ବେଦାନ୍ତର ୫ ୟୁନିଟ ବନ୍ଦ ନିର୍ଦ୍ଦେଶ

News Story - Posted on 2017-09-14

ଝାରସୁଗୁଡ଼ା ଜିଲ୍ଲା କାଟିକେଲାରେ ଥିବା ବେଦାନ୍ତ ଆଲୁମିନିୟମ ଲିମିଟେଡ କାରଖାନାର ୫ଟି ବିଦ୍ୟୁତ ଉତ୍ପାଦନ ୟୁନିଟ ବନ୍ଦ କରିବାକୁ ନୋଟିସ ଜାରି କରିଛି ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ । ବନ୍ଦ ନିର୍ଦ୍ଦେଶ ପାଇଥିବା ୫ ୟୁନିଟ ମଧ୍ୟରୁ ଦୁଇଟି ଇଣ୍ଡିପେଣ୍ଡେଣ୍ଟ ପାୱାର ପ୍ଲାଣ୍ଟ ବା ଆଇପିପି ଓ ତିନିଟି କ୍ୟାପ୍ଟିଭ ପାୱାର ପ୍ଲାଣ୍ଟର । ନିକଟରେ ଏହି କାରଖାନାର ପାଉଁଶ ପୋଖରୀ ଭାଙ୍ଗିଯିବା ଫଳରେ ସ୍ଥାନୀୟ ଅଂଚଳର ବ୍ୟାପକ ଜମିର ଫସଲ ନଷ୍ଟ ହୋଇଥିଲା ।

 

ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି ଯେ ମୋଟ ୧୨୧୫ ମେଗାୱାଟ ଉତ୍ପାଦନ କ୍ଷମତା ବିଶିଷ୍ଟ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟର ତିନିଟି ୟୁନିଟ ଚଳାଇବାକୁ ପୂର୍ବରୁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରି ନିଆଯାଉଛି । କମ୍ପାନୀ ଏହାର ବିଦ୍ୟୁତ ଉତ୍ପାଦନ ୮୧୦ ମେଗାୱାଟ ମଧ୍ୟରେ ସୀମୀତ ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏହି ପ୍ଲାଣ୍ଟର ପ୍ରତି ୟୁନିଟରୁ ୧୩୫ ମେଗାୱାଟ ଲେଖାଏଁ ବିଦ୍ୟୁତ ଉତ୍ପାଦିତ ହୋଇଥାଏ । ସିପିପି ବା କ୍ୟାପ୍ଟିଭ ପାୱାର ପ୍ଲାଣ୍ଟର ଅନ୍ୟ ୬ଟି ୟୁନିଟ ପୂର୍ବପରି ଚାଲି । ଏଥିପାଇଁ ବୋର୍ଡ଼ ୨୦୧୭ ଅକ୍ଟୋବର ୧୨ ତାରିଖ ଯାଏଁ ଅନୁମତି ପ୍ରଦାନ କରିଛି ।

 

ସେହିପରି ବେଦାନ୍ତର ୨୪୦୦ ମେଗାୱାଟ ଉତ୍ପାଦନ କ୍ଷମତା ବିଶିଷ୍ଟ ଏକ ଇଣ୍ଡିପେଣ୍ଡେଣ୍ଟ ପାୱାର ପ୍ଲାଣ୍ଟ ବା ଆଇପିପିର ଦୁଇଟି ୟୁନିଟ ବନ୍ଦ କରିବାକୁ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ନିର୍ଦ୍ଦେଶ ଦେଇଛି । ଏ ଦୁଇଟି ୟୁନିଟରୁ ୬୦୦ ମେଗାୱାଟ୍ ଲେଖାଏଁ ବିଦ୍ୟୁତ ଉତ୍ପାଦିତ ହୋଇଥାଏ । ଏହି କାରଖାନାରେ ଏହିପରି ମୋଟ ଚାରିଟି ୟୁନିଟ୍ ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ନିର୍ଦ୍ଦେଶ ଅନୁସାରେ ଆଇପିପିର ବାକି ଦୁଇଟି ୟୁନିଟ୍ ଚଳିତ ମାସ ୨୦ ତାରିଖ ଯାଏଁ ଉତ୍ପାଦନ କରିପାରିବ । ଏହା ପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବ ।

 

ସେହିପରି କାରଖାନାର ବର୍ଜ୍ୟବସ୍ତୁ ଓ ପାଉଁଶ କାଦୁଅକୁ ପାଉଁଶ ପୋଖରୀରୁ ଆଖପାଖ ଜମି ଓ ଜଳସୂତ୍ରରେ ନଛାଡ଼ିବାକୁ ମଧ୍ୟ କମ୍ପାନୀକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୮ ତାରିଖରେ ବେଦାନ୍ତ ଆଲୁମିନିୟମ ଲିମିଟେଡ଼ କାରଖାନାର କାଟିକେଲା ନିକଟରେ ଥିବା ଦୁଇ ନମ୍ବର ପାଉଁଶ ପୋଖରୀର ବନ୍ଧ ଭାଙ୍ଗି ସ୍ଥାନୀୟ ଅଂଚଳର ବ୍ୟାପକ ଜମିରେ ମାଡ଼ି ଯାଇଥିଲା । ଏହା ବିରୋଧରେ ସ୍ଥାନୀୟ ଅଂଚଳରେ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଗ୍ରାମବାସୀମାନେ ପ୍ରତିବାଦ ବିକ୍ଷୋଭ କରିବା ସହିତ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଏନେଇ ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧି ବେଦାନ୍ତ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ କମ୍ପାନୀ କ୍ଷତିପୂରଣ ଦେବାକୁ ରାଜି ହୋଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top