୫୨ କଲେଜରୁ ୪୭ରେ ଅଧ୍ୟକ୍ଷ ନାହାନ୍ତି

News Story - Posted on 2017-09-14

ଓଡ଼ିଶାରେ ୫୨ଟି ସରକାରୀ ଡିଗ୍ରୀ ଓ ସ୍ୱୟଂଶାସିତ କଲେଜ ଥିବା ବେଳେ ସେଥିରୁ ୪୭ଟିରେ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛି। ମାତ୍ର ୫ଟି ସରକାରୀ କଲେଜରେ ନିୟମିତ ଅଧ୍ୟକ୍ଷ ଅଛନ୍ତି। ବିଜେପି ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ବିଧାନସଭାରେ ପ୍ରଦାନ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ।

 

ମନ୍ତ୍ରୀ ପୁଣି କହିଛନ୍ତି ଯେ ସରକାରୀ ଡିଗ୍ରୀ କଲେଜଗୁଡ଼ିକରେ ୭୨୦ଟି ଅଧ୍ୟାପକ ଓ ୧୨୯୫ଟି ଅଣଶିକ୍ଷକ ପଦବୀ ଖାଲି ରହିଛି। ସେହିପରି ରାଜ୍ୟରେ ଥିବା ୪୮୮ ବର୍ଗ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ୧୩୩୯ଟି ଅଧ୍ୟାପକ ପଦବୀ ମଧ୍ୟ ଖାଲିପଡ଼ିଛି। ରାଜ୍ୟରେ ମୋଟ‌୍‍ ୧୭ଟି ଅନୁଦାନପ୍ରାପ୍ତ ବେସରକାରୀ ସ୍ୱୟଂଶାସିତ କଲେଜ ଥିବା ବେଳେ ଏଥିରେ ଜଣେ ହେଲେ ନିୟମିତ ଅଧ୍ୟକ୍ଷ ନାହାନ୍ତି। ବରିଷ୍ଠତା ଭିତ୍ତିରେ ଅଧ୍ୟାପକମାନେ ଏହି ସ୍ୱୟଂଶାସିତ କଲେଜଗୁଡ଼ିକରେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାମ କରୁଛନ୍ତି।

 

ରାଜ୍ୟରେ ଥିବା ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ସରକାର ୨୦୧୫ ମସିହାରେ ଏକ ନୀତି ପ୍ରଣୟନ କରି ସଂକଳ୍ପ ଜାରି କରିଥିଲେ। ତେବେ ଓଡ଼ିଶା ହାଇକୋର୍ଟରେ ଏହା ବିରୁଦ୍ଧରେ ମାମଲା ରୁଜୁ ହୋଇଛି ଓ ଅଦାଲତ ଉପରୋକ୍ତ ସଂକଳ୍ପନାମା ଉପରେ ରହିତାଦେଶ ଜାରି କରିଛନ୍ତି। ଏହି ବେସରକାରୀ ସ୍ୱୟଂଶାସିତ କଲେଜଗୁଡ଼ିକରେ ୨୪୩ଟି ଶିକ୍ଷକ ପଦବୀ ଖାଲିପଡ଼ିଛି। ସେହିପରି ୮୧୪ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବା ବେଳେ ସେଥିରୁ ୪୭୦ଟି ପଦବୀ ଖାଲି ପଡ଼ିଥିବା ମନ୍ତ୍ରୀ ସୂଚାଇଛନ୍ତି। ରାଜ୍ୟର ସଂଖ୍ୟାଧିକ କଲେଜରେ ନିୟମିତ ଅଧ୍ୟକ୍ଷ ନଥିବା ବେଳେ ସହସ୍ରାଧିକ ଅଧ୍ୟାପକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ିବା ଫଳରେ କଲେଜଗୁଡ଼ିକରେ ପାଠପଢ଼ା ଓ ପ୍ରଶାସନିକ କାର୍ଯ୍ୟ ଗୁରୁତର ବ୍ୟାହତ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ଏ ସମସ୍ତ ପଦବୀ ପୂରଣ କରିବା ଲାଗି ବିଧାୟକ ଶ୍ରୀ ରାୟ ଦାବି କରିଛନ୍ତି। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top