ବ୍ରାହ୍ମଣୀ ଉପରେ ଝାଡ଼ଖଣ୍ଡର ୧୮ ପ୍ରକଳ୍ପ

News Story - Posted on 2017-09-14

ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଦୁଇ ଉପନଦୀ ଶଙ୍ଖ ଓ କୋଏଲ‌୍‍ ଉପରେ ଝାଡ଼ଖଣ୍ଡରେ ୧୨ଟି ଡ୍ୟାମ‌୍‍ ଓ ବ୍ୟାରେଜ‌୍‍ ନିର୍ମିତ ହୋଇସାରିଥିବା ବେଳେ ଆଉ ୬ଟିର ନିର୍ମାଣ କାର୍ଯ୍ୟ ଚାଲୁଛି। ତେବେ ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ କୋଏଲ‌୍‍ ନଦୀରେ ଏକ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୪ ବର୍ଷ ତଳେ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତାହାର ନିର୍ମାଣ କାର୍ଯ୍ୟ ଏଯାବତ‌୍‍ ଆରମ୍ଭ ହୋଇନାହିଁ। ବିଧାୟକ ଦିଲିପ ରାୟ ଏ ପ୍ରସଙ୍ଗରେ ଉତ‌୍‍ଥାପନ କରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ବିବରଣୀରୁ ଏହା ଜଣାପଡ଼ିଛି।

 

ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ଦୁଇ ଉପନଦୀ ଶଙ୍ଖ ଓ କୋଏଲ‌୍‍ ଉପରେ ଝାଡ଼ଖଣ୍ଡର କେଉଁ କେଉଁ ସ୍ଥାନରେ ଡ୍ୟାମ‌୍‍ ଓ ବ୍ୟାରେଜ‌୍‍ ନିର୍ମାଣ ହୋଇଛି ଓ ଆଉ କେଉଁ ସ୍ଥାନରେ ନିର୍ମାଣ ପାଇଁ ଯୋଜନା ରହିଛି ଏବଂ ଏଥିଯୋଗୁ ବ୍ରାହ୍ମଣୀ ନଦୀର ଜଳପ୍ରବାହ ହ୍ରାସ ପାଇବା ଆଶଙ୍କା ଦୃଷ୍ଟିରୁ ପ୍ରତିକାର ଲାଗି ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଧାୟକ ଶ୍ରୀ ରାୟ ଜାଣିବାକୁ ସ୍ଖହିଁଥିଲେ। ଏଥିସହିତ ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ କୋଏଲ‌୍‍ ନଦୀରେ ୪୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ କରି ଜଳ ସୁରକ୍ଷିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୧୩ ଜୁଲାଇ ୯ ତାରିଖରେ ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେହି ପ୍ରକଳ୍ପର କାମ କେତେ ଆଗେଇଛି, ଏ ବାବଦରେ ଏଯାବତ‌୍‍ କେତେ ଅର୍ଥ ଖର୍ଚ୍ଚ ହୋଇଛି ଓ ଉକ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ବୋଲି ଶ୍ରୀ ରାୟ ନିର୍ଦ୍ଦିଷ୍ଟ ଭାବେ ପ୍ରଶ୍ନ କରିଥିଲେ।

 

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିସ୍ତୃତ ତଥ୍ୟରେ ଦର୍ଶାଇଛନ୍ତି ଯେ ଝାଡ଼ଖଣ୍ଡ ରାଜ୍ୟର ବ୍ରାହ୍ମଣୁ ଉପତ୍ୟକାରେ ଏଯାବତ‌୍‍ ୧୨ଟି ଡ୍ୟାମ‌୍‍ ଓ ବ୍ୟାରେଜ‌୍‍ ନିର୍ମାଣ ସରିଛି। ଏଗୁଡ଼ିକ ହେଲା ଛିଣ୍ଡା, ଲରୁଆ, ରାମରେଖା, ତପ‌୍‍କରା, ଉପର ଶଙ୍ଖ, ଗୁଚ୍ଚାଓପା, ଧନଶିଙ୍ଗ‌୍‍ଟୋଲି, ଜୟପୁର, ଲାଟ୍ରାଟୁ, ମଶାରିଆ, ନନ୍ଦିନୀ ଓ ପରାସ ଡ୍ୟାମ‌୍‍। ଏହାଛଡ଼ା ସିମ‌୍‍ଡେଗା ଜିଲ୍ଲାରେ କାଂସଜୋର‌୍‍, ଗୁମ‌୍‍ଲା ଜିଲ୍ଲାରେ କାଟ୍ରି ଓ କାଂସ, ପଶ୍ଚିମ ସିଂହଭୂମି ଜିଲ୍ଲାରେ ସତ‌୍‍ପୋଟ‌୍‍କା, ରାଞ୍ଚିରେ ବାସୁକୀ ଓ ଲୋହରଡେଗାରେ ସୁକ୍ରି ଡ୍ୟାମ‌୍‍ ନିର୍ମାଣାଧିନ ରହିଛି। ଏଥିମଧ୍ୟରୁ ଗୁମ‌୍‍ଲାର ଉପରଶଙ୍ଖ ଡ୍ୟାମ‌୍‍ ଜଳବିଦ୍ୟୁତ‌୍‍ ପ୍ରକଳ୍ପ ପାଇଁ ନିର୍ମିତ ହୋଇଥିବା ବେଳେ ଅନ୍ୟଗୁଡ଼ିକ ଜଳସେଚନ ପାଇଁ ଉଦ୍ଦିଷ୍ଟ। ଏଥିଯୋଗୁ ବ୍ରାହ୍ମଣୀ ନଦୀର ଜଳ ପ୍ରବାହ କମିବାର ସମ୍ଭାବନା କମ‌୍‍ ଥିଲେ ମଧ୍ୟ ଏହା ଉପରେ ସରକାର ନିରୀକ୍ଷଣ କରୁଛନ୍ତି।

 

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ କୋଏଲ‌୍‍ ନଦୀରେ ୪୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବ୍ୟାରେଜ‌୍‍ ଓ ସେତୁ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଅତ୍ୟଧିକ ଜମି ଅଧିଗ୍ରହଣ କରିବାକୁ ପଡ଼ୁଥିବାରୁ ଏହାକୁ ବାତିଲ କରି ଏହାର ତଳମୁଣ୍ଡରେ ହମିର‌୍‍ପୁରଠାରେ ପିକ‌୍‍ଅପ‌୍‍ େୱୟାର କରିବା ପାଇଁ ପ୍ରସ୍ତାବ ଅଛି। ଇତିମଧ୍ୟରେ ଏହାର ପ୍ରାରମ୍ଭିକ ଅନୁସନ୍ଧାନ କାର୍ଯ୍ୟ ଶେଷ ସହିତ ନତ୍ତା କାମ ହାତକୁ ନିଆଯାଇଛି। ଏହାର ନିର୍ମାଣ ଖର୍ଚ୍ଚ ଓ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ସମୟର ତଥ୍ୟ ଆବଶ୍ୟକୀୟ ନତ୍ତା ସମାପ୍ତ ପରେ ଜଣାପଡ଼ିବ।

 

ଏ ପ୍ରସଙ୍ଗରେ ଏକ ବିବୃତ୍ତିରେ ବିଧାୟକ ଶ୍ରୀ ରାୟ କହିଛନ୍ତି ଯେ ୨୦୧୪ ମସିହାର ସାଧାରଣ ନିର୍ବାଚନ ପୂର୍ବରୁ ବ୍ୟାପକ ଅର୍ଥ ବ୍ୟୟରେ କୋଏଲ‌୍‍ ନଦୀର ବୈକୁଣ୍ଠ ଘାଟଠାରେ ଡ୍ୟାମ‌୍‍ ଓ ବ୍ୟାରେଜ‌୍‍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ। ଏଥିପାଇଁ ୪୪୬ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ମଧ୍ୟ ହୋଇଥିଲା। ତେବେ ନିର୍ବାଚନ ପରେ ଏହି ପ୍ରକଳ୍ପ କରାଇ ନ ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ଉପରମୁଣ୍ଡରେ ଝାଡ଼ଖଣ୍ଡରେ ୧୨ଟି ଡ୍ୟାମ‌୍‍ ନିର୍ମିତ ସରି ଆଉ ୬ଟି ଡ୍ୟାମ‌୍‍ ନିର୍ମାଣ ଚାଲିଥିବା ବେଳେ ଓଡ଼ିଶା ସରକାର ୪ ବର୍ଷ ତଳେ ଶୁଭ ଦେଇଥିବା ରାଉରକେଲାର ବୈକୁଣ୍ଠଘାଟ ଡ୍ୟାମ‌୍‍ ଓ ବ୍ୟାରେଜ‌୍‍ର ନିର୍ମାଣ କାମ ଆରମ୍ଭ ନ ହେବା ଇସ୍ପାତ ନଗରୀ ରାଉରକେଲାବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପରିଚାୟକ। ପଡ଼ୋଶୀ ରାଜ୍ୟମାନେ ଓଡ଼ିଶାକୁ ପ୍ରବାହିତ ନଦୀ ଉପରେ ଗୋଟିଏ ପରେ ଗୋଟିଏ ଡ୍ୟାମ‌୍‍ ନିର୍ମାଣ କରି ଫାଇଦା ନେଉଥିବା ବେଳେ ଓଡ଼ିଶା ସରକାରଙ୍କ ମୁଖ୍ୟମନ୍ତ୍ରୀ କରିଥିବା ଡ୍ୟାମ‌୍‍ ଶିଳାନ୍ୟାସ ପ୍ରକଳ୍ପ କାମ ବର୍ଷ ବର୍ଷ ଧରି ପଡ଼ିରହିବା ଦୁର୍ଭାଗ୍ୟଜନକ। ଅଧିକ ସମୟ ନଷ୍ଟ ନ କରି ତୁରନ୍ତ ବୈକୁଣ୍ଠ ଘାଟଠାରେ କୋଏଲ‌୍‍ ନଦୀ ଉପରେ ମୁଖ୍ୟମନ୍ତ୍ରୀ ଯେଉଁ ଡ୍ୟାମ‌୍‍ ଓ ବ୍ୟାରେଜ‌୍‍ ପ୍ରକଳ୍ପର ଶିଳାନ୍ୟାସ ୪ ବର୍ଷ ତଳେ କରିଛନ୍ତି ତାହାର ନିର୍ମାଣ କାମ ତୁରନ୍ତ ଆରମ୍ଭ କରି ସୀମିତ ସମୟ ମଧ୍ୟରେ ଶେଷ କରିବାକୁ ବିଧାୟକ ଶ୍ରୀ ରାୟ ଦାବି କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top