୨୧୨ଟି ଖଣିସଂସ୍ଥାରୁ ଜରିମାନା ଦେଇଛନ୍ତି ୨

News Story - Posted on 2017-09-14

ଖଣି ଖନନ, ଖଣିଜ ସାମଗ୍ରୀ ବିପଣନ ଓ ପରିବହନ କ୍ଷେତ୍ରରେ ବେଆଇନ‌୍‍ କାର୍ଯ୍ୟକଳାପ ତଥା ଅନିୟମିତତା ଅଭିଯୋଗରେ ଗତ ୫ ବର୍ଷ ମଧ୍ୟରେ ସରକାର ଅନ୍ୟୁନ ୨୧୨ଟି ସଂସ୍ଥା ଉପରେ ଜରିମାନା ଆଦାୟ ଲାଗି ଡିମାଣ୍ଡ ନୋଟିସ‌୍‍ ଜାରି କରିଥିବା ବେଳେ ସେଥିରୁ ମାତ୍ର ୨ଟି ସଂସ୍ଥା କିଛି ପରିମାଣର ଜରିମାନା ରାଶି ଦେଇଛନ୍ତି। ଆଉ ୨୧୦ଟି ସଂସ୍ଥା ପାଖରୁ ସରକାର ପଇସାଟିଏ ଆଦାୟ କରିପାରିନାହାନ୍ତି। ବିଧାୟକ ଦିଲିପ ରାୟ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଦେଇଥିବା ବିସ୍ତୃତ ହିସାବରୁ ଏହା ଜଣାପଡ଼ିଛି।

 

ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ମେସର୍ସ ଶିବା ସିମେଣ୍ଟ ଫତୁରବାହାଲ ଚୂନ ପଥର ଓ ଡୋଲମାଇଟ‌୍‍ ଖଣିରେ କରିଥିବା ବେଆଇନ‌୍‍ କାର୍ଯ୍ୟକଳାପ ଅଭିଯୋଗରେ ସରକାର ୬୮,୮୯,୦୧୪ ଟଙ୍କାର ଜରିମାନା ପାଇଁ ଡିମାଣ୍ଡ ନୋଟିସ‌୍‍ ଦେଇଥିଲେ ଏବଂ ଏହି ସଂସ୍ଥା ଉକ୍ତ ଅର୍ଥ ପ୍ରଦାନ କରିଛି। ଅନ୍ୟତମ ଖଣି ପଟ୍ଟାଧାରୀ ଏ.ଏନ‌୍‍ ପଟ୍ଟନାୟକଙ୍କ ବାଙ୍କୀ ଡୋଲମାଇଟ‌୍‍ ଖଣି ପ୍ରସଙ୍ଗରେ ୩,୩୬,୯୬୨ ଟଙ୍କାର ଡିମାଣ୍ଡ ନୋଟିସ‌୍‍ ଦିଆଯାଇଥିବା ବେଳେ ଏହି ସଂସ୍ଥା ମାତ୍ର ୧,୦୫,୬୯୮ ଟଙ୍କା ପୈଠ କରିଛି। ମୋଟାମୋଟି ଭାବେ ସରକାର ୨୧୨ଟି ସଂସ୍ଥା ମଧ୍ୟରୁ ମାତ୍ର ଏହି ଦୁଇଟିରୁ ପାଇଛନ୍ତି ୬୯,୯୪,୭୧୨ ଟଙ୍କା।

 

କୋଇଡ଼ା ସର୍କଲ‌୍‍ ୫୫ ଜଣ ଖଣି ପଟ୍ଟାଦାରଙ୍କ ଉପରେ ଜରିମାନା ଆଦାୟ ପାଇଁ ସରକାର ଡିମାଣ୍ଡ ନୋଟିସ‌୍‍ ଜାରି କରିଥିବା ବେଳେ ଯୋଡ଼ା ସର୍କଲ‌୍‍ରେ ୭୨ ଜଣ, କେନ୍ଦୁଝର ସର୍କଲ‌୍‍ରେ ୮ଜଣ, ସମ୍ୱଲପୁର ସର୍କଲ‌୍‍ରେ ୫ ଜଣ, ରାଉରକେଲା ସର୍କଲ‌୍‍ରେ ୨୩ ଜଣ, କୋରାପୁଟ ସର୍କଲ‌୍‍ରେ ୭ ଜଣ, ତାଳଚେର ସର୍କଲ‌୍‍ରେ ୨ ଜଣ, ବଲାଙ୍ଗୀର ସର୍କଲ‌୍‍ରେ ୨ ଜଣ, ଯାଜପୁର ରୋଡ‌୍‍ ସର୍କଲ‌୍‍ରେ ୧୪ ଜଣ, ବାରିପଦା ସର୍କଲ‌୍‍ରେ ୧୧ ଜଣ, କଳାହାଣ୍ଡି ସର୍କଲ‌୍‍ରେ ୩ ଜଣ ଓ କଟକ ସର୍କଲ‌୍‍ରେ ୧୦ ଜଣ ଖଣି ପଟ୍ଟାଦାରଙ୍କ ଉପରେ ଅନିୟମିତତା ଅଭିଯୋଗରେ ସରକାର ୨୦୧୨ରୁ ୨୦୧୬ ମଧ୍ୟରେ ଜରିମାନା ଆଦାୟ ଲାଗି ଡିମାଣ୍ଡ ନୋଟିସ‌୍‍ ଦେଇଥିଲେ।

 

ଡିମାଣ୍ଡ ନୋଟିସ‌୍‍ ପାଇବା ପରେ ଅଧିକାଂଶ ଖଣି ପଟ୍ଟାଦାର ଏହା ବିରୋଧରେ ଖଣି ମନ୍ତ୍ରାଳୟ ଅଧୀନସ୍ଥ ରିଭିଜନାଲ‌୍‍ ଅଥରିଟିଙ୍କ ନିକଟରେ ମାମଲା ରୁଜୁ କରି ରହିତାଦେଶ ଆଣିଛନ୍ତି। ଏ ପ୍ରସଙ୍ଗରେ ହାଇକୋର୍ଟ ଓ ସୁପ୍ରିମ‌୍‍କୋର୍ଟରେ ମଧ୍ୟ ମାମଲା ଚାଲିଛି। ନିକଟରେ ଗତ ଅଗଷ୍ଟ ୨ ତାରିଖରେ ସୁପ୍ରିମ‌୍‍କୋର୍ଟ ଦେଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଜରିମାନା ଆଦାୟ ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଥିବା କଥା ଖଣିମନ୍ତ୍ରୀ କହିଛନ୍ତି।

 

କେବଳ ବେସରକାରୀ ଖଣି ପଟ୍ଟାଦାର ନୁହଁନ୍ତି ରାଜ୍ୟ ସରକାରଙ୍କ ଖଣି ନିଗମ, ଇଡ‌୍‍କଲ ସମେତ କେନ୍ଦ୍ର ସରକାରଙ୍କ ସେଲ‌୍‍, ଏମ‌୍‍ସିଏଲ‌୍‍ ଭଳି ବହୁ ସରକାରୀ ସଂସ୍ଥା ମଧ୍ୟ ସରକାରଙ୍କ ଡିମାଣ୍ଡ ନୋଟିସ‌୍‍ ବିରୋଧରେ ଆଇନ‌୍‍ ଅଦାଲତର ଦ୍ୱାରସ୍ଥ ହୋଇ ସରକାରଙ୍କୁ କାଠଗଡ଼ାକୁ ଟାଣିଥିବା ଏହି ତଥ୍ୟରୁ ଜଣାପଡ଼ିଛି। ତେବେ ଅନେକ କ୍ଷେତ୍ରରେ ରହିତାଦେଶ ନ ଥିଲେ ମଧ୍ୟ ଜରିମାନା ଅର୍ଥ ଆଦାୟ ହୋଇପାରୁନାହିଁ। ଏଠାରେ ଉଲ୍ଲେଖନୀୟ ଯେ ବେଆଇନ‌୍‍ ଖଣି ଖନନ ପ୍ରସଙ୍ଗରେ ଜଷ୍ଟିସ‌୍‍ ଏମ‌୍‍.ବି ଶାହା କମିଶନ କେତେକ ପ୍ରତିକୂଳ ମନ୍ତବ୍ୟ ଦେଇଥିବା ବେଳେ ରାଜ୍ୟ ଭିଜିଲାନ୍ସ ମଧ୍ୟ ଖଣି ଦୁର୍ନୀତି ପ୍ରସଙ୍ଗରେ ଗୁଡ଼ିଏ ମାମଲା ରୁଜୁ କରିଛି। ସରକାର ବେଆଇନ‌୍‍ ଖଣିଜ ସାମଗ୍ରୀ ଉେତ୍ତାଳନ, ବିପଣନ, ପରିବହନ କ୍ଷେତ୍ରରେ ବେଆଇନ‌୍‍ କାର୍ଯ୍ୟକଳାପ ତଥା ଅନିୟମିତତା ଅଭିଯୋଗରେ ଅନେକ ସଂସ୍ଥା ଉପରେ ୬୮ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ ଲାଗି ପୂର୍ବରୁ ଡିମାଣ୍ଡ ନୋଟିସ‌୍‍ ଦେଇଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top