ଅଣ୍ଡାମାଡ଼- ୧୫ ଘଟଣାରେ ୮୯ ଗିରଫ

News Story - Posted on 2017-09-14

ତିନିବର୍ଷ ମଧ୍ୟରେ ଓଡ଼ିଶାରେ ଅନ୍ୟୁନ ୧୬ଟି ସ୍ଥାନରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ନେତାମାନଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ତଥା ଆକ୍ରମଣ ହୋଇଛି। ଏଥିରୁ ତିନୋଟି ଘଟଣା ବିଜେପିର ମନ୍ତ୍ରୀ ଓ ନେତାଙ୍କ ଉପରେ ହୋଇଥିବା ବେଳେ ଅବଶିଷ୍ଟ ୧୩ଟି ହୋଇଛି ବିଜେଡି ନେତାଙ୍କ ଉପରେ। ୧୫ଟି ଅଣ୍ଡାମାଡ଼ ଓ ଆକ୍ରମଣ ଘଟଣାରେ ୮୯ ଜଣ ଗିରଫ ହୋଇଥିବା ବେଳେ ଆଉ ଗୋଟିଏ ଘଟଣାରେ ଏଯାବତ‌୍‍ ପୋଲିସ କାହାକୁ ଧରିନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଦେଇଥିବା ବିସ୍ତୃତ ତଥ୍ୟରୁ ଏହା ଜଣାପଡ଼ିଛି।

 

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୪ ମସିହାରେ କୌଣସି ମନ୍ତ୍ରୀ ଓ ନେତାଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼ କିମ୍ୱା ଆକ୍ରମଣ ହୋଇନଥିବା ବେଳେ ୨୦୧୫ ବର୍ଷରେ ୨ଟି ସ୍ଥାନରେ ଅଣ୍ଡାମାଡ଼ ହୋଇଥିଲା। ୧୯.୦୨.୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ରାଜଧାନୀରେ ହୋଇଥିବା ଅଣ୍ଡାମାଡ଼ ଘଟଣାରେ ୧୮ ଜଣ ଗିରଫ ହୋଇଥିବା ବେଳେ ସେହିବର୍ଷ ନଭେମ୍ୱର ୫ ତାରିଖରେ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

 

ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୬ ମସିହାରେ ସର୍ବାଧିକ ୧୩ଟି ଅଣ୍ଡାମାଡ଼ ଓ ଆକ୍ରମଣ ଘଟଣା ରିପୋର୍ଟ ହୋଇଛି। ଉକ୍ତ ବର୍ଷ ଜାନୁଆରୀ ମାସରେ ପୁରୀଠାରେ ତତ୍କାଳୀନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ଅରୁଣ କୁମାର ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଦୁଇଟି ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି। ସେହିପରି ତତ୍କାଳୀନ ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ଗାଡ଼ି ଉପରକୁ ଛତ୍ରପୁରଠାରେ ଓ ତତ୍କାଳୀନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗାଡ଼ି ଉପରକୁ ଦେବଗଡ଼ର କୁରୁଦଛକଠାରେ ହୋଇଥିବା ଅଣ୍ଡାମାଡ଼ ଘଟଣାରେ ୧୬ ଜଣଙ୍କୁ ଗିରଫ କରାଯାଇଥିଲା। ତତ୍କାଳୀନ ମନ୍ତ୍ରୀ ଅରୁଣ ସାହୁଙ୍କ ଗାଡ଼ି ଉପରକୁ କଟକ ରିଙ୍ଗ‌୍‍ ରୋଡ‌୍‍ରେ ମଧ୍ୟ ଅଣ୍ଡାମାଡ଼ ହୋଇଥିଲା ଓ ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି।

 

ଗତବର୍ଷ ଅଗଷ୍ଟ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବାଣ୍ଠୁପଡ଼ାଠାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଗାଡ଼ି ଉପରେ ହୋଇଥିବା ଅଣ୍ଡାମାଡ଼ ଘଟଣାରେ ଚାରିଜଣ ଗିରଫ ହୋଇଥିଲେ। ସେପ୍ଟେମ୍ୱର ୧୩ ଓ ୧୪ ତାରିଖରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଗାଡ଼ି ଉପରକୁ ବଲାଙ୍ଗୀର ଠାରେ ଦୁଇଥର ଅଣ୍ଡାମାଡ଼ ହୋଇଥିଲା ଓ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଜଗତ‌୍‍ସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ‌୍‍ ପଡ଼ିଆଠାରେ ଗତବର୍ଷ ଅକ୍ଟୋବର ୫ ତାରିଖରେ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ ଉପରକୁ ହୋଇଥିବା ଅଣ୍ଡାମାଡ଼ ଘଟଣାରେ ଜଣେ ଗିରଫ ହୋଇଥିଲେ। ଉକ୍ତବର୍ଷ ଡିସେମ୍ୱର ମାସରେ ବଲାଙ୍ଗୀରର ପାଟଣାଗଡ଼ଠାରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

 

ମୁଖ୍ୟମନ୍ତ୍ରୀ ଦେଇଥିବା ବିସ୍ତୃତ ବିବରଣୀରେ ଉଲ୍ଲେଖ କରିଛନ୍ତି ଯେ ବରଗଡ଼ର ଗାନ୍ଧୀ ଛକଠାରେ ଗତବର୍ଷ ଜୁନ‌୍‍ ୨୪ ତାରିଖରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା ଓ ଏହି ଘଟଣାରେ ୧୬ ଜଣଙ୍କୁ ପୋଲିସ ଗିରଫ କରିଥିଲା। ଗତବର୍ଷ ନଭେମ୍ୱର ୨୭ ତାରିଖରେ ପିପିଲି ଟୋଲ‌୍‍ ଗେଟ‌୍‍ ନିକଟରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ଗାଡ଼ି ଉପରକୁ ହୋଇଥିବା ଅଣ୍ଡାମାଡ଼ ଘଟଣାରେ ମଧ୍ୟ ୩ ଜଣ ଗିରଫ ହୋଇଛନ୍ତି।

 

୨୦୧୭ ବର୍ଷରେ ଏଯାବତ‌୍‍ ମାତ୍ର ୨ଟି ଅଣ୍ଡାମାଡ଼ ଘଟଣା ରିପୋର୍ଟ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବଜାରରେ ଗତ ଜୁନ‌୍‍ ୧୪ ତାରିଖରେ କେନ୍ଦ୍ରମନ୍ତ୍ରୀ ଜୁଏଲ‌୍‍ ଓରାମଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରାଯାଇଥିଲା ଓ ଏହି ଘଟଣାରେ ୧୩ ଜଣଙ୍କୁ ପୋଲିସ ଗିରଫ କରିଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ତେବେ କଟକ ଜିଲ୍ଲାର ମାହାଙ୍ଗା ଅନ୍ତର୍ଗତ ଜତିପାରିଲୋଠାରେ ଗତ ମଇ ୩୦ ତାରିଖରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କ ଉପରକୁ ଅଣ୍ଡାମାଡ଼ ହୋଇଥିଲା ଓ ଏହି ଘଟଣାରେ ଜଣେ ହେଲେ କାହାକୁ ଗିରଫ କରାଯାଇନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଓଡ଼ିଶାର ମନ୍ତ୍ରୀ, ସାଂସଦ ଓ ଦଳୀୟ ନେତାମାନେ ଯେଉଁଭଳି ଆକ୍ରମଣ ଓ ଅଣ୍ଡାମାଡ଼ର ସମ୍ମୁଖୀନ ହେଉଛନ୍ତି ସେଥିରୁ ଆଇନ‌୍‍ ଶୃଙ୍ଖଳା ପରିସ୍ଥିତିର ବିପର୍ଯ୍ୟୟ ଓ ଦଳୀୟ ସ୍ତରରେ ଶାଳିନତା ତଥା ସହିଷ୍ଣୁତାର ଅଭାବ ପରିଲକ୍ଷିତ ହେଉଥିବା ଦର୍ଶାଇ ସମସ୍ତ ରାଜନୈତିକ ଦଳ ଓ ସରକାର ତଥା ସଚେତନ ନାଗରିକମାନେ ଏ ପ୍ରସଙ୍ଗରେ ମାନସ ମନ୍ଥନ କରିବା ପାଇଁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ନିବେଦନ କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top