କେହି ପାଇନାହାନ୍ତି ସାମ୍ବାଦିକ ସ୍ୱାସ୍ଥ୍ୟବୀମା
News Story - Posted on 2017-09-15
ଏଯାବତ୍ ଓଡ଼ିଶାର ଜଣେ ହେଲେ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ସୁଫଳ ନେଇପାରିନାହାନ୍ତି । ବିଧାୟକ ଦିଲିପ ରାୟ ଏ ସଂକ୍ରାନ୍ତରେ ବିଧାନସଭାରେ ପ·ରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ସାମ୍ବାଦିକ ଚିହ୍ନଟ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ ହାତକୁ ନିଆଯାଇଛି ଏବଂ ଏହା ଏକ ଧାରାବାହିକ ପ୍ରକ୍ରିୟା । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩,୩୫୧ ଜଣ ସାମ୍ବାଦିକ ଚିହ୍ନଟ ହୋଇଥିବା ବେଳେ କୌଣସି ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ସୁଫଳ ନେଇପାରିନଥିବା ସେ ଉଲ୍ଲେଖ କରିଛନ୍ତି ।
ସ୍ୱାସ୍ଥ୍ୟବୀମା ଯୋଜନାରେ ଉପକୃତ ହେବା ପାଇଁ ତାଲିକାଭୁକ୍ତ ସାମ୍ବାଦିକମାନେ ନିର୍ଦ୍ଧାରିତ ପ୍ରିମିୟମ୍ ଏବଂ କାର୍ଯ୍ୟ କରୁଥିବା ସଂସ୍ଥାର ପ୍ରମାଣପତ୍ର ଦାଖଲ କରିବା ପରେ ସେମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାର ପ୍ରାବଧାନ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ବିଭାଗୀୟ ମନ୍ତ୍ରୀ ପୁଣି କହିଛନ୍ତି ଯେ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ ହେବା ପାଇଁ ୭୯ ଜଣ ସାମ୍ବାଦିକ ୧୧୭୦ ଟଙ୍କା ହାରରେ ପ୍ରିମିୟମ୍ ଦାଖଲ କରିଥିଲେ । ଏମାନଙ୍କ ମଧ୍ୟରୁ ମାତ୍ର ୨୩ ଜଣ ନିୟମାନୁଯାୟୀ ପ୍ରିମିୟମ୍ ସହିତ ସଂସ୍ଥାର ପ୍ରମାଣପତ୍ର ଦେଇଥିଲେ । ତେବେ ଅନ୍ୟ ୫୬ ଜଣ ପ୍ରିମିୟମ୍ ଦାଖଲ କରିଥିଲେ ମଧ୍ୟ କାମ କରୁଥିବା ସଂସ୍ଥାର ପ୍ରମାଣପତ୍ର ଦେଇନଥିବାରୁ ବୀମାଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇନଥିଲେ । ୨୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ବୀମା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବୀମା କମ୍ପାନୀ ଆଗ୍ରହ ପ୍ରକାଶ କରୁନଥିବାରୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ।
ଗଣମାଧ୍ୟମରେ କାର୍ଯ୍ୟରତ ଉଭୟ ସାମ୍ବାଦିକ ଓ ଅଣସାମ୍ବାଦିକମାନେ ପ୍ରତିକୂଳ ପରିସ୍ଥିତିରେ କାମ କରି ବ୍ୟବସ୍ଥାକୁ ସଜାଡ଼ିବା ସହିତ ଏହାକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ବର୍ତ୍ତମାନ ସମୟରେ ବ୍ୟୟବହୁଳ ଚିକିତ୍ସାକୁ ଆଖିଆଗରେ ରଖି ଗଣମାଧ୍ୟମ ସହ ଜଡ଼ିତ ସମସ୍ତ ସାମ୍ବାଦିକ ଓ ଅଣସାମ୍ବାଦିକ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ କିପରି ସୀମିତ ସମୟ ମଧ୍ୟରେ ସ୍ୱାସ୍ଥ୍ୟବୀମା ଅନ୍ତର୍ଭୁକ୍ତ କରାଯାଇପାରିବ ସେଥିପାଇଁ ସରକାର ପ୍ରାବଧାନକୁ ସରଳ ଓ ସହଜ କରିବାକୁ ଦାବି କରିଛନ୍ତି ।