ଼କ ନଥିଲା । ଅର୍ଥାତ୍ ଏହି ଯୋଜନା ଆରମ୍ଭ ବେଳକୁ ରାଜ୍ୟରେ ମାତ୍ର ୨୧,୦୭୯ ଗାଁକୁ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଥିଲା । ୨୯,୧୦୯ଟି ଅସଂଯୋଜିତ ଗ୍ରାମ ଭିତରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୮,୧୭୬ଟି ଗାଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆଉ ୧୦,୯୩୩ ଗ୍ରାମକୁ ସଡ଼କ ଯୋଗାଯୋଗ ବ୍ୟବସ୍ଥା ଘେନି ମନ୍ତ୍ରୀ ତାଙ୍କ ଉତ୍ତରରେ କିଛି ଦର୍ଶାଇନାହାନ୍ତି ।

 

ସେହିପରି ଯୋଗ୍ୟ ବିବେଚିତ ୧୮,୧୭୬ ଗାଁରୁ ୧୬,୫୫୫ ଟି ଲାଗି ସଂଯୋଗୀକରଣ ପ୍ରସ୍ତାବକୁ କେନ୍ଦ୍ର ମଞ୍ଜୁରୀ ଦେଇଥିବା ବେଳେ ଆଉ ୧୬୨୧ ଗାଁର ରାସ୍ତା କିପରି ହେବ ସେ ସଂକ୍ରାନ୍ତରେ ବି ସ୍ପଷ୍ଟ ସୂଚନା ନାହିଁ । ତେବେ ୯୩୪ଟି ଯୋଗ୍ୟ ଗ୍ରାମକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସଂଯୋଜିତ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୫୦ରୁ ୧୦୦ ମଧ୍ୟରେ ରହୁଥିବା ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ଜନସଂଖ୍ୟା ବରିଷ୍ଠତା ଭିତ୍ତିରେ ପର୍ଯ୍ୟାୟକ୍ରମେ ସଂଯୋଗ କରାଯିବା ପାଇଁ ବ୍ୟବସ୍ଥା ରହିଥିବା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଯୋଗ୍ୟ ବିବେଚିତ ହେଉଥିବା ସମସ୍ତ ଗ୍ରାମକୁ ୨୦୧୯ ମାର୍ଚ୍ଚ ସୁଦ୍ଧା ରାସ୍ତା ସଂଯୋଗ ହେବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

 

ରାଜ୍ୟରେ ୫୦,୧୮୮ଟି ଗ୍ରାମ ରହିଥିବା ଘେନି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଥିବା ବେଳେ ଓଡ଼ିଶାରେ ୩୦ ଟି ଜିଲ୍ଲାରେ ୪୭,୬୭୫ଟି ଗ୍ରାମ, ୬୮୦୧ ଗ୍ରାମ ପଞ୍ଚାୟତ ଓ ୩୧୪ଟି ପଞ୍ଚାୟତ ସମିତି ରହିଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାୟକ ଶ୍ରୀ ରାୟଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଉଲ୍ଲେଖ କରିଛନ୍ତି । ଏହି ଗ୍ରାମଗୁଡ଼ିକ ମଧ୍ୟରୁ ୩୯,୬୬୮ଟି ଗ୍ରାମରେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୮୦୦୭ଟି ଗ୍ରାମରେ ନଳକୂପ ଓ ପରିମଳ କୂପ ମାଧ୍ୟମରେ ପାନୀୟ ଜଳ ଯୋଗାଯାଉଛି । ସରକାରଙ୍କ ଆର୍ଥିକ ଅନୁଦାନକୁ ଦୃଷ୍ଟିରେ ରଖି ଏହି ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ସୂଚାଇଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top